Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସରକାରୀ ଡାକ୍ତରଖାନାକୁ ମଶା ମୁକ୍ତ ପାଇଁ ସ୍ବାସ୍ଥ୍ୟ ବିଭାଗ ଜାରୀ କଲା ଗାଇଡ ଲାଇନ

ଭୁବନେଶ୍ବର: ରୋଗୀମାନଙ୍କୁ ସନ୍ତୋଷଜନକ ଜନସ୍ୱାସ୍ଥ୍ୟ ସୁବିଧା ସହିତ ସରକାରୀ ଡାକ୍ତରଖାନା ପରିସରକୁ ମଶାମୁକ୍ତ ଏବଂ ପରିବେଶ ଅନୁକୂଳ କରିବା ପାଇଁ ରାଜ୍ୟ ସରକାର ଧ୍ୟାନ ଦେଇଆସୁଛନ୍ତି।

ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଡାକ୍ତରଖାନା ପରିସରକୁ ମଶାମୁକ୍ତ ହେବାକୁ ସୁନିଶ୍ଚିତ କରିବା ପାଇଁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଏବଂ ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକଙ୍କ ସମେତ ସମସ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ପିଏଚ୍‌ଓ)ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି କାର୍ଯ୍ୟଗୁଡ଼ିକ ଆମ ହସ୍‌ପିଟାଲ୍‌ ଏବଂ କାୟାକଳ୍ପ ଅଭିଯାନର ଏକ ଅଂଶ ଭାବେ ଗ୍ରହଣ କରାଯାଇଛି। ଏହି ସଂପର୍କରେ ଛଅଗୋଟି ବିଷୟକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୧. ଆମ ହସ୍‌ପିଟାଲ୍‌ ପାଣ୍ଠିରୁ ସମସ୍ତ ଆମ ହସ୍‌ପିଟାଲ୍‌ ଝରକାରେ ତାରଜାଲି ଲଗାଯିବ।

୨. ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଚିକିତ୍ସାଳୟ ପାଇଁ ମଶାଧୂଆଁ ମେସିନ୍‌ କ୍ରୟ କରାଯିବ।

୩. ଡେଜଟ୍‌ କୁଲର ଏବଂ ଜଳଭଣ୍ଡାର ନିୟମିତ ସଫା କରାଯିବା ସହ ନିର୍ମଳ ଅଧିନରେ ନିୟୋଜିତ ଆଉଟ୍‌ସୋର୍ସିଂ ସଂସ୍ଥା ଦ୍ୱାରା ମଶାମରା ତେଲ ଛିଞ୍ଚାଯିବ।

୪. ହସ୍‌ପିଟାଲ ପରିସରରେ ଜଳ ନଜମିବା ପାଇଁ ନିର୍ମଳ ଅଧିନରେ ନିୟୋଜିତ ଆଉଟ୍‌ସୋର୍ସିଂ ସଂସ୍ଥା ଦ୍ୱାରା ଅନାବନା ଗଛ କାଟିବା କାର୍ଯ୍ୟ ଏବଂ ପରିସ୍କାରପରିଚ୍ଛନ କାର୍ଯ୍ୟ କରାଯିବ।

୫. ଗ୍ରାମୀଣ ଏବଂ ସହରୀ ସଂସ୍ଥାଗୁଡ଼ିକର ସମନ୍ୱୟରେ ସ୍ୱାସ୍ଥ୍ୟସେବା ସୁବିଧା କେନ୍ଦ୍ର ଚାରିପାଖରେ ସମୂହ ସଫେଇ କାର୍ଯ୍ୟ ବାରମ୍ବାର କରାଯିବ।

୬. ଆମ ହସ୍‌ପିଟାଲ୍‌ ପାଣ୍ଠିରୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରେ ଫ୍ଲାଏ କ୍ୟାଚର ଏବଂ ଅଲ୍‌ଟ୍ରାସୋନିକ୍‌ ମଶା ପ୍ରତିରୋଧି ସ୍ଥାପନ କରାଯିବ।