Categories
ଆଞ୍ଚଳିକ

ବାଣପୁର: ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ପାଳିତ ହେଲା ନନ୍ଦ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଣପୁର: ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ନନ୍ଦରାଜାଙ୍କ ଘରେ ଉତ୍ସବ ଅନୁଷ୍ଠିତ ହୁଏ।  ଠାକୁରଙ୍କ ସେହି ପରମ୍ପରା ଅନୁଯାୟୀ ବାଣପୁରର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ପରମ୍ପରା ମୁତାବକ ନନ୍ଦ ଉତ୍ସବ ପାଳନ କରାଯାଇଛି। ଭୋର ସମୟରେ ମଙ୍ଗଳ ଆଳତି, ଅବକାଶ, ଗୋପାଲବଲ୍ଳଭ କରାଯାଇ ଠାକୁରଙ୍କର ମଧ୍ୟାହ୍ନ ଧୂପ ହୋଇଥିଲା। ପରେ ମଦନମୋହନ ଓ ରାମକୃଷ୍ଣ ବଲଭଦ୍ର ଓ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପ୍ରାପ୍ତ ହୋଇ ଖଟ ଦୋଳିକୁ ବିଜେ କରିଥିଲେ।

ମଦନମୋହନ ଓ ରାମକୃଷ୍ଣଙ୍କୁ ଦୋଳିରେ ବିଭିନ୍ନ ଫୁଲ ମାଧ୍ୟମରେ ଅପୂର୍ବ ବେଶରେ ସଜାଯାଇ ଥିଲା। ପରେ ଠାକୁରଙ୍କ ନିକଟରେ କ୍ଷୀର, ସର, ଲହୁଣୀ ଓ ଖିରୀ କାକରା ଦ୍ୱାରା ନୈବେଦ୍ୟ ସମାପନ କରାଯାଇଥିଲା। ଠାକୁରଙ୍କ ଦର୍ଶନ ନିମିତ୍ତ ଭକ୍ତ ମାନଙ୍କର ସମାଗମ ବଢିଥିଲା। ସନ୍ଧ୍ୟାରେ ଆଳତି ବନ୍ଦାପନା ହୋଇ ଓ ସନ୍ଧ୍ୟା ଧୂପ ବଢିବାପରେ ମଦନମୋହନ ପୁନଃ ରତ୍ନ ସିଂହାସନକୁ ବିଜେ କରିଥିଲେ।

ଠାକୁରଙ୍କ ପ୍ରସାଦ ଭାବରେ ଖିରି କାକରା ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବା ପରେ ଶ୍ରୀ ଜିଉଙ୍କର ତ୍ରିମୁଣ୍ଡି ଚନ୍ଦନ ଲାଗି,ବଡ଼ସିଂହାର ବେଶ ହୋଇ ରାତ୍ର ଧୂପ ଶେଷ ହେବାପରେ ଠାକୁରଙ୍କର ପହୁଡ଼ ହୋଇଥିଲା। ମନ୍ଦିର ପରିଚାଳନା କମିଟି ଓ ସର୍ବ ସାଧାରଣଙ୍କ ସହଯୋଗରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମାପନ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଚିତାଲାଗି ଅମାବାସ୍ୟା ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପବିତ୍ର ଶ୍ରାବଣ ଅମାବାସ୍ୟା ଯାହାକି ସାଧାରଣରେ ଚିତାଲାଗି ଅମାବାସ୍ୟା ନାମରେ ଖ୍ୟାତ। ଏହି ପର୍ବ ଓଡିଶାର ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପୀଠରେ ମଧ୍ୟ ଏହା ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କୁହାଯାଉଥିବା ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ମଧ୍ୟ ଆଜି ଚିତାଲାଗି ଅମାବାସ୍ୟା ପାଳନ କରାଯାଇଛି।

ଭୋର ପାଞ୍ଚ ଘଟିକା ସମୟରେ ଦ୍ୱାରଫିଟା, ମଙ୍ଗଳ ଆଳତି, ଅବକାଶ ସୂର୍ଯ୍ୟପୂଜା ଓ ଗୋପାଳ ବଲ୍ଳଭ ପରେ ୧୨ ଘଟିକାରେ ମଧ୍ୟାହ୍ନ ଧୂପ ହୋଇଥିଲା। ପ୍ରଭୁ ରଙ୍କନାଥଙ୍କ ପୂଜକମାନଙ୍କ ଦ୍ୱାରା ପ୍ରସ୍ତୁତ ଔଷଧ ରଙ୍କନାଥଙ୍କୁ ଲାଗି କରାଯାଇ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଚିତାଲାଗି ନୀତି ସମ୍ପର୍ଣ୍ଣ କରାଯାଇଥିଲା। ପ୍ରଭୁଙ୍କୁ ଏହି ଦିନ ଦର୍ଶନ କଲେ କୋଟି ପୁଣ୍ୟ ମିଳେ ବୋଲି ପ୍ରଚଳିତ ଅଛି। ତେଣୁ ପ୍ରଭୁଙ୍କର ଦର୍ଶନ ନିମନ୍ତେ ରଙ୍କନାଥ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା।

Categories
ଆଞ୍ଚଳିକ

ବାଣପୁର ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ବୋଲବମ ସେବାକାର୍ଯ୍ୟ

ସୀତାରାମ ଅଗ୍ରୱାଲ

ବାଣପୁର: ଜାରି ରହିଛି ପବିତ୍ର ଶ୍ରାବଣ ମାସ। ବୋଲବମ ଭକ୍ତମାନେ ବିଭିନ୍ନ ଶୈବ ପିଠରେ ଜଳଲାଗି କରୁଛନ୍ତି। ତେବେ ବିଭିନ୍ନ ସ୍ଥାନରେ ଭକ୍ତଙ୍କ ସେବା ଲାଗି ବହୁ ସ୍ଵେଚ୍ଛାସେବୀ ଧାର୍ମିକ ସଂଗଠନ ମାନେ ସେବା କାର୍ଯ୍ୟ ଜାରି ରଖିଛନ୍ତି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ମଧ୍ୟ ଶତାଧିକ ଶିବ ଭକ୍ତ ମାନେ ଜଳଲାଗି କରୁଛନ୍ତି।

ଆସନ୍ତାକାଲି ଶ୍ରାବଣର ଦ୍ଵିତୀୟ ସୋମବାର ଥିବା ବେଳେ ଅଞ୍ଚଳର ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ବଜାର ସାହିସ୍ଥିତ ରଙ୍କନାଥ ଦେବ ମନ୍ଦିର ପରିସରରେ ସେବା କାର୍ଯ୍ୟ ଜାରି ରହିଛି। ବୋଲବମ ପାଣି ନେଇ ଯାଉଥିବା ଭକ୍ତ ମାନଙ୍କ ସେବା ଜାରି ରଖିଛି ଉକ୍ତ ଅନୁଷ୍ଠାନ। କମିଟିର କର୍ମକର୍ତ୍ତାମାନେ ପ୍ରତି ବର୍ଷ ଶ୍ରାବଣ ମାସରେ ଉକ୍ତ ସେବା କାର୍ଯ୍ୟ କରିଥାନ୍ତି। କମିଟି କର୍ମକର୍ତ୍ତା ଙ୍କ ପକ୍ଷରୁ ଭକ୍ତଙ୍କ ରହିବା ଓ ଭୋଜନ ବ୍ୟବସ୍ଥା କରାଯାଇଛି।

ତତସହିତ କୌଣସି ଭକ୍ତ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାର ବିଶେଷ ଧ୍ୟାନ ରଖୁଛି ଉକ୍ତ କମିଟି। ଚଳିତ ବର୍ଷ ଯୋଡ଼ା ଶ୍ରାବଣ ମାସ ପଡୁଥିବାରୁ ଦୁଇ ମାସ ଧରି ବୋଲବମ ଭକ୍ତଙ୍କ ସେବା କାର୍ଯ୍ୟ ଜାରି ରହିବ ବୋଲି କମିଟି ପକ୍ଷରୁ ପ୍ରକାଶ।

ସୂଚନା ଥାଉକି ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଦୀର୍ଘ ବର୍ଷ ହେଲା ବାଣପୁର ଅଞ୍ଚଳରେ ବିଭିନ୍ନ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଡି ହୋଇ ସେବା କାର୍ଯ୍ୟ ଜାରି ରଖିଛି।

Categories
ଆଞ୍ଚଳିକ

ଅଶୋକାଷ୍ଟମୀ ଉପଲକ୍ଷେ ମା’ ଭଗବତୀଙ୍କ ଦକ୍ଷିଣ ଦିଗକୁ ଯାତ୍ରା

ସୀତାରାମ ଅଗ୍ରୱାଲ
ବାଣପୁର: କୁମାରାଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଳି ଗୋବିନ୍ଦପୁର ଠାରେ ପୂଜା ପାଆନ୍ତି ପଶ୍ଚିମାଭିମୁଖୀ ଠାକୁର ଶ୍ରୀ ଶ୍ରୀ ବୁଢା ଗତିଃଶ୍ଵରଦେବ। ଉକ୍ତ ମନ୍ଦିରରେ ବୁଧବାର ପରମ୍ପରା ଅନୁଯାୟୀ ପବିତ୍ର ଅଶୋକଷ୍ଟମୀ ପର୍ବ ଖୁବ ଧୂମଧାମରେ ପାଳନ କରାଯାଇଛି। ପ୍ରଭୁ ଗତିଃଶ୍ଵର ଦେବ ଏ ଅଂଚଳର ଏକ ପ୍ରତ୍ୟେକ୍ଷ ଠାକୁର।

ପରମ୍ପରା ଅନୁଯାୟୀ ଏହି ଦିନ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ, ଶ୍ରୀ ଶ୍ରୀ ରଙ୍କନାଥ ଦେବ, ଏବଂ ମା ଭଗବତୀଙ୍କ ପିତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଗତିଃଶ୍ଵରଙ୍କ ପୀଠକୁ ଆସିଥାନ୍ତି। ତତସହିତ ଗତିଃଶ୍ୱରଙ୍କ ମୂଳ ପୀଠ କୁହାଯାଉଥିବା ଦୁଲଣୀ ଗ୍ରାମର ଗୋପୀନାଥ ଦେବଙ୍କ ଆଗମନ ହେବାରୁ ଏକ ମହାମିଳନ ପର୍ବ ଅନୁଷ୍ଠିତ ହୁଏ।

କିମ୍ବଦନ୍ତୀ ଅନୁସାରେ ମା’ ଭଗବତୀ ବର୍ଷକୁ ଚାରିଦିଗକୁ ଯାତ୍ରା କରିଥାନ୍ତି। ପୂର୍ବ କାଳରେ ମା ଦକ୍ଷିଣ ଦିଗରେ ଥିବା ଗଞ୍ଜାମ ଜିଲ୍ଲାର ନାରାୟଣୀ ମନ୍ଦିରକୁ ଯାତ୍ରା କରିଥାନ୍ତି। କିନ୍ତୁ ଅଶୋକଷ୍ଟମୀ ଦିନ ମା ବାଣପୁରରୁ ନାରାୟଣୀ ମନ୍ଦିରକୁ ଯାତ୍ରା କରୁଥିବା ବେଳେ ସେବାୟତ ମାନେ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ନାରାୟଣୀ ମନ୍ଦିରର ସେବାୟତ ମାନେ ଆଉ ମା’ ଙ୍କୁ ଛାଡ଼ିବେନି। ସେହି ଭୟରେ ପଛକୁ ଫେରିବାର ପରମ୍ପରା ନ ଥିବାରୁ ରାସ୍ତା ପାର୍ଶ୍ୱରେ ବହିଯାଉଥିବା ଶାଳିଆ ନଦୀ ଭିତରେ ପଶି ଗୋବିନ୍ଦପୁରରେ ଥିବା ଗତିଃଶ୍ୱରଙ୍କ ପୀଠକୁ ସେବାୟତ ମାନେ ନେଇ ଯାଇଥିଲେ।

ସେହି ଦିନ ଠାରୁ ଏଠାରେ ଅଶୋକଷ୍ଟମୀ ପର୍ବ ପାଳନ ହୋଇ ଆସୁଅଛି। ଆଜି ପର୍ଯ୍ୟନ୍ତ ମଧ୍ୟ ଅଶୋକାଷ୍ଟମୀ ଦିନ ରାସ୍ତା ଥିଲେ ମଧ୍ୟ ସେହି ନଦୀ ଭିତରେ ପଶି ମା’ ଯାଇଥାନ୍ତି। ସେଠାରେ ରାତ୍ରି ଯାପନ କରି ଭୋର ଚାରି ଘଟିକା ସମୟରେ ମା ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

ଚଳିତ ବର୍ଷ ମା’ଙ୍କର ଆଗମନକୁ ଦେଖି ସକାଳ ଧୂପ, ସହ ଠାକୁର ମାନଙ୍କ ପାଖରେ ବିଭିନ୍ନ ପ୍ରକାର ଶଙ୍ଖୁଡି ଭୋଗର ବ୍ୟବସ୍ତା କରାଯାଇଥିଲା। ଦିନ ଓ ରାତି ତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ବହୁ ଶ୍ରଦ୍ଧାଳୁ ମାନଙ୍କର ପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଭିଡ଼ ପରିଲକ୍ଷିତ ହୋଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମ ମାଳି ଗୋବିନ୍ଦପପୁର ଗ୍ରାମବାସୀଙ୍କ ସହଯୋଗରେ ସମ୍ପାଦନ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁରରେ ଚାରଣ ପ୍ରବ୍ରଜ୍ୟା ୩୧ତମ ଲୋକ ସଂଗ୍ରହ କାର୍ଯ୍ୟକ୍ରମ ଉଦଘାଟିତ

ସୀତାରାମ ଅଗ୍ରୱାଲ

ବାଣପୁର: ଶ୍ରୀ ଜଗନ୍ନାଥ ଚେତନାର ବାହକ ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ, ପୁରୀଙ୍କ ଆନୁକୂଲ୍ୟରେ ବାଣପୁରର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପ୍ରାଙ୍ଗଣରେ ଆଜି ଚାରଣ ପ୍ରବ୍ରଜ୍ୟା -୨୦୨୨ ୩୧ତମ ଲୋକ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥଙ୍କ ଚାରଣ ଚେତନାର ବାର୍ତ୍ତା ପ୍ରତି ଜନପଦର ଦ୍ୱାରେ ଦ୍ୱାରେ ଖାଲିପାଦରେ ପ୍ରଚାର ପ୍ରସାର ପାଇଁ ପ୍ରଭୁଙ୍କ ସହ ପ୍ରବ୍ରଜ୍ୟା କରନ୍ତି। ଉକ୍ତ ପ୍ରବ୍ରଜ୍ୟା ୧୯୯୦ ମସିହା ଠାରୁ ଆରମ୍ଭ ହୋଇ ଆସୁଅଛି।

ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଡ଼ିସେମ୍ବର ୨୪ ତାରିଖରୁ ଜାନୁୟାରୀ ୧ତାରିଖ ପର୍ଯ୍ୟନ୍ତ ନବଦିନ ବ୍ରତ ନିଷ୍ଠାର ସହକାରେ କରାଯିବ। ଆଜି ପ୍ରଥମ ଦିନରେ ପ୍ରାତଃ କାଳରେ ଶ୍ରୀ ବିଷ୍ଣୁ ସହସ୍ର ନାମ ଓ ହନୁମାନ ଚାଲିଶା, କଳସ ଯାତ୍ରା, ଜଳଯୋଗ ସହ ପୂର୍ବାହ୍ନ ରେ ଭାଗବତ ସଭା ଓ ଶ୍ରୀ ବିଷ୍ଣୁ ଗାୟତ୍ରୀ ଯଜ୍ଞର ଆୟୋଜନ କରାଯାଇଥିଲା। ଅପରାହ୍ନ ୩ଘଟିକା ସମୟରେ ବାଣପୁର ଭଗବତୀ ସାହି ଦାସରଥୀପୁର ,ତଳସାହି,ରଘୁନାଥ ସାହି ଓ ଦକ୍ଷ ପ୍ରଜାପତି ସାହିରେ ନଗର କୀର୍ତ୍ତନର ଆୟୋଜନ କରାଯାଇଥିଲା। ସନ୍ଧ୍ୟା ୭ଘଟିକା ସମୟରେ ଏକ ଭାଗବତ ସଭାର ଆୟୋଜନ କରାଯାଇଥିଲା।

ଉକ୍ତ ଭାଗବତ ସଭାକୁ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ଶ୍ରୀ ରଙ୍କନାଥଙ୍କ ସ୍ଥାୟୀ ସଭାପତି ଓ ପ୍ରଥମ ସେବକ ରାଜକୁମାର ରାଜସାହେବ ସନ୍ତୋଷ ମୋହନଦେଵ ମାନସିଂ ହରିଚନ୍ଦନ ମର୍ଦ୍ଦରାଜ ଭ୍ରମରବର ରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଂମାନିତ ଅତିଥି ଭାବେ ଏନ ଏ ସି ଅଧକ୍ଷ ମିଟୁ ନାୟକ, ଶ୍ରୀଗୁଣ୍ଡିଚା ପତ୍ରିକାର ମୁଖ୍ୟ ସମ୍ପାଦକ ମଦନ ମୋହନ ମହାପାତ୍ର ଯୋଗ ଦେଇଥିଲେ। ଉକ୍ତ ଭାଗବତ ସଭାକୁ ପ୍ରାଧ୍ୟାପକ ଡଃ ଗୋପାଳ ଚନ୍ଦ୍ର ରଥ ଉପ ଦଳପତି ଡଃ ଶରତ ଚନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ହରିଶ୍ଚନ୍ଦ୍ର ସାହୁ ସୁଚାରୁ ରୁପେ ପରିଚାଳନା କରିଥିଲେ। ପରେ ଚାରଣ ପ୍ରବକ୍ତାଗଣଙ୍କ ଦ୍ୱାରା ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତେବେ ନବ ଦିନ ବ୍ୟାପି ସମସ୍ତ କାର୍ଯ୍ୟକ୍ରମକୁ ବାଣପୁରର ଅଗ୍ରଣୀ ଧର୍ମାନୁଷ୍ଠାନ ଶ୍ରୀ ଶ୍ରୀ ରଙ୍କନାଥ ଦେବ 108 ହନୁମାନ ଚାଳିଶା ଯଜ୍ଞ କମିଟି ପରିଚାଳନା କରୁଅଛି l

Categories
ଆଞ୍ଚଳିକ

ବାଣପୁର ବିଜେପି ନଗର ମଣ୍ଡଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜେପି ନଗର ମଣ୍ଡଳ ପକ୍ଷରୁ ଆଜି ସଂନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶ୍ରୀ ଶ୍ରୀ ରଙ୍କନାଥ ଦେବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ବିଜେପି ବାଣପୁର ନଗର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ପରିପ୍ରେକ୍ଷୀରେ ଉକ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ। ଭାଜପା ଏକ ରାଜନୈତିକ ଦଳ ନୁହେଁ ବରଂ ଏହା ଏକ ବିଶାଳ ପରିବାର। ଉକ୍ତ ପରିବାରର ପ୍ରତ୍ୟେକ କାର୍ଯ୍ୟକର୍ତା ଦେଶମାତୃକାର ସେବା ଉପଲକ୍ଷେ ଉତ୍ସଗୀକୁର୍ତ୍ତ। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି କିପରି ଚିଲିକାରେ ପୁନଶ୍ଚ ଜନସାଧାରଣଙ୍କ ସେବା କରିବାର ସୁଯୋଗ ପାଇବ ସେ ନେଇ ସମସ୍ତ କାର୍ଯ୍ୟକର୍ତା ଏକ ମନ ହୋଇ ଆଜିଠାରୁ ସଂଗଠନ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ ଶ୍ରୀ ହରିଚନ୍ଦନ।

ଚଳିତ ପୌର ନିର୍ବାଚନରେ ବିଜେପି ବିରୋଧୀକୁ କଡ଼ା ଟକ୍କର ଦେବା ସହ ୫ ଗୋଟି କାଉନସିଲର ପଦରେ ବିଜୟ ଲାଭ କରିବାକୁ ସକ୍ଷମ ହୋଇଛି ଏବଂ ଆଗାମୀ ଦିନରେ ବାଣପୁର ଏନଏସିର ଜନସାଧାରଣଙ୍କ ହକ ପାଇଁ ବିଜେପି ଜୋରଦାର ଲଢେଇ କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଥିଲା।

ଉକ୍ତ ବୈଠକରେ ଏନଏସି ର ସମସ୍ତ ନିର୍ବାଚିତ ବିଜେପି କାଉନସିଲର, ନିର୍ବାଚନ ଲଢ଼ିଥିବା ସମସ୍ତ ବିଜେପି ପ୍ରାର୍ଥୀ, ବାଣପୁର ବ୍ଲକ ଅଧ୍ୟକ୍ଷ ଏବଂ ବହୁ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ରଙ୍କନାଥଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ କଳସ ଶୋଭାଯାତ୍ରା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଆଜି ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। କରୋନା କଟକଣା ଅନୁପାଳନ କରି କମିଟିର ସଦସ୍ୟ ଏବଂ ସ୍ଥାନୀୟ ଶ୍ରଦ୍ଧାଳୁମାନେ ପୂର୍ବାହ୍ନରେ ବଜାର ସାହି ସ୍ଥିତ ରଙ୍କନାଥ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ କଳସ ନେଇ ବଜାର ପରିକ୍ରମା କରି ସ୍ଥାନୀୟ ଦକ୍ଷପ୍ରଜାପତି ମନ୍ଦିରଠାରେ ପହଞ୍ଚିଥିଲେ।

ମନ୍ଦିର ପୁଷ୍କରିଣୀରେ ପୂଜାର୍ଚ୍ଚନା କରି ସମସ୍ତ ଶ୍ରଦ୍ଧାଳୁମାନେ କଳସରେ ଜଳ ନେଇ ପୁନଶ୍ଚ ରଙ୍କନାଥ ମନ୍ଦିରରେ ପହଞ୍ଚିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜିଠାରୁ ତିନି ଦିନ ଧରି ପ୍ରତ୍ୟେହ ସଂଧ୍ୟାରେ ଶ୍ରୀହରି କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ।

ଉକ୍ତ ପ୍ରବଚନରେ ପ୍ରବକ୍ତା ଭାବେ ଯୋଗଦେବେ ରବି ନାରାୟଣ ପଣ୍ଡା। ଅନୁରୂପ ଭାବେ ମହାଶିବରାତ୍ରି(ଗୁରବାର) ଦିନ ସଂଧ୍ୟାରେ ୧୦୮ ଥର ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ କମିଟି ପକ୍ଷରୁ ଆୟୋଜନ କରାଯାଇଅଛି।

ଉକ୍ତ କାର୍ଯ୍ୟକ୍ରମଟି ହରିପୁର ମଠ ମହନ୍ତ ରାମମୋହନ ଦାସଜି ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେବ।

ସୂଚନା ଥାଉକି ବାଣପୁର ବଜାର ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଦୀର୍ଘ ୧୪ ବର୍ଷ ହେଲା ଏହି କାର୍ଯ୍ୟକ୍ରମ ଶୃଙ୍ଖଳାର ସହ କରିଆସୁଅଛି।