ବାଣପୁର ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ବୋଲବମ ସେବାକାର୍ଯ୍ୟ

Published: Jul 16, 2023, 8:18 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଜାରି ରହିଛି ପବିତ୍ର ଶ୍ରାବଣ ମାସ। ବୋଲବମ ଭକ୍ତମାନେ ବିଭିନ୍ନ ଶୈବ ପିଠରେ ଜଳଲାଗି କରୁଛନ୍ତି। ତେବେ ବିଭିନ୍ନ ସ୍ଥାନରେ ଭକ୍ତଙ୍କ ସେବା ଲାଗି ବହୁ ସ୍ଵେଚ୍ଛାସେବୀ ଧାର୍ମିକ ସଂଗଠନ ମାନେ ସେବା କାର୍ଯ୍ୟ ଜାରି ରଖିଛନ୍ତି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ମଧ୍ୟ ଶତାଧିକ ଶିବ ଭକ୍ତ ମାନେ ଜଳଲାଗି କରୁଛନ୍ତି।

ଆସନ୍ତାକାଲି ଶ୍ରାବଣର ଦ୍ଵିତୀୟ ସୋମବାର ଥିବା ବେଳେ ଅଞ୍ଚଳର ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ବଜାର ସାହିସ୍ଥିତ ରଙ୍କନାଥ ଦେବ ମନ୍ଦିର ପରିସରରେ ସେବା କାର୍ଯ୍ୟ ଜାରି ରହିଛି। ବୋଲବମ ପାଣି ନେଇ ଯାଉଥିବା ଭକ୍ତ ମାନଙ୍କ ସେବା ଜାରି ରଖିଛି ଉକ୍ତ ଅନୁଷ୍ଠାନ। କମିଟିର କର୍ମକର୍ତ୍ତାମାନେ ପ୍ରତି ବର୍ଷ ଶ୍ରାବଣ ମାସରେ ଉକ୍ତ ସେବା କାର୍ଯ୍ୟ କରିଥାନ୍ତି। କମିଟି କର୍ମକର୍ତ୍ତା ଙ୍କ ପକ୍ଷରୁ ଭକ୍ତଙ୍କ ରହିବା ଓ ଭୋଜନ ବ୍ୟବସ୍ଥା କରାଯାଇଛି।

ତତସହିତ କୌଣସି ଭକ୍ତ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାର ବିଶେଷ ଧ୍ୟାନ ରଖୁଛି ଉକ୍ତ କମିଟି। ଚଳିତ ବର୍ଷ ଯୋଡ଼ା ଶ୍ରାବଣ ମାସ ପଡୁଥିବାରୁ ଦୁଇ ମାସ ଧରି ବୋଲବମ ଭକ୍ତଙ୍କ ସେବା କାର୍ଯ୍ୟ ଜାରି ରହିବ ବୋଲି କମିଟି ପକ୍ଷରୁ ପ୍ରକାଶ।

ସୂଚନା ଥାଉକି ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଦୀର୍ଘ ବର୍ଷ ହେଲା ବାଣପୁର ଅଞ୍ଚଳରେ ବିଭିନ୍ନ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଡି ହୋଇ ସେବା କାର୍ଯ୍ୟ ଜାରି ରଖିଛି।

Related posts