Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଡାକ୍ତରଖାନା ପରିସରରୁ ହଟିବ ଘରୋଇ ଔଷଧ ଦୋକାନ, ସରକାର ନେଉଛନ୍ତି କଡା ପଦକ୍ଷେପ

ଭୁବନେଶ୍ବର: ଏଣିକି ଡାକ୍ତରଖାନା ପରିସରରୁ ହଟିବ ଘରୋଇ ଔଷଧ ଦୋକାନ। ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏକ କଡା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ରାଜ୍ୟ ସରକାର ନିରାମୟ ଯୋଜନା ଅନୁସାରେ ସମସ୍ତ ସରକାରୀ ହସପିଟାଲରେ ମାଗଣା ଔଷଧ ଦେଉଛନ୍ତି। ସେଥିପାଇଁ ଏହି ଘରୋଇ ଔଷଧ ଦୋକାନର ଆବଶ୍ୟକ ନ ଥିବାରୁ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି।

ସୂଚନା ଅନୁସାରେ ରାଜ୍ୟ ସରକାର 2015 ମସିହାରୁ ହସପିଟାଲ ପରିସରରେ ଥିବା ଔଷଧ ଦୋକାନୀଙ୍କୁ ସେଠାରୁ ହଟିବା ପାଇଁ ନିର୍ଦ୍ଦେଷ ଦେଇଥିଲେ। ସେହି ଅନୁସାରେ ସେମାନଙ୍କର ଲାଇସେନସ ଆଉ ନବୀକରଣ କରାଯାଉ ନାହିଁ। ହେଲେ ରାଜ୍ୟର ପ୍ରାୟ ବହୁ ଔଷଧ ଦୋକାନୀ ହାଇକୋର୍ଟରେ କେସ କରି ଏହି ଔଷଧ ଦୋକାନ ଚଳାଉଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ 111 ଟି ମାମଲା ଏହା ଉପରେ ପଡିରହିଛି।

ଏହାଦ୍ବାରା ସ୍ବାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିପାରୁ ନାହିଁ। ତେବେ ଏହାକୁ କଡାକଡି କରିବା ପାଇଁ ପ୍ରଥମେ କୋର୍ଟ କେସ ଫଇସଲା ହେବାର ଆବଶ୍ୟକ ରହିଛି। ସେଥିପାଇଁ ବିଭାଗ ଆଡଭୋକେଟ ଜେନରାଲଙ୍କୁ ଚିଠି କରିଛନ୍ତି। ତୁରନ୍ତ ଏହି ମାମଲାର ଫଇସଲା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।