Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କଲେ ଟିକା ଭଣ୍ଡାର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଭୁବନେଶ୍ୱରର ନୀଳାଦ୍ରି ବିହାରଠାରେ ରାଜ୍ୟ ଟିକା ଭଣ୍ଡାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ (ଏନ୍‌ଏଚ୍‌ଏମ୍‌) ଡକଫର ବୃନ୍ଦା ଡି., ଓଏସ୍‌ଏମ୍‌ସିଏଲ୍‌ର ପରିଚାଳନା ନିର୍ଦ୍ଦେଶିକା ଡକଫର ପୋମା ଟୁଡ଼ୁ, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକଫର ବିଜୟ କୁମାର ପାଣିଗ୍ରାହୀ ଓ ୟୁନିସେଫ୍‌ ଓଡ଼ିଶାର ଫିଲ୍ଡ ଅଫିସ ମୁଖ୍ୟ ୱିଲିୟମ୍‌ ହାନ୍‌ଲୋନ୍‌, ସ୍ୱାସ୍ଥ୍ୟ ବିଭାଗର ସମସ୍ତ ନିର୍ଦ୍ଦେଶକ, ରାଜ୍ୟ ପ୍ରତିନିଧି (ୟୁନିସେଫ୍‌, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁଏନ୍‌ଡିପି ଏବଂ ଜେଏସ୍‌ଆଇ) ଯୋଗଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜ୍ୟ ସରକାର ଆମ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ର ଲକ୍ଷ୍ୟ ହାସଲ କରିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ-୫ ଅନୁଯାୟୀ ଓଡ଼ିଶାର ସମ୍ପୂର୍ଣ୍ଣ ଟିକାକରଣ ହାର ୯୦.୫% ଅଟେ, ଯାହା ଦେଶର ସମସ୍ତ ରାଜ୍ୟ ମଧ୍ୟରେ ସର୍ବାଧିକ।

ଏହି ଅବସରରେ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧିନରେ ଗୁଣାତ୍ମକ ଟିକା ଯୋଗାଣ ସମ୍ବନ୍ଧୀୟ ପୁସ୍ତିକା ମାନ୍ୟବର ମନ୍ତ୍ରୀ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉନ୍ମୋଚନ କରିଥିଲେ ।

କମିଶନର ତଥା ଶାସନ ସଚିବ ଶ୍ରୀମତୀ ପଣ୍ଡିତ କହିଥିଲେ ଯେ ପାଞ୍ଚବର୍ଷରୁ କମ୍‌ ଶିଶୁଙ୍କ ମଧ୍ୟରେ ମୃତୁ୍ୟହାର ହ୍ରାସ କରିବାରେ ଟିକାକରଣର ଉଲ୍ଲେଖନୀୟ ଅବଦାନ ରହିଛି । ଏସ୍‌ଆର୍‌ଏସ୍‌ ତଥ୍ୟ ଅନୁସାରେ ୫ ବର୍ଷରୁ କମ୍‌ ଶିଶୁ ମୃତୁ୍ୟହାର ୨୦୦୮ରୁ ୨୦୨୦ ମଧ୍ୟରେ ୫୦ ପଏଣ୍ଟ (୮୯ରୁ ୩୯କୁ) ହ୍ରାସ ପାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ଓଡ଼ିଶାର ସ୍ୱାସ୍ଥ୍ୟ ବିଭାଗ ଆମ ରାଜ୍ୟରେ ପ୍ରତ୍ୟେକ ଶିଶୁଙ୍କର ଶତପ୍ରତିଶତ ଟିକାକରଣ ପାଇଁ ପ୍ରତିଶ୍ରୁତିବଦ୍ଧ।

ୟୁନିସେଫ୍‌ ଓଡ଼ିଶାର ୱିଲିୟମ୍‌ ହାନ୍‌ଲୋନ୍‌ ଓଡ଼ିଶାର ସମ୍ପୂର୍ଣ୍ଣ ଟିକାକରଣର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରି ଓଡ଼ିଶାର ସ୍ୱାସ୍ଥ୍ୟସେବା ସୁଦୃଢ଼ୀକରଣ ପାଇଁ ୟୁନିସେଫ୍‌ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।

ଏନ୍‌ଏଚ୍‌ଏମ୍‌ର ନିର୍ଦ୍ଦେଶିକା ଡକଫର ବୃନ୍ଦା ଡି କହିଛନ୍ତି ଯେ ଏହି ଟିକା ଭଣ୍ଡାରରେ ଟିକା ଓ ଲଜିଷ୍ଟିକ୍‌ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ କ୍ଷମତା ଅଛି । ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ରାଜ୍ୟ, ଆଞ୍ଚଳିକ, ଜିଲ୍ଲା ଭ୍ୟାକ୍ସିନ୍‌ ଷ୍ଟୋରଗୁଡ଼ିକର ଉନ୍ନତ ପରିଚାଳନା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ ଅଧୀନରେ ପର୍ଯ୍ୟାପ୍ତ ମାନବସମ୍ବଳ ନିୟୋଜିତ ହୋଇଛନ୍ତି।

ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକଫର ପାଣିଗ୍ରାହୀ କହିଛନ୍ତି ଯେ ପର୍ଯ୍ୟାପ୍ତ ଭିତ୍ତିଭୂମି, ମାନବସମ୍ବଳ ସହିତ ଓଡ଼ିଶାର କୋଲଡ୍‌ ଚେନ୍‌ ଓ ଭ୍ୟାକ୍ସିନ୍‌ ମ୍ୟାନେଜ୍‌ମେଣ୍ଟ ବ୍ୟବସ୍ଥା ବହୁତ ସୁଦୃଢ଼ ଅଟେ। ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଭ୍ୟାକ୍ସିନ୍‌ ଏବଂ ଲଜିଷ୍ଟିକ୍‌ ଉପଲବ୍ଧ ହେବା ସ୍ଥିତି ତଥା କୋଲଡ୍‌ ଚେନ୍‌ ଉପକରଣର ତାପମାତ୍ରା ଇମିନ୍‌ ମାଧ୍ୟମରେ ନିରୀକ୍ଷଣ କରାଯାଉଛି।

ଡିଜିଟାଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ରାଜ୍ୟ ତଥା ଜିଲ୍ଲା କର୍ତ୍ତୃପକ୍ଷଙ୍କ ତତ୍ତ୍ୱାବଧାନରେ ନିରବଚ୍ଛିନ୍ନ ଭାବେ ଉପଯୁକ୍ତ ତାପମାତ୍ରାରେ ଯୋଗାଣ ନିଶ୍ଚିତ କରାଯାଉଅଛି। ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ପାଇଁ ୟୁନିସେଫ୍‌, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁଏନ୍‌ଡିପି, ଆଇଏସ୍‌ଆଇର ସମର୍ଥନକୁ ଡକଫର ପାଣିଗ୍ରାହୀ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଡାକ୍ତରୀ ପାଠ୍ୟକ୍ରମରେ ଅଂଗଦାନ ଓ ବ୍ରେନ୍ ଡେଥ୍ ବିଷୟକୁ ଅନ୍ତର୍ଭୁକ୍ତ କରାଯିବା ନେଇ ଗୁରୁତ୍ୱାରୋପ

ଭୁବନେଶ୍ୱର: ଅଙ୍ଗଦାନ ଆମ ଦେଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଂଗଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସମ୍ ଅଲ୍ଟିମେଟ ମେଡିକେୟାର ସମାଜକୁ ସେବା ଯୋଗାଇବା ସହ ଏକ ବିଶାଳ ଜନ ସଚେତନତା ସୃଷ୍ଟି କରପାରିଛି ବୋଲି କହିଛନ୍ତି ଓଡିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ୧୩ ତମ ଭାରତୀୟ ଅଂଗଦାନ ଦିବସ ପାଳନ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଅଂଗଦାନ ମହୋତ୍ସବରେ ଯୋଗ ଦେଇ ଶ୍ରୀ ପୂଜାରୀ ଏହା କହିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ୟୁରୋଲୋଜିଷ୍ଟ ତଥା ଟ୍ରାନସ୍‌ପ୍ଲାଂଟ ସର୍ଜନ ଓ ନ୍ୟାସନାଲ ଡିସିଜଡ୍ ଡୋନର ଟ୍ରାନ୍ସପ୍ଲାଂଟ ନେଟୱାକ୍ ଅଧ୍ୟକ୍ଷା ଡାକ୍ତର ବାତ୍ସଲା ତ୍ରିବେଦୀ କହିଥିଲେ ଯେ ଲୋକମାନେ ବ୍ରେନ୍ ଡେଥ୍ କିମ୍ବା ଅଂଗଦାନ ପ୍ରକ୍ରିୟା ନେଇ ସଚେତନ ହୋଇ ନାହାନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜନସାଧାରଣଙ୍କ ଅପେକ୍ଷା ଡାକ୍ତରମାନଙ୍କୁ ଏ କ୍ଷେତ୍ରରେ ଅଧିକ ଅବଗତ ହେବା ଜରୁରୀ ହୋଇପଡିଛି।

ତେଣୁ ମଣିଷର ବ୍ରେନ୍‌ଡେଥ୍ ଓ ଅଙ୍ଗଦାନ ସଂପର୍କିତ ବିଷୟ ଡାକ୍ତରୀ ପାଠ୍ୟକ୍ରମରେ ସାମିଲ କରାଯିବାର ଆବଶ୍ୟକତା ରହିଛି ବୋଲି ଡାକ୍ତର ବାତ୍ସଲା କହିଥିଲେ।
କିଡ୍‌ନୀ କିମ୍ବା ଲିଭର ସମସ୍ୟା ଥିବା ବ୍ୟକ୍ତି ପ୍ରତ୍ୟେକ ଦିନ ମୃତ୍ୟୁକୁ ଅତି ନିକଟରୁ ଦେଖିଥାଏ। ତେଣୁ ଅଂଗଦାନ କରି ଏଭଳି ବ୍ୟକ୍ତିମାନଙ୍କୁ ମୃତ୍ୟୁ ମୁଖରୁ ବଂଚାଇବା ସମସ୍ତଙ୍କର କର୍ତବ୍ୟ ବୋଲି ଡାକ୍ତର ତ୍ରିବେଦୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଙ୍ଗ୍‌ର ଯୁଗ୍ମ ନିର୍ଦ୍ଦେଶକ ତଥା ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)ର ନୋଡାଲ୍ ଅଫିସର ପ୍ରଫେସର (ଡାକ୍ତର) ଉମାକାନ୍ତ ଶତପଥୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଅଗଂଦାନ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଆବଶ୍ୟକ ବୋଲି କହିଥିଲେ । ଅଂଗ ପ୍ରତ୍ୟାରୋପଣ ସହ ଅଂଗଦାନ ମଧ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ସେ କହିଥିଲେ।

ଏହି ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାରର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ମାତ୍ର ୩ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ହସ୍ପିଟାଲ୍ ନିକଟରେ କିଭଳି ଜଣେ ବ୍ରେନ୍ ଡେଡ ବ୍ୟକ୍ତିଙ୍କ ଶରୀରର ବିଭିନ୍ନ ଅଂଗ ଅନ୍ୟ ୪ଜଣ ବ୍ୟକ୍ତିଙ୍କର ଜୀବନ ବଂଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି ସେ ବିଷୟରେ ଅବଗତ କରାଇଥିଲେ।

ସମ୍ମମ୍ ଅଂଗଦାନର ଗୁରୁତ୍ୱ ସହିତ ଜୀବନ ରକ୍ଷାର ମହତ୍ୱ ଉପରେ ବିଶ୍ୱାସ କରେ ବୋଲି ଡକ୍ଟର ଦାଶ କହିଥିଲେ।

ଏହି ମହୋତ୍ସବରେ ଗତ ଜୁନ୍ ୨୪ ତାରିଖରେ ମୃତ୍ୟୁ ବରଣ କରିଥିବା ପ୍ରସନ୍‌ଜୀତ ମହାନ୍ତିଙ୍କର ଶରୀରରୁ ବିଭିନ୍ନ ଅଂଗ ଗୁଡିକୁ କଢାଯାଇ ଅନ୍ୟ ୪ଜଣଙ୍କ ଶରୀରରେ ପ୍ରତ୍ୟାରୋପଣ କରିବାର ଦୃଢ଼ ନିଷ୍ପତି ନେଇଥିବା ତାଙ୍କ ପତ୍ନୀ ଶ୍ରୀମତି ମୃଦୁମଞ୍ଜରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଗତ ଶନିବାର ସମ୍ମମ୍ ପକ୍ଷରୁ ଆୟୋଜିତ ଅଂଗଦାନ ସଚେତନତା ସମ୍ପର୍କିତ ପଥପ୍ରାନ୍ତ ନାଟକରେ ଅଭିନୟ କରିଥିବା ନେଇ ସମ୍ମମ୍‌ର ଡାକ୍ତର, ନର୍ସ, ଓ ପାରାମେଡିକାଲ୍ କର୍ମଚାରୀମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବିଗ୍ରେଡିୟର୍ (ଡାକ୍ତର) ବିରାଜ ମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ମୁଖ୍ୟ, ସିନିୟର କନ୍‌ସଲଟାଂଟ ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୮ଟି ନୂଆ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେବ: ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର: ଓଡ଼ିଶାରେ ଦୃତ ଶିଳ୍ପାୟନ ଓ ବ୍ୟବସାୟିକ ପ୍ରଗତି ସହ ସହରାଞ୍ଚଳର ପରିସର ବଢୁଛି ଏବଂ ଏଥିରେ ଲୋକ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧିପାଉଛି। ଏହି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ସ୍ୱାସ୍ଥ୍ୟସେବା ଆବଶ୍ୟକତା କଥା ବିଚାର କରି ରାଜ୍ୟ ସରକାର ୮ ଟି ପ୍ରମୁଖ ସହରରେ ୮ ଟି ନୂଆ ସହାରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ଏଥିପାଇଁ ବିଭାଗ ତରଫରୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍ କାର୍ଯ୍ୟକ୍ରମ ଅନୁସାରେ ବିଧିବଦ୍ଧ କାର୍ଯ୍ୟାଳୟ ଆଦେଶ ବିଜ୍ଞାପିତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର, ମୟୁରଭଞ ଜିଲ୍ଲାର ରାଇରଙ୍ଗପୁର, ମାଲକାନଗିରି ଜିଲ୍ଲାର ମାଲକାନଗିରି, ବାଲେଶ୍ୱରର ସୋର, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ଅନୁଗୁଳର ତାଳଚେର ଏବଂ କଟକର ଟୋଲାସାହିଠାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ଖୋଲାଯିବ। ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା କାର୍ଯ୍ୟ ସମୟାନୁବନ୍ଧିତ ଭାବେ ପୂର୍ଣ୍ଣାଙ୍ଗ କରିବାପାଇଁ ବିଭାଗର ସମସ୍ତ ନିର୍ଦେଶକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶକ, ଓଡ଼ିଶା ମେଡ଼ିକାଲ କର୍ପୋରେସନ ପରିଚାଳନା ନିର୍ଦେଶକଙ୍କ ସମେତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ୍ ଆବଶ୍ୟକୀୟ ନିର୍ଦ୍ଦେଶନାମା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଫେବୃଆରୀ ୨୧ ରୁ ଆରମ୍ଭ ହେବ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ

ଭୁବନେଶ୍ୱର: ଓଡିଶା ବିଧାନସଭାର ବଜେଟ ଅଧିବେଶନକୁ ନେଇ ବଡ ଖବର ମିଳିଛି। ଗତକାଲି କେନ୍ଦ୍ର ବଜେଟ ଉପସ୍ଥାପନ ହୋଇଥିବା ବେଳେ ଚଳିତ ମାସ ୨୧ ତାରିଖରୁ ରାଜ୍ୟରେ ବଜେଟ ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡିଛି। ଏହି ଅଧିବଶନ ୨ ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟର ବଜେଟ ଅଧିବେଶନ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୨୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ।

Categories
ବିଶେଷ ଖବର ବ୍ୟବସାୟ

ଆସିଲା ‘ବଜେଟ’ ଚିନ୍ତା, ଅନୁଷ୍ଠିତ ହେଲା ପ୍ରି-ବଜେଟ ପରାମର୍ଶ ବୈଠକ

ଭୁବନେଶ୍ୱର: ଆଜି ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ବିଗତ ବର୍ଷ ପରି ସମାଜର ବିଭିନ୍ନ ବର୍ଗ ଯଥା ବିଶେଷଜ୍ଞ, ବ୍ୟବସାୟୀ ତଥା ଶିଳ୍ପଦ୍ୟୋଗୀଙ୍କ ପ୍ରତିନିଧି ଏବଂ କୃଷକମାନଙ୍କ ସହିତ ପ୍ରାକ୍‌ ବଜେଟ୍‌ ପରାମର୍ଶ କରିଛନ୍ତି। ସକାଳ ୧୧ଟାରୁ ୧ ଘଟିକା ପର୍ଯ୍ୟନ୍ତ ତଥା ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହା ଅନୁଷ୍ଠିତ ହୋଇଥିଲା।

ପ୍ରଥମ ଅଧିବେଶନରେ ପୂର୍ବତନ ଅର୍ଥ ମନ୍ତ୍ରୀଙ୍କ ସମେତ ପୂର୍ବତନ ଅର୍ଥ ସଚିବ ଓ ସଚିବ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନାବାର୍ଡର ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗଦାନ କରି ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ।

ସେହିପରି ଦ୍ୱିତୀୟ ଅଧିବେଶନରେ କ୍ଷେତ୍ର ବିଶେଷଜ୍ଞ, ବ୍ୟବସାୟୀ ତଥା ଶିଳ୍ପଦ୍ୟୋଗୀଙ୍କ ପ୍ରତିନିଧି, କୃଷି ବିଶେଷଜ୍ଞ, ଶ୍ରମ ସଂଘ ପ୍ରତିନିଧି, ପରିବେଶବିତ, ହସ୍ତ ଓ ବୟନ ଶିଳ୍ପୀ, ସ୍ତମ୍ଭକାର ତଥା ସେ୍ୱଚ୍ଛାସେବା ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦାନ କରି ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ।

ଏହି ପ୍ରାକ୍‌-ବଜେଟ ଆଲୋଚନାରେ ଉପସ୍ଥିତ ବିଭାଗୀୟ ଅଧିକାରୀମାନେ Centre of
Excellence in Fiscal Policy and Taxation ବିଶେଷଜ୍ଞମାନେ ସମସ୍ତ ଉପସ୍ଥିତ ଅତିଥିଙ୍କ ମତାମତକୁ ଗୁରୁତର ସହ ଗ୍ରହଣ କରାଯାଇଥିଲା।

ଏହି ସମସ୍ତ ମତାମତକୁ ଅନୁଧ୍ୟାନ କରି ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନିମନ୍ତେ ଶୀଘ୍ର ହସ୍ତାନ୍ତର କରିଦିଆଯିବ। ଆଗାମୀ ବର୍ଷ ୨୦୨୩-୨୪ ବଜେଟ୍‌ ପ୍ରସ୍ତୁତିରେ ଏହି ପରାମର୍ଶଗୁଡିକୁ ନିଶ୍ଚୟ ବିଚାର କରାଯିବ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ: ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ଲକ୍ଷ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ଏହି ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମିଳିଥିବା ତଥ୍ୟ ଅନୁସାରେ ୨୦୨୨ ଆଇଟି ପଲିସିକୁ କ୍ୟାବିନେଟର ମୋହର ଲାଗିଛି। ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ଓ ପୁଞ୍ଜିନିବେଶର ଲକ୍ଷ୍ୟ ରଖାଯାଇଛି। ଏହାସହିତ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଖୋର୍ଦ୍ଧା ବରୁଣେଇ ଠାରେ ରାଜ୍ୟ ସରକାର ୯.୬୮ ଏକର ଜମି ଯୋଗାଇ ଦିଆଯାଇଛି।

କୋରାପୁଟ, ରାୟଗଡ଼ା, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଜଳ ଜୀବନ ମିଶନରେ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା କୋରାପୁଟ ଜିଲ୍ଲାର ୨ଗୋଟି ବ୍ଲକର ୩୧ଟି ପଞ୍ଚାୟତର ୧ ଲକ୍ଷ ୬୧ ହଜାର ୯୦୨ ଜଣ ଲୋକଙ୍କୁ ପାନୀୟ ଜଳ ମିଳିବ।

ଜୟପୁର ବ୍ଲକର ୧୫ଟି ପଞ୍ଚାୟତ ଓ କୁନ୍ଦ୍ରା ବ୍ଲକର ୧୬ଟି ପଞ୍ଚାୟତର ଲୋକ ଉପକୃତ ହୋଇ ପାରିବେ। ଏହି ପ୍ରକଳ୍ପ ପାଇଁ ୨୬୧ କୋଟି ୯୭ ଲକ୍ଷ ୪୧ ହଜାର ଟଙ୍କା ଅନୁମୋଦନ କରାଯାଇଛି । ୨୪ ମାସ ମଧ୍ୟରେ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିଭଳି ପର୍ଯ୍ୟଟକଙ୍କ ସୁବିଧା ପାଇଁ ପୁରୀରେ ଧର୍ମଶାଳା ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ବାସେଳିସାହି ଧର୍ମଶାଳା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ୧୩୫ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ଧର୍ମଶାଳା ନିର୍ମାଣ ହେବ। ଏନେଇ ବିଧାନସଭାରେ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

୨ ଲକ୍ଷ କୋଟି ଟଙ୍କାର ବଜେଟ, କୃଷି, ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅଗ୍ରାଧିକାର, ଜାଣନ୍ତୁ କେଉଁ ବିଭାଗକୁ କେତେ

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଆଜି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ କରିଛନ୍ତି।  ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ୍ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତେବେ ଏଥର ବଜେଟରେ ସେ କୃଷି ଏବଂ ସ୍ବାସ୍ଥ୍ୟ ପାଇଁ ଅଧିକ ବ୍ୟୟ ବରାଦ କରିଛନ୍ତି।

ଏଥର କୃଷି ପାଇଁ ମୋଟ୍ ୨୧ ହଜାର ୧ ଶହ ୬୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିରେ କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ ୭୪ କୋଟି ଟଙ୍କା, କୃଷି ଶିକ୍ଷା ଓ ଗବେଷଣା ପାଇଁ ୧୬୧ କୋଟି ବ୍ୟୟ ବରାଦ କରାଯାଇଛି। ସେହିପରି ଉଦ୍ୟାନ କୃଷି ପାଇଁ ୩୧୨ କୋଟି ପ୍ରବଧାନ କରାଯାଇଛି। କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି ଏବଂ ଚାଷୀଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ କରାଯାଇଛି ।

ସେହିପରି ଏହି ବଜେଟରେ ସ୍ୱାସ୍ଥ୍ୟ ପାଇଁ ମୋଟ ୧୨ ହଜାର ୬୨୪ କୋଟି ବ୍ୟ ଅଟକଳ ରଖାଯାଇଛି। ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୬୪ କୋଟି ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨ ହଜାର ୩୨୫ କୋଟି ଟଙ୍କା ରଖାଯାଇଛି। ସେହିପରି ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ମୋଟ ୨୭, ୩୨୪ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯାଇଛି। ସେଥିରେ ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି । ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୧୦୦ କୋଟି ବ୍ୟବସ୍ଥା କରାଯାଇଛି । ମୋ କଲେଜ ଅଭିଯାନ ପାଇଁ ୧୧ କୋଟି । ସମଗ୍ର ଶିକ୍ଷା ପାଇଁ ୩୫୮୧ କୋଟି ବ୍ୟୟ ବରାଦ କରାଯାଇଛି । ଏ ନେଇ ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ପୂଜାରୀ ଗୃହକୁ ଅବଗତ କରାଇଛନ୍ତି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଭିନ୍ନ ବିଭାଗକୁ ଯେଉଁ ବ୍ୟୟ ବରାଦ କରିଛନ୍ତି ତାହା ହେଲା

କୃଷି- ୨୧, ୧୬୬ କୋଟି ଟଙ୍କା

ଶିକ୍ଷା ଓ ଦକ୍ଷତା ବିକାଶ- ୨୭, ୩୨୪ କୋଟି ଟଙ୍କା

ସ୍ୱାସ୍ଥ୍ୟ- ୧୨, ୬୨୪ କୋଟି ଟଙ୍କା

ଜଙ୍ଗଲ ଓ ପରିବେଶ- ୨୨୧୭ କୋଟି ଟଙ୍କା

ସଡକ ଓ ଭିତ୍ତିଭୂମି- ୧୪, ୪୫୪ କୋଟି ଟଙ୍କା

ମିଶନ ଶକ୍ତି- ୨୦୦୦ କୋଟି ଟଙ୍କା

ବିପର୍ଯ୍ୟୟ ପରିଚାଳନା- ୩୨୬୨ କୋଟି ଟଙ୍କା

ଶିଳ୍ପ, ଏମଏସଏମଇ, ଉଦ୍ୟୋଗ- ୧୨୬୯ କୋଟି ଟଙ୍କା

ଶକ୍ତି- ୩୪୮୨ କୋଟି ଟଙ୍କା

ପର୍ଯ୍ୟଟନ- ୫୯୦ କୋଟି ଟଙ୍କା

କ୍ରୀଡା ଓ ଯୁବସେବା ବିଭାଗ- ୯୧୧ କୋଟି ଟଙ୍କା

ଇସ୍ପାତ ଓ ଖଣି- ୧୮୩ କୋଟି ଟଙ୍କା

ଆଇଟି ଓ ଇଲେକ୍ଟ୍ରୋନିକ୍- ୩୦୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

Categories
ବିଶେଷ ଖବର

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍: ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ତେବେ ଏହି ବଜେଟ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଚଳିତ ବଜେଟ୍ ଗରିବଙ୍କ ସହାୟତା ଓ ବିକାଶମୁଖୀ। ସ୍ବାସ୍ଥ୍ୟ ସେବାର ଗୁଣାତ୍ମକ ମାନବୃଦ୍ଧି ପାଇଁ ବଜେଟରେ ପ୍ରାଥମିକତା ଦିଆଯାଇଛି।

ଗୁଣାତ୍ମକ ଶିକ୍ଷା ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି ସେ କହିଛନ୍ତି। ୫-ଟି ଓ ମୋ’ ସରକାର କାର୍ଯ୍ୟକ୍ରମକୁ ଆଖିରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି। ରାଜ୍ୟର ସର୍ବଙ୍ଗୀନ ବିକାଶରେ ବଜେଟ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ଚଳିତ ବଜେଟରେ କେଉଁ ବିଭାଗ ପାଇଁ କେତେ ଅଟକଳ କରାଯାଇଛି, ଆସନ୍ତୁ ଜାଣିବା…

କୃଷି- ୨୧, ୧୬୬ କୋଟି: କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ ୭୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି, ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି, କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି,  ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଯୋଜନାରେ ୪୦୦ କୋଟି ଏବଂ ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ କରାଯାଇଛି।

ସ୍ୱାସ୍ଥ୍ୟ- ୧୨, ୬୨୪ କୋଟି: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧୀନରେ ଖର୍ଚ୍ଚ ହେବ ୨ ହଜାର ୩୨୫ କୋଟି, ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆନୁସଙ୍ଗିକ ସେବାର ସୁଦୃଢୀକରଣ ପାଇଁ ୬୫୨ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୨ ହଜାର ୧୫୬ କୋଟି ଓ ‘ସ୍ୱାସ୍ଥ୍ୟ ଓ ଭେଷଜ ଶିକ୍ଷାରେ ମାନବ ସମ୍ବଳ’ ଯୋଜନା ଅଧୀନରେ ୩୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଶିକ୍ଷା ଓ ଦକ୍ଷତା ବିକାଶ- ୨୭, ୩୨୪ କୋଟି: ମୋ ସ୍କୁଲ ଅଭିଯାନ ଅଧିନରେ ୬୪୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୧୦୦ କୋଟି, ମୋ କଲେଜ ଅଭିଯାନ ପାଇଁ ୧୧ କୋଟି ଓ ‘ସମଗ୍ର ଶିକ୍ଷା’ ପାଇଁ ୩୫୮୧ କୋଟି ବ୍ୟୟ ବରାଦ କରାଯାଇଛି।

ସେହିଭଳି ସଡକ ଓ ଭିତ୍ତିଭୂମି ପାଇଁ ୧୪, ୪୫୪ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ଶକ୍ତି ପାଇଁ ୩୪୮୨ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୩୨୬୨ କୋଟି, ଜଙ୍ଗଲ ଓ ପରିବେଶ ପାଇଁ ୨୨୧୭ କୋଟି, ମିଶନ ଶକ୍ତି ପାଇଁ ୨୦୦୦ କୋଟି, ଏମଏସଏମଇ, ଉଦ୍ୟୋଗ ପାଇଁ ୧୨୬୯ କୋଟି, କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୯୧୧ କୋଟି, ପର୍ଯ୍ୟଟନ ପାଇଁ ୫୯୦ କୋଟି, ଆଇଟି ଓ ଇଲେକ୍ଟ୍ରୋନିକ୍ ପାଇଁ ୩୦୨ କୋଟି, ଶିଳ୍ପ, ଇସ୍ପାତ ଓ ଖଣି ପାଇଁ ୧୮୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କ୍ଷତିଗ୍ରସ୍ତ ଚିଟ୍ ଫଣ୍ଡ ଜମାକାରୀଙ୍କ ପାଇଁ ଖୋଲିଲା ଅନଲାଇନ ବ୍ୟବସ୍ଥା, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର, ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନର ଅର୍ଥ ଜମାକରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମା ରାଶିର ପରିମାଣ ନିରୁପରଣ ନିମନ୍ତେ ସଂପୃକ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍‌ରେ ଦାବି ଦରଖାସ୍ତ ଆହ୍ୱାନ ନିମନ୍ତେ ଓଡ଼ିଶା ସରକାରଙ୍କର ଏକ ନୂତନ ୱେବ୍‌ସାଇଟ୍‌ ଆଜି ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଛନ୍ତି ।

କ୍ଷତିଗ୍ରସ୍ତ ଜମାକାରୀମାନେ ଅନ୍‌ଲାଇନ୍‌ରେ ଆବେଦନ ପାଇଁ ଓଡ଼ିଶା ସରକାରଙ୍କର ଏହି ୱେବ୍‌ସାଇଟ୍‌ ହେଉଛି www.opid.odisha.gov.in ।

ପୂର୍ବରୁ ମେସର୍ସ ରୋଜ୍‌ ଭ୍ୟାଲି ଗ୍ରୁପ୍‌ ଅଫ୍‌ କମ୍ପାନୀସମୂହର କ୍ଷତିଗ୍ରସ୍ତ ଜମାକାରୀମାନଙ୍କଠାରୁ ଅଫ୍‌ଲାଇନ୍‌ରେ ଦାବି ଆବେଦନ ଆହ୍ୱାନ କରାଯାଇଥିଲା । ସେହିସବୁ ଦାବି ଆବେଦନ ପତ୍ର ଗ୍ରହଣ, ତାହାର ଡିଜିଟାଇଜେସନ୍‌, ଡିଜିଟାଇଜ ଡାଟା ଅନୁସାରେ କ୍ଷେତ୍ରୀୟ ତଦନ୍ତ ରିପୋର୍ଟର ଡିଜିଟାଇଜେସନ୍‌ ଆଦି କାର୍ଯ୍ୟ ସମୟ ସାପେକ୍ଷ, କଷ୍ଟକର ଓ ବ୍ୟୟବହୁଳ ଥିଲା। ଏହାକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ ଜମାକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ସହଜ ଓ ସରଳ ୱେବ୍‌ସାଇଟ୍‌ ଓଡ଼ିଶା କଂପୁଟର ଆପ୍ଲିକେସନ୍‌ ସେଣ୍ଟର (ଓକାକ୍‌) ଜରିଆରେ ଡିଜାଇନ୍‌ କରିଛନ୍ତି ।

କ୍ଷତିଗ୍ରସ୍ତ ଜମାକାରୀମାନେ କେମିତି କରିବେ ଆବେଦନ

ବର୍ତ୍ତମାନ ଏହି ୱେବ୍‌ସାଇଟ୍‌ ପ୍ରଚଳନ ପରେ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଦରଖାସ୍ତ ଦେବା ପାଇଁ ଆଉ ତହସିଲ ଅଫିସକୁ ଯିବାକୁ ପଡ଼ିବ ନାହିଁ । ଏଣିକି ସେମାନେ ନିଜ ଘରୁ କିମ୍ବା ନିକଟସ୍ଥ ‘ମୋ ସେବା କେନ୍ଦ୍ର’ର ସହାୟତା ନେଇ ଅନ୍‌ଲାଇନ୍‌ରେ ସେମାନଙ୍କ ଦାବି ଦରଖାସ୍ତ ଦାଖଲ କରିପାରିବେ । ନିକଟସ୍ଥ ମୋ ସେବା କେନ୍ଦ୍ରଗୁଡିକର ଠିକଣା ରାଜ୍ୟ ସରକାରଙ୍କ www.odisha.gov.in ସାଇଟ୍‌ରେ ଉପଲବ୍ଧ ଅଛି । ଅନ୍‌ଲାଇନ୍‌ ମାଧ୍ୟମରେ ଦାଖଲ ହୋଇଥିବା ଦାବି ଦରଖାସ୍ତଗୁଡ଼ିକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ପ୍ରକି୍ରୟାକରଣ କରାଯାଇ ପାରିବ ।

ଏତଦ୍‌ବ୍ୟତୀତ କ୍ଷେତ୍ରୀୟ ତଦନ୍ତ ଟିମ୍‌ମାନେ କ୍ଷେତ୍ରୀୟ ସ୍ତରରେ ତଦନ୍ତ କରି ପ୍ରକୃତ ଜମାକାରୀ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶିର ପରିମାଣ ନିରୁପଣ ପାଇଁ ଏହି ୱେବ୍‌ସାଇଟ୍‌ ଅତ୍ୟନ୍ତ ସହାୟକ ହେବ । ଜମାକାରୀମାନେ ଅନ୍‌ଲାଇନ୍‌ ଆବେଦନ କଲାବେଳେ କୌଣସି ବୈଷୟିକ ଅସୁବିଧାର ସମ୍ମୁଖୀନ ହେଲେ ତାହାର ସମାଧାନ ପାଇଁ ଟୋଲ୍‌ ଫି୍ର ନମ୍ବର ମଧ୍ୟ ଜାରି କରାଯାଇଛି ।

ବର୍ତ୍ତମାନ କରୋନା ମହାମାରୀର ପ୍ରକୋପ ଯୋଗୁଁ ରାଜ୍ୟବ୍ୟାପି ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଚାଲୁଥିବାବେଳେ ଏହି ୱେବ୍‌ସାଇଟ୍‌ ପ୍ରଚଳନ ଦ୍ୱାରା ଜମାକାରୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ସେମାନଙ୍‌କର ଦାବି ଆବେଦନ(କ୍ଲେମ୍‌ ଆପ୍ଲିକେସନ୍‌) ଦାଖଲ କରି ବହୁଳ ଭାବେ ଉପକୃତ ହେବେ ବୋଲି ଆଶା ଓ ବିଶ୍ୱାସ।

ରାଜ୍ୟର କ୍ଷତିଗ୍ରସ୍ତ ଜମାକାରୀମାନଙ୍କ ସ୍ୱାର୍ଥସାଧନ କରିବାରେ ଏହି ୱେବ୍‌ସାଇଟ୍‌ ପ୍ରଚଳନ ବାସ୍ତବିକ ରାଜ୍ୟ ସରକାରଙ୍କର ଏକ ବଳିଷ୍ଠ ଓ ଯୁଗାନ୍ତକାରୀ ପଦକ୍ଷେପ। ସରକାରଙ୍କର ୫-ଟି ଏଜେଣ୍ଡାର ଆଭିମୁଖ୍ୟ ଅନୁଯାୟୀ ଏହି ୱେବ୍‌ସାଇଟ୍‌ ପ୍ରଚଳନ ଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶି ନିରୁପଣ ଅତ୍ୟନ୍ତ ସ୍ୱଚ୍ଛତାର ସହିତ ଏକ ନିର୍ଦ୍ଦିଷ୍ଟ ସମୟସୀମାରେ କରାଯାଇପାରିବ।

ବର୍ତ୍ତମାନ କେଉଁ ଜମାକାରୀମାନେ କରିବେ ଆବେଦନ

ପ୍ରାରମ୍ଭିକ ପର୍ଯ୍ୟାୟରେ ହାଇ- ଟେକ୍‌ ଇଷ୍ଟେଟସ୍‌ ଓ ପ୍ରମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ମେସର୍ସ ରାଜଧାନୀ ସିଷ୍ଟମ୍‌ ଓ ଇଷ୍ଟେଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର କଲ୍ୟାଣ ବିହାର, କଲ୍ୟାଣ ବିହାର ଫେଜ- ୨, ଭାଗ୍ୟନଗର, କୁଞ୍ଜବିହାର ଓ ପୁଷ୍ପାଞ୍ଜଳି ଏନ୍‌କ୍ଲେଭ୍‌ ଯୋଜନାରେ ବସୋପଯୋଗୀ ଜମି (ପ୍ଲଟ୍‌) ପାଇଁ ଟଙ୍କା ଜମା ଦେଇ କୌଣସି ଜମି(ପ୍ଲଟ୍‌) ନପାଇ କିମ୍ବା ଜମାରାଶି ଫେରସ୍ତ ନପାଇ କ୍ଷତିଗ୍ରସ୍ତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶିର ପରିମାଣ ନିରୁପଣ ନିମନ୍ତେ ସଂପୃକ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍‌ ମାଧ୍ୟମରେ ଜୁନ ୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଦାବି ଦରଖାସ୍ତ ଆହ୍ୱାନ କରାଯାଉଛି ।

ଏହା ପରେ ଜମାକାରୀମାନଙ୍କ ଅର୍ଥ ଆତ୍ମସାତ୍‌ କରିଥିବା ଯେଉଁସବୁ ପ୍ରତିଷ୍ଠାନର ଜବତ ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତ ନିମିତ୍ତ ସରକାର ଦେଇଥିବା ଅନ୍ତରୀଣ କୋରଖ ଆଦେଶକୁ ମାନ୍ୟବର ପଦନାମିତ ନ୍ୟାୟାଳୟମାନେ ନିରଙ୍କୁଶ କରିଛନ୍ତି । ପର୍ଯ୍ୟାୟ କ୍ରମେ ସେହିସବୁ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍‌ ଦାବି ଦରଖାସ୍ତ ଆହ୍ୱାନ କରାଯିବ ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ମଳାଙ୍କୁ ଚିଠି ଲେଖିଲେ ନିରଞ୍ଜନ ପୂଜାରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ 545 କୋଟି ଟଙ୍କା ଜମା ରହିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ନିରଞ୍ଜନ ଚିଠି ଲେଖିଛନ୍ତି। ଜମା ଟଙ୍କା ଉଠାଣ ପାଇଁ ଆରବିଆଇକୁ ନିର୍ଦ୍ଦେଶ ଦେବାକୁ ନିରଞ୍ଜନ ଏହି ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ୟେସ୍‌ ବ୍ୟାଙ୍କରେ ପୁରୀର ଅର୍ବାନ୍‌ କୋ ଅପରେଟିଭ୍‌ ବ୍ୟାଙ୍କର ଟଙ୍କା ମଧ୍ୟ ରହିଛି। ୟେସ୍‌ ବ୍ୟାଙ୍କର ଜଗନ୍ନାଥଙ୍କ ଟଙ୍କା ଜମା ରଖିବାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ବିଜେଡିକୁ ଟାର୍ଗେଟ୍‌ ମଧ୍ୟ କରିଛନ୍ତି।