Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୮ଟି ନୂଆ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେବ: ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର: ଓଡ଼ିଶାରେ ଦୃତ ଶିଳ୍ପାୟନ ଓ ବ୍ୟବସାୟିକ ପ୍ରଗତି ସହ ସହରାଞ୍ଚଳର ପରିସର ବଢୁଛି ଏବଂ ଏଥିରେ ଲୋକ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧିପାଉଛି। ଏହି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ସ୍ୱାସ୍ଥ୍ୟସେବା ଆବଶ୍ୟକତା କଥା ବିଚାର କରି ରାଜ୍ୟ ସରକାର ୮ ଟି ପ୍ରମୁଖ ସହରରେ ୮ ଟି ନୂଆ ସହାରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ଏଥିପାଇଁ ବିଭାଗ ତରଫରୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍ କାର୍ଯ୍ୟକ୍ରମ ଅନୁସାରେ ବିଧିବଦ୍ଧ କାର୍ଯ୍ୟାଳୟ ଆଦେଶ ବିଜ୍ଞାପିତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର, ମୟୁରଭଞ ଜିଲ୍ଲାର ରାଇରଙ୍ଗପୁର, ମାଲକାନଗିରି ଜିଲ୍ଲାର ମାଲକାନଗିରି, ବାଲେଶ୍ୱରର ସୋର, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ଅନୁଗୁଳର ତାଳଚେର ଏବଂ କଟକର ଟୋଲାସାହିଠାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ଖୋଲାଯିବ। ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା କାର୍ଯ୍ୟ ସମୟାନୁବନ୍ଧିତ ଭାବେ ପୂର୍ଣ୍ଣାଙ୍ଗ କରିବାପାଇଁ ବିଭାଗର ସମସ୍ତ ନିର୍ଦେଶକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶକ, ଓଡ଼ିଶା ମେଡ଼ିକାଲ କର୍ପୋରେସନ ପରିଚାଳନା ନିର୍ଦେଶକଙ୍କ ସମେତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ୍ ଆବଶ୍ୟକୀୟ ନିର୍ଦ୍ଦେଶନାମା ଦେଇଛନ୍ତି।