Categories
ଆଜିର ଖବର ରାଜ୍ୟ ଖବର

ଭାଲୁକୁ ଚକ୍‌ମା ଦେଲେ ବୃଦ୍ଧ: ଆକ୍ରମଣରେ ସାମାନ୍ୟ ଆହତ, ଡାକ୍ତରଖାନାରେ ଭର୍ତ୍ତି

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳେ ଚାରମାଳ ଥାନା ବଡମୁଗପାଳ ଗ୍ରାମରେ ଜଣେ ବ୍ୟକ୍ତିକୁ ଭାଲୁ ଆକ୍ରମଣ କରିଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ଆଜି ସକାଳୁ ଚାରମାଳ ଥାନା ବଡମୁଗପାଳ ଗ୍ରାମର ପରମେଶ୍ୱର ପ୍ରଧାନ (୬୫) ନାମକ ଚାଷୀ ନିଜ ଚାଷ ଜମିକୁ ଧାନ ଦେଖି ଯାଇଥିଲେ। ଚାଷ ଜମି ପାଖକୁ ଲାଗି ଜଙ୍ଗଲ ଥିବାରୁ ପରମେଶ୍ୱର କାଠି ଭାଙ୍ଗିବାକୁ ଯାଇଥିଲେ। ଜଙ୍ଗଲରେ ଭାଲୁ ଦୁଇଟିକୁ ଦେଖି ସେ ଶୋଇପଡିଥିଲେ। କାହିଁ କି ନା ମଣିଷ ଶୋଇ ପଡିଲେ କୁଆଡେ ଭାଲୁ ଆକ୍ରମଣ କରିନଥାଏ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି। ସତକୁ ସତ ଭାଲୁଟି ପରମେଶ୍ୱର ପାଖକୁ ଆସି ତାର ମୁଣ୍ଡ ଉପରେ ଗୋଡ ରଖି ତାଙ୍କୁ ଶୁଙ୍ଘାବା ପରେ ପରମେଶ୍ୱରଙ୍କ ହାତକୁ ସାମାନ୍ୟ କାମୁଡିଦେଇ ଥିଲା।

ସେ ଶୋଇ ପଡିବାରୁ ଭାଲୁ ବିଶେଷ କ୍ଷତି କରିପାରି ନ ଥିଲା। ଭାଲୁ ଦୂରକୁ ପଳାଇବାରୁ ସେ ଉଠି ପଡି ଜୀବନ ବିକଳରେ ପଳାଇ ଆସୁଥିବା ବେଳେ ପୁଣି ଭାଲୁ ଦୁଇଟି ଆକ୍ରମଣ ଉଦ୍ୟମ କରିଥିଲେ। ହେଲେ ସେ କୌଶଳ କ୍ରମେ ପଳାଇବାରେ ସକ୍ଷମ ହୋଇଥିବା ବେଳେ ଚାରମାଳ ଡାକ୍ତରଖାନାକୁ ଆସି ଚିକିତ୍ସିତ ହୋଇଥିଲେ।

ଦିନକୁ ଦିନ ରେଢାଖୋଲ ଉପଖଣ୍ଡରେ ହାତୀ ଓ ଭାଲୁ ମାନଙ୍କର ପ୍ରାଦୃର୍ଭାବ ଯୋଗୁଁ ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ବର୍ତ୍ତମାନ ପରମେଶ୍ୱର ସୁସ୍ଥ ଥିବା ଜଣା ପଡିଛି।