Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକ ପରିବାରଙ୍କ ପାଇଁ ଅନୁକମ୍ପା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ମଞ୍ଜୁର କରାଯାଇଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଜୀବି ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର କରିଛି।

ଏହି ୧୭ଜଣିଆ ତାଲିକାରେ ଭୁବନେଶ୍ବରର ୪ଜଣ, ବଲାଙ୍ଗିରର ୩ଜଣ, ଗଞ୍ଜାମ ଜିଲ୍ଲାର ୭ଜଣ, କଳାହାଣ୍ଡି ଜିଲ୍ଲାର ଜଣେ ଓ ଯାଜପୁର ଜିଲ୍ଲାର ୨ଜଣ ସାମ୍ବାଦିକ ଅଛନ୍ତି। ତେବେ କରୋନାରେ ମୃତ୍ୟୁବରଣ କରିଥିବା ଆଉ କିଛି ସାମ୍ବାଦିକଙ୍କ ପ୍ରସ୍ତାବ ମଧ୍ୟ ବିଭାଗର ବିଚାରଧିନ ରହିଛି। ସେ ବାବଦରେ ଜିଲ୍ଲାସ୍ତରରେ ଅନୁସନ୍ଧାନ ଜାରି ରହିଛି। ଖୁବଶୀଘ୍ର ଯୋଗ୍ୟ ବିବେଚିତ ପ୍ରସ୍ତାବଗୁଡିକୁ ମଞ୍ଜୁର କରାଯାଇ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯୋଗ୍ୟ ଯେ, କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ଏହି ୧୭ ଜଣ କର୍ମଜୀବି ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୁଳକ ସହାୟତା ପାଇଁ ମୋଟ ୨ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ।