Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପାର୍ବଣ ଋତୁରେ ସ୍ଥିର ରହିବ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ 

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବ ସଞ୍ଜୀବ ଚୋପ୍ରା ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ବିଭିନ୍ନ ସାମଗ୍ରୀର ମୂଲ୍ୟକୁ ସ୍ଥିର ରଖିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବାରୁ ପାର୍ବଣ ଋତୁରେ ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ସ୍ଥିର ରହିବ।

ଚିନି

ବର୍ଷ ସାରା ଉପଯୁକ୍ତ ମୂଲ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଚିନି ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚିନି ରପ୍ତାନି ଉପରେ ‘ପ୍ରତିବନ୍ଧକ’ ଜାରି ରଖିଛନ୍ତି। ଏହା ଦ୍ୱାରା ଦେଶରେ ଚିନିର ଯଥେଷ୍ଟ ଷ୍ଟକ୍ ସୁନିଶ୍ଚିତ ହେବ ଏବଂ ଇଥାନଲ୍ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ସବୁଜ ଇନ୍ଧନ ଦିଗରେ ଭାରତର ପ୍ରୟାସରେ ସ୍ଥିରତା ବଜାୟ ରହିବ।

ଡିଜିଏଫଟି ଏହାର ବିଜ୍ଞପ୍ତି ନଂ ୩୬/୨୦୨୩ ତାରିଖ ୧୮ ଅକ୍ଟୋବର ୨୦୨୩ ଜରିଆରେ ଭାରତ ସରକାର ଏଚଏସ କୋଡ୍ ୧୭୦୧ ୧୪ ୯୦ ଏବଂ ୧୭୦୧୯୯୯୦ ଅଧୀନରେ ଚିନି (କଞ୍ଚା ଚିନି, ଧଳା ଚିନି, ରିଫାଇଣ୍ଡ ଚିନି ଏବଂ ଜୈବିକ ଚିନି)ର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାର ତାରିଖକୁ ୩୧ ଅକ୍ଟୋବର, ୨୦୨୩ ପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଏହି ନୀତି ମାଧ୍ୟମରେ ସରକାର ପୁଣି ଥରେ ୧୪୦ କୋଟି ଘରୋଇ ଉପଭୋକ୍ତାଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବା ଦିଗରେ ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି ଏବଂ ସେମାନଙ୍କ ପାଇଁ ଚିନି ଉପଲବ୍ଧତାରେ କୌଣସି ପ୍ରତିବନ୍ଧକ ନାହିଁ। ସୂଚନାଯୋଗ୍ୟ ଯେ ଅନ୍ତର୍ଜାତୀୟ ବଜାରରେ ଚିନି ଦର ୧୨ ବର୍ଷ ର ସର୍ବୋଚ୍ଚ ସ୍ତରରେ ଥିବା ସତ୍ତ୍ୱେ ଭାରତରେ ଚିନି ବିଶ୍ୱର ସବୁଠାରୁ ରହିଛି ଶସ୍ତା ଏବଂ ଦେଶରେ ଖୁଚୁରା ଚିନି ମୂଲ୍ୟରେ କେବଳ ନାମମାତ୍ର ବୃଦ୍ଧି ଘଟିଛି, ଯାହା କୃଷକମାନଙ୍କ ପାଇଁ ଆଖୁର ଏଫଆରପି ବୃଦ୍ଧି ସହିତ ସମାନ। ଗତ ୧୦ ବର୍ଷ ମଧ୍ୟରେ ଖୁଚୁରା ଚିନି ଦରର ହାରାହାରି ମୁଦ୍ରାସ୍ଫୀତି ବାର୍ଷିକ ପ୍ରାୟ ୨% ରହିଛି।

ଏହାବ୍ୟତୀତ ଘରୋଇ ବଜାରରେ ପର୍ଯ୍ୟାପ୍ତ ପରିମାଣର ଚିନି ର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାର ଚିନି କଳଗୁଡ଼ିକର ମାସିକ ମାଲ୍ ପ୍ରେରଣ ଉପରେ ନଜର ରଖିଛନ୍ତି। ଏହାବ୍ୟତୀତ ସମସ୍ତ ବ୍ୟବସାୟୀ/ପାଇକାରୀ ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ, ବଡ଼ ଖୁଚୁରା ବ୍ୟବସାୟୀ, ପ୍ରୋସେସର ଅଫ୍ ସୁଗାରକୁ ପୋର୍ଟାଲରେ ସେମାନଙ୍କର ଚିନି ଷ୍ଟକ୍ ସ୍ଥିତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚିନି କ୍ଷେତ୍ରର ଉନ୍ନତ ତଦାରଖ ସୁନିଶ୍ଚିତ କରିବା ଏବଂ ବଜାରରେ ପର୍ଯ୍ୟାପ୍ତ ପରିମାଣର ଚିନି ଯୋଗାଣକୁ ସୁଗମ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ବେଆଇନ ଭାବେ ମହଜୁଦ କରି ରଖିବା ଓ ଗୁଜବକୁ ରୋକି ସନ୍ତୁଳିତ ଓ ନିରପେକ୍ଷ ଚିନି ବଜାର ବଜାୟ ରଖିବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ। ଚିନି ଯେପରି ଦେଶର ସମସ୍ତ ଉପଭୋକ୍ତାଙ୍କ ପାଇଁ ସୁଲଭ ରହିବ ତାହା ସୁନିଶ୍ଚିତ କରିବା ପାଇଁ ଏହି ପ୍ରୟାସ କରାଯାଇଛି। ସରକାରଙ୍କ ସକ୍ରିୟ ପଦକ୍ଷେପ ଏକ ସ୍ଥିର ଏବଂ ସମାନ ଚିନି ବଜାର ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ସମର୍ପଣକୁ ସୂଚାଇଥାଏ।

ଏହି ଚିନି ରପ୍ତାନି ନୀତି ଚିନି ଭିତ୍ତିକ ଫିଡଷ୍ଟକରୁ ଇଥାନଲ ଉତ୍ପାଦନ ଦିଗରେ ଦୀର୍ଘସ୍ଥାୟୀତ୍ବ ମଧ୍ୟ ସୁନିଶ୍ଚିତ କରିବ। ଇଥାନଲ ଋତୁ ୨୦୨୨-୨୩ରେ ଭାରତ ପ୍ରାୟ ୪୩ ଲକ୍ଷ ମେଟ୍ରିକ୍ ଟନ୍ ଚିନିକୁ ଇଥାନଲ୍ ପ୍ରସ୍ତୁତି ପାଇଁ ପଠାଯାଇଛି, ଯାହା ଚିନି ଭିତ୍ତିକ ଡିଷ୍ଟିଲରୀଗୁଡ଼ିକ ପାଇଁ ପ୍ରାୟ ୨୪,୦୦୦ କୋଟି ଟଙ୍କାର ରାଜସ୍ୱ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହି ରାଜସ୍ୱ ଚିନି ଶିଳ୍ପକୁ ଚାଷୀଙ୍କ ଆଖୁ ବକେୟା ଠିକ୍ ସମୟରେ ପରିଶୋଧ କରିବା ଏବଂ ଚିନି କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ।

ଆଖୁ ଏବଂ ଚିନି ଉପରେ ଉପଯୁକ୍ତ ସରକାରୀ ନୀତି ବଳରେ ଚିନି କଳଗୁଡ଼ିକ ପ୍ରାୟ ୧.୦୯ ଲକ୍ଷ କୋଟି ଟଙ୍କା ର ବକେୟା ଦେୟ ପ୍ରଦାନ କରିଛନ୍ତି । ଚିନି ଋତୁ ୨୦୨୨-୨୩ର ଆଖୁ ବକେୟାର ୯୫% ରୁ ଅଧିକ ପରିଶୋଧ କରାଯାଇଛି ଏବଂ ପୂର୍ବ ଋତୁର ୯୯.୯% ଆଖୁ ବକେୟା ପରିଶୋଧ କରାଯାଇଛି। ତେଣୁ ଆଖୁ ବକେୟା ପରିମାଣ ସର୍ବକାଳୀନ ନିମ୍ନସ୍ତରରେ ରହିଛି ଏବଂ ବକେୟା ଅର୍ଥ ମଧ୍ୟ ଯଥାଶୀଘ୍ର ପ୍ରଦାନ କରିବାକୁ ପ୍ରୟାସ କରାଯାଉଛି।

ଚାଉଳ

ଘରୋଇ ଦର ନିୟନ୍ତ୍ରଣ ଏବଂ ଘରୋଇ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଭାରତରୁ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅନେକ ଆଗୁଆ ପଦକ୍ଷେପ ନେଇଛନ୍ତି। ୨୦୨୨ ସେପ୍ଟେମ୍ବର ୯ ତାରିଖରେ ଭଙ୍ଗା ଚାଉଳ ରପ୍ତାନି କୁ ନିଷିଦ୍ଧ କରାଯାଇଥିଲା ଏବଂ ଅଣ-ବାସମତୀ ଧଳା ଚାଉଳ ଉପରେ ୨୦% ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦ ଜୁଲାଇ ୨୦୨୩ରେ ଅଣ-ବାସମତୀ ଧଳା ଚାଉଳ ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା।

୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ୧୭.୮ ନିୟୁତ ଟନ୍ ଅଣ-ବାସମତୀ ଚାଉଳ ଏବଂ ୪.୬ ନିୟୁତ ଟନ୍ ବାସମତୀ ରପ୍ତାନି କରିଛି। ଅଣ-ବାସମତୀ ଚାଉଳ ରପ୍ତାନି ମଧ୍ୟରୁ ପ୍ରାୟ ୭.୮-୮ ନିୟୁତ ଟନ୍ ଉଷୁନା ଚାଉଳ ରପ୍ତାନି କରାଯାଇଥିଲା। ୨୦୨୩ ଅଗଷ୍ଟ ୨୫ ତାରିଖରୁ ଉଷୁନା ଚାଉଳ ରପ୍ତାନି ଉପରେ ୨୦% ରପ୍ତାନି ଶୁଳ୍କ ଲାଗୁ କରାଯାଇଛି ପ୍ରଥମେ ୨୦୨୩ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏହି ଶୁଳ୍କ ଲାଗୁ କରାଯାଇଥିବା ବେଳେ ଏବେ ଏହାକୁ ୩୧ ମାର୍ଚ୍ଚ ୨୦୨୪ କୁ ବୃଦ୍ଧି କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଚାଉଳର ମୂଲ୍ୟବୃଦ୍ଧି ଉପରେ ନିୟନ୍ତ୍ରଣ ରଖିବା ଏବଂ ଘରୋଇ ବଜାରରେ ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବା ହେଉଛି ଚାଉଳ ଉପରେ ଶୁଳ୍କ ବ୍ୟବସ୍ଥାକୁ ବୃଦ୍ଧି କରିବାର ଉଦ୍ଦେଶ୍ୟ। ଚଳିତ ବର୍ଷ ଅଗଷ୍ଟ ମାସରେ ସରକାର ନେଇଥିବା ଏହି ପଦକ୍ଷେପର ଉଦ୍ଦେଶ୍ୟମୂଳକ ପ୍ରଭାବ ଦେଖିବାକୁ ମିଳିଛି, କାରଣ ଉଷୁନା ଚାଉଳ କ୍ଷେତ୍ରରେ ପରିମାଣ ଦୃଷ୍ଟିରୁ ୬୫.୫୦% ଏବଂ ମୂଲ୍ୟ ଦୃଷ୍ଟିରୁ ୫୬.୨୯% ହ୍ରାସ ଘଟିଛି। ଏହାବ୍ୟତୀତ ଅନ୍ୟ କୌଣସି ପ୍ରକାରର ଚାଉଳ ଯେପରି ଚାଉଳ ରପ୍ତାନି ହୋଇପାରିବ ନାହିଁ ସେଥିପାଇଁ ବର୍ହିଶୁଳ୍କ କର୍ତ୍ତୃପକ୍ଷଙ୍କୁ କଡ଼ା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅଣ-ବାସମତୀ ଧଳା ଚାଉଳ ଉପରେ ପ୍ରତିବନ୍ଧକ ସତ୍ତ୍ୱେ ଭାରତ ନିର୍ଦ୍ଦିଷ୍ଟ ଦେଶକୁ ନିର୍ଦ୍ଦିଷ୍ଟ ପରିମାଣର ଅଣ-ବାସମତୀ ଧଳା ଚାଉଳ ରପ୍ତାନି ଉପରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛି। ଏହି ଚାଉଳ ରପ୍ତାନି ପାଇଁ ଯୋଗ୍ୟ ଦେଶମାନଙ୍କ ମଧ୍ୟରେ ନେପାଳ (୯୫,୦୦୦ ମେଟ୍ରିକ ଟନ୍), କାମେରୁନ୍ (୧,୯୦,୦୦୦ ମେଟ୍ରିକ୍ ଟନ୍), ମାଲେସିଆ (୧,୭୦,୦୦୦ ମେଟ୍ରିକ୍ ଟନ୍), ଫିଲିପାଇନ୍ସ (୨,୯୫,୦୦୦ ମେଟ୍ରିକ୍ ଟନ୍), ସେସେଲ୍ସ (୮୦୦ ମେଟ୍ରିକ୍ ଟନ୍), କୋର୍ ଡି’ଆଇଭୋର (୧,୪୨,୦୦୦ ମେଟ୍ରିକ୍ ଟନ୍) ଏବଂ ରିପବ୍ଲିକ୍ ଅଫ୍ ଗିନି (୧,୪୨,୦୦୦ ମେଟ୍ରିକ୍ ଟନ୍), ୟୁଏଇ (୭୫,୦୦୦ ମେଟ୍ରିକ୍ ଟନ୍), ଭୂଟାନ (୭୯,୦୦୦ ମେଟ୍ରିକ୍ ଟନ୍), ସିଙ୍ଗାପୁର (୫୦,୦୦୦ ମେଟ୍ରିକ୍ ଟନ୍) ଏବଂ ମରିସସ (୧୪,୦୦୦ ମେଟ୍ରିକ ଟନ) ରହିଛି।

Categories
ଆଜିର ଖବର ଜାତୀୟ ଖବର

ଗହମର ମୂଲ୍ୟ ସ୍ଥିର ରଖି ଖାଉଟିଙ୍କୁ ଯୋଗାଣ ସୁନିଶ୍ଚିତ କରିବାକୁ କେନ୍ଦ୍ର ସଚିବଙ୍କ ଆଲୋଚନା

ନୂଆଦିଲ୍ଲୀ: ଗହମର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ସହିତ ଖାଉଟିଙ୍କୁ ଏହାର ଯୋଗାଣ ସୁନିଶ୍ଚିତ କରିବା ସମ୍ପର୍କରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବ ସଞ୍ଜୀବ ଚୋପ୍ରା ଆଜି ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ରାଜ୍ୟର ଖାଦ୍ୟ ଯୋଗାଣ ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ବୈଠକ ଅବସରରେ ୨୦୨୩ ଜୁନ ୧୨ତାରିଖରେ ଜାରି ଗହମ ମହଜୁଦ ସୀମା ନିର୍ଦ୍ଦେଶାବଳୀ ଓ ଏହାର ପରିପାଳନ  ସମ୍ପର୍କରେ ସବିଶେଷ  ଆଲୋଚନା ହୋଇଥିଲା। ପାଇକାରୀ ବ୍ୟବସାୟୀ(ହୋଲସେଲର) ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ ଏବଂ ବିଗ୍ ଚେନ ରିଟେଲରମାନଙ୍କ ପାଇଁ କେନ୍ଦ୍ର ସରକାର ଗହମର ମହଜୁଦ ପରିମାଣ  ଧାର୍ଯ୍ୟ କରିବାର ଦିନକ ପରେଏହି ବୈଠକ ଅନୁଷ୍ଠିତ ହୋଇଛି। ଆହୁରି ମଧ୍ୟ ଘରୋଇ ଖୋଲା ବଜାରରେ ବିକ୍ରି ଯୋଜନା (ଓଏମ୍‌ଏସ୍‌ଏସ୍‌-ଡି)ରେ ବଜାରକୁ ଅଧିକ ଗହମ ଓ  ଚାଉଳ ଛାଡିବାକୁ ଆଜିର ବୈଠକରେ ନିଷ୍ପତ୍ତି  ଗ୍ରହଣ କରାଯାଇଛି। ଗହମର ମୂଲ୍ୟ ବୃଦ୍ଧିକୁ ରୋକିବା ଓ ଏହାର ବଜାର ଦରକୁ ସ୍ଥିର ରଖିବା ସହିତ ମହଜୁଦି ଏବଂ କଳାବଜାରୀକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।

ହୋଲସେଲର୍ସ (ପାଇକାରୀ ବେପାରୀ) ସାଧାରଣ ବ୍ୟବସାୟୀ, ଖୁଚୁରା ବେପାରୀ, ବିଗ୍‌ଚେନ ରିଟେଲର ଓ ଗହମରୁ ଅଟା ପ୍ରସ୍ତୁତ କରୁଥିବା ବ୍ୟବସାୟୀ (ପ୍ରସେସର)ମାନେ ନିଜ ପାଖରେ କେତେ ଗହମ ମହଜୁଦ ରଖିଛନ୍ତି ତାହାର ତଥ୍ୟ ପ୍ରକାଶ କରିବାକୁ ସବୁ ରାଜ୍ୟ ସରକାର ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଗହମର କୃତ୍ରିମ ଅଭାବ ଯେପରି ନ ଘଟେ ଏବଂ ମୂଲ୍ୟ ନିୟନ୍ତ୍ରଣରେ ରହେ ସେଥି ପାଇଁ ସବୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବ୍ୟବସ୍ଥାରେ ସବୁ ବ୍ୟବସାୟୀ ନିଜ ପାଖରେ ମହଜୁଦ ରଖିଥିବା ନିଜର ଗହମ ପରିମାଣ ନିୟମିତ ଭାବେ ପ୍ରକାଶ କରିବେ। ଏହା ଫଳରେ ଗହମ ଯୋଗାଣରେ ସ୍ୱଚ୍ଛତା ଆସିବ ଏବଂଏହାର କୃତ୍ରିମ ଅଭାବ ସୃଷ୍ଟି ହେବ ନାହିଁ। ଏ ସଂକ୍ରାନ୍ତ ତଥ୍ୟାବଳୀ କେନ୍ଦ୍ରୀୟ ପୋର୍ଟାଲରେ ଉପସ୍ଥାପିତ କରିବାକୁ ଏକ ୟୁଜର ମାନୁଆଲ ଜାରି କରାଯାଇଛି। ରାଜ୍ୟ ସରକାରମାନେ ତାହାକୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଯୋଗାଇଦବେ। ଏ ସଂକ୍ରାନ୍ତ ତଥ୍ୟ (https://evegoils.nic.in/wsp/login)ପୋର୍ଟାଲରେ ନିୟମିତଭାବେ ସମ୍ପୃକ୍ତ ବ୍ୟବସାୟୀ ଅପ୍‌ଲୋଡ୍ କରିବେ।

ଯଦି କୌଣସି ବ୍ୟବସାୟୀଙ୍କ ପାଖରେ ଧାର୍ଯ୍ୟ ସୀମାଠାରୁ ଅଧିକ ଗହମ ମହଜୁଦ ଥାଏ ତା ହେଲେ ସେମାନେ ବିଜ୍ଞପ୍ତି ପ୍ରକାଶର ୩୦ଦିନ ମଧ୍ୟରେ ସେହି ମହଜୁଦ ପରିମାଣକୁ ନିର୍ଦ୍ଧାରିତ ଷ୍ଟକ ଲିମିଟେଡର ଅନ୍ତର୍ଭୁକ୍ତ କରିବେ।

ଉପରେ ବର୍ଣ୍ଣିତ ସବୁ ଶ୍ରେଣୀର ବ୍ୟବସାୟୀଙ୍କୁ ସେମାନଙ୍କ ଗହମ ଷ୍ଟକ ଲିମିଟ ବା ମହଜୁଦ ପରିମାଣ ନିୟମିତ ଭାବେ ପ୍ରତି ସପ୍ତାହ ଶୁକ୍ରବାର ପୋର୍ଟାଲରେ ଅପଡେଟ କରିବାକୁ ପଡିବ। ଏହି କାର୍ଯ୍ୟ ଯେପରି ଠିକ୍‌ଭାବେ ସମ୍ପାଦିତ ହୁଏ ତାହାକୁ ଦେଖିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଯୋଗାଣ ଓ ଖାଉଟି ସଚିବମାନଙ୍କୁ କୁହାଯାଇଛି। ୨୦୨୩ ଜୁନ ୧୨ର କେନ୍ଦ୍ରୀୟ ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟ ସରକାରଙ୍କୁ ଏହି ଷ୍ଟକ୍ ବ୍ୟବସ୍ଥା ତଦାରଖ କରିବାକୁ ପଡିବ ଓ  ସବୁ ସମ୍ପୃକ୍ତ ବ୍ୟବସାୟୀ ଏହାକୁ ପାଳନ କରିବାକୁ ବାଧ୍ୟ। ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଚାହିଁଲେ ଏହାର ଅଧିକାରୀମାନେ ସମ୍ପୃକ୍ତ ବ୍ୟବସାୟୀଙ୍କ ଗୋଦାମ ଓ ବ୍ୟବସାୟ ପ୍ରତିଷ୍ଠାନରେ ପ୍ରବେଶ କରି ଷ୍ଟକ ଯାଞ୍ଚ କରିପାରିବେ। ସେହିଭଳି ପୋର୍ଟାଲରେ ଦିଆଯାଉଥିବା ଷ୍ଟକ ସ୍ଥିତିକୁ ମଧ୍ୟ ସରକାରୀ କର୍ତ୍ତୃପକ୍ଷ ନିୟମିତ ଭାବେ ଯାଞ୍ଚ କରିବେ।

ଏହି ବୈଠକ ଅବସରରେ କେନ୍ଦ୍ର ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଥିଲା ଯେ ଆବଶ୍ୟକ ପଡିଲେ ଗହମର ମୂଲ୍ୟକୁ ସ୍ଥିର ରଖିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଖୁବ୍ ଶୀଘ୍ର ୧୫ଲକ୍ଷ ମେଟ୍ରିକ ଟନ୍ ଗହମ ଓ ଚାଉଳ ଖୋଲା ବଜାରକୁ ଓଏମ୍‌ଏସ୍‌ଏସ(ଡି) ନିୟମରେ ଛଡାଯାଇପାରେ। ସରକାର ଏ ସମ୍ପର୍କରେ ନିଷ୍ପତ୍ତି  ନେଇ ସାରିଛନ୍ତି। ଏହା ଫଳରେ ଗହମର କୃତ୍ରିମ ଅଭାବ ଦୂର ହେବ ଓ ମୂଲ୍ୟ ସ୍ଥିର ରହିବ। ଏବେ ଗହମ ଓ ଚାଉଳର ମୂଲ୍ୟ ବୃଦ୍ଧି ଯୋଗୁଁ ଖାଉଟିଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ଖୋଲା ବଜାରକୁ ଅଧିକ ପରିମାଣରେ ଏସବୁ ଦ୍ରବ୍ୟ ଛାଡିବା ସହିତ ଏହାର ଷ୍ଟକ ଉପରେ କଟକଣା ଜାରି କରିଛନ୍ତି।

Categories
ବିଶେଷ ଖବର

ଖାଇବା ତେଲର ମୂଲ୍ୟ ହ୍ରାସ ଶୀଘ୍ର ଗ୍ରାହକଙ୍କୁ ମିଳିବା ଉଚିତ: ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ସଚିବ

ନୂଆଦିଲ୍ଲୀ: ଖାଇବା ତେଲର ମୂଲ୍ୟ ହ୍ରାସ ଶୀଘ୍ର ଗ୍ରାହକଙ୍କୁ ମିଳିବା ଉଚିତ ବୋଲି ଡିଏଫପିଡି ସଚିବ ସଞ୍ଜୀବ ଚୋପ୍ରା ଆଜି ଏଠାରେ ଅଗ୍ରଣୀ ଶିଳ୍ପ ପ୍ରତିନିଧିଙ୍କ ସହ ଏକ ବୈଠକରେ କହିଛନ୍ତି।

ଆମଦାନୀ ହେଉଥିବା ଖାଇବା ତେଲର ଆନ୍ତର୍ଜାତୀୟ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି ଯାହା ଭାରତରେ ଖାଇବା ତେଲ କ୍ଷେତ୍ରରେ ସକାରାତ୍ମକ ଭାବେ ପ୍ରତିଫଳିତ ହୋଇଛି। ସୋଲଭେଣ୍ଟ ଏକ୍ସଟ୍ରାକସନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏସ୍‍ଇଏଆଇ) ଏବଂ ଇଣ୍ଡିଆନ ଭେଜିଟେବୁଲ ଅଏଲ ପ୍ରଡ୍ୟୁସର୍ସ ଆସୋସିଏସନ (ଆଇଭିପିଏ) ର ପ୍ରତିନିଧୀମାନେ ଆର୍ନ୍ତଜାତୀୟ ସ୍ତରରେ ମୂଲ୍ୟ ହ୍ରାସ ପରିଲକ୍ଷିତ ହୋଇଥିବାରୁ ଖାଇବା ତେଲର ଖୁଚୁରା ମୂଲ୍ୟରେ ଅଧିକ ହ୍ରାସ ବିଷୟରେ ଆଲୋଚନା କରିଥିଲେ।

ଶିଳ୍ପ ପକ୍ଷରୁ ସୂଚନା ଦିଆଯାଇଛି ଯେ ଗତ ଦୁଇ ମାସ ମଧ୍ୟରେ ବିଭିନ୍ନ ଖାଇବା ତେଲର ଆର୍ନ୍ତଜାତୀୟ ମୂଲ୍ୟ ଟନ୍ ପିଛା ୨୦୦ ରୁ ୨୫୦ ଡଲାର ହ୍ରାସ ପାଇଛି, କିନ୍ତୁ ଖୁଚୁରା ବଜାରରେ ଏହା ପ୍ରତିଫଳିତ ହେବାକୁ ସମୟ ଲାଗିଥାଏ ଏବଂ ଖୁଚୁରା ମୂଲ୍ୟ ଖୁବ୍ ଶୀଘ୍ର ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଅଗ୍ରଣୀ ଖାଇବା ତେଲ ସଂଘକୁ ତୁରନ୍ତ ସେମାନଙ୍କ ସଦସ୍ୟଙ୍କ ସହ ଆଲୋଚନା କରିବାକୁ ଏବଂ ଯଥାଶୀଘ୍ର ତେଲର ଆନ୍ତର୍ଜାତୀୟ ମୂଲ୍ୟରେ ହ୍ରାସ ଆଧାରରେ ପ୍ରତ୍ୟେକ ତେଲର ଏମଆରପି ହ୍ରାସ ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରାଇସ ଟୁ ଡିଷ୍ଟ୍ରିବ୍ୟୁଟର୍ସ (ପିଟିଡି), ପ୍ରସ୍ତୁତକାରୀ ଏବଂ ରିଫାଇନର୍ସଙ୍କ ଦ୍ୱାରା ମୂଲ୍ୟ ମଧ୍ୟ ତୁରନ୍ତ ପ୍ରଭାବ ସହିତ ହ୍ରାସ କରାଯିବା ଆବଶ୍ୟକ, ଯାହାଫଳରେ ମୂଲ୍ୟ ହ୍ରାସ କୌଣସି ପ୍ରକାରେ ବ୍ୟତିକ୍ରମ ପରିଲକ୍ଷିତ ହେବନାହିଁ।

ଏହା ମଧ୍ୟ କୁହାଯାଇଥିଲା ଯେ ଯେତେବେଳେ ବି ଉତ୍ପାଦନକାରୀ / ରିଫାଇନର୍ସ ଦ୍ୱାରା ବିତରକମାନଙ୍କୁ ମୂଲ୍ୟ ହ୍ରାସ କରାଯାଏ, ସେତେବେଳେ ମିଳୁଥିବା ଲାଭ ଶିଳ୍ପ ଦ୍ୱାରା ଗ୍ରାହକମାନଙ୍କୁ ଦିଆଯିବା ଉଚିତ ଏବଂ ଏହି ବିଭାଗକୁ ନିୟମିତ ଭାବେ ଅବଗତ କରାଯାଇପାରିବ। ଯେଉଁ କମ୍ପାନୀ ସେମାନଙ୍କର ମୂଲ୍ୟ ହ୍ରାସ କରିନାହାଁନ୍ତି ଏବଂ ସେମାନଙ୍କର ଏମଆରପି ଅନ୍ୟ ବ୍ରାଣ୍ଡ ତୁଳନାରେ ଅଧିକ, ସେମାନଙ୍କ ମୂଲ୍ୟ ହ୍ରାସ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଏହି ବୈଠକରେ ମୂଲ୍ୟ ତଥ୍ୟ ସଂଗ୍ରହ ଏବଂ ଖାଇବା ତେଲର ପ୍ୟାକେଜିଂ ଭଳି ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହା ପୂର୍ବରୁ, ଅଗ୍ରଣୀ ଖାଇବା ତେଲ ସଙ୍ଗଠନଗୁଡିକ ସହିତ ବିଭାଗର ବୈଠକ ଆଧାରରେ ଶିଳ୍ପସଂସ୍ଥା ଦ୍ୱାରା ସୂର୍ଯ୍ୟମୁଖୀ ତେଲ, ସୋୟାବିନ୍ ତେଲ ଏବଂ ସୋରିଷ ତେଲ ଭଳି ଖାଇବା ତେଲର ଏମଆରପି ହ୍ରାସ କରାଯାଇଥିଲା। ଆନ୍ତର୍ଜାତୀୟ ଖାଇବା ତେଲ ମୂଲ୍ୟ ହ୍ରାସ ପରେ ଏବଂ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ ହେବା ପରେ ଖାଇବା ତେଲର ଦର କମିଥିଲା। ହ୍ରାସ ହୋଇଥିବା ଡ୍ୟୁଟି ହ୍ରାସର ସମ୍ପୂର୍ଣ୍ଣ ଲାଭ ଗ୍ରାହକଙ୍କୁ ଦିଆଯିବା ନିଶ୍ଚିତ କରିବାକୁ ଶିଳ୍ପସଂସ୍ଥାଙ୍କୁ ପରାମର୍ଶ ଦିଆଯାଇଥିଲା।

ଖାଇବା ତେଲ ମୂଲ୍ୟ ହ୍ରାସ ଧାରା ଦେଖାଇବା ଆରମ୍ଭ କରିବା ସହ ଖାଇବା ତେଲ ଶିଳ୍ପ ଦ୍ୱାରା ଅଧିକ ହ୍ରାସ ହେବାକୁ ଯାଉଥିବାରୁ ଭାରତୀୟ ଗ୍ରାହକମାନେ ସେମାନଙ୍କ ଖାଇବା ତେଲ କମ୍‍ ଦରରେ କିଣିବାର ଆଶା କରିପାରନ୍ତି। ଖାଇବା ତେଲ ଦର ହ୍ରାସ ହେବା ସହିତ ମୁଦ୍ରାସ୍ଫୀତିକୁ ହ୍ରାସ କରିବାରେ ସାହାଯ୍ୟ କରିବ।

ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ଦେଶରେ ଖାଇବା ତେଲର ମୂଲ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥାଏ ଏବଂ ସମୀକ୍ଷା କରିଥାଏ ଏବଂ ଖାଇବା ତେଲର ସୁଲଭତାକୁ ନିଶ୍ଚିତ କରିବା ପାଇଁ ଯେକୌଣସି ହସ୍ତକ୍ଷେପ ଆବଶ୍ୟକ କରିଥାନ୍ତି ଯାହା ଲୋକଙ୍କ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଅଧିକ ଆମଦାନୀ ଏବଂ ପରିବହନ ମୂଲ୍ୟ ସହିତ ଅନେକ ବିଶ୍ୱସ୍ତରୀୟ କାରଣ ଯୋଗୁଁ ଖାଇବା ତେଲର ଆନ୍ତର୍ଜାତିକ ଏବଂ ଘରୋଇ ମୂଲ୍ୟ ୨୦୨୧-୨୨ ମଧ୍ୟରେ ବୃଦ୍ଧି ପାଇଥିଲା।

ତେବେ ଆନ୍ତର୍ଜାତୀୟ ବଜାରରେ ଖାଇବା ତେଲ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଖାଇବା ତେଲର ମୂଲ୍ୟ ହ୍ରାସ ଘରୋଇ ବଜାରରେ ଧୀରେ ଧୀରେ ପ୍ରତିଫଳିତ ହେଉଛି ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି।