Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ୱାକଥନ ଅନୁଷ୍ଠିତ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ କିଟ ପରିସରରୁ ଏକ ୱାକଥନ ବାହାରି ଚନ୍ଦ୍ରଶେଖରପୁରସ୍ଥିତ ଡ୍ରାଇଭିଂ ଟେଷ୍ଟ ଟ୍ରାକ ପର୍ଯ୍ୟନ୍ତ ଯାଇଥିଲା। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ସର୍ବଦା ଟ୍ରାଫିକ ନୀୟମ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏଥି ନିମନ୍ତେ ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀ ସଚେତନ ଓ ସତର୍କ ରହିଲେ ଦୁର୍ଘଟଣାକୁ ଅନେକାଂଶରେ ରୋକା ଯାଇପାରିବ ବୋଲି ସେ କହିଥିଲେ। ସେହିଭଳି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଯୋଗଦେଇ ଜୀବନର ପ୍ରତ୍ୟେକଟି ସ୍ତରରେ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହାଦ୍ୱାରା ଅନେକ ବିପତ୍ତିରୁ ଜଣେ ବର୍ତ୍ତି ଯାଇପାରିବ ବୋଲି ସେ କହିଥିଲେ। ସେହିଭଳି ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ମଧ୍ୟ ସଡ଼କ ସୁରକ୍ଷା ସପ୍ତାହ ପାଳନର ଆବଶ୍ୟକତା ଉପରେ ମତ ଦେଇଥିଲେ।

‘ସଡ଼କ ସୁରକ୍ଷା, ପରିବାର ରକ୍ଷା’ ଶୀର୍ଷକ ଉପରେ ପାଳିତ ଚଳିତବର୍ଷର ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଏକ ସଚେତନତା ରଥର ମଧ୍ୟ ଅତିଥି ମାନେ ଶୁଭରମ୍ଭ କରିଥିଲେ। ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସୂଚନା ପୁସ୍ତିକା ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ରାମ ମନ୍ଦିର ଓ ଧଉଳି ନିକଟରେ ପଥପ୍ରାନ୍ତ ନାଟକ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପରିବହନ ଅତିରିକ୍ତ କମିଶନର ଶ୍ରୀ ଲାଲମୋହନ ସେଠୀ, ଯୁଗ୍ମ କମିଶନର ଶ୍ରୀ ପ୍ରଦୀପ କୁମାର ମହାନ୍ତି, ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିକାଶ ଚୌଧୁରୀ, ସନତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ସିଟ୍ ବେଲ୍ଟ ଓ ହେଲମେଟକୁ ଅଣଦେଖା କରି ୨୦୨୨ରେ ୬୬,୭୪୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସଡ଼କ ସୁରକ୍ଷାକୁ ନେଇ ସବୁ ପ୍ରକାର ଆଲୋଚନା ଓ ପ୍ରୟାସ ସତ୍ତ୍ୱେ ମୃତ୍ୟୁ ସଂଖ୍ୟା ଅଧିକ ବଢ଼ି ଚିନ୍ତାଜନକ ହୋଇଛି। ଏଥିରେ ନା ସରକାରଙ୍କ ପଦକ୍ଷେପ ଫଳପ୍ରଦ ହେଲା ନା ଲୋକଙ୍କ ଅବହେଳା କମିଲା। ୨୦୨୨ ମସିହାରେ ସଡ଼କ ଦୁର୍ଘଟଣାର ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୧ ତୁଳନାରେ ଦୁର୍ଘଟଣା ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି ଏବଂ ସେଥିରେ କେତେ ଲୋକ ପ୍ରାଣ ହରାଇଛନ୍ତି।

ରିପୋର୍ଟ ଅନୁଯାୟୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମିଳିଥିବା ତଥ୍ୟ ଆଧାରରେ ୨୦୨୨ରେ ୪,୬୧,୩୧୨ ଦୁର୍ଘଟଣା ରେକର୍ଡ କରାଯାଇଛି, ଯେଉଁଥିରେ ୧,୬୮,୪୯୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪,୪୩,୩୬୬ ଜଣ ଆହତ ହୋଇଛନ୍ତି। ୨୦୨୧ ତୁଳନାରେ ଦୁର୍ଘଟଣାରେ ୧୧.୯ ପ୍ରତିଶତ, ମୃତ୍ୟୁରେ ୯.୪ ପ୍ରତିଶତ ଓ ଆହତଙ୍କ ସଂଖ୍ୟାରେ ୧୫.୩ ପ୍ରତିଶତ ବୃଦ୍ଧି ଘଟିଛି।

ସିଟ୍ ବେଲ୍ଟ ଓ ହେଲମେଟ୍ ପିନ୍ଧିଲେ ଦୁର୍ଘଟଣା ହୁଏ ନାହିଁ

ହେଲମେଟ୍ ଓ ସିଟ୍ ବେଲ୍ଟ ଭଳି ସୁରକ୍ଷା ବ୍ୟବସ୍ଥା ଅଭାବରୁ ୬୬,୭୪୪ ଜଣ ପ୍ରାଣ ହରାଇଛନ୍ତି। ଏହା ସମୁଦାୟ ମୃତ୍ୟୁର ୪୦ ପ୍ରତିଶତ। ଅର୍ଥାତ୍ କେବଳ ସିଟ୍ ବେଲ୍ଟ ଓ ହେଲମେଟ୍‍ର ଆବଶ୍ୟକତା ପୂରଣ କରାଗଲେ ସଡ଼କ ସୁରକ୍ଷା ସ୍ଥିତି କିଛି ମାତ୍ରାରେ ଭଲ ହୋଇଥାନ୍ତା। ମାରାତ୍ମକ ଦୁର୍ଘଟଣା ଏବଂ ଗୁରୁତର ଆଘାତକୁ ରୋକିବା ପାଇଁ ହେଲମେଟ୍ ଏବଂ ସିଟ୍ ବେଲ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ହେଲମେଟ୍ ନ ପିନ୍ଧିବା କାରଣରୁ ୫୦,୦୨୯ ଜଣଙ୍କର ମୃତ୍ୟୁ ଘଟିଛି

କିଛି ବ୍ୟତିକ୍ରମକୁ ବାଦ୍ ଦେଲେ ସମସ୍ତ ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ, କିନ୍ତୁ ଗତବର୍ଷ ହେଲମେଟ ନ ପିନ୍ଧିବା କାରଣରୁ ୫୦୦୨୯ ଦୁଇ ଚକିଆ ଯାନ ଚାଳକଙ୍କ ମୃତ୍ୟୁ ଘଟିଥିଲା। ସେଥିମଧ୍ୟରୁ ୩୫,୬୯୨ (୭୧.୩%) ଡ୍ରାଇଭର ଥିବା ବେଳେ ୧୪,୩୩୭ (୨୮.୭%) ଟ୍ରେଲ ବାସିନ୍ଦା ଥିଲେ। ସେହିପରି ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ୧୬୭୧୫ ଜଣଙ୍କୁ ମୂଲ୍ୟ ଦେବାକୁ ପଡ଼ିଥିଲା। ସେମାନଙ୍କ ମଧ୍ୟରୁ ୮୩୮୪ ଜଣ ଡ୍ରାଇଭର ଥିବା ବେଳେ ବାକି ୮୩୩୧ ଜଣ ସହଯାତ୍ରୀ ଥିଲେ।

ଗତବର୍ଷ ହେଲମେଟ ନ ପିନ୍ଧିବା କାରଣରୁ ୪୬,୫୯୩ ଜଣଙ୍କ ମୃତ୍ୟୁ ହୋଇଥିଲା

୨୦୨୧ରେ ସିଟ୍ ବେଲ୍ଟ ନ ପିନ୍ଧିବା କାରଣରୁ ୧୬୩୯୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହେଲମେଟ୍ ନ ପିନ୍ଧିବା କାରଣରୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪୬୫୯୩ ଥିଲା। ହେଲମେଟ୍ ଓ ସିଟ୍ ବେଲ୍ଟ ନ ପିନ୍ଧିବା କାରଣରୁ ଆହତ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ (ଯଥାକ୍ରମେ ୧,୦୧,୮୯୧ ଓ ୪୨,୩୦୩) ରହିଛି। ହେଲମେଟ୍ ଭଳି ଆବଶ୍ୟକତାକୁ ଅଣଦେଖା କରି ସର୍ବାଧିକ ଦୁଇ ଚକିଆ ଯାନ ଚାଳକ ପ୍ରାଣ ହରାଇଥିବା ବେଳେ ତାମିଲନାଡ଼ୁ (୬୩୪୪), ଉତ୍ତରପ୍ରଦେଶ (୩୮୮୩), ମହାରାଷ୍ଟ୍ର (୩୭୮୨), ମଧ୍ୟପ୍ରଦେଶ (୩୪୪୪) ଏବଂ ଛତିଶଗଡ଼ (୨୮୬୭)।

ୟୁପି ପଛରେ ବସିଥିବା ବାଇକ୍ ଆରୋହୀମାନେ ହେଲମେଟ୍ ପିନ୍ଧନ୍ତି ନାହିଁ

ହେଲମେଟ ଅଭାବରୁ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଉତ୍ତରପ୍ରଦେଶ (୨୪୬୬), ମହାରାଷ୍ଟ୍ର (୧୪୯୭), ମଧ୍ୟପ୍ରଦେଶ (୧୪୨୫), ତାମିଲନାଡୁ (୧୨୬୮) ଏବଂ ଆନ୍ଧ୍ରପ୍ରଦେଶ (୯୭୦)ଙ୍କ ରେକର୍ଡ ଖରାପ ରହିଛି। ସିଟ୍ ବେଲ୍ଟ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ଉତ୍ତରପ୍ରଦେଶରେ ୧୮୪୭, ମଧ୍ୟପ୍ରଦେଶରେ ୯୨୫, ମହାରାଷ୍ଟ୍ରରେ ୭୭୧, ରାଜସ୍ଥାନରେ ୬୮୦ ଓ ଗୁଜରାଟରେ ୪୯୫ ଜଣ ଡ୍ରାଇଭର ସିଟ୍ ବେଲ୍ଟ ପିନ୍ଧି ନଥିବାରୁ ପ୍ରାଣ ହରାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ

ଭୁବନେଶ୍ବର: ଆଜି ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟିର ସଚିବ ଶ୍ରୀ ସଞ୍ଜୟ ମିତ୍ତଲ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶା ପରିବହନ କମିଶନର ଅମିତାଭ ଠାକୁରଙ୍କ ଉପସ୍ଥିତିରେ ରାଜ୍ୟରେ ସଡକ ସୁରକ୍ଷା ସଂକ୍ରାନ୍ତୀୟ ଆଲୋଚନା କରାଯାଇଥିଲା।

ସଡ଼କ ସୁରକ୍ଷା ଦିଗରେ ଓଡ଼ିଶା ସରକାର ଗ୍ରହଣ କରୁଥିବା ପଦକ୍ଷେପକୁ ନେଇ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ ଶ୍ରୀ ମିତ୍ତଲ ସନ୍ତୋଷ ପ୍ରକାଶ କରିଛନ୍ତି। ସଡ଼କ ସୁରକ୍ଷା ଦିଗରେ ସ୍ୱାସ୍ଥ୍ୟ ବିଭାଗ, ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ ରହିଛି ବୋଲି ପ୍ରକାଶ କରିଛନ୍ତି। ହେଲେ ଏ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନଏଚଏଆଇ)ର କେତେକ କ୍ଷେତ୍ରରେ ଉଦାସୀନ ମନୋଭାବକୁ ସଚିବ ଶ୍ରୀ ମିତ୍ତଲ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏ ଦିଗରେ ହସ୍ତକ୍ଷେପ କରିବାକୁ ସେ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପରିବହନ କମିଶନରଙ୍କୁ ପରାମର୍ଶ ଦେଇ ଏକ ଅଭିଜ୍ଞ ଟିମ୍ ଦ୍ୱାରା ବ୍ଲକସ୍ତରରୁ ସହରାଞ୍ଚଳ ପର‌୍ୟ୍ୟନ୍ତ ରୋଡ ଇଞ୍ଜିନିୟରିଂ ଉପରେ ଇଞ୍ଜିନିୟରମାନଙ୍କୁ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଅଟୋ ଚାଳକମାନଙ୍କୁ ସଚେତନ କରିବା ଏବଂ ଭୁବନେଶ୍ୱରରେ ଅଟୋ ସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଉପରେ ସେ କହିଛନ୍ତି।

ସେହିପରି ଅଭିଭାବକ-ଶିକ୍ଷକ ଦିବସରେ ବିଶେଷଜ୍ଞଙ୍କ ଦ୍ୱାରା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସଡକ ସୁରକ୍ଷା ସଂବନ୍ଧୀୟ ସଚେତନତା ଉପରେ ସେ ଗୁରୁତ୍ୱ ଦେଇଥିଲେ। ରାସ୍ତା ପାର୍ଶ୍ୱ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଟ୍ରାଫିକ୍ ନିୟନ୍ତ୍ରଣ କେନ୍ଦ୍ର ସଂପର୍କରେ ପ୍ରଶିକ୍ଷଣ ଦିଆଯିବ।

ସଡ଼କ ପାର୍ଶ୍ୱରେ ଥିବା ଗ୍ରାମର ଅତି କମରେ ୧୦ ଜଣ ଯୁବକଯୁବତୀମାନଙ୍କୁ ରେଡକ୍ରସ/ସେଣ୍ଟ ଜନ୍ ପ୍ରାଥମିକ ଚିକିତ୍ସା ଦଳ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ, ଯାହା ଦ୍ୱାରା ଦୁର୍ଘଟଣାରେ ପୀଡିତମାନଙ୍କର ଉପଯୁକ୍ତ ଯତ୍ନ ନିଆଯିବ। ଉତ୍ସାହିତ କରିବାପାଇଁ ସଡ଼କ ସୁରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବାର୍ଷିକ ସମ୍ମିଳନୀ କରାଯିବା ସହ ସଚେତନତା ସୃଷ୍ଟି କରାଯିବା ସଂପର୍କରେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ସଡକ ସୁରକ୍ଷା ସଚେତନତା ସଧାରଣ ସଭା ଅନୁଷ୍ଠିତ

ଖୋର୍ଦ୍ଧା: ସଡକ ଆମର ଦୈନନ୍ଦିନ ଜୀବନର ଏକ ଜରୁରୀ ଆବଶ୍ୟକତା ହୋଇଯାଇଛି। ସଡ଼କ ଉପରେ ଆମେ ସମସ୍ତେ ନିର୍ଭରଶୀଳ, ମାତ୍ର ସେହି ସଡକ ଉପରେ ଘଟୁଥିବା ଦୁର୍ଘଟଣା ଏକ ମହାମାରୀ ରୂପ ନେବାକୁ ବସିଲାଣି, ଯାହାକି ଚିନ୍ତାଜନକ। ଓଡିଶାରେ ଲକ୍ଷ ଲକ୍ଷ ଲୋକ ସଡକ ଉପରେ ଯିବା ଆସିବା ସମୟରେ ସଚେତନତା ଅଭାବରୁ ଦୁର୍ଘଟଣାର ଶିକାର ହେଉଛନ୍ତି। ଯାହା ପାଇଁ ଅନେକ ଧନଜୀବନ ନଷ୍ଟ ହେଉଛି। ବିଶେଷକରି ଯୁବପିଢ଼ି ମାନେ ବେଶୀ କ୍ଷତିର ଶିକାର ହେଉଛନ୍ତି। ଅନେକ ପରିବାର ଭାସି ଯାଉଛି । ସମସ୍ତ ପଥଚାରୀ ସଡକ ସୁରକ୍ଷାର ନିୟମ କାନୁନ୍ ଜାଣିବା ସହିତ ନିରାପଦ ଭାବେ ଯାତ୍ରା କରିବା ଆବଶ୍ୟକ। ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କଲେ ଏଭଳି ଭୟଙ୍କର ବିପଦରୁ ଆମେ ରକ୍ଷା ପାଇପାରିବା। ସଡକ ସୁରକ୍ଷାକୁ ସ୍ଲୋଗାନ ନ କରି ଏହାକୁ ଜୀବନର ଏକ ମନ୍ତ୍ର କରିବା ଉଚିତ ବୋଲି ସଡକ ସୁରକ୍ଷା ସଚେତନତା ସାଧାରଣ ସଭାରେ ବକ୍ତାମାନେ ମତ ବ୍ୟକ୍ତ କରିଥିଲେ।

ଖୋର୍ଦ୍ଧା ଜିଲ୍ଲାରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଓ ସେଚ୍ଛାସେବୀ ଅନୁଷ୍ଠାନ ବିଶ୍ଵାସ ସହଯୋଗରେ ଆଜି ସଡକ ସୁରକ୍ଷା ସଚେତନତା ସଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥିଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ସମ୍ମାନୀୟ ଅତିଥିଭାବେ ଆଂଚଳିକ ପରିବହନ ଅଧିକାରୀ ଅରବିନ୍ଦ ନାୟକ , ଖୋର୍ଦ୍ଧା ଅତିରିକ୍ତ ଥାନା ଅଧିକାରୀ ସ୍ନିଗ୍ଧାମୟୀ ବରାଳ, ବିଶ୍ଵାସ ଅନୁଷ୍ଠାନର ନିର୍ଦ୍ଦେଶକ ବୈକୁଣ୍ଠ ନାୟକ ପ୍ରମୁଖ ଯୋଗଦେଇଥିଲେ।

ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଅତିଥିମାନେ ଏକ କର୍ମଶାଳାକୁ ଉଦଘାଟନ କରିଥିଲେ। ଏହି ଷ୍ଟଲଟି ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଶିକ୍ଷଣୀୟ ବିଷୟକୁ ଜନସାଧାରଣ ଜାଣିବା ପାଇଁ ଖୋଲାଯାଇଥିଲା। ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ବିଶ୍ଵାସ ସମ୍ପାଦକ ସ୍ବାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅଲୋକପାତ କରିଥିଲେ। ସଡକ ସୁରକ୍ଷାର ବିଭିନ୍ନ ଦିଗ ଓ ସଡକ ସୁରକ୍ଷା ଆଇନ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। ପ୍ରତ୍ୟେକଟି ବ୍ୟକ୍ତି ସଡକରେ ଯିବା ସମୟରେ କେଉଁ କେଉଁ ଦିଗ ପ୍ରତି ସଚେତନ ହେବା ନିହାତି ଆବଶ୍ୟକ ଓ ମୋଟର ଯାନର ବିଭିନ୍ନ ନିୟମ କ’ଣ ରହିଛି ସେ ସମ୍ପର୍କରେ ଲୋକମାନଙ୍କୁ ଅବଗତ କର ଯାଇଥିଲା। ଶେଷରେ ଖାଉଟି ଜାଗରଣ ପତ୍ରିକାର ସମ୍ପାଦକ ବଟ କୃଷ୍ଣ ମୁଖି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ବିଭିନ୍ନ ସ୍କୁଲ ଓ କଲେଜ ସ୍ତରରେ ଅନୁଷ୍ଠିତ ହୋଇଥିବା ସଡ଼କ ସୁରକ୍ଷା ସଚେତନତା ବକ୍ତୃତା, ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗୀତାରେ କୃତିତ୍ବଲାଭ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ଓ ଟ୍ରଫି ଅତିଥିମାନେ ପ୍ରଦାନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ବିଶ୍ଵାସ ଅନୁଷ୍ଠାନ ଦୀର୍ଘ ଚାରି ମାସ ବ୍ୟାପୀ ସଡକ ସୁରକ୍ଷାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିଅଛି। ପ୍ରଥମେ ଜିଲ୍ଲାର ବିଭିନ୍ନ ସ୍କୁଲ୍ ଓ କଲେଜ ମାନଙ୍କରେ ସଡକ ସୁରକ୍ଷା ଜୀବନ ରକ୍ଷା ଆଧାରିତ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଆଂଚଳିକ ପରିବହନ କାର୍ଯ୍ୟାଳୟ ଠାରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ରଥ ଓ ପଥ ପ୍ରାନ୍ତ ନାଟକ ଶୁଭାରମ୍ଭ ହୋଇ ସମଗ୍ର ଜିଲ୍ଲାରେ ସଚେତନତାର ବାର୍ତା ପହଁଚାଇଥିଲା। ଏହାଛଡା ଲିଫଲେଟ,ବ୍ୟାନର, ପୋଷ୍ଟର, ଏଲ୍‌ଇଡି ମାଧ୍ୟମରେ ସଡକ ସୁରକ୍ଷା ଟେଲି ଫିଲ୍ମ ପ୍ରଦର୍ଶନ ଓ ବିଭିନ୍ନ କାନ୍ଥରେ ସଡକ ସୁରକ୍ଷା ଚିତ୍ର ଅଙ୍କନ କରାଯାଇ ସଡକ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ, ବିଦ୍ୟାଳୟ ଛାତ୍ରଛାତ୍ରୀ, ସାଧାରଣ ଜନତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମକର୍ତାମାନେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ , ସିଡିଏମଓ ଡଃ ଆର୍ତ୍ତବନ୍ଧୁ ନାୟକ ଙ୍କ ଉପସ୍ଥିତି ରେ ସଡ଼କ ସୁରକ୍ଷା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲା ରେ କିପରି ସଡ଼କ ଦୁର୍ଘଟଣା ରୋକାଯାଇ ପାରିବ ତାହା ଉପରେ ପ୍ରାଥମିକତା ଦେଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟଗୁଡିକୁ ହଟେଇଵାକୁ ଏବଂ ବେଆଇନ ଭାବେ ଦୋକାନ ଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ପରାମର୍ଶ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ ।

ଏପରିକି ଅସାଧୁ ବ୍ୟକ୍ତିମାନଙ୍କ ଡ୍ରାଇଭି ଲାଇସେନ୍ସ ବାତିଲ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।ଉକ୍ତ ବୈଠକରେ ଏମଭିଆଇ,ଆରଟିଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳିତ

ରଣପୁର: ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟାଳୟଗୁଡିକରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ନେତୃତ୍ୱରେ ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଓ ଶିକ୍ଷକ ପ୍ରଦୀପ ସେନାଗୁପ୍ତାଙ୍କ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି। ଏଥିରେ ବିଦ୍ୟାଳୟରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ଟ୍ରାକ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧି ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପିଲାମାନଙ୍କୁ ସଡ଼କ ସୁରକ୍ଷାର ବିଭିନ୍ନ ନିୟମ ଓ ସଂକେତ ବିଷୟରେ ବୁଝାଇ ଥିଲେ। ଶେଷରେ ସଡ଼କ ସୁରକ୍ଷା ନିୟମ ପାଳନ କରିବା ପାଇଁ ଶପଥ ପାଠ କରିଥିଲେ।

ସେହିପରି ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟର ନରସିଂହପୁର ୟୁ.ଜି.ଏମ.ଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି, ସାମନ୍ତରାୟପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ ବେହେରା, ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁମ ଦେଇ, ହଂସରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀ ଦେଇ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାଦ୍ରି ସୁବୁଦ୍ଧି ଓ ନରସିଂହପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ପିଲାମାନେ ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ଗାଁ ବୋଲି ଏହି ସଚେତନତା କାର୍ଯ୍ୟକ୍ରମ ପାଳନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଡକ ସୁରକ୍ଷା ସଚେତନତା ପଦଯାତ୍ରା ଏବଂ ରକ୍ତ ଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଖୋର୍ଦ୍ଧା,ଭୁବନେଶ୍ୱର ଓ କମିଶନରେଟ୍ ପୋଲିସ,ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଏକ ବିଶାଳ ସଡକ ସୁରକ୍ଷା ସଚେତନତା ପଦଯାତ୍ରା ଏବଂ ରକ୍ତଦାନ ଶିବିର ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ ନିଶିଥ୍ ନିଶାଙ୍କ, କମିଶନରେଟ୍ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡିସିପି ପ୍ରତୀକ ସିଂ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପୋଲିସ୍ ଟ୍ରାଫିକ୍ ପ୍ରଶାସନର ସମସ୍ତ କର୍ମଚାରୀ ଓ ପଦାଧିକାରୀ , ଆଇନଜୀବୀ, ବିଚାର ବିଭାଗୀୟ ଅଧିକାରୀ, ପାରା ଲିଗାଲ କର୍ମୀ ଏବଂ ସାଧାରଣ ଜନତା ଅଂଶ ଗ୍ରହଣ କରି ଜନସାଧାରଣଙ୍କୁ ସଡକ ସୁରକ୍ଷା ଆଇନ୍ କାନୁନର ଅନୁପାଳନ, ଏହାର ସୁଫଳ ପ୍ରଚାର ସହ ଏବଂ ବିଭିନ୍ନ ପ୍ଲାକାର୍ଡ ଧରି ସଦର ମହକୁମା ପରିକ୍ରମା କରିଥିଲେ।

ପ୍ରାଧିକରଣ କର୍ତ୍ତୃପକ୍ଷ ରକ୍ତଦାନ କାର୍ଯ୍ୟକ୍ରମ ପରିଦର୍ଶନ କରି କମିଶନରେଟ୍ ପୋଲିସର ଏଭଳି ଉଦ୍ୟମକୁ ଭୂୟଶୀ ପ୍ରଶଂସା କରିବା ସହ ଜନସାଧାରଣଙ୍କ ସହ ସବୁବେଳେ ଯୋଡି ହୋଇ ସାଧାରଣ ଜନତାଙ୍କୁ ସେବା ଯୋଗାଇଦେବାକୁ ଅନୁରୋଧ କରିଥିଲେ।

ଶେଷରେ ପ୍ରାଧିକରଣଙ୍କ ସଚିବ ସୌଦାମିନି ସିଂ ସମାବେଶରେ ଯୋଗଦେଇଥିବା ସମସ୍ତ ଅଂଶଗ୍ରହଣକାରୀ, ପଦାଧିକାରୀ,ମହିଳା, ଆଇନଜୀବୀ, ପୋଲିସ, ଗଣମାଧ୍ୟମ ପ୍ରତିନିଧି, ପାରାଲିଗାଲ ସ୍ୱେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

Categories
ଆଞ୍ଚଳିକ

କଳାହାଣ୍ଡି: ସଡକ ସୁରକ୍ଷା ସଂପର୍କିତ ରକ୍ଷକ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ନିମନ୍ତେ ଅନୁଷ୍ଠିତ ହୋଇଥିବା ରକ୍ଷକ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟଠାରେ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବାରେ ତାଲିମ ଦିଆଯାଇଥିବା “ରକ୍ଷକ” ସଦସ୍ୟମାନଙ୍କୁ ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ।

ସମ୍ମାନୀତ ଅତିଥି ଭାବେ  ରକ୍ଷକର ରାଷ୍ଟ୍ରୀୟ ପ୍ରଶିକ୍ଷକ ଅଙ୍କୁର ଶର୍ମା ରକ୍ଷକ ପ୍ରକଳ୍ପ ମାଧ୍ୟମରେ ଦୁର୍ଘଟଣା ମାତ୍ରା ହ୍ରାସ କରିବା ସହ ଅମୂଲ୍ୟ ଜୀବନ ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଭବାନୀପାଟଣା ପୋଲିସ ଆରକ୍ଷୀ ନିରୀକ୍ଷକ ଚନ୍ଦ୍ର ଶେଖର ଶବର ପ୍ରଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ରାମ ନିବାସ ସିରୀକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାତୀୟ ପ୍ରଶିକ୍ଷକ ରତିକାନ୍ତ ନାଥଙ୍କ ତତ୍ତ୍ବାବଧାନରେ କଳାହାଣ୍ଡି, ନୂଆପଡା ଓ ବଲାଙ୍ଗୀର ଜିଲ୍ଲାରୁ ପ୍ରଶିକ୍ଷାର୍ଥୀ ଭାବେ ସଂଜିବ କୁମାର ସାହୁ, ଶାନ୍ତନୁ କୁମାର ପରିଡା, ଦଇତାରି ପୁଜାରୀ, ରାମ ନାରାୟଣ ଦାଶ,ନାରାୟଣ ପ୍ରଧାନ, ମଦନ ମୋହନ ପ୍ରଧାନ,ଶିବ ପ୍ରସାଦ ସା, ପଲ୍ଲୀଶ୍ରୀ ପଟ୍ଟନାୟକ, ରଜନୀକାନ୍ତ ଜେନା, ରାଧାରାଣୀ ନାୟକ, ଭବାନୀ ଶଙ୍କର ପଣ୍ଡା, ସଂଜୟ କୁମାର ପୁରୋହିତ, ଗିରିରାଜ ଗହୀର, ସୁଧିର କୁମାର ପଣ୍ଡା, ବିଶ୍ବ ରଂଜନ ବେହେରା, ସୁଶାନ୍ତ କୁମାର ସାହୁ, ଅନୀଲ କୁମାର ମାଝୀ, ଗୋବିନ୍ଦ ବ୍ରହ୍ମା, ସୁଦାମ ଚରଣ ମିଶ୍ର, ମିଲନ କିଶୋର କୁମାର, ଦୁର୍ଯୋଧନ ପଶାୟତ, ରଶ୍ମୀ ରାଣୀ ଦାଶ, ଅରବିନ୍ଦ କୁମ୍ଭାର, ପ୍ରଭାକର ଛନ୍ଦା, ଅନିଲ କୁମାର ସା, ବିରଞ୍ଚି ନାରାୟଣ ଦାଶ, ଜୟଦେବ ବେହେରା, ଡମ୍ବରୁ ଧର ମାଝୀ, ନେତ୍ରାମ ହଂସ, ମୋହନ ଚରଣ ବିଷି ପ୍ରମୁଖ ରେଡକ୍ରସ ପରାମର୍ଶଦାତା, ପୋଲିସ କର୍ମଚାରୀ ଓ ସ୍ବେଚ୍ଛାସେବୀ ସଂଗଠନର ଅଧିକାରୀମାନଙ୍କୁ  ରକ୍ଷକ ତାଲିମ ପ୍ରମାଣ ପତ୍ର ଓ ପ୍ରାଥମିକ ଚିକିତ୍ସା କିଟ୍ ପ୍ରଦାନ କରାଯାଇଥିଲା।

ଏହି ତାଲିମ ପ୍ରାପ୍ତ ପ୍ରଶିକ୍ଷାର୍ଥୀମାନେ ଆଗାମୀ ଦିନରେ ବିଭିନ୍ନ ବର୍ଗର ଲୋକଙ୍କୁ ତାଲିମ ପ୍ରଦାନ କରିବେ ଓ ସେମାନେ ସଡକ ଦୁର୍ଘଟଣାରେ ଆହତମାନଙ୍କୁ ସୁରକ୍ଷା ପ୍ରଦାନ କରି “ରକ୍ଷକ” ସାଜିବେ।

Categories
ବିଶେଷ ଖବର ରାଜ୍ୟ ଖବର

ସଡକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ ଉଦ୍‌ଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି।

ରାଜ୍ୟ ପରିବହନ ବିଭାଗ ଦ୍ବାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ (First Responder) ତାଲିମ ପାଇବେ। ୩୦୦ ପ୍ରଶିକ୍ଷକ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ ସପ୍ତାହ ପାଇଁ ତାଲିମ ପ୍ରଦାନ କରିବେ। ଏହାଦ୍ବାରା ସଡକ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ସହାୟତା ଓ ଚିକିତ୍ସା ମିଳିପାରିବ ଓ ଅନେକ ଜୀବନ ବଞ୍ଚାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣା କେବଳ ଜଣେ ବ୍ୟକ୍ତି ବା ଗୋଟିଏ ପରିବାରର କ୍ଷତି ନୁହେଁ। ଏହା ସମାଜର କ୍ଷତି। ଅର୍ଥନୀତିର ମଧ୍ୟ ବଡ କ୍ଷତି। ତେଣୁ ଏହାକୁ ରୋକିବା ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରିବା ଦରକାର ବୋଲି ସେ ମତବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏ କ୍ଷେତ୍ରରେ ଡ୍ରାଇଭର ମାନଙ୍କର ଯେତିକି ଦାୟିତ୍ବ, ସଡକ ବ୍ୟବହାର କରୁଥିବା ବ୍ୟକ୍ତିର ମଧ୍ୟ ସେତିକି ଦାୟିତ୍ବ। ତା ସହିତ ଦୁର୍ଘଟଣା ସ୍ଥଳରେ ଥିବା ଅନ୍ୟ ଲୋକମାନଙ୍କର ମଧ୍ୟ ବିଶେଷ ଦାୟିତ୍ବ ରହିଛି। ତେଣୁ ସେମାନେ ସାମାନ୍ୟ ସହଯୋଗ କଲେ, ଅନେକ ଜୀବନ ରକ୍ଷା ହୋଇପାରିବ ଓ ଅନେକ ପରିବାର ଦୁର୍ଦ୍ଦିନରୁ ରକ୍ଷା ପାଇପାରିବେ ବୋଲି ସେ କହିଥିଲେ।

ତାଲିମ ବ୍ୟବସ୍ଥା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ହେଉଛନ୍ତି ଜଣେ ଜଣେ ଉତ୍ତମ ନାଗରିକ (Good Samaritan)। ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଆମେ ଯଦି ତୁରନ୍ତ ଚିକିତ୍ସା କରିବା, ତେବେ ଆମେ ଅନେକ ଜୀବନ ରକ୍ଷା କରିପାରିବା ବୋଲି ସେ କହିଥିଲେ।

ବିପଦରେ ଥିବା ଲୋକର ଜୀବନ ବଞ୍ଚାଇବା ଠାରୁ ବଡ ପୁଣ୍ୟ କିଛି ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକ ମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ଲୋକକୁ ୨୦୦୦ ଟଙ୍କା ସହାୟତା ଦେବାର ବ୍ୟବସ୍ଥା କରାଯାଇଛି। ଏହାସହିତ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କର ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି।

ସଡକ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ଏ ଉଦ୍ୟମରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ବିଭିନ୍ନ ଅଣ-ସରକାରୀ ସଂଗଠନ (NGO) ମାନେ ସଡକ ଦୁର୍ଘଟଣା ସମୟରେ ତୁରନ୍ତ ସହାୟତା ଯୋଗାଇଦେବା ଓ ସଚେତନତା ସୃଷ୍ଟି କ୍ଷେତ୍ରରେ ଯେଉଁ ଉଦ୍ୟମ କରୁଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର ଏହି ଉଦ୍ୟମ ସଫଳ ହେବ ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ପରିବହନ ବିଭାଗକୁ ଧନ୍ୟବାଦ ଦେବା ସହିତ ରାଜ୍ୟସ୍ତରରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ବୋଲି କହିଥିଲେ। ତାଲିମ କାର୍ଯ୍ୟକ୍ରମ ଶେଷ ହେବା ପରେ ସଡକ ସୁରକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ସ୍ବେଚ୍ଛାସେବୀ, ରେଡକ୍ରସ ଓ ଅନ୍ୟାନ୍ୟ ସଂସ୍ଥା ମାନଙ୍କୁ ମୁଖ୍ୟମନ୍ତ୍ର ଧନ୍ୟବାଦ ଦେଇ ଜୀବନ ରକ୍ଷା କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରକ୍ଷକ ତାଲିମ କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିବା ସହିତ ଏହାର ୱେବସାଇଟ OPTICS ଉଦ୍‌ଘାଟନ କରିଥିଲେ। ତାଲିମରେ ଯୋଗ ଦେଇଥିବା first responder ମାନଙ୍କୁ କିଟ୍‌ ଓ ଟି-ସାର୍ଟ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଡକ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ।

ବିଭାଗୀୟ ପ୍ରମୁଖ ସଚିବ ମଧୁସୂଦନ ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ପରିବହନ କମିଶନର ଅରୁଣ ବୋଥ୍ରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଫଟୋ ଖବର

ସଡକ ସୁରକ୍ଷା ଦିବସ ଉପଲକ୍ଷେ ଅନୁଗୁଳ ଜିଲ୍ଲା ଆରଟିଓ ତରଫରୁ ବାହାରିଲା ସଚେତନତା ରଥ

ସଡକ ସୁରକ୍ଷା ଦିବସ ଉପଲକ୍ଷେ ଅନୁଗୁଳ ଜିଲ୍ଲା ଆରଟିଓ ତରଫରୁ ବାହାରିଲା ସଚେତନତା ରଥ