Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସରକାରୀ ଡାକ୍ତରଖାନାକୁ ମଶା ମୁକ୍ତ ପାଇଁ ସ୍ବାସ୍ଥ୍ୟ ବିଭାଗ ଜାରୀ କଲା ଗାଇଡ ଲାଇନ

ଭୁବନେଶ୍ବର: ରୋଗୀମାନଙ୍କୁ ସନ୍ତୋଷଜନକ ଜନସ୍ୱାସ୍ଥ୍ୟ ସୁବିଧା ସହିତ ସରକାରୀ ଡାକ୍ତରଖାନା ପରିସରକୁ ମଶାମୁକ୍ତ ଏବଂ ପରିବେଶ ଅନୁକୂଳ କରିବା ପାଇଁ ରାଜ୍ୟ ସରକାର ଧ୍ୟାନ ଦେଇଆସୁଛନ୍ତି।

ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଡାକ୍ତରଖାନା ପରିସରକୁ ମଶାମୁକ୍ତ ହେବାକୁ ସୁନିଶ୍ଚିତ କରିବା ପାଇଁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଏବଂ ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକଙ୍କ ସମେତ ସମସ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ପିଏଚ୍‌ଓ)ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି କାର୍ଯ୍ୟଗୁଡ଼ିକ ଆମ ହସ୍‌ପିଟାଲ୍‌ ଏବଂ କାୟାକଳ୍ପ ଅଭିଯାନର ଏକ ଅଂଶ ଭାବେ ଗ୍ରହଣ କରାଯାଇଛି। ଏହି ସଂପର୍କରେ ଛଅଗୋଟି ବିଷୟକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୧. ଆମ ହସ୍‌ପିଟାଲ୍‌ ପାଣ୍ଠିରୁ ସମସ୍ତ ଆମ ହସ୍‌ପିଟାଲ୍‌ ଝରକାରେ ତାରଜାଲି ଲଗାଯିବ।

୨. ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଚିକିତ୍ସାଳୟ ପାଇଁ ମଶାଧୂଆଁ ମେସିନ୍‌ କ୍ରୟ କରାଯିବ।

୩. ଡେଜଟ୍‌ କୁଲର ଏବଂ ଜଳଭଣ୍ଡାର ନିୟମିତ ସଫା କରାଯିବା ସହ ନିର୍ମଳ ଅଧିନରେ ନିୟୋଜିତ ଆଉଟ୍‌ସୋର୍ସିଂ ସଂସ୍ଥା ଦ୍ୱାରା ମଶାମରା ତେଲ ଛିଞ୍ଚାଯିବ।

୪. ହସ୍‌ପିଟାଲ ପରିସରରେ ଜଳ ନଜମିବା ପାଇଁ ନିର୍ମଳ ଅଧିନରେ ନିୟୋଜିତ ଆଉଟ୍‌ସୋର୍ସିଂ ସଂସ୍ଥା ଦ୍ୱାରା ଅନାବନା ଗଛ କାଟିବା କାର୍ଯ୍ୟ ଏବଂ ପରିସ୍କାରପରିଚ୍ଛନ କାର୍ଯ୍ୟ କରାଯିବ।

୫. ଗ୍ରାମୀଣ ଏବଂ ସହରୀ ସଂସ୍ଥାଗୁଡ଼ିକର ସମନ୍ୱୟରେ ସ୍ୱାସ୍ଥ୍ୟସେବା ସୁବିଧା କେନ୍ଦ୍ର ଚାରିପାଖରେ ସମୂହ ସଫେଇ କାର୍ଯ୍ୟ ବାରମ୍ବାର କରାଯିବ।

୬. ଆମ ହସ୍‌ପିଟାଲ୍‌ ପାଣ୍ଠିରୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରେ ଫ୍ଲାଏ କ୍ୟାଚର ଏବଂ ଅଲ୍‌ଟ୍ରାସୋନିକ୍‌ ମଶା ପ୍ରତିରୋଧି ସ୍ଥାପନ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଏଣିକି ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ହେବ ଅନଲାଇନ, ଚୁକ୍ତିନାମା ସ୍ବାକ୍ଷରିତ

ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ତଥା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାରଙ୍କ ତରଫରୁ ହସ୍ପିଟାଲ ମ୍ୟାନେଜ୍‌ମେଣ୍ଟ ଇନ୍‌ଫରମେସନ୍‌ ସିଷ୍ଟମ୍‌ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ସ୍ୱୀକୃତିପ୍ରାପ୍ତ ସଂସ୍ଥା ସେଣ୍ଟର ଫର ଡେଭଲପ୍‌ମେଣ୍ଟ ଅଫ୍‌ ଆଡ୍‌ଭାନ୍ସଡ୍‌ କମ୍ପୁ୍ୟଟିଙ୍ଗ୍‌ ସି-ଡାକ୍‌(C-DAC) ସହ ଏକ ଚୁକ୍ତି ହୋଇଥିଲା।

ଏହାର ଫଳ ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ କଟକ, କ୍ୟାପିଟାଲ୍‌ ହସ୍ପିଟାଲ୍‌ ଭୁବନେଶ୍ୱର, ଆଚାର୍ଯ୍ୟ ହରିହର ଉପାଧ୍ୟୁତ୍ତର କର୍କଟ ପ୍ରତିଷ୍ଠାନ ଓ ସର୍ଦ୍ଦାର ବଲ୍ଲଭଭାଇ ଶିଶୁ ଚିକିତ୍ସା ଉପାଧ୍ୟୁତ୍ତର ପ୍ରତିଷ୍ଠାନ (ଶିଶୁ ଭବନ), କଟକଠାରେ ପାଇଲଟ୍‌ ପ୍ରୋଜେକଫ ଭାବେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା।

ଏହାର ସଫଳ ରୂପାୟନ ପରେ ରାଜ୍ୟର ୩୧ ଡିଏଚ୍‌ଏଚ୍‌ଏସ୍‌, ୧୧ ଏମ୍‌ସିଏଚ୍‌ଏସ୍‌୍‌ ଓ ୧୦୬ ୟୁପିଏଚ୍‌ସିଏସ୍‌ଠାରେ ଏହି କଷ୍ଟୋମାଇଜଡ୍‌ ହସ୍ପିଟାଲ ମ୍ୟାନେଜ୍‌ମେଣ୍ଟ ଇନ୍‌ଫରମେସନ୍‌ ସିଷ୍ଟମ୍‌ ଲାଗୁ କରାଯିବ। ଆଜି ଏଥି ପାଇଁ ରାଜ୍ୟ ସରକାର ଓ ସି-ଡାକ୍‌ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର ଓ ସି-ଡାକ୍‌ ପକ୍ଷରୁ ଶ୍ରୀ ରାଜୀବ ଯାଦବ ଏହି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ।

ଏହା ଦ୍ୱାରା ରାଜ୍ୟର ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇବା କ୍ଷେତ୍ରରେ ଉପକୃତ ହୋଇପାରିବେ। ଏହା ମାଧ୍ୟମରେ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ସହ ଓପିଡ଼ି ପାଇଁ ରେଜିଷ୍ଟ୍ରେସନ୍‌ କରାଯାଇପାରିବ। ସାଧାରଣ ଲୋକଟିଏ ଆଉ ଧାଡ଼ିରେ ଠିଅ ନହୋଇ ଘରେ ବସି ମୋବାଇଲ୍‌ ଆପ୍ଲିକେସନ୍‌ ମାଧ୍ୟମରେ ଡାକ୍ତରଙ୍କଠାରୁ ଆପଏଣ୍ଟମେଣ୍ଟ ନେଇପାରିବ। ଏହା ମାଧ୍ୟମରେ ଇଲେକ୍‌ଟ୍ରୋନିକ୍‌ ହେଲ ରେକର୍ଡ ସାଇତି ରଖାଯାଇପାରିବା ସହ ବିଭିନ୍ନ ନିଦାନର ରିପୋର୍ଟ ମଧ୍ୟ ମିଳିପାରିବ। ସି-ଡାକ୍‌ ପକ୍ଷରୁ ସଫଫେୱୟାର ଯୋଗାଇ ଦିଆଯିବାବେଳେ ଓକାକ୍‌ ପକ୍ଷରୁ ହାଡ୍‌ୱୟାର ବ୍ୟବସ୍ଥା କରାଯିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜକୁମାର ଶର୍ମାଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଯାମିନୀ ଷଡଙ୍ଗୀ, ସ୍ୱତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତି, ଡିଏମ୍‌ଇଟି ଡା. ରମାରମଣ ମହାନ୍ତି ଓ ଓକାକ୍‌ର ସିଇଓ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଏବଂ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।