Categories
ଆଜିର ଖବର ଜାତୀୟ ଖବର

ଏହି ୩କେନ୍ଦ୍ର ଶାସିତ ଅଞ୍ଚଳର ଭଡା ଅଧିନିୟମ, ୨୦୨୩ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ସମ୍ବିଧାନର ଧାରା ୨୪୦ ଅଧୀନରେ (୧) ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭଡା ଅଧିନିୟମ, ୨୦୨୩ (୨) ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ ଡିଉ ଭଡା ଅଧିନିୟମ, ୨୦୨୩ (୩) ଲାକ୍ଷାଦ୍ୱୀପ ଭଡା ଅଧିନିୟମ, ୨୦୨୩ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭଡା ଅଧିନିୟମ, ୨୦୨୩; ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ  ଡିଉ  ଭଡା ଅଧିନିୟମ, ୨୦୨୩; ଏବଂ ଲାକ୍ଷାଦ୍ୱୀପ ଭଡା ଅଧିନିୟମ, ୨୦୨୩ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ ଡିଉ ; ଏବଂ ଲାକ୍ଷାଦ୍ୱୀପ ଭଳି କେନ୍ଦ୍ର ଶାସିତ ଅଞ୍ଚଳର ପରିସରରେ  ଭଡ଼ା ପାଇଁ ଉଭୟ ଘର ମାଲିକ ଏବଂ ଭଡ଼ାଟିଆଙ୍କ ସ୍ୱାର୍ଥ ଏବଂ ଅଧିକାରର ସନ୍ତୁଳନ କରି ଏକ ଉତ୍ତରଦାୟୀ ଏବଂ ସ୍ୱଚ୍ଛ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବା ନିମନ୍ତେ ଏକ ଆଇନଗତ ଢାଞ୍ଚା ପ୍ରଦାନ କରିବ ।

ଏହି ନିୟମ ଭଡ଼ା ବଜାରରେ ଘରୋଇ ନିବେଶ ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ, ପ୍ରବାସୀ, ଆନୁଷ୍ଠାନିକ ଏବଂ ଅନୌପଚାରିକ କ୍ଷେତ୍ରର କର୍ମଚାରୀ, ପେଶାଦାର, ଛାତ୍ର ଇତ୍ୟାଦିଙ୍କ ସମେତ ସମାଜର ବିଭିନ୍ନ ଆୟବର୍ଗଙ୍କ ପାଇଁ ପର୍ଯ୍ୟାପ୍ତ ଭଡ଼ା ଆବାସ ଭଣ୍ଡାର ସୃଷ୍ଟି କରିବ; ଏହା ଗୁଣାତ୍ମକ ଭଡ଼ା ଆବାସର ଉପଲବ୍ଧତା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ; ଏବଂ ଭଡ଼ା ଗୃହ ବଜାରର ଧୀରେ ଧୀରେ ଆନୁଷ୍ଠାନିକୀକରଣ ହେବ ଯାହା କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ ଡିଉ ଏବଂ ଲାକ୍ଷାଦ୍ୱୀପରେ ଏକ ସ୍ଫୁର୍ତ୍ତିଶୀଳ, ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ଭଡ଼ା ଗୃହ ବଜାର ସୃଷ୍ଟି କରିବ।

Categories
ବିଶେଷ ଖବର

ଭାରତକୁ କୂଟନୈତିକ ସ୍ତରରେ କିପରି ସାହାଯ୍ୟ କରିଛି ଧାରା ୩୭୦ ଉଚ୍ଛେଦ 

ନୂଆଦିଲ୍ଲୀ: ଅଗଷ୍ଟ ୫, ୨୦୧୯ରେ ଧାରା-୩୭୦ ଉଚ୍ଛେଦ ଭାରତର ଦୀର୍ଘଦିନର ଦୁର୍ବଳତାକୁ ଶେଷ କରିଛି। ଅଗଷ୍ଟ ୫, ୨୦୧୯ ପୂର୍ବରୁ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଯୋଗୁଁ ସୃଷ୍ଟି ହୋଇଥିବା ଦୋଷ ରେଖା ଥିଲା ଭାରତର ୭୦ ବର୍ଷ ପୁରୁଣା ଦୁର୍ବଳତା, ଯାହାକୁ କୂଟନୈତିକ ସ୍ତରରେ ଆନ୍ତର୍ଜାତିକ ସମୁଦାୟ- ବନ୍ଧୁ ଓ ଶତ୍ରୁମାନେ ସମାନଭାବେ ଶୋଷଣ କରୁଥିଲେ।

ଯେହେତୁ ଭାରତୀୟ ସମ୍ବିଧାନର ଏକ ଅସ୍ଥାୟୀ ବ୍ୟବସ୍ଥା ଧାରା-୩୭୦ ଏକ ଧାରଣା ସୃଷ୍ଟି କରିଥିଲା ଯେ ବର୍ତ୍ତମାନ ଏକ ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଅନ୍ତର୍ଭୁକ୍ତ ପୂର୍ବ ଜମ୍ମୁ-କଶ୍ମୀର ରାଜ୍ୟ ଭାରତ ସହିତ ସମ୍ପୂର୍ଣ୍ଣ ଭାବରେ ସମନ୍ୱିତ ହୋଇନାହିଁ। ତେଣୁ ଏହି ପ୍ରସଙ୍ଗରେ ବିପନ୍ନ ଭାରତଠାରୁ ବିଭିନ୍ନ ରିହାତି ନେବା ପାଇଁ ବନ୍ଧୁ ଏବଂ ଶତ୍ରୁମାନଙ୍କ ପାଇଁ ଏକ କୂଟନୈତିକ କ୍ଷେତ୍ର ପାଲଟିଥିଲା। ୧୯୪୭-୪୮ରେ କଶ୍ମୀର ଉପରେ ପାକିସ୍ତାନର ଆକ୍ରମଣର ମୁକାବିଲା ପାଇଁ ଜାତିସଂଘର ସହାୟତା ଲୋଡ଼ିବାକୁ ଭାରତର ଇଚ୍ଛା ଆରମ୍ଭ ହୋଇଥିଲା, ତାହା ଖୁବ୍ ଶୀଘ୍ର ଏକ ପୂର୍ଣ୍ଣାଙ୍ଗ ଭାରତ-ପାକିସ୍ତାନ ସଂଘର୍ଷରେ ପରିଣତ ହୋଇଥିଲା, ଯାହାକୁ ପାକିସ୍ତାନ ଏବଂ ତା’ର ତତ୍କାଳୀନ ସହଯୋଗୀମାନେ ବିଶ୍ୱସ୍ତରରେ ଭାରତକୁ ପରାସ୍ତ କରିବା ପାଇଁ ଉପଯୋଗ କରିଥିଲେ। ଜଣେ ପୂର୍ବତନ ବୈଦେଶିକ ସଚିବ କହିଛନ୍ତି, ଏହା ଏକ ଚୋରି ଘରମାଲିକ-ଚୋର ବିବାଦରେ ପରିଣତ ହେବା ଭଳି ଥିଲା।

୧୯୯୦ ମସିହାରୁ ଜମ୍ମୁ-କଶ୍ମୀରରେ ଧାର୍ମିକ ଉଗ୍ରବାଦ ଏବଂ ସ୍ୱାଧୀନତା ସଂଗ୍ରାମ ନାମରେ ଇସ୍‍ଲାମିକ ଜିହାଦ, ଯାହା ପାକିସ୍ତାନ ରାଷ୍ଟ୍ରଦ୍ୱାରା ପରିଚାଳିତ ହୋଇଥିଲା, ଏସବୁ ଅନେକ ଉପାୟରେ ଏହି ବିବାଦୀୟ ଲେଖାର ଉତ୍ପାଦ ଥିଲା। ଉପତ୍ୟକାରେ ସକ୍ରିୟ ଥିବା ଆଫଗାନିସ୍ତାନ ଯୁଦ୍ଧର ପୂର୍ବତନ ସୈନିକମାନଙ୍କ ବିଷୟରେ ଗଣମାଧ୍ୟମରେ ପ୍ରକାଶିତ ଖବର କେବଳ ଜନସାଧାରଣଙ୍କ ମଧ୍ୟରେ ନୁହେଁ ବରଂ ସୁରକ୍ଷା ବାହିନୀ ମଧ୍ୟରେ ମଧ୍ୟ ଭୟ ସୃଷ୍ଟି କରିଥିଲା।

୨୦୧୯ ପୂର୍ବରୁ ପାକିସ୍ତାନ ବାମପନ୍ଥୀ-ଉଦାରବାଦୀ ଗଣମାଧ୍ୟମ ସହାୟତାରେ ଏହି ଲେଖାଟିକୁ ବ୍ୟବହାର କରି ବିଶ୍ୱଦର୍ଶକଙ୍କୁ ବିଶ୍ୱାସ କରାଇଥିଲା ଯେ ଜମ୍ମୁ-କଶ୍ମୀର ହେଉଛି ଦୁଇ ରାଷ୍ଟ୍ର ସିଦ୍ଧାନ୍ତର ଅଧୁରା ଅଂଶ ଯାହା ଧାର୍ମିକ ସମ୍ପ୍ରଦାୟ ସହିତ ଭାରତ ଏବଂ ପାକିସ୍ତାନ ସୃଷ୍ଟି କରିଥିଲା। କାଶ୍ମୀର ସମସ୍ୟାର ସମାଧାନ ପାଇଁ ପାଶ୍ଚାତ୍ୟ ଥିଙ୍କ୍ ଟ୍ୟାଙ୍କ୍‍ମାନେ ‘ଝେଲମ୍’ ଫର୍ମୁଲାର ‘ଚେନାବ’ ଭଳି ବିଭିନ୍ନ ସମାଧାନ ବିଷୟରେ ଆଲୋଚନା କରିଥିଲେ। ଏହାକୁ ଭିତ୍ତିକରି ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଭାରତ ୨୦୦୧ ଜୁଲାଇରେ ଆଗ୍ରା ଗସ୍ତ ସମୟରେ ଉପତ୍ୟକାରେ ମୁକାବିଲା କରିବ ବୋଲି ପାକିସ୍ତାନର ଏକଛତ୍ରବାଦୀ ଜେନେରାଲ ପରଭେଜ୍ ମୁସାରଫ୍ ନିଶ୍ଚିତ ହୋଇଥିଲେ। ସଶସ୍ତ୍ର ଇସ୍‍ଲାମିକ ଜିହାଦୀଙ୍କ ସହାୟତାରେ କାଶ୍ମୀରକୁ ଅଲଗା କରିବାକୁ ଭାରତକୁ ବାଧ୍ୟ କରିବା ପାଇଁ ମୁସାରଫ ମଧ୍ୟ କାଶ୍ମୀରକୁ ପାକିସ୍ତାନର ମୁଣ୍ଡ ବୋଲି କହିଥିଲେ। ଇସ୍‍ଲାମାବାଦର ଇଚ୍ଛାକୁ ତତ୍କାଳୀନ ଆମେରିକୀୟ ନେତାମାନେ ପ୍ରୋତ୍ସାହିତ କରିଥିଲେ, ଯେଉଁମାନେ କଶ୍ମୀରରେ ପାକିସ୍ତାନକୁ ସାମିଲ କରିବାର ଆବଶ୍ୟକତା ଥିଲା, ଯାହାଦ୍ୱାରା ସେମାନଙ୍କର ଆଫଗାନିସ୍ତାନ ଗଣନାରେ କୌଣସି ତ୍ରୁଟି ନ ହୁଏ। ଏହା ସେହି ସମୟ ଥିଲା ଯେତେବେଳେ କନିଷ୍ଠ ଆମେରିକୀୟ କୂଟନୀତିଜ୍ଞମାନେ କାଶ୍ମୀର ଏବଂ ମାନବାଧିକାର ଉପରେ ଭାରତକୁ ପ୍ରଚାର କରୁଥିଲେ ଏବଂ ଭାରତୀୟ ଏବଂ ବିଶ୍ୱ ଗଣମାଧ୍ୟମର ଏକ ଅଂଶ ମଧ୍ୟ ସେମାନଙ୍କୁ ସମର୍ଥନ କରୁଥିଲେ।

ତେବେ ୨୦୦୧ ଡିସେମ୍ବର ୧୩ରେ ଭାରତୀୟ ସଂସଦରେ ଜୈଶ-ଏ-ମହମ୍ମଦ ଆକ୍ରମଣ ପରେ ୯/୧୧ ଆତଙ୍କବାଦୀ ଆକ୍ରମଣ ହେବା ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ପାକିସ୍ତାନ ଦ୍ୱାରା ପ୍ରଚଳିତ ସୀମାପାର ଆତଙ୍କବାଦ ଉପରେ ପାଶ୍ଚାତ୍ୟ ଦେଶ, ବିଶେଷକରି ଆମେରିକା, ବ୍ରିଟେନ ଏବଂ ଜର୍ମାନୀ ଚୁପ୍ ରହିଥିଲେ। କିନ୍ତୁ ୨୦୦୨ ମେ’ ମାସରେ କାଲୁଚକରେ ସେନା ଶିବିର ଉପରେ ପାକିସ୍ତାନର ଲସ୍କର-ଇ-ତୋଏବା ଆକ୍ରମଣ ପରେ ଭାରତ ପାକିସ୍ତାନକୁ ସାମରିକ ଶିକ୍ଷା ଦେବା ପାଇଁ ସୀମା ପାର ହେବାକୁ ଯାଉଥିବାବେଳେ ଖେଳ ବଦଳି ଯାଇଥିଲା।

ଧାରା-୩୭୦ ଓ ଧାରା-୩୫-ଏ ଉଚ୍ଛେଦ କରି ଉଭୟ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖର କାର୍ଟୋଗ୍ରାଫିକ୍ ସୀମା ନିର୍ଦ୍ଧାରଣ କରି ନୂଆ ମାନଚିତ୍ର ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ କଶ୍ମୀର ପ୍ରସଙ୍ଗ ଅଧ୍ୟାୟକୁ ସ୍ଥାୟୀଭାବେ ବନ୍ଦ କରିଦେଇଛନ୍ତି। ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ନୂଆ ମାନଚିତ୍ରରେ ପାକିସ୍ତାନ ଅଧିକୃତ କଶ୍ମୀର, ଉତ୍ତରାଞ୍ଚଳ, ୧୯୬୩ମସିହାରେ ପାକିସ୍ତାନ ବେଆଇନଭାବେ ଚୀନକୁ ହସ୍ତାନ୍ତର କରିଥିବା ଶାକ୍ସଗାମ ଉପତ୍ୟକା ଏବଂ ୧୯୫୦ ଦଶକରୁ ଚୀନ୍ ଦଖଲ କରିଥିବା ଅକ୍ସାଇ ଚୀନ୍‍କୁ ଅନ୍ତର୍ଭୁକ୍ତ କରାଯାଇଛି।

ଆଜି ଯେତେବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ବିଦେଶ ଗସ୍ତରେ ଯାଉଛନ୍ତି, ସେତେବେଳେ ଆଇନଗତ କାଗଜପତ୍ରରେ ମଧ୍ୟ କେନ୍ଦ୍ରଶାସିତ ଅଞ୍ଚଳ ସ୍ଥାୟୀଭାବେ ଭାରତରେ ମିଶିଯାଇଥିବାରୁ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ କେହି ଉଠାଇ ନାହାନ୍ତି। ଯଦିଓ ଜମ୍ମୁ-କଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣ ହେଉଛି, ତଥାପି ଇସ୍‍ଲାମାବାଦର ରାଜନେତା ଏବଂ ରାୱଲପିଣ୍ଡିର ଜେନେରାଲମାନେ ମୋଦୀଙ୍କ ଭାରତର ପ୍ରତିଶୋଧ ଭୟରେ ଜୀବନ ବିତାଉଥିବାରୁ ଏହି ସଂଖ୍ୟା ହ୍ରାସ ପାଇଛି। ଏପରିକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦ୍ୱାରା ଆଗତ ସଦ୍ୟତମ ଶାନ୍ତି ପ୍ରସ୍ତାବରେ ‘କାଶ୍ମୀର’ ଶବ୍ଦର ଉଲ୍ଲେଖ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଜଷ୍ଟିସ ଉଦୟ ଉମେଶ ଲଳିତ ଭାରତର ୪୯ତମ ପ୍ରଧାନ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ଧାରା ୧୨୪ ଉପଧାରା (୨) ଅଧିନରେ କ୍ଷମତାପ୍ରାପ୍ତ ରାଷ୍ଟ୍ରପତି ସୁପ୍ରିମକୋର୍ଟ ବିଚାରପତି ଉଦୟ ଉମେଶ ଲଳିତଙ୍କୁ ଭାରତର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ଦେଇଛନ୍ତି। ଜଷ୍ଟିସ ଉଦୟ ଉମେଶ ଲଳିତ ଅଗଷ୍ଟ ୨୭, ୨ଠ୨୨ ଦିନ ଭାରତର ୪୯ତମ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ।

ଜଷ୍ଟିସ ଉଦୟ ଉମେଶ ଲଳିତ ଅଗଷ୍ଟ ୨ଠ୧୪ରେ ବାରରୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏପରି ସିଧାସଳଖ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିବାରେ ଜଷ୍ଟିସ ଏସ୍ ଏମ୍ ସିକ୍ରୀଙ୍କ ପରେ ସେ ହେବେ ଦ୍ୱିତୀୟ ପ୍ରଧାନ ବିଚାରପତି। ଜଷ୍ଟିସ ଏସ୍ ଏମ୍ ସିକ୍ରୀ ୧୯୭୧ ମସିହାରେ ଦେଶର ୧୩ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ। ଲଳିତ ଦୁଇଥର ସୁପ୍ରିମକୋର୍ଟ ଆଇନ ସେବା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି।

ଜଷ୍ଟିସ ୟୁ ୟୁ ଲଳିତ ଅନେକ ଉଲ୍ଲେଖନୀୟ ରାୟ ଶୁଣାଇଛନ୍ତି। ନଭେମ୍ବର ୯, ୧୯୫୭ରେ ମହାରାଷ୍ଟ୍ରର ସୋଲାପୁରରେ ଜନ୍ମିତ ଜଷ୍ଟିସ ଲଳିତ ଜୁନ ୧୯୮୩ ମସିହାରେ ମହାରାଷ୍ଟ୍ର ଓ ଗୋଆର ବାର କାଉନସିଲରେ ଆଡଭୋକେଟ ଭାବେ ପଞ୍ଜୀକୃତ ହୋଇଥିଲେ। ୧୯୮୫ ମସିହା ଡିସେମ୍ବର ପର୍ଯ୍ୟନ୍ତ ବମ୍ବେ ଉଚ୍ଚ ନ୍ୟାୟାଳୟରେ ଓକିଲାତି କରିବା ପରେ ଜାନୁଆରୀ ୧୯୮୬ରେ ସେ ତାଙ୍କ ଆଇନ ପେଶା ଦିଲ୍ଲୀ ସ୍ଥାନାନ୍ତରିତ କରିଥିଲେ।

ସେ ଅକ୍ଟୋବର ୧୯୮୬ରୁ ୧୯୯୨ ପର୍ଯ୍ୟନ୍ତ ଶ୍ରୀ ସୋଲିଜେ ସୋରାବଜୀଙ୍କ ଚାମ୍ବରରେ କାର୍ଯ୍ୟ କରିଥିଲେ। ସୋରାବଜୀ ଦେଶର ମହା ଅଧିବକ୍ତା ଥିବା ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଆଇନଜୀବୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୨ରୁ ୨ଠଠ୨ ମସିହା ପର୍ଯ୍ୟନ୍ତ ସେ ବିଧିବଦ୍ଧ ଭାବେ ଆଇନ ବ୍ୟବସାୟ କରିବା ସହ ୨ଠଠ୪ ମସିହା ଏପ୍ରିଲ ମାସରେ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ମାନ୍ୟତା ହାସଲ କରିଥିଲେ। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ଯେପରିକି ଜଙ୍ଗଲ ବିଷୟ, ଯାନବାହନ ପ୍ରଦୂଷଣ, ଯମୁନା ନଦୀ ପ୍ରଦୂଷଣ ଇତ୍ୟାଦି ବିଷୟରେ କୋର୍ଟ ମିତ୍ର ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ। ସମସ୍ତ ୨-ଜି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ସିବିଆଇର ସ୍ୱତନ୍ତ୍ର ପବ୍ଲିକ ପ୍ରସିକିଉଟର ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ।

Categories
ବିଶେଷ ଖବର

ଗଣତନ୍ତ୍ର ଆଜି ବନ୍ଦୀ: ଭାରତୀୟ ସମ୍ବିଧାନର ମୌଳିକ ଭିତ୍ତିଭୂମି ଉପରେ ଯୋଜନାବଦ୍ଧ ଆକ୍ରମଣ

ପ୍ରଦୀପ ସେନାପତି

ଭୁବନେଶ୍ବର: ମୁକ୍ତ ଓ ସ୍ୱଚ୍ଛ ନିର୍ବାଚନ, ମୌଳିକ ଅଧିକାର ଓ ସ୍ୱାଧୀନ ନ୍ୟାୟ ବ୍ୟବସ୍ଥା, ଗଣମାଧ୍ୟମ ଆଜି ଭଳି ଭାରତୀୟ ସମ୍ବିଧାନର ମୌଳିକ ଭିତ୍ତିଭୂମି ଉପରେ ବର୍ତ୍ତମାନ ଅତର୍କିତ ଓ ଯୋଜନାବଦ୍ଧ ଆକ୍ରମଣ ଯୋଗୁ ଦେଶର ଗଣତନ୍ତ୍ର ଆଜି ବନ୍ଦୀ ସଦୃଶ ପ୍ରତୀୟମାନ ହେଉଛି।

କୋଭିଡ଼ ଭଳି ବିଶ୍ୱ ମହାମାରୀ ସମୟରେ ସାହାଯ୍ୟ ଭିକ୍ଷା କରୁଥିବା ଲୋକଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହେଉଛି। ମହାମାରୀକୁ ପ୍ରତିହତ କରିବାରେ ସରକାର ବ୍ୟବସ୍ଥା ଓ କର୍ତ୍ତୃପକ୍ଷଙ୍କ ଅସଫଳତା ଆଦିକୁ ପ୍ରଚାର ପ୍ରସାର କରୁଥିବା ଖବରକାଗଜ ଓ ସାମାଜିକ ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଉଛି। ଫଳରେ ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ବ୍ୟବସ୍ଥାକୁ ଆହୁରି ଦୁର୍ବଳ କରୁଛି। ସାରା ବିଶ୍ୱ ଦରବାରରେ ଭାରତ ଧୀରେ ଧୀରେ ଦୃଷ୍ଟି ଆଢୁଆଳକୁ ଚାଲିଯାଉଛି। ଯାହାକି ଅତ୍ୟନ୍ତ ଚିନ୍ତାଜନକ। ୨୦୨୦ ମସିହା ବିଶ୍ୱ ଶାସନ ବ୍ୟବସ୍ଥା ମାନଙ୍କରେ ୧୨୮ରୁ ଭାରତ ୨୯ତମ ସ୍ଥାନରେ ରହିଛି। ସେହିଭଳି ଭି. ତେଲ ଇନ୍‌ଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଗଣତାନ୍ତ୍ରିକ ଉଦାରତା ସିଦ୍ଧାନ୍ତ ମାନଙ୍କରେ ଭାରତ ୨୦୨୦ ମସିହାରେ ୦.୫୭ ପଏଣଣ୍ଟରୁ ଖସି ୦.୩୪ ପଏଣ୍ଟରେ ପହଞ୍ଚିଛି ଯାହାକି ଏହି ମାନଙ୍କରେ ସର୍ବାଧିକ ହ୍ରାସ। ‘ଦ୍ରି ଫ୍ରିଡ଼ମ ଅଫ ହାଉସ ରିପୋର୍ଟ-୨୦୨୧’ରେ ଏହିସବୁ କାରଣ ଯୋଗୁଁ ଭାରତ ଆଂଶିକ ଭାବେ ସ୍ୱାଧୀନ ବୋଲି ଦର୍ଶାଯାଇଛି। ୨୦୨୦ ମସିହା ଦି ହ୍ୟୁମାନ ଫ୍ରିଡ଼ମ ଇଣ୍ଡେକ୍ଟରେ ଭାରତ ୧୬୨ରୁ ୧୧୧ତମ ସ୍ଥାନରେ ରହିଛି। ସେହିଭଳି ୱାଲର୍ଡ଼ ପ୍ରେସ୍ ଫ୍ରିଡମ ୨୦୨୧ରେ ଭାରତକୁ ୧୮୦ରୁ ୧୪୨ତମ ସ୍ଥାନରେ ରହିଛି।

ମହାମାରୀ ସମୟରେ ଜଣେ ଲୋକ ନିଜ ଜେଜେବାପାଙ୍କ ପାଇଁ ଅମ୍ଲଜାନ ଆବଶ୍ୟକ ଥିବା ଟୁଇଟ କରିବା ଯୋଗୁଁ ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହେବା କେତେଦୂର ସମିଚୀନ? ହାଥରସ୍‌ରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପ୍ରତିବାଦ କରି ଅନ୍ଦୋଳନ କରିଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ ୨୨ଜଣଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି। କାଶ୍ମୀରରେ ୨୧୩ଦିନ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରଖିବା ଏବଂ ସରକାରୀ ବିଧି ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରି ବିଭିନ୍ନ ଗଣମାଧ୍ୟମରେ କରାଯାଇଥିବା ପୋଷ୍ଟଗୁଡ଼ିକ ପାଇଁ ୫୨ଟି ନୋଟିସ୍ ଜାରି କରାଯାଇଛି, ଯାହାକି ଆଦୌ ଠିକ୍ ନୁହେଁ। ଏହି ସମସ୍ତ ପ୍ରୟାସ କେବଳ ବାକ୍ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ଛଡ଼ା ଆଉ କିଛି ନୁହେଁ ବୋଲି ମୋର ମତ।
ସେହିପରି ଗଣତାନ୍ତ୍ରିକ ବ୍ୟବସ୍ଥାରେ ନ୍ୟାୟ ବ୍ୟବସ୍ଥାକୁ ପ୍ରଥମେ ସଜାଡ଼ିବାକୁ ପଡ଼ିବ। କେତେକ କ୍ଷେତ୍ରରେ ବିଚାରପତି ମାନଙ୍କ ନିଯୁକ୍ତି ମାସ ମାସ ଏବଂ ବର୍ଷ ବର୍ଷ ଧରି ପଡ଼ିରହିଛି। ଏହା ହେଉଛି ସ୍ୱଚ୍ଛ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଓ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ? ଅଧିକନ୍ତୁ, ନ୍ୟାୟ ବ୍ୟବସ୍ଥାର ସ୍ୱତନ୍ତ୍ରତାକୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି। ବାସ୍ତବରେ ଆମେ ସମସ୍ତେ ଚିନ୍ତା କରିବା ଦରକାର, ଆମେ କ’ଣ ସତରେ ଠିକ୍ କାମ କରୁଛୁ? ଆମେ କ’ଣ ସତରେ ନ୍ୟାୟ ବ୍ୟବସ୍ଥାକୁ ଉଦ୍ଧାର କରିପାରିବା? ସତରେ କ’ଣ ଗଣମାଧ୍ୟମ ଆଜି ସ୍ୱାଧୀନ ନା ବିପନ୍ନ? ଏହି ପ୍ରଶ୍ନର ଉତ୍ତର ମୁଁ ଭାରତୀୟଙ୍କ ଉପରେ ଛାଡୁଛି।

ଆଜି ଏହି ପବିତ୍ର ଦିବସରେ ଆମ ସମ୍ମୁଖରେ ଠିଆ ହୋଇଛି ଏକ ବିରାଟ ଆହ୍ୱାନ। ଏକ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ଭାରତ ସମ୍ମୁଖୀନ ହେବ, ଏହା ମୋର ଭବିଷ୍ୟବାଣୀ ଅଟେ। ତାହା ପୁଣି ଆମର ଭାରତମାତା ପାଇଁ। ଆମର ନିରୀହ, ଶାନ୍ତିପ୍ରିୟ ଜନସାଧାରଣ ପଡ଼ୋଶୀ ଦେଶମାନଙ୍କ ସହିତ ରକ୍ତର ବନ୍ଧୁ ବୋଲି ବିବେଚନା କରୁଥିବା ବେଳେ, ସେମାନେ ଶତୃମୁଖା ହୋଇ ରକ୍ତର ହୋଲି ଖେଳିବାକୁ ଭଲ ପାଆନ୍ତି, ସେଥିପାଇଁ ଆମକୁ ସଦାସର୍ବଦା ସଜାଗ ରହିବା ପାଇଁ। ଅଯଥା ବଜେଟ ଖର୍ଚ୍ଚ କରିବାକୁ ପଡୁଛି ଆମର ପ୍ରତିରକ୍ଷା କ୍ଷେତ୍ରରେ। ତେବେ ଆମର ବାସ୍ତବତାର ସ୍ୱପ୍ନ ନିଶ୍ଚିତ ରୂପେ ସାକାର କରିବାକୁ ପଡ଼ିବ ଯେ, ଅଖଣ୍ଡ ଭାରତବର୍ଷ ଆମର ସ୍ୱପ୍ନ। ପାକିସ୍ତାନ ନୁହେଁ, ଚାଇନା ଆମର ଶତୃ। ସେମାନଙ୍କୁ ଦୃଢ ହସ୍ତରେ ଦମନ କରିବା ପାଇଁ ଆମକୁ ପୃଥିବୀର ସାମରିକ ଇତିହାସରେ ନମ୍ବରୱାନ ହେବାକୁ ପଡ଼ିବ ବୋଲି ଏହା ହିଁ ହେବ ଆଜିର ସଂକଳ୍ପ। ଆମର ମାତୃଭୂମି, ମାଆ, ମାଟିକୁ ଗୋଟେପଟେ ପାକିସ୍ତାନ ଦଖଲ କରି ରଖିଥିବା ବେଳେ ଅନ୍ୟପଟେ ଚାଇନା ମଧ୍ୟ ଦଖଲ କରି ଆହୁରି ଆମକୁ ନାଲିଆଖି ଦେଖାଉଛି। ଆମେ ନିରୀହ ବୋଲି ଏହା ଆମର କଣ ଦୁର୍ବଳତା? ଏହାର ସୁଯୋଗରେ, ସେମାନଙ୍କ ଦଖଲରେ ଥିବା ଆମର ପୂର୍ବପୁରୁଷଙ୍କ ପୈତୃକ ସମ୍ପତ୍ତିକୁ କେତେ ଶୀଘ୍ର ଉଦ୍ଧାର କରିପାରିବା ତାହାହିଁ ହେବ ଆଜିର ଦିବସର ପ୍ରତବଦ୍ଧତା।

ଆଜିର ଗଣତନ୍ତ୍ର ଦିବସରେ ସ୍ମରଣ କରିବା ପାଇଁ ଆଜି ଆମେ ବାଧ୍ୟ ହେଉଛେ ଯେ, ପ୍ରକୃତପକ୍ଷେ, ଗତଙ୍କ ସମସ୍ୟା ଘୁଞ୍ଚିବ କେବେ? ଦେଶ ସ୍ୱାଧୀନ ହୋଇଛି ଏହା ସତ୍ୟ, ହେଲେ ସ୍ୱାଧୀନ ହୋଇନି ଅନେକ ଗାଁ ଯେଉଁଠି ମଣିଷର ମୌଳିକ ଅଧିକାର ପ୍ରାପ୍ତ ହୁଏ ତାହା ହିଁ ସ୍ୱାଧୀନତା। ସ୍ୱାଧୀନତାର ଅର୍ଥ ଏହା ନୁହେଁ ଯେ, ଅଭାବ, ଅନାଟନ, ଦୁର୍ଦ୍ଦିନ ଓ ଜରାଜୀର୍ଣ୍ଣ ଅବସ୍ଥାରେ ଗଣଙ୍କ ଜୀବନ ବିତାଇବା, ମୁଣ୍ଡ ଗୁଞ୍ଜିବାକୁ ଆବାସଟିଏ ନଥିବା, ପିନ୍ଧିବା ପାଇଁ ବସ୍ତ୍ରର ଅଭାବ ଦେଖାଦେବା, ଉତ୍ତମ ପାନୀୟ ଜଳରୁ ବଞ୍ଚିତ ହେବା, ଯାତାୟତ ପାଇଁ ଭଲ ରାସ୍ତାଟିଏ ନଥିବା ତଥା ଶିକ୍ଷାରୁ ବଞ୍ôଚତ ହେବା, ଚାଷୀ ଆତ୍ମନିର୍ଭରଶୀଳ ନହେବା, ବେରୋଜଗାରୀଙ୍କୁ କର୍ମନିଯୁକ୍ତି ନ ମିଳିବା ଇତ୍ୟାଦି ଅନେକ ସମସ୍ୟା ଭିତରେ ରହି ଅବହେଳିତ ହୋଇଛି ଅନେକ ଅଞ୍ଚଳ।

ସରକାରଙ୍କ ଅନେକ ଯୋଜନା ଅଛି, କିନ୍ତୁ ଲୋକଙ୍କ ପାଖରେ ସେ ଯୋଜାନଗୁଡ଼ିକ ପହଞ୍ଚାଇପାରୁ ନାହିଁ। ଯଦି କାର୍ଯ୍ୟକାରୀ ହେଉଛି ତାହା କାଗଜ କଲମରେ କେବଳ ମାତ୍ର। ପ୍ରତ୍ୟକ୍ଷ ଭାବରେ ନୁହେଁ, ନିର୍ବାଚନ ପାଖେଇ ଆସିଲେ ଧୋବ ଫରଫର ବାବୁମାନଙ୍କ ମାଦ ଅପହଞ୍ଚ ଗାଁଆ ଗୁଡ଼ିକରେ ପହଞ୍ଚିଯାଆନ୍ତି। ପ୍ରତିଶ୍ରୁତି ଆଉ ପ୍ରତିଶ୍ରୁତିର ବର୍ଷା। ଅମୁକ କରିଦେବୁ, ସମୁକ କରିଦେବୁ, ନମସ୍କାର ବୁଢୀ ମାଉସୀ, ଭତ୍ତା ମିଳୁଛି କି ନାହିଁ? ମଉସା ତୁମର ଆବାସିକ ଘର ହେଲା କି ନାହିଁ? ଏମିତି ଅନେକ ପ୍ରଶ୍ନରେ ନିରୀହ ମଣିଷକୁ କାବୁ କରିଦିଅନ୍ତି। କଳେବଳେ କୌଶଳେ ଭୋଟକୁ ହାତେଇ ଦିଅନ୍ତି। ନିରୀହ ମଣିଷ ଭୋଟ ଦେଇ ତାଙ୍କୁ ନିର୍ବାଚନରେ ଜିତାଇ ଦିଅନ୍ତି। କିନ୍ତୁ ଭୋଟ ପୂର୍ବରୁ କହିଥିବା ପ୍ରତିଶ୍ରୁତିକୁ ଟିକିଏ ମଧ୍ୟ ମନେ ପକାନ୍ତି ନାହିଁ।

ଭୋଟ ପୂର୍ବରୁ ହିଁ ବାବୁଙ୍କ ଦର୍ଶନ ମିଳେ। ମନୁଷଁ କେତେ ଯେ ମୌଳିକ ଅସୁବିଧାରୁ ସମ୍ମୁଖୀନ ହେଉଛି ସରକାର ମଧ୍ୟ ଜାଣିପାରେନାହିଁ ଏବଂ ଯଦି ଜଣେ ନ ଜାଣିଲା ଭଳି ଆଖି ବୁଜିଦିଏ। ଏବେ ବି ଶବଧରି ଅନେକ ଦୂର ଲୋକେ ଚାଲନ୍ତି। କାରଣ ଶବବାହ ଗାଡ଼ି ସେ ଗାଁକୁ ପହଞ୍ôଚ ପାରେନା, ଏବେ ବି ରୋଗ ହେଲେ ଔଷଧ ଟିକକ ଓ ଚିକିତ୍ସା ପାଇଁ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟରେ ଦୋଳି କରି ବୁହାଯାଇ ଡ଼ାକ୍ତରଖାନାକୁ ନିଆଯିବାର ସମଗ୍ର ବିଶ୍ୱ ଦେଖୁଛି ଆମର ଏଭଳି ଦୟନୀୟ ଅବସ୍ଥାକୁ। ଡ଼ାକ୍ତରଖାନାକୁ ନେବା ବାଟରେ ରୋଗୀ ମୃତ୍ୟୁ ହୋଇ ଯିବାର ନିଜର ମଧ୍ୟ ରହିଛି। ବେଳେ ବେଳେ ଗର୍ଭବତୀ ମହିଳା ବାଟରେ ସନ୍ତାନ ପ୍ରସବ କରୁଥିବାର ଯଥେଷ୍ଟ ପ୍ରମାଣସ୍ୱରୂପ ଆମ ସାମନାରେ ଅଛି।

କେତେକ ସ୍ଥାନରେ ନଈନାଳ ଦେଖାଯାଏ ସେଠରେ ମଧ୍ୟ ପୋଲ ନଥିବାରୁ ଲୋକେ କାଠପୋଲ ତିଆରି କରି ଯାତାୟତ କରନ୍ତି। ତାହା ଯଦି ମଜଭୁତ ନଥାଏ କିମ୍ବା ପୁରୁଣା ହୋଇଥାଏ, ତେବେ ଭାଙ୍ଗିଯିବାର ସମ୍ଭାବନା ଯଥେଷ୍ଟ। ଏଇଥିପାଇଁ ତ ଅକାଳରେ ନିରୀହ ଜୀବନ ଚାଲିଯାଏ। ପୋଲ ନଥିବା ଯୋଗୁଁ ବେଳେବେଳେ ଛାତ୍ରଛାତ୍ରୀ ନଈପାରି ହୋଇ ଅନେକ ଦୂର ଚାଲି ଚାଲି ବିଦ୍ୟାଳୟକୁ ମଧ୍ୟ ଯାଆନ୍ତି। ଏହା ତାଙ୍କ ଜୀବନପ୍ରତି ବିପଦାପନ୍ନ ଅଟେ। ଏହିପରି କ୍ଷେତ୍ରରେ ପ୍ରକୃତ ହିତାଧିକାରୀ ଏହିଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏବେ ବି ଗ୍ରାମାଞ୍ଚଳର ହଜାର ହଜାର ଶିଶୁ ବିଦ୍ୟାଳୟ ଦୁଆର ମାଡ଼ିପାରି ନାହାଁନ୍ତି। ଏଭଳି ଛୁଆଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ମଧ୍ୟ କେତେକ କ୍ଷେତ୍ରରେ ବିଫଳ ମଧ୍ୟ ହେବାକୁ ବସିଛି। ଚାଷୀ ଚାଷଜମିରେ ଉତ୍ତମ ଫସଲ ଉତ୍ପାଦନ କରିବାରେ ବିଫଳ ହେଉଛି। କାରଣ ଚାଷୀ କେବଳ ବର୍ଷାଜଳ ଉପରେ ହିଁ ଚାଷ ପାଇଁ ନିର୍ଭର କରିଥାଏ।

ଉପଯୁକ୍ତ ସମୟରେ ନହେଲେ ଫସଲର କ୍ଷତି ଘଟେ। ଜଳସେଚନ ବ୍ୟବସ୍ଥାରେ ଏପର୍ଯ୍ୟନ୍ତ ଆଖିଦୃଶିଆ ଉନ୍ନତି ହୋଇନାହିଁ। ଚାଷୀଙ୍କୁ ଉତ୍ସାହିତ କରିବା ବଦଳରେ ଚାଷୀ ଆଜି ଚାଷ ବହୁଳ ଦେଶରେ ଆତ୍ମହତ୍ୟା କରୁଛନ୍ତି। ଋଣକରି ଚାଷ କରିଥିବା ଚାଷୀ ଶେଷରେ ମାନସିକ ଅଶାନ୍ତିରେ ଗତି କରେ। ଅନେକ ଚାଷଜମି ଆଜି ପଡ଼ିଆ ପଡ଼ିବା କାରଣରୁ ଉତ୍ପାଦନ ଠପ ହୋଇ ଦରମାଦମ ବୃଦ୍ଧି ଅହେତକୁ ସୀମା ଟପିଲାଣି। ତେଣୁ ସରକାର ଗଣଙ୍କ ସମସ୍ୟା ଗୁଡ଼ିକୁ ଆନ୍ତରିକତାର ସହିତ ଅନୁଧ୍ୟାନ କରି ଉଚିତ ପଦେକ୍ଷପ ନେଲେ ସମସ୍ୟା ବହୁଳ ଅଞ୍ଚଳ ଗୁଡ଼ିକର ଅଧିବାସୀଙ୍କ ମୁହଁରେ ହସ ଫୁଟାଇ ପାରିଲେ ଗଣତନ୍ତ୍ରର ମାନ ସୁଦୃଢ ହେବ।

( ରାଜ୍ୟ ସଭାପତି-ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ, ଓଡ଼ିଶା, ମୋ : ୯୪୩୮୪୪୬୫୭୫)

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ସମ୍ବିଧାନ ଦିବସ ପାଳନ ସମାରୋହରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନଭେମ୍ବର ୨୬ ତାରିଖରେ ଦେଶ ସମ୍ବିଧାନ ଦିବସ ପାଳନ କରିବ। ୧୯୪୯ ମସିହା ଏହି ତାରିଖରେ ସମ୍ବିଧାନ ସଭା ଭାରତୀୟ ସମ୍ବିଧାନକୁ ଗ୍ରହଣ କରିଥିଲା। ଏହି ଐତିହାସିକ ଦିବସର ସ୍ମୃତିଚାରଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଆଧାରରେ ୨୦୧୫ ଠାରୁ ଦେଶରେ ସମ୍ବିଧାନ ଦିବସ ପାଳନ କରାଯାଉଛି। ଏପରି ପରିକଳ୍ପନା ପଛରେ ଅତୀତର ଆଉ ଏକ କାରଣ ମଧ୍ୟ ରହିଛି। ୨୦୧୦ରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ “ସମ୍ବିଧାନ ଗୌରବ ଯାତ୍ରା” ଆୟୋଜନ କରିଥିଲେ।

ଚଳିତ ବର୍ଷ ସମ୍ବିଧାନ ଦିବସ ପାଳନ କରାଯିବାର ଏକ ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୬, ୨୦୨୧ରେ ସଂସଦ ଭବନ ଏବଂ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ସଂସଦ ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ ଏବଂ ଏହା ସଂସଦର କେନ୍ଦ୍ରୀୟ ସଭାଗୃହରେ ଅନୁଷ୍ଠିତ ହେବ। ମାନନୀୟ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଲୋକସଭା ବାଚସ୍ପତି ଏଥିରେ ଉଦବୋଧନ ଦେବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ, ସାରା ଦେଶ ତାଙ୍କ ସହିତ ସମ୍ବିଧାନର ମୁଖବନ୍ଧ ପାଠ କରିବ। ମାନନୀୟ ରାଷ୍ଟ୍ରପତି ସମ୍ବିଧାନ ସଭା ଅଭିଭାଷଣଗୁଡ଼ିକର ଡିଜିଟାଲ ସଂସ୍କରଣ, ଭାରତୀୟ ସମ୍ବିଧାନର ହସ୍ତଲିଖିତ ଡିଜିଟାଲ ସଂସ୍କରଣ ଏବଂ ବର୍ତ୍ତମାନ ସୁଦ୍ଧା ହୋଇଥିବା ସମସ୍ତ ସଂଶୋଧନ ସହିତ ସମ୍ବିଧାନର ଆଧୁନିକତମ ସଂସ୍କରଣକୁ ଉନ୍ମୋଚନ କରିବେ। ସେ ‘ସାମ୍ବିଧାନିକ ଗଣତନ୍ତ୍ର ଉପରେ ଅନଲାଇନ ପ୍ରଶ୍ନୋତ୍ତର’ ପ୍ରତିଯୋଗିତାର ମଧ୍ୟ ଉଦଘାଟନ କରିବେ।

ନୂଆଦିଲ୍ଲୀର ବିଜ୍ଞାନ ଭବନସ୍ଥିତ ପ୍ଲେନାରୀ ହଲ୍ ଠାରେ ଅପରାହ୍ନ ୫ ଟା ୩୦ ମିନିଟ୍ ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ସମ୍ବିଧାନ ଦିବସ ଆୟୋଜନ କରାଯିବ। ସର୍ବୋଚ୍ଚ ନ୍ୟାୟାଳୟର ସମସ୍ତ ବିଚାରପତି, ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ବିଚାରପତି, ସୋଲିସିଟର ଜେନେରାଲ ଏବଂ ଆଇନ କ୍ଷେତ୍ରର ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କ ସମାରୋହକୁ ମଧ୍ୟ ସମ୍ବୋଧିତ କରିବେ।