Categories
ଆଜିର ଖବର ରାଜ୍ୟ ଖବର

ରୁଷ୍‌, ୟୁକ୍ରେନ ଯୁଦ୍ଧ ସମାପ୍ତି ପାଇଁ ରାଜଧାନୀରେ ନବନିର୍ମାଣ କୃଷକ ସଂଗଠନର ଶାନ୍ତି ଶୋଭାଯାତ୍ରା

ଭୁବନେଶ୍ୱର: ଯୁଦ୍ଧ କମ୍ବା ହିଂସା କୌଣସି ପରିସ୍ଥିତିରେ ସମସ୍ୟାର ସମାଧାନ ନୁହେଁ । ଯୁଦ୍ଧ ଓ ହିଂସା ସବୁବେଳେ ସାରା ମାନବସମାଜ ଓ ପୃଥିବୀ ପାଇଁ ବିପଦ। ଏଣୁ ଯୁଦ୍ଧ ପରିସ୍ଥିତିକୁ କେତେବେଳେ ବି ବରଦାସ୍ତ କରାଯାଇ ପାରିବ ନାହିଁ। ଏହି ବିଶ୍ୱ ଦୁଇ ଦୁଇଟି ବିଶ୍ୱଯୁଦ୍ଧ ଦେଖିଛି ଓ ତା’ର ରକ୍ତକ୍ଷୟି ସଂଗ୍ରାମର କୁଫଳ ଭୋଗିଛି।

ତେଣୁ ମାନବ ସଭ୍ୟତା ବିକାଶର ଚରମ ସୋପାନ ଆଡ଼କୁ ଗତି କରୁଥିବା ବେଳେ ଯୁଦ୍ଧ କରି ଲକ୍ଷ ଲକ୍ଷ ନରନାରୀଙ୍କୁ ମୃତ୍ୟୁ ମୁହଁକୁ ଠେଲିଦେବା ଓ ସାରା ବିଶ୍ୱକୁ ଯୁଦ୍ଧର ଆତଙ୍କ ଭିତରକୁ ଠେଲିଦେବାକୁ ନବନିର୍ମାଣ କୃଷକ ସଂଗଠନ ବିରୋଧ କରିଛି। ଆମେ ଯୁଦ୍ଧ ନୁହଁ, ଶାନ୍ତି ଚାହୁଁ। ସମାଧାନର ରାସ୍ତା ଯୁଦ୍ଧ ନୁହେଁ, ସ୍ଥାୟୀ ବିଶ୍ୱଶାନ୍ତି ଆମର ଦାବି, ବିଶ୍ୱକୁ ଯୁଦ୍ଧ ମୁହଁକୁ ଠେଲିବା ବନ୍ଦ କର ସ୍ଲୋଗାନମାନ ଦେଇ ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତାମାନେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରୁ ପିଏମ୍‌ଜି ଆଡ଼କୁ ଶୋଭାଯାତ୍ରାରେ ଯାଇଥିଲେ।

ଶୋଭାଯାତ୍ରାକାରୀଙ୍କୁ ଉଦ୍‌ବୋଧନ ଦେଇ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ଯେ, ଯୁଦ୍ଧ ବିରୁଦ୍ଧରେ ତମାମ ଦୁନିଆରେ ଜନମତ ସଂଗଠିତ ହେବା ଦରକାର। ଶାନ୍ତି ସପକ୍ଷରେ ଜନମତ ଅଧିକ ସଂଗଠିତ ହେଲେ ରୁଷ୍ ଉପରେ ନୈତିକ ଚାପ ପଡ଼ିବ। ସେହିଭଳି ନାଟୋ ଠାରୁ ୟୁଏନ୍‌ଏ ପର୍ଯ୍ୟନ୍ତ ସମସ୍ତେ ଯୁଦ୍ଧ ବିରତି ପାଇଁ ତତ୍ପର ହେବାର ଆବଶ୍ୟକତା ଅଛି। ଭାରତର ଭୂମିକା ନେଇ ରାଜ୍ୟପାଳଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ଯୁଦ୍ଧ ବିରତି ପାଇଁ ସକରାତ୍ମକ ଭୂମିକା ନିଭାଇବାକୁ ଅନୁରୋଧ କରାଯାଇଛି। ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ଓ ୟୁକ୍ରେନରେ ନାଟୋ, ଆମେରିକାର କୁଟନୀତି କ୍ଷତି କରୁଛି, ରୁଷିଆ ତୁରନ୍ତ ଯୁଦ୍ଧ ବନ୍ଦ କରୁ, ନାଟୋ ଓ ଆମେରିକା ୟୁକ୍ରେନକୁ ନେଇ ରାଜନୈତିକ କୁଟନୀତି ବନ୍ଦ କରନ୍ତୁ, ୟୁକ୍ରେନର ସାର୍ବଭୌମ ଓ ବ୍ୟକ୍ତି ସ୍ୱାଧୀନତା ରକ୍ଷା କରାଯାଉ, ଯୁଦ୍ଧ ସମାଧାନର ମାଧ୍ୟମ ନୁହେଁ। ସମାଧାନର ଏକମାତ୍ର ରାସ୍ତା ଶାନ୍ତି ଓ ଅହିଂସା। ଅହିଂସା ରାସ୍ତାରେ ଭାରତର ଅବଦାନ ମହତ୍ତ୍ୱପୂର୍ଣ୍ଣ ହୋଇଥିବାରୁ ରୁଷିଆ ଉପରେ କିଭଳି ଚାପ ପ୍ରୟୋଗ କରାଯିବ, ସେଥିପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ତ୍ୱପୂର୍ଣ୍ଣ ଭମିକା ଗ୍ରହଣ କରନ୍ତୁ।

ଆଜିର ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ, ଦୀନେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ।