Categories
ଆଜିର ଖବର ରାଜ୍ୟ ଖବର

ଛାତ୍ର କଂଗ୍ରେସ ପକ୍ଷରୁ “ଜବାହର ବାଲମଂଚ”, “ଶିକ୍ଷା ବଂଚାଅ, ଦେଶ ବଂଚାଅ” କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର: ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ “ଜବାହର ବାଲମଂଚ” ଏବଂ “ଶିକ୍ଷା ବଂଚାଅ, ଦେଶ ବଂଚାଅ” କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ “ଜବାହର ବାଲମଂଚ” ର ରାଷ୍ଟ୍ରୀୟ ସଭାପତି ବି.ଭି.ହରି କହିଲେ ଯେ ଏହା ଏଆଇସିସିର ଏକ ନୂଆ ବିଭାଗ । ଏଥିରେ ୭ ରୁ ୧୮ ବର୍ଷ ଭିତରେ ଛାତ୍ରଛାତ୍ରୀମାନେ ଅନ୍ତର୍ଭୁକ୍ତ ହେବେ । ପିଲମାନଙ୍କ ମଧ୍ୟରେ ଅତି କୋମଳ ଅବସ୍ଥାରୁ ବିଷମଞ୍ଜି ବୁଣି ଦିଆଯାଉଛି । ତାହାକୁ ପ୍ରତିହତ କରିବା ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ।

ବିଭିନ୍ନତା ମଧ୍ୟରେ ଏକତା, ସମାନତା, ନ୍ୟାୟ, ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତାର ବାସ୍ତବ ମନ୍ତ୍ର ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା । ବିଶେଷ କରି ସମ୍ବିଧାନର ମୂଲ୍ୟକୁ ମଜବୁତ କରିବାପାଇଁ ସଂକଳ୍ପ ନେବା ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ । ବର୍ତମାନ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ବିକୃତ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ମିଥ୍ୟା କାହାଣି ସୃଷ୍ଟି କରାଯାଇ ସେମାନଙ୍କୁ ବଦନାମ କରାଯାଉଛି । ଏହାକୁ ପ୍ରତିହତ କରିବା ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ।

ଏହି କାର୍ଯ୍ୟକ୍ରମରେ “ଜବାହର ବାଲମଂଚ”ର ଓଡ଼ିଶା କୋଅଡିନେଟର ମାନସ ମିଶ୍ର ଯୋଗଦେଇ କହିଲେ ଯେ ଭାରତର ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ବିରୋଧରେ ହେଉଥିବା ଅପପ୍ରଚାରକୁ ରୋକିବା ଏବଂ ସାମନା କରିବା ପାଇଁ ଧର୍ମନିରପେକ୍ଷତା ଓ ଶାନ୍ତି ସହିତ ଦେଶକୁ ଗଠନ କରିବା ଏ ସଂଗଠନର ଲକ୍ଷ ।

ଏହି କାର୍ଯ୍ୟକ୍ରମରେ ବିସ୍ମୟ ମହାପାତ୍ର, ପ୍ରକାଶ ମିଶ୍ର, ଅମିୟ ପାଣ୍ଡବ, ନିହାର ବେହେରା, ବିଶ୍ୱଭୂଷଣ ମହାପାତ୍ର, ଅଖିଳେଷ ଯାଦବ, କାର୍ତିକେଶ୍ୱର କାଣ୍ଡି, ଅଭିରାମ ଗୌଡ଼, ସାହରୁଖ ଖାନ, ଭାଗ୍ୟଶ୍ରୀ ମହାନ୍ତି, ସୌମ୍ୟ ଷଣ୍ଢ, ପ୍ରିତିସ୍ମିତା ଜେନା, ପ୍ରମୁଖ ଉପସ୍ଥିତ ରହିଥିଲେ ।