Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକଙ୍କ ଆନ୍ଦୋଳନକୁ ଓଡିଶା ଅଭିଭାବକ ମହାସଂଘର ସମର୍ଥନ

ରଣପୁର: ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ପ୍ରକାରର ଠିକା ନିଯୁକ୍ତି ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବିରେ ରାଜ୍ୟବ୍ୟାପୀ ଶିକ୍ଷକଙ୍କ ଆନ୍ଦୋଳନ ଚାଲିଛି। ଏଥିରୁ ନୟାଗଡ ଜିଲ୍ଲା ମଧ୍ୟ ବାଦ୍ ପଡି ନାହିଁ। ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରରେ ଏହି ଆନ୍ଦୋଳନ ଜାରି ରହିଛି। ରଣପୁର ବ୍ଲକରେ ମଧ୍ୟ ଏହି ଆନ୍ଦୋଳନ ୯ ଦିନ ଧରି ଜାରି ରହିଛି।

ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ନେଇ ରାଜ୍ୟ ସରକାର ଟାଳଟୁଳନୀତି ଅବଲମ୍ବନ କରୁଥିବା ନେଇ ପ୍ରାଥମିକ ଶିକ୍ଷକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୮ ମାସର ବ୍ୟବଧାନ ପରେ ପୁଣି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଆହ୍ୱାନ କ୍ରମରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି।

ଆଜି ଏହି ଧାରଣା ସ୍ଥଳରେ ଅଲଓଷ୍ଟା ରାଜ୍ୟ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ ବେହେରା, ଯୁଗ୍ମ ସମ୍ପାଦକ କବିରାଜ ବିଶ୍ୱାଳ, କୋଷାଧ୍ୟକ୍ଷ ଯୁଧିଷ୍ଠିର ପ୍ରଧାନ ଓ ନୟାଗଡ ଜିଲା ସମ୍ପାଦକ ନୀଳାଦ୍ରି ବିହାରୀ ସୁବୁଦ୍ଧି ପହଞ୍ଚି ଶିକ୍ଷକଶିକ୍ଷୟତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଦାବି ହାସଲ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବା ପାଇଁ ମତାମତ ଦେଇଥିଲେ।

ସେହିପରି ପୂର୍ବତନ ସମବାୟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନାରୀ ନେତ୍ରୀ ସୁରମା ପାଢ଼ୀ ମଧ୍ୟ ଆଜି ରଣପୁର ବ୍ଲକ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷକମାନଙ୍କ ଦାବିଗୁଡିକ ଯୁକ୍ତି ସଙ୍ଗତ ଏବଂ ଦାବିଗୁଡିକ ପାଇଁ ସେମାନେ ହକ ଦାର ବୋଲି ମତ ରଖିଥିଲେ। ସରକାର ତୁରନ୍ତ ଶିକ୍ଷକମାନଙ୍କ ଦାବିଗୁଡିକ ପୂରଣ କରି ବିଦ୍ୟାଳୟ ଖୋଲିବା ପାଇଁ ବ୍ୟବସ୍ଥା ଗ୍ରହଣ କରନ୍ତୁ।

ସେହିପରି ଓଡିଶା ଅଭିଭାବକ ମହାସଂଘ ମଧ୍ୟ ଧାରଣା ସ୍ଥଳରେ ପହଞ୍ଚି ଏହି ଧାରଣାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିବା ଜଣା ପଡିଛି। ଓଡିଶା ଅଭିଭାବକ ମହାସଂଘର ବାସୁଦେବ ଭଟ୍ଟ, ସହ-ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ ଓ ଖୋର୍ଦ୍ଧା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଅକ୍ଷୟ କୁମାର ମଲ୍ଲିକ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କ ଧାରଣାକୁ ସମର୍ଥନ ଜଣାଇ ଥିଲେ। ସରକାର ତୁରନ୍ତ ଶିକ୍ଷକମାନଙ୍କ ଦାବିଗୁଡିକ ପୂରଣ କରିବା ପାଇଁ ଦାବି କରିଥିଲେ।