Categories
ଆଞ୍ଚଳିକ

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦିନିକିଆ ବ୍ରହ୍ମପୁର ଗସ୍ତ: ସିଟିଟିସି ସଂପ୍ରସାରଣ କେନ୍ଦ୍ର ଉଦ୍‌ଘାଟିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ, ମତ୍ସ୍ୟ ଓ ପଶୁସଂପଦ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ସରକାରୀ ଆଇଟିଆଇରେ ଏକ ସିଟିଟିସି ସଂପ୍ରସାରଣ କେନ୍ଦ୍ରକୁ ଉଦ୍‌ଘାଟିତ କରିଥିଲେ। ୨୦ କୋଟି ବ୍ୟୟରେ ନିର୍ମିତ ଏହି ଦକ୍ଷତା ବିକାଶ ସିଟିଟିସି କେନ୍ଦ୍ରଟି ଉଦ୍‌ଘାଟିତ ହେବା ଦ୍ୱାରା ଆଗାମୀ ଦିନରେ ଯୁବ ସମାଜ ଓ ଶିଳ୍ପ କ୍ଷେତ୍ରର ପ୍ରଶିକ୍ଷଣରେ ଏହା ସହାୟ ହୋଇପାରିବ। ଏଠାରେ ଏକମାସଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ବିଦ୍ୟାର୍ଥୀମାନେ ଅଧ୍ୟୟନ କରିପାରିବେ। ଶିଳ୍ପକ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ସହ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିପାରିବେ।

ଏହି ଅବସରରେ ବିଭାଗୀୟ ମୁଖ୍ୟ ଏଲ୍‌. ରାଜଶେଖର, ଏମ୍‌ଏସ୍‌ଏମ୍‌ଇର ମ୍ୟାନେଜର ଡ. ଏସ୍‌କେ କରଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ ବିଜେପିର ବହୁ ନେତା ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିଲେ। ପୂର୍ବରୁ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଆର୍‌. ଉଦୟଗିରିରୁ ଅପରାହ୍ନ ୩ ଘଣ୍ଟା ସମୟରେ ବ୍ରହ୍ମପୁରକୁ ଆସି ସର୍କିଟ ହାଉସ୍‌ରେ ପହଞ୍ଚିଥିଲେ। ଏହି ଅବସରରେ ଗଂଜାମ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବରିଷ୍ଠ ନେତା ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗ୍ୟୁ ବକ୍ସିପାତ୍ର, ଗଂଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶ୍ରୀ ଷଡ଼ଙ୍ଗୀ ଭାରତୀୟ ଜନତା ପାର୍ଟିକୁ ଜିଲ୍ଲାରେ କିଭଳି ମଜଭୁତ କରାଯାଇପାରିବ ସେ ନେଇ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବା ସହ ଗୁରୁମନ୍ତ୍ର ମଧ୍ୟ ପ୍ରଦାନ କରିଥିଲେ।

ସର୍କିଟ ହାଉସ୍‌ରେ ବିଭିନ୍ନ ସମସ୍ୟା ନେଇ ଆସିଥିବା ବ୍ୟକ୍ତିବିଶେଷମାନେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କୁ ସାକ୍ଷାତ କରି ନିଜ ଅଂଚଳର ସମସ୍ୟା ବିଷୟରେ କହିଥିଲେ। ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଶାନ୍ତ ଭାବେ ସମସ୍ତ ସମସ୍ୟା ଶୁଣିବା ପରେ ସେମାନଙ୍କ ଦାବିପତ୍ରଗୁଡ଼ିକୁ ଗ୍ରହଣ ମଧ୍ୟ କରିଥିଲେ।

ପରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ବିଜେପି ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ଗାନ୍ଧିନଗର ସ୍ଥିତ ବାସଭବନକୁ ଆସି ସ୍ୱର୍ଗତ ଶ୍ରୀମତୀ ପତିଙ୍କ ପଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ସମବେଦନା ଜଣାଇଥିଲେ। ଏହିଭଳି ଘଟଣାକୁ ନେଇ ସେ ମର୍ମାହତ, ଦୁଃଖିତ ବୋଲି କହିଥିଲେ। ଏହି ସମୟରେ ଜିଲ୍ଲା ସଭାପତି ଶ୍ରୀ ଜେନା ଏବଂ ବରିଷ୍ଠ ନେତା ଭୃଗୁବକ୍ସିପାତ୍ର ମଧ୍ୟ ଉପସ୍ଥିତ ଥିଲେ।

ଏହାସହ କୋର୍ଟପେଟା ଛକଠାରେ ବିଜେପି ନେତା ରାମକୁମାର ପାତ୍ରଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱାଗତ କରାଯାଇଥିଲା। ଏହାସହ ଜିଲ୍ଲାର ବହୁ ମତ୍ସ୍ୟଜୀବୀ ଏବଂ କିଆଫୁଲ ଚାଷୀ ମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କ ସୁବିଧା ଅସୁବିଧା ଗୁଡ଼ିକ ଜଣାଇଥିଲେ।