Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାକ୍ଷୀଙ୍କୁ ଆକ୍ରମଣ ଅଭିଯୋଗରେ ଜାମିନରେ ଆସିଥିବା ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ହତ୍ୟା ଉଦ୍ୟମ କରି ଜେଲେ ଯାଇଥିବା ଯୁବକ ଜାମିନରେ ଆସିବା ପରେ ସାକ୍ଷୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାହା ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଲପୁର ଗ୍ରାମରେ ଏଭଳି ଏକ ଘଟଣା ଘଟିଛି।

ସୂଚନା ମୁତାବକ ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଲପୁର ଗ୍ରାମର ହେମନ୍ତ କୁମାର ଡାକୁଆ ନାମକ ଜଣେ ଯୁବକ ଗତ ବର୍ଷ ମେ ମାସରେ ଜେଲ ଯାଇଥିଲେ। ଘରର କାନ୍ଥ ନିର୍ମାଣକୁ ନେଇ ଦୁର୍ଯୋଧନ ବିଷୋୟୀ ନାମକ ଜଣେ ଲୋକକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ତାଙ୍କୁ ଜେଲ୍ ହୋଇଥିଲା। ହେଲେ କିଛି ଦିନ ପରେ ସେ ଜାମିନରେ ଆସିଥିଲେ। ଇତ୍ୟବସରରେ ଉକ୍ତ ମକଦ୍ଦମାରେ ନିଳାଚଳ ବେହେରା ନାମକ ଜଣେ ଯୁବକ ସାକ୍ଷୀ ଥିଲେ। କିନ୍ତୁ ଜେଲରୁ ଆସିବା ପରେ ହେମନ୍ତ ନିଳାଚଳକୁ ବିଭିନ୍ନ ଧମକ ଚମକ ଦେଉଥିଲା।

ଏହି ଗତ ବୁଧବାର ଦିନ ନିଳାଚଳ କୌଣସି କାମରେ ବ୍ରହ୍ମପୁର ଆସୁଥିବା ବେଳେ ନିମଖଣ୍ଡି ଫାଣ୍ଡି ନିକଟରେ ହେମନ୍ତ ନିଳାଚଳକୁ ଅଟକାଇ ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ତାକୁ ମାରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ନିଳାଚଳ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ଓ ଘଟଣା ସମ୍ପର୍କରେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏତଲା ଗ୍ରହଣ କରି ତଦନ୍ତ କରିବା ସହ ଅଭିଯୁକ୍ତ ହେମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।