Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନା ସମୟରେ ଶିକ୍ଷକଙ୍କ ସର୍ବୋଚ୍ଚ ବଳିଦାନ ପାଇଁ କ୍ଷତିପୂରଣ ରାଶି ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲା ମଧ୍ୟରୁ ଗଂଜାମ ଜିଲ୍ଲାରେ ବହୁ ସଂଖ୍ୟକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ସରକାର ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ଆସୁଥିବା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଥିଲେ। ସେଠାରେ ସେମାନଙ୍କ ରହିବା, ଖାଇବା ଏବଂ ଚିକିତ୍ସା ପାଇଁ ସରକାର ବହୁ କୋଭିଡ଼୍ ଯୋଦ୍ଧାଙ୍କୁ ନିୟୋଜିତ କରିଥିଲେ।

ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲାର ବହୁ ଶିକ୍ଷକ, ପ୍ରବାସୀ ଏବଂ ଅନ୍ୟାନ୍ୟ ଲୋକଙ୍କ ରହିବା, ଖାଇବା ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ସ୍କୁଲ, କଲେଜ, ଅନ୍ୟାନ୍ୟ କୋଭିଡ଼୍ କେୟର ସେଣ୍ଟରରେ ନିୟୋଜିତ ହୋଇଥିଲେ। ଏହି ସମୟରେ ସେମାନେ ସଂକ୍ରମିତ ହୋଇ ନିଜ ଜୀବନହାରି ସର୍ବୋଚ୍ଚ ବଳିଦାନ ଦେଇଥିଲେ। ରାଜ୍ୟ ସରକାରଙ୍କ ପୂର୍ବରୁ ଘୋଷିତ କୋଭିଡ଼୍ ଯୋଦ୍ଧାଙ୍କ ପାଇଁ କ୍ଷତିପୂରଣ ରାଶି ପ୍ରଦାନ ପରିପ୍ରେକ୍ଷୀରରେ ଆଜି ଗଂଜାମ ଜିଲ୍ଲାର ତିନିଜଣ ଶିକ୍ଷକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ଆଜି ସେମାନଙ୍କ ପରିବାର ବର୍ଗଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି। କୋଭିଡ଼୍ ଯୋଦ୍ଧା ଶିକ୍ଷକ ସ୍ୱର୍ଗତ ଗୌରହରୀ ବେହେରାଙ୍କ ସ୍ତ୍ରୀ ବାସନ୍ତି ବେହେରାଙ୍କୁ, ଶିକ୍ଷକ ସ୍ୱର୍ଗତ ବଂଶୀଧର ବେହେରାଙ୍କ ସ୍ତ୍ରୀ ସୁଜାତା ବେହେରାଙ୍କୁ ଏବଂ ସ୍ୱର୍ଗତ ଡି. ରମେଶ୍ୱର ଆଚାରୀଙ୍କ ସ୍ତ୍ରୀ ଡ଼ି ସଂଜୁକ୍ତା ବେହେରାଙ୍କୁ ଆଜି ୫୦ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ଶିକ୍ଷାଧିକାରୀ ଶ୍ରୀ ପ୍ରଧାନ ପ୍ରଦାନ କରିଥିଲେ।

ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଶିକ୍ଷକମାନେ କରୋନା ସମୟରେ ଲୋକଙ୍କ ସୁବିଧା ପାଇଁ ଜୀବନକୁ ବାଜି ଲଗାଇ ନିଜର କର୍ତ୍ତବ୍ୟ ସଂପାଦନ କରିଥିଲେ। କରୋନାରେ ସଂକ୍ରମିତ ହୋଇ ସେମାନେ ଜୀବନ ଦେଇଛନ୍ତି। ତେଣୁ ସେମାନେ ସତରେ ଜଣେ ଜଣେ ଯୋଦ୍ଧା। ସୈନିକମାନେ ଯେପରି ଦେଶସେବା ପାଇଁ ନିଜ ଜୀବନ ଉତ୍ସର୍ଗ କରୁଛନ୍ତି ଏମାନେ ମଧ୍ୟ କୌଣସି ଗୁଣରେ କମ୍ ନୁହଁନ୍ତି। ଏଭଳି ଶିକ୍ଷକଙ୍କୁ କୋଟି କୋଟି ପ୍ରଣାମ ବୋଲି ଶ୍ରୀ ପ୍ରଧାନ କହିଥିଲେ।