Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲଣ୍ଡାକୋଟ୍ ସଂରକ୍ଷିତ ଜଙ୍ଗଲରୁ ଶୁଆ ଚାଲାଣ: ୮ ଶୁଆ ଜବତ, ଅଭିଯୁକ୍ତ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ରେଞ ଅଂଚଳରେ ଦିନକୁ ଦିନ ଅବାଧରେ ଜନ୍ତୁ ଶିକାର ସହ ବାହାର ରାଜ୍ୟକୁ ପକ୍ଷୀ ଚାଲାଣ ଚାଲିଥିବା ବେଳେ ବନବିଭାଗ ଶିକାରୀ ତଥା ଚାଲାଣ କାରୀକୁ ସଫଳତାର ସହ ଧରିବାରେ ସକ୍ଷମ ହୋଇଥିବା ଜଣା ପଡିଛି। ଗତକାଲି ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ସଂରକ୍ଷିତ ଜଙ୍ଗଲରେ ଜନୈକ ବ୍ୟକ୍ତି ବାହାର ରାଜ୍ୟକୁ ଶୁଆ ଚାଲାଣ କରୁଥିବା ସଂପର୍କରେ ବନବିଭାଗ ଖବରପାଇ ସେଇ ଜଙ୍ଗଲ ପାଖରେ ଚଢଉ କରି ୮ ଟି ଜୀବନ୍ତ ଶୁଆ ଉଦ୍ଧାର କରିବା ସହ ଜଣେ ଶୁଆ ଚାଲାଣ କାରୀ ବ୍ୟକ୍ତିକୁ ଧରିଥିବା ଜଣା ପଡିଛି । ବନବିଭାଗ ଗିରଫ କରିଥିବା ବ୍ୟକ୍ତିଜଣଙ୍କ କିସିଣ୍ଡା ଥାନା ଅନ୍ତର୍ଗତ ଗରିଆଖମଣ ଗ୍ରାମର ପ୍ରଦୀପ କୁମାର କୁଜୁର ବୋଲି ବନବିଭାଗ ପ୍ରକାଶ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ନିକଟସ୍ଥ ଲଣ୍ଡାକୋଟ୍ ସଂରକ୍ଷିତ ଜଙ୍ଗଲରୁ ଶୁଆ ଆଣି ବାହରା ରାଜ୍ୟକୁ ଚାଲାଣ କରାଯାଉଥିବା ଖବର ପାଇଥିଲା। ରେଞ ଅଧିକାରୀ ସୁଶାନ୍ତ କୁମାର ବନ୍ଧଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ ବନକର୍ମଚାରୀମାନେ ସେଇ ଜଙ୍ଗଲକୁ ସକାଳେ ଯାଇଥିଲେ।

ଜଙ୍ଗଲରେ ଚଢଉ ସମୟରେ ଗରିଆଖମଣ ଗ୍ରାମର ପ୍ରଦୀପ କୁଜୁରଙ୍କ ପାଖରୁ ୮ ଟି ଜୀବନ୍ତ ଶୁଆୁ ଜବତ କରିଥିଲା ବନବିଭାଗ। ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଧାରାରେ ଚାଲାଣ କାରୀ ପ୍ରଦୀପକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ ରେ କାମ କରୁଥିବା ଗଣମାଧ୍ୟର ସମସ୍ତ ପ୍ରତିନିଧିମାନଙ୍କୁ ବନବିଭାଗ ସୂଚନା ନ ଦେଇ କେବଳ କିଛି ନିର୍ଦ୍ଦିଷ୍ଟ ଗଣ ମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଉଥିବାରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ଗତ ୨୬ /୧/୨୦୨୨ରେ ଗିରଶ୍ଚନ୍ଦ୍ରପୁର ରେଞର ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗିରିଶ୍ଚନ୍ଦ୍ରପୁର ବନାଂଚଳ ଅଧିନସ୍ଥ ବଡବାହାଳ ଗ୍ରାମ ନିକଟରେ ଅବାଧରେ ଜନ୍ତୁ ଶିକାର କରି ଫେରୁଥିବା ୨ ଜଣ ବେପାରୀ ସହ ୩ ଜଣ ଜନ୍ତୁ ଶିକାରୀକୁ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ କୁଟୁରାମାଂସ ୫ କେଜି, ଜୀବନ୍ତ ଶୁଆ ୧୪ ଟି, ସମ୍ବର ମୁଣ୍ଡ ସହ ସିଙ୍ଗ, ଦେଶୀ ବନ୍ଧୁକ ୧ ଟି, ଅଫୁଟା ଗୁଳି ୩ ଟା, ଧନୁତୀର ୨ ଟା, ଶିକାର ପାଇଁ ବ୍ୟବହୃତ ଫାଶ ୧ ସେଟ୍, ଏବଂ ସେମାନେ ବ୍ୟବହାର କରୁଥିବା ଏକ ହୋଣ୍ଡା ଲିଭୋ ମୋଟର ସାଇକେଲ କୁ ଜବତ କରିଥିଲା ବନବିଭାଗ।

ଏହି କାରବାରରେ ସଂପୃକ୍ତି ଥିବା ବେପାରୀ କିସିଣ୍ଡା ଥାନା ପାରଧିଆମୁଣ୍ଡା ଗ୍ରାମର ଇନ୍ଦ୍ର ବେହେରା (୨୯) ଏବଂ ସୁରେନ୍ଦ୍ର ବେହେରା (୩୦) ଏବଂ ଶିକାରୀ ଧର୍ମୁ ଶବର (୫୩), କାର୍ତ୍ତିକ ଶବର (୫୮), ଏବଂ ରମାକାନ୍ତ ଶବର (୨୫) ଙ୍କୁ ବନବିଭାଗ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ଅନୁଯାୟୀ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ ମଧ୍ୟ କରିଥିଲା ବନବିଭାଗ।