Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା ବିଧାନସଭା ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ବସିଲା ପ୍ରଥମ ବୈଠକ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଦେଶର ଉପାନ୍ତ ଅଞ୍ଚଳ ଏବଂ ଅନ୍ୟାନ୍ୟ ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାରପ୍ରସାର ନିମନ୍ତେ ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ନେଇ ଏହି ବୈଠକରେ ଆଲୋଚନା ହୋଇଯାଇଛି।

କମିଟିର ସଦସ୍ୟମାନେ ବୈଠକରେ ପଡ଼ୋଶୀ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଭାଷା-ସଂସ୍କୃତିର ସୁରକ୍ଷା ଦିଗରେ ରହିଥିବା ସମସ୍ୟାଗୁଡ଼ିକ ବାବଦରେ ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ପ୍ରତିକାର ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ନିମନ୍ତେ କମିଟିରେ ଉପସ୍ଥାପନ କରିଥିଲେ ।

ପଡୋଶୀ ରାଜ୍ୟମାନଙ୍କରେ ଆମ ଶିକ୍ଷା-ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟରତ ଅନୁଷ୍ଠାନଗୁଡ଼ିକ ସାମ୍‌ନା କରୁଥିବା ସମସ୍ୟାର ପ୍ରତିକାର ବ୍ୟବସ୍ଥା କରିବା ସହ ସଂପୃକ୍ତ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ପ୍ରୋତ୍ସାହନକୁ ଗୁରୁତ୍ୱ ଦେଇ ଯନିର ସହିତ କାର୍ଯ୍ୟକରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ରାଜ୍ୟ ସଂସ୍କୃତି ବିଭାଗକୁ ବାଚସ୍ପତି ଶ୍ରୀ ଆରୁଖ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ଏସବୁ ପଡ଼ୋଶୀ ରାଜ୍ୟମାନଙ୍କୁ ଗସ୍ତ କରି ସେଠାରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆଙ୍କ ସମସ୍ୟା ଅନୁଧ୍ୟାନ କରି ଏହାର ପ୍ରତିକାର ପାଇଁ ମୁଖ୍ୟ କମିଟିକୁ ସୁପାରିଶ କରିବା ନିମନ୍ତେ ସବ୍‌କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଗଲା । ସଂପୃକ୍ତ ବିଭାଗଗୁଡ଼ିକ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ସେସବୁ ସ୍ଥାନକୁ ପଠାଇ ସ୍ଥିତି ଅନୁଧ୍ୟାନ ସହ ସମସ୍ୟାର ସମାଧାନ ପାଇଁ ବିହିତ ପଦକ୍ଷେପ ନେବାକୁ ବାଚସ୍ପତି
କହିଥିଲେ ।

ଆଜିର ଏହି ବୈଠକରେ ମାନ୍ୟବର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ମାନ୍ୟବର ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ମାନ୍ୟବର ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କ ସମେତ ବରିଷ୍ଠ ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ଶ୍ରୀ ବଦ୍ରୀନାରାୟଣ ପାତ୍ର ଯୋଗ ଦେଇଥିଲେ।

ସେହିପରି ଶ୍ରୀ ଭାସ୍କର ମଢ଼େଇ, ଶ୍ରୀ ସାଲୁଗା ପ୍ରଧାନ, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶ୍ରୀମତୀ ଲତିକା ପ୍ରଧାନ ଓ ଶ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ରାଜ୍ୟ ବିଦ୍ୟାଳୟ ଓ ଗଣଣିକ୍ଷା ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍‌., ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ ବିଧାନସଭାର ଅଧିକାରୀମାନେ ଉପସ୍ଥିତ ଥିଲେ ।