ରଙ୍କନାଥଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ କଳସ ଶୋଭାଯାତ୍ରା

Published: Mar 8, 2021, 8:21 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଆଜି ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। କରୋନା କଟକଣା ଅନୁପାଳନ କରି କମିଟିର ସଦସ୍ୟ ଏବଂ ସ୍ଥାନୀୟ ଶ୍ରଦ୍ଧାଳୁମାନେ ପୂର୍ବାହ୍ନରେ ବଜାର ସାହି ସ୍ଥିତ ରଙ୍କନାଥ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ କଳସ ନେଇ ବଜାର ପରିକ୍ରମା କରି ସ୍ଥାନୀୟ ଦକ୍ଷପ୍ରଜାପତି ମନ୍ଦିରଠାରେ ପହଞ୍ଚିଥିଲେ।

ମନ୍ଦିର ପୁଷ୍କରିଣୀରେ ପୂଜାର୍ଚ୍ଚନା କରି ସମସ୍ତ ଶ୍ରଦ୍ଧାଳୁମାନେ କଳସରେ ଜଳ ନେଇ ପୁନଶ୍ଚ ରଙ୍କନାଥ ମନ୍ଦିରରେ ପହଞ୍ଚିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜିଠାରୁ ତିନି ଦିନ ଧରି ପ୍ରତ୍ୟେହ ସଂଧ୍ୟାରେ ଶ୍ରୀହରି କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ।

ଉକ୍ତ ପ୍ରବଚନରେ ପ୍ରବକ୍ତା ଭାବେ ଯୋଗଦେବେ ରବି ନାରାୟଣ ପଣ୍ଡା। ଅନୁରୂପ ଭାବେ ମହାଶିବରାତ୍ରି(ଗୁରବାର) ଦିନ ସଂଧ୍ୟାରେ ୧୦୮ ଥର ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ କମିଟି ପକ୍ଷରୁ ଆୟୋଜନ କରାଯାଇଅଛି।

ଉକ୍ତ କାର୍ଯ୍ୟକ୍ରମଟି ହରିପୁର ମଠ ମହନ୍ତ ରାମମୋହନ ଦାସଜି ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେବ।

ସୂଚନା ଥାଉକି ବାଣପୁର ବଜାର ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଦୀର୍ଘ ୧୪ ବର୍ଷ ହେଲା ଏହି କାର୍ଯ୍ୟକ୍ରମ ଶୃଙ୍ଖଳାର ସହ କରିଆସୁଅଛି।

Related posts