Categories
ଆଜିର ଖବର ରାଜ୍ୟ ଖବର

ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ: ଭୁବନେଶ୍ୱରର ବିଭିନ୍ନ ରାସ୍ତା ଏବଂ ଡ୍ରେନେଜ ସମସ୍ୟାର ସମାଧାନ ଦାବି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି, ଭୁବନେଶ୍ୱର, ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ଅଞ୍ଜନ ନାଥଙ୍କ ନେତୃତ୍ୱରେ ଆଜି ଦିବା ୧୧ ଘଟିକା ସମୟରେ ଜୟଦେବ ବିହାର ଛକଠାରୁ ଶହ ଶହ ସଂଖ୍ୟାର ବିଜେପି କାର୍ଯ୍ୟକର୍ତ୍ତାମାନେ ମେ ଫେୟାର ହୋଟେଲ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୱାର୍ଡ଼ ନଂ-୨୭ ଅଞ୍ଚଳରେ ବିଜୁ ପଟ୍ଟନାୟକ କଲେଜ ଛକ ଠାରୁ ନେଇ ମେ ଫେୟାର ହୋଟେଲ ଛକ ପର୍ଯ୍ୟନ୍ତ ରାସ୍ତାରେ ବିଭିନ୍ନ ଜାଗାରେ ଖାଲ ହୋଇଅଛି। ଯାହାଫଳରେ କି ପ୍ରତିଦିନ ସେହି ରାସ୍ତାରେ ଯାଉଥିବା ବାଟୋଇମାନେ ସେହି ଖାଲରେ ପଡ଼ି କ୍ଷତବିକ୍ଷତ ହେଉଛନ୍ତି।

ତା ସହିତ ଏକାମ୍ର କାନନ ପାର୍କ ପାଖରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନେଜ ବିଭିନ୍ନ ଜାଗାରେ ଅଣଚଉଡ଼ା ହୋଇଯିବା ହେତୁ ଲେନ୍‌-୩ ଏବଂ ଲେନ୍‌-୪ ଅଞ୍ଚଳରେ ରହୁଥିବା ବାସିନ୍ଦାମାନଙ୍କ ଘର ଭିତରେ ପାଣି ପଶିଯାଉଛି। ଯାହାଫଳରେ କି ଲେନ୍‌-୩, ଲେନ୍‌-୪ରେ ରହୁଥିବା ବାସିନ୍ଦାମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲେନ୍‌-୩, ଲେନ୍‌-୪ରେ ରହୁଥିବା ବରିଷ୍ଠ ନାଗରିକମାନେ ବିଏମ୍‌ସି ଠାରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବରେ ଜଣାଇଛନ୍ତି।

ଉପର ଲିଖିତ ସମସ୍ୟାଗୁଡ଼ିକୁ ନେଇ ପୂର୍ବରୁ ଭାରତୀୟ ଜନତା ପାର୍ଟି, ଭୁବନେଶ୍ୱର ଶ୍ରୀକୃଷ୍ଣ ମଣ୍ଡଳ ମଧ୍ୟ ଆନ୍ଦୋଳନ କରିଥିଲେ। ଯଦି ଏହି ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହି ସଭାରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ବାବୁ ସିଂ, ଉତ୍ତର ନିର୍ବାଚନ ମଣ୍ଡଳୀର ନେତା ତଥା ରାଜ୍ୟ ପ୍ରବକ୍ତା ଦିଲ୍ଲିପ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲିପ ବେହେରା, ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଛୋଟରାୟ, ପ୍ରମୋଦିପ ସିଦ୍ଦିକ ଖାନ୍‌, ବଟକୃଷ୍ଣ ରାଉତ, ସୁଧାଂଶୁ ସାମଲ ପ୍ରମୁଖ କାର୍ଯ୍ୟକର୍ତ୍ତା ବକ୍ତବ୍ୟ ରଖିଥିଲେ। ଶେଷରେ ମଣ୍ଡଳ ସାଧାରଣ ସମ୍ପାଦକ ସ୍ୱପ୍ନେନ୍ଦୁ ମହାନ୍ତି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।