Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ପୁଣି ବନ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ଏତଲା

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ ବଢ଼ିଚାଲିଛି କାଠ ମାଫିଆଙ୍କ ପ୍ରାଦୁର୍ଭାବ। ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ କାଠ ମାଫିଆମାନେ ପଛାଉନାହାନ୍ତି। ପୁଣି ଥରେ ଜଣେ ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସଲପଡିହ ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ ଗତକାଲି ରାତିରେ ଟାଙ୍ଗୀ ବନାଞ୍ଚଳ ଅଧିନସ୍ଥ ନାଚୁଣୀ ସେକ୍ସନ ସଲପଡିହ ଶୂଳିଆ ସରଂକ୍ଷିତ ଜଙ୍ଗଲରୁ ଦୁର୍ବୁତ୍ତ ମାନେ କାଠ ଚୋରା ଚାଲାଣ କରୁଥିବାର ଖବର ପାଇଥିଲେ ନାଚୁଣୀ ସେକ୍ସନ ବନରକ୍ଷୀ। ସଙ୍ଗେସଙ୍ଗେ ବନରକ୍ଷୀଜଣଙ୍କ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ଏକ ନମ୍ବର ବିହୀନ ଟ୍ରାକ୍ଟରରେ ବହୁ ସଂଖ୍ୟାରେ କାଠ ଲୋଡ଼ ହୋଇଯାଉଥିବାର ସେ ଦେଖିବାକୁ ପାଇଥିଲେ।

ତେବେ ଉକ୍ତ ଗାଡିର ଅନୁମତି ପତ୍ର ମାଗିବାରୁ ପାଖାପାଖି ୫୦ ରୁ ୧୦୦ ଦୁର୍ବୁତ୍ତ ଏକତ୍ରିତ ହୋଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିବାକୁ ପଛାଇନଥିଲେ। ଖବର ପାଇ ନାଚୁଣୀ ଫାଣ୍ଡି ପୋଲିସ ଘଟଣାସ୍ଥଳକୁ ପହଁଚି ଆହତ ବନରକ୍ଷୀଙ୍କୁ ଦୁର୍ବୁତ୍ତଙ୍କ କବଳରୁ ଉଦ୍ଧାର କରିଥିଲା।

ଆଜି ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ବାଣପୁର ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ଖୋର୍ଦ୍ଧା ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନଙ୍କୁ ପଚାରିବାରୁ ଆକ୍ରମଣ ଘଟଣାଟି ସତ୍ୟ ବୋଲି କହିବା ସହ ଏ ନେଇ ବାଣପୁର ଥାନାରେ ଏଫଆଇଆର ଦିଆଯାଇଛି ବୋଲି କହିଥିଲେ।

ଅନୁରୂପ ଭାବେ ପୋଲିସ ପୁଣି ଉକ୍ତ ସ୍ଥାନକୁ ଯାଇ ତଦନ୍ତ କରିବ ବୋଲି ସେ କହିଛନ୍ତି। ସେସବୁ ଚୋରା କାଠ ନା ତାହାର ଅନୁମତି ପତ୍ର ଅଛି, ପୋଲିସ ତାହାର ତଦନ୍ତ କରିବା ପରେ ବନକର୍ମଚାରୀଙ୍କୁ ଆକ୍ରମଣକାରିଙ୍କ ବିରୋଧରେ ବନବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡ଼ିଏଫଓ କହିଛନ୍ତି।