Categories
ବିଶେଷ ଖବର

ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ସମାପନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଭାରତର ସବୁ ରାଜ୍ୟମାନଙ୍କର ମିଳିତ ପ୍ରୟାସ କାରଣରୁ କୋଭିଡ ଭଳି ମହାମାରୀରୁ ଭାରତ ମୁକୁଳି ପାରିଛି।

ନୀତି ଆୟୋଗ ପରିଚାଳନା ପରିଷଦ (ଜିସି)ର ସପ୍ତମ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର କୋଭିଡ ମହାମାରୀ ମୁକାବିଲାରେ ସବୁ ରାଜ୍ୟ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଫଳରେ ଭାରତ ବିଶ୍ଵସ୍ତରରେ ଏକ ନେତୃସ୍ଥାନୀୟ ଭୂମିକା ନିର୍ବାହ କରିବା ସହିତ ଅନ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଅନୁପ୍ରାଣିତ କରିପାରିଛି।

କୋଭିଡ ମହାମାରୀ ଦେଖାଦେବା ପରେ ଏହା ଥିଲା ନୀତି ଆୟୋଗ ପରିଚାଳନା ପରିଷଦର ପ୍ରଥମ ବୈଠକ ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବ୍ୟକ୍ତିଗତ ଭାବେ ଅଂଶଗ୍ରହଣ କରିଥିଲେ । ଏଥିପୂର୍ବରୁ ୨୦୨୧ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ଥରର ବୈଠକରେ ୨୩ ରାଜ୍ୟର ମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ର ଶାସିତ ପ୍ରଦେଶର ଉପରାଜ୍ୟପାଳ, ୨ ପ୍ରଶାସକ ଏବଂ କେନ୍ଦ୍ର ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉଦଘାଟନୀ ଅଭିଭାଷଣରେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ସଂଘୀୟ ବ୍ୟବସ୍ଥା ଏବଂ ସହଯୋଗୀ ସଂଘୀୟ ଭାବନା କୋଭିଡ ସଙ୍କଟ ସମୟରେ ସମଗ୍ର ବିଶ୍ଵ ପାଇଁ ଏକ ଉଦାହରଣ ପାଲଟିଥିଲା । ସେ କହିଥିଲେ ଯେ ସାରା ବିଶ୍ଵର ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଭାରତ ଏକ ଦୃଢ଼ ବାର୍ତ୍ତା ଦେଇଥିଲା – ସୀମିତ ସମ୍ବଳ ସତ୍ତ୍ୱେ ସହନଶୀଳତା ଦ୍ୱାରା ବିପଦ ଏଡ଼ାଇବା ସମ୍ଭବ ହୋଇପାରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହାର ଶ୍ରେୟ ରାଜ୍ୟ ସରକାରମାନଙ୍କୁ ଯାଉଛି, ଯେଉଁମାନେ ରାଜନୈତିକ ମତପାର୍ଥକ୍ୟ ସତ୍ତ୍ୱେ ତୃଣମୂଳସ୍ତରରେ ଲୋକମାନଙ୍କୁ ଜନ ସେବା ଯୋଗାଇ ଦେବାରେ ସଫଳ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ ଯେ, ରାଷ୍ଟ୍ରୀୟ ପ୍ରାଥମିକତା ଚିହ୍ନଟ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମାସ ମାସ ଧରି ବ୍ୟାପକ ବିଚାରମନ୍ଥନ ଏବଂ ପରାମର୍ଶ ପରେ ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ଆୟୋଜନ କରାଯାଉଛି । ପ୍ରଥମ ଥର ପାଇଁ ଦେଶ ସ୍ୱାଧୀନତାର ୭୫ତମ ବର୍ଷ, ଭାରତର ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଛନ୍ତି ଏବଂ ତିନି ଦିନ ଧରି ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗ ଉପରେ ବିଚାରବିମର୍ଶ କରିଛନ୍ତି । ଏହି ମିଳିତ ପ୍ରକ୍ରିୟା ଆଜି ବୈଠକ ପାଇଁ ଏଜେଣ୍ଡା ବିକଶିତ କରିବାରେ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଚଳିତ ବର୍ଷ, ପରିଚାଳନା ପରିଷଦ ବୈଠକରେ ୪ଟି ପ୍ରମୁଖ ବିଷୟ ଉପରେ ଆଲୋଚନା କରାଯାଇଥିଲା :

  1. ଫସଲ ବିବିଧକରଣ ଏବଂ ଡାଲି, ତୈଳବୀଜ ଏବଂ ଅନ୍ୟ କୃଷି-ଉତ୍ପାଦ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ;
  2. ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି (ଏନଇପି)ର କାର୍ଯ୍ୟକାରିତା
  • ଉଚ୍ଚ ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା
  1. ସହରାଞ୍ଚଳ ପ୍ରଶାସନ ।

ପ୍ରଧାନମନ୍ତ୍ରୀ ଉପରୋକ୍ତ ସବୁ ପ୍ରସଙ୍ଗ ଉପରେ ଜୋର ଦେଇଥିଲେ । ବିଶେଷ କରି ସେ କହିଥିଲେ ଯେ, ଭାରତ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଏବଂ ବିଶ୍ଵସ୍ତରରେ ନେତୃତ୍ୱ ନେବା ଲାଗି ଆଧୁନିକ କୃଷି, ପଶୁପାଳନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଗୁରୁତ୍ବାରୋପ କରିବାର ଆବଶ୍ୟକତା ରହିଛି । ସହଜ ଜୀବନଧାରଣ, ପାରଦର୍ଶୀ ସେବା ବିତରଣ ଏବଂ ସହରୀ ଭାରତର ପ୍ରତ୍ୟେକ ନାଗରିକଙ୍କ ଜୀବନ ଗୁଣବତ୍ତାରେ ସୁଧାର ଆଣିବା ଲାଗି ପ୍ରଯୁକ୍ତିର ଲାଭ ଉଠାଇବା ଦ୍ୱାରା ଦ୍ରୁତ ସହରୀକରଣ ଭାରତର ଦୁର୍ବଳତା ପରିବର୍ତ୍ତେ ସାମର୍ଥ୍ୟ ଭାବେ ଉଭା ହୋଇପାରିବ ।

୨୦୨୩ରେ ଭାରତ ଜି୨୦ ରାଷ୍ଟ୍ର ସମୂହର ଅଧ୍ୟକ୍ଷତା କରିବାକୁ ଯାଉଥିବା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ କେବଳ ଦିଲ୍ଲୀ ନୁହେଁ – ବରଂ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ନେଇ ଭାରତ ସମୃଦ୍ଧ ବୋଲି ଦର୍ଶାଇବା ନିମନ୍ତେ ଏହା ଏକ ଅଭିନବ ସୁଯୋଗ ଆଣି ଦେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି୨୦ ଉପଲକ୍ଷେ ଆମେ ଏକ ଗଣଆନ୍ଦୋଳନ ବିକଶିତ କରିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ଆମ ଦେଶରେ ଥିବା ଶ୍ରେଷ୍ଠ ପ୍ରତିଭାଙ୍କୁ ଚିହ୍ନଟ କରିବା ଲାଗି ସୁଯୋଗ ମିଳିପାରିବ । ସେ ଆହୁରି କହିଥିଲେ ଯେ, ଏହି ପ୍ରୟାସରୁ ଅଧିକରୁ ଅଧିକ ସମ୍ଭାବ୍ୟ ଲାଭ ପାଇବା ଲାଗି ସବୁ ରାଜ୍ୟରେ ଏକ ସମର୍ପିତ ଜି୨୦ ଦଳ ଗଠନ ହେବା ଉଚିତ୍‌ । ଏ ସମ୍ପର୍କରେ ଅଧିକ ସୂଚନା ଦେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ. ଜୟଶଙ୍କର କହିଥିଲେ ଯେ, ଜି୨୦ ଅଧ୍ୟକ୍ଷତା ଏକ ଶ୍ରେଷ୍ଠ ସୁଯୋଗ ସହିତ ଗୁରୁତ୍ୱପୂର୍ଣ୍ଣ ଉତ୍ତରଦାୟିତ୍ୱ ନେଇ ଆସିଛି । ପ୍ରଥମ ଥର ପାଇଁ ଜି୨୦ ଇତିହାସରେ, ଭାରତ ଜି୨୦ ବୈଠକର ଅଧ୍ୟକ୍ଷତା କରିବାକୁ ଯାଉଛି । ଏହି ଅଧ୍ୟକ୍ଷତା କେବଳ ଦିଲ୍ଲୀ ନୁହେଁ, ବରଂ ଭାରତର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ କରୁଛନ୍ତି ।

ଶିକ୍ଷାଗତ ପରିଣାମରେ ଦୃଢ଼ ସୁଧାର, ଶିକ୍ଷକମାନଙ୍କର ସାମର୍ଥ୍ୟ ବୃଦ୍ଧି ଏବଂ କୌଶଳ ବିକାଶ ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ସୂଚନା ଦେଇଥିଲେ । ଏ କ୍ଷେତ୍ରରେ ସହଯୋଗ ପାଇଁ ସେ ରାଜ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଜାତୀୟ ଶିକ୍ଷାନୀତିର ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟମାନଙ୍କ ଠାରୁ ଅଧିକ ସହାୟତା ପାଇଁ ଅନୁରୋଧ କରିଥିଲେ ।

ନୀତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ ସୁମନ ବେରୀ କହିଥିଲେ ଯେ, ଭାରତର ବାସ୍ତବ ପରିବର୍ତ୍ତନ ଏହାର ରାଜ୍ୟମାନଙ୍କରେ ହେବା ଆବଶ୍ୟକ । ମହାମାରୀ ପରେ ପୁନଃ ପ୍ରଗତିଶୀଳ ଭାରତର ସଂକଳ୍ପକୁ ସାକାର କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସର ଆବଶ୍ୟକତା ରହିଥିବା ସେ ଦୋହରାଇଥିଲା।

ବୈଠକରେ ଉପସ୍ଥିତ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନେ ସେମାନଙ୍କ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପ୍ରାଥମିକତା, ସଫଳତା ଏବଂ ସମସ୍ୟାଗୁଡ଼ିକ ଉପସ୍ଥାପନ କରିଥିଲେ । ବୈଠକର ଚାରିଟି ପ୍ରମୁଖ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇ ସେମାନେ ନିଜ ନିଜ ମତ ଉପସ୍ଥାପନ କରିଥିଲେ ।

ଉଦଯାପନୀ ବକ୍ତବ୍ୟରେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ରାଜ୍ୟ ବିଶ୍ଵର ବିଭିନ୍ନ ସ୍ଥାନରେ ଥିବା ଭାରତୀୟ ମିଶନ ଜରିଆରେ ଥ୍ରୀ-ଟି- ଟ୍ରେଡ (ବାଣିଜ୍ୟ), ଟୁରିଜିମ(ପର୍ଯ୍ୟଟନ), ଟେକ୍ନୋଲୋଜି (ପ୍ରଯୁକ୍ତି) –କୁ ପ୍ରୋତ୍ସାହିତ କରିବା ଉଚିତ୍‌ । ସେ କହିଥିଲେ ଯେ ଆମଦାନୀ ହ୍ରାସ କରିବା, ରପ୍ତାନି ବଢ଼ାଇବା ଏବଂ ପ୍ରତ୍ୟେକ ରାଜ୍ୟରେ ଏଥିପାଇଁ ସୁଯୋଗକୁ ଚିହ୍ନଟ କରିବା ଲାଗି ରାଜ୍ୟମାନେ ଗୁରୁତ୍ୱ ଦେବା ଉଚିତ୍‌ । ସେ କହିଥିଲେ ଯେ, ଯେଉଁଠି ସମ୍ଭବ ଆମେ ସ୍ଥାନୀୟ ଉତ୍ପାଦ ବ୍ୟବହାର କରିବା ଲାଗି ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ‘ଭୋକାଲ ଫର ଲୋକାଲ’ ଏକ ବ୍ୟକ୍ତିଗତ ରାଜନୈତିକ ଦଳର ଲକ୍ଷ୍ୟ ନୁହେଁ ଏବଂ ଏହା ସମସ୍ତଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜିଏସଟି ସଂଗ୍ରହରେ ସୁଧାର ଆସିବା ଫଳରେ, ଆମର ସମ୍ଭାବନା ଆହୁରି ଅଧିକ ବଢ଼ିଯାଇଛି । ଜିଏସଟି ସଂଗ୍ରହ ବଢ଼ାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସର ଆବଶ୍ୟକତା ରହିଛି । ଆମର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଏବଂ ଭାରତକୁ ୫ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଏହା ଅତ୍ୟନ୍ତ ଜରୁରି ବୋଲି ସେ କହିଥିଲେ । ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବ୍ୟାପକ ବିଚାରବିମର୍ଶ ପରେ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରାଯାଇଛି । ଏହାର କାର୍ଯ୍ୟକାରିତାରେ ଆମେ ସବୁ ଅଂଶୀଦାରମାନଙ୍କୁ ସାମିଲ କରିବା ଉଚିତ୍‌ ଏବଂ ଏଥିପାଇଁ ଏକ ସ୍ପଷ୍ଟ, ସମୟବଦ୍ଧ ରୋଡମ୍ୟାପ ବିକଶିତ କରିବା ଉଚିତ୍‌ ।

ବୈଠକରେ ଅଂଶଗ୍ରହଣ କରିବା ସହିତ ନିଜର ମତ ଏବଂ ଅନୁଭୂତି ଉପସ୍ଥାପନ କରିଥିବା କାରଣରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଉପରାଜ୍ୟପାଳଙ୍କ ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ନୀତି ଆୟୋଗ ରାଜ୍ୟମାନଙ୍କର ଚିନ୍ତା, ସମସ୍ୟା ଏବଂ ଶ୍ରେଷ୍ଠ ପଦ୍ଧତିଗୁଡ଼ିକୁ ଅନୁଶୀଳନ କରିବା ପରେ ଭବିଷ୍ୟତର ଯୋଜନା ପ୍ରସ୍ତୁତ କରିବ । ସେ କହିଥିଲେ ଯେ ବୈଠକରେ ଆଲୋଚନା ହୋଇଥିବା ପ୍ରସଙ୍ଗଗୁଡ଼ିକ ଆସନ୍ତା ୨୫ ବର୍ଷ ମଧ୍ୟରେ ଜାତୀୟ ପ୍ରାଥମିକତା ନିର୍ଦ୍ଧାରଣ କରିବାରେ ସହାୟକ ହେବ । ଆଜି ଆମେ ବପନ କରିଥିବା ବୀଜ ୨୦୪୭ରେ ଫଳବତୀ ହେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ନୀତି ଆୟୋଗ ଉପାଧ୍ୟକ୍ଷ, ମୁଖ୍ୟ କାର୍ଯ୍ୟନିର୍ବାହୀ, କ୍ୟାବିନେଟ ସଚିବ, କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବ, ସଂସ୍କୃତି ବିଭାଗ ସଚିବ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ସଚିବ, ଉଚ୍ଚ ଶିକ୍ଷା ସଚିବ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ୟାବିନେଟ ସଚିବାଳୟ, ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଏହି ସପ୍ତମ ବୈଠକରେ ଯୋଗ ଦେଇଥିଲେ ।