Categories
ଅପରାଧ ଆଜିର ଖବର ଜାତୀୟ ଖବର

ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାମାନଙ୍କୁ ‘ନିଲାମ’ ପାଇଁ ଆପ୍ ତିଆରି କରିଥିବା ଅଭିଯୋଗରେ ଯୁବକ ଗିରଫ

ନୂଆଦିଲ୍ଲୀ/ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ମହିଳାଙ୍କ ‘ନିଲାମ’ ପାଇଁ ‘ସୁଲି ଡିଲ୍ସ’ ଆପ୍ ତିଆରି କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସର ସାଇବର କ୍ରାଇମ ୟୁନିଟ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ଇନ୍ଦୋରର ନ୍ୟୁୟର୍କ ସିଟି ଟାଉନସିପ୍ ନିବାସୀ ୨୫ ବର୍ଷିୟ ଓମକାରେଶ୍ୱର ଠାକୁର। ପୋଲିସ ତାଙ୍କୁ ଘରୁ ଗିରଫ କରିଛି। ସେ ଆଇପିଏସ୍ ଏକାଡେମୀ ଇନ୍ଦୋରରୁ ବିସିଏ କରିଛନ୍ତି।

ପୋଲିସର ପ୍ରାରମ୍ଭିକ ପଚରାଉଚରା ବେଳେ ସେ ସ୍ଵୀକାର କରିଛନ୍ତି ଯେ, ସେ ଟ୍ୱିଟରରେ ଏକ ଟ୍ରେଡ ଗ୍ରୁପର ସଦସ୍ୟ ଥିଲେ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ମହିଳାମାନଙ୍କୁ ବଦନାମ ତଥା ଟ୍ରୋଲ କରିବା ପାଇଁ ମତାମତ ସାର୍ବଜନୀନ କରିଥିଲେ। ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ GitHub ରେ କୋଡ୍ ବିକଶିତ କରିଥିଲେ।

ସେ କହିଥିଲେ ଯେ ଗ୍ରୁପର ସମସ୍ତ ସଦସ୍ୟ GitHub ଙ୍କର ଆକ୍ସେସ ଥିଲା। ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଆପ୍ ସେୟାର କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟ ମହିଳାମାନଙ୍କ ଫଟୋ ଗ୍ରୁପ ସଦସ୍ୟଙ୍କ ଦ୍ୱାରା ଅପଲୋଡ୍ ହୋଇଥିଲା।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଜାନୁଆରୀ ୨୦୨୦ ରେ ଓମକାରେଶ୍ୱର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ @gangescion ମାଧ୍ୟମରେ ଟ୍ୱିଟରରେ ଏକ ଗ୍ରୁପରେ ଯୋଗ ଦେଇଥିଲେ। ଏହି ଗ୍ରୁପର ନାମ ଥିଲା ଟ୍ରେଡ ମହାସଭା। ଏହି ଗ୍ରୁପରେ ସଂଖ୍ୟା ଲଘୁ ସମ୍ପ୍ରଦାୟ ମହିଳାମାନଙ୍କୁ ଟ୍ରୋଲ କରିବା ନେଇ ଏକ ବିତର୍କ ହେଉଥିଲା।

ଏହା ପରେ ସେ GitHub ରେ ସୁଲି ଡିଲ୍ସ ଆପ୍ ତିଆରି କରିଥିଲେ, କିନ୍ତୁ ସୁଲି ଡିଲ୍ ମାମଲା ଚର୍ଚ୍ଚାକୁ ଆସିବା ମାତ୍ରେ ସେ ତାଙ୍କର ସମସ୍ତ ସୋସିଆଲ୍ ମିଡିଆର ଫୁଟପ୍ରିଣ୍ଟ ଡିଲିଟ୍ କରିଦେଲେ। ତାଙ୍କଠାରୁ ମିଳିଥିବା ଗ୍ୟାଜେଟଗୁଡ଼ିକୁ ପୋଲିସ ଅନୁସନ୍ଧାନ କରୁଛି।

ଗତ ବର୍ଷ ଲଞ୍ଚ ହୋଇଥିବା ‘ସଲୁ ଡିଲ୍ସ’ ଆପ୍ ସଂଖ୍ୟା ଲଘୁ ସମ୍ପ୍ରଦାୟ ମହିଳାମାନଙ୍କ ଫଟୋ ପୋଷ୍ଟ କରି ‘ନିଲାମ’ ପାଇଁ ତାଲିକାଭୁକ୍ତ କରିଥିଲା। ବିନା ଅନୁମତିରେ ନିଆଯାଇଥିବା ଏହି ଫଟୋଗୁଡ଼ିକୁ ମଧ୍ୟ ଟ୍ୟାମ୍ପରିଂ କରାଯାଇଥିଲା।