ନୂଆଦିଲ୍ଲୀ: ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ବ୍ୟବସ୍ଥାପିକା ବିଭାଗ ପକ୍ଷରୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବିଧାନ ଦିବସ-୨୦୨୬ ପାଳନ କରାଯାଇଛି। ଏହି ଅବସରରେ ଭାରତୀୟ ସମ୍ବିଧାନର ଅଦ୍ୟତନ ସଂସ୍କରଣକୁ ସମସ୍ତ ୨୨ଟି ଅନୁସୂଚିତ ଭାଷାରେ ଉନ୍ମୋଚନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତର ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକ୍ରିଷ୍ଣନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ବ୍ୟବସ୍ଥାପିକା ବିଭାଗ ଓ ଆଇନ ବ୍ୟାପାର ବିଭାଗର ସଚିବ ଡ. ରାଜୀବ ମଣି ପ୍ରମୁଖ ଏହି ଅବସରରେ ଯୋଗ ଦେଇଥିଲେ।
ରାଷ୍ଟ୍ରଗୀତ ଏବଂ ଜାତୀୟ ସଂଗୀତ ଗାନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଏହା ପରେ ଉପରାଷ୍ଟ୍ରପତି ଏବଂ ମନ୍ତ୍ରୀଙ୍କ ଦ୍ୱାରା ପ୍ରଥାଗତ ଦୀପ ପ୍ରଜ୍ୱଳନ କରାଯାଇଥିଲା । ପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି ଚଳଚ୍ଚିତ୍ରରେ ସମ୍ବିଧାନକୁ କେବଳ ଏକ ପ୍ରକାଶନ ଭାବେ ନୁହେଁ, ବରଂ ଭାରତବାସୀଙ୍କ ସଂଘର୍ଷ, ସମର୍ପଣ, ସାଂସ୍କୃତିକ ଐତିହ୍ୟ, ଭାଷାଗତ ଗୌରବ ଏବଂ ଗଣତାନ୍ତ୍ରିକ ଚେତନାର ଏକ ଚିରନ୍ତନ ପ୍ରତୀକ ଭାବେ ଏବଂ ପ୍ରତ୍ୟେକ ନାଗରିକଙ୍କୁ ସମାନତା, ସ୍ୱାଧୀନତା, ନ୍ୟାୟ ଓ ଭ୍ରାତୃତ୍ୱର ଗ୍ୟାରେଣ୍ଟି ଦେଉଥିବା ସନଦ ଭାବେ ବର୍ଣ୍ଣନା କରାଯାଇଥିଲା । ଏଥିରେ ଡ. ବି. ଆର୍. ଆମ୍ବେଦକର ଏବଂ ସମ୍ବିଧାନ ସଭାର ସଦସ୍ୟମାନଙ୍କ ଦ୍ୱାରା ପରିକଳ୍ପିତ ଅନ୍ତର୍ଭୁକ୍ତ, ସମାନ ଏବଂ ନ୍ୟାୟପୂର୍ଣ୍ଣ ଭାରତ ତଥା ସେହି ଦୃଷ୍ଟିକୋଣକୁ ସାକାର କରିବାରେ ଭାରତୀୟ ଭାଷାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରାଯାଇଥିଲା। ଏହି ପଦକ୍ଷେପ ଗ୍ରାମାଞ୍ଚଳ, ଆଦିବାସୀ ସମ୍ପ୍ରଦାୟ ଏବଂ ଯୁବପିଢ଼ିର ନାଗରିକମାନଙ୍କ ନିକଟରେ ସମ୍ବିଧାନକୁ ଆହୁରି ନିକଟତର କରାଇବ ବୋଲି ମଧ୍ୟ ଏଥିରେ ଗୁରୁତ୍ୱାରୋପ କରାଯାଇଥିଲା ଏବଂ ସମ୍ବିଧାନ କେବଳ ସଂସଦ ଓ ଅଦାଲତ ମଧ୍ୟରେ ସୀମିତ ନରହି ପ୍ରତ୍ୟେକ ଗାଁ, ପ୍ରତ୍ୟେକ ଘର, ପ୍ରତ୍ୟେକ ବିଦ୍ୟାଳୟ ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚିବା ଉଚିତ ବୋଲି ସଂକଳ୍ପ ସହିତ ଏହା ଶେଷ ହୋଇଥିଲା।
ଏହା ପରେ ଉପରାଷ୍ଟ୍ରପତି ସମସ୍ତ ୨୨ଟି ଅନୁସୂଚିତ ଭାଷାରେ ଲିଖିତ ଭାରତୀୟ ସମ୍ବିଧାନର ଅଦ୍ୟତନ ସଂସ୍କରଣକୁ ଉନ୍ମୋଚନ କରିଥିଲେ । ସାମ୍ବିଧାନିକ ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ ଭାଷାଭାଷୀ ପୃଷ୍ଠଭୂମିର ନାଗରିକମାନଙ୍କ ପାଇଁ ଦେଶର ସର୍ବୋଚ୍ଚ ଆଇନକୁ ସୁଲଭ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ନିଜର ସ୍ୱତନ୍ତ୍ର ଅଭିଭାଷଣରେ ଉପରାଷ୍ଟ୍ରପତି ସମ୍ବିଧାନର ଚିରନ୍ତନ ଗୁରୁତ୍ୱ ଏବଂ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱର ମୂଲ୍ୟବୋଧକୁ ବଜାୟ ରଖିବାରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରତ୍ୟେକ ନାଗରିକଙ୍କ ନିକଟରେ ସାମ୍ବିଧାନିକ ଜ୍ଞାନକୁ ଉପଲବ୍ଧ କରାଇବାର ଗୁରୁତ୍ୱ ଉପରେ ମଧ୍ୟ ସେ ଜୋର ଦେଇଥିଲେ ।


