ବାଣପୁର: ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ପାଳିତ ହେଲା ନନ୍ଦ ଉତ୍ସବ

Published: Sep 7, 2023, 8:18 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ନନ୍ଦରାଜାଙ୍କ ଘରେ ଉତ୍ସବ ଅନୁଷ୍ଠିତ ହୁଏ।  ଠାକୁରଙ୍କ ସେହି ପରମ୍ପରା ଅନୁଯାୟୀ ବାଣପୁରର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ପରମ୍ପରା ମୁତାବକ ନନ୍ଦ ଉତ୍ସବ ପାଳନ କରାଯାଇଛି। ଭୋର ସମୟରେ ମଙ୍ଗଳ ଆଳତି, ଅବକାଶ, ଗୋପାଲବଲ୍ଳଭ କରାଯାଇ ଠାକୁରଙ୍କର ମଧ୍ୟାହ୍ନ ଧୂପ ହୋଇଥିଲା। ପରେ ମଦନମୋହନ ଓ ରାମକୃଷ୍ଣ ବଲଭଦ୍ର ଓ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପ୍ରାପ୍ତ ହୋଇ ଖଟ ଦୋଳିକୁ ବିଜେ କରିଥିଲେ।

ମଦନମୋହନ ଓ ରାମକୃଷ୍ଣଙ୍କୁ ଦୋଳିରେ ବିଭିନ୍ନ ଫୁଲ ମାଧ୍ୟମରେ ଅପୂର୍ବ ବେଶରେ ସଜାଯାଇ ଥିଲା। ପରେ ଠାକୁରଙ୍କ ନିକଟରେ କ୍ଷୀର, ସର, ଲହୁଣୀ ଓ ଖିରୀ କାକରା ଦ୍ୱାରା ନୈବେଦ୍ୟ ସମାପନ କରାଯାଇଥିଲା। ଠାକୁରଙ୍କ ଦର୍ଶନ ନିମିତ୍ତ ଭକ୍ତ ମାନଙ୍କର ସମାଗମ ବଢିଥିଲା। ସନ୍ଧ୍ୟାରେ ଆଳତି ବନ୍ଦାପନା ହୋଇ ଓ ସନ୍ଧ୍ୟା ଧୂପ ବଢିବାପରେ ମଦନମୋହନ ପୁନଃ ରତ୍ନ ସିଂହାସନକୁ ବିଜେ କରିଥିଲେ।

ଠାକୁରଙ୍କ ପ୍ରସାଦ ଭାବରେ ଖିରି କାକରା ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବା ପରେ ଶ୍ରୀ ଜିଉଙ୍କର ତ୍ରିମୁଣ୍ଡି ଚନ୍ଦନ ଲାଗି,ବଡ଼ସିଂହାର ବେଶ ହୋଇ ରାତ୍ର ଧୂପ ଶେଷ ହେବାପରେ ଠାକୁରଙ୍କର ପହୁଡ଼ ହୋଇଥିଲା। ମନ୍ଦିର ପରିଚାଳନା କମିଟି ଓ ସର୍ବ ସାଧାରଣଙ୍କ ସହଯୋଗରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମାପନ କରାଯାଇଥିଲା।

Related posts