Categories
ଆଜିର ଖବର ରାଜ୍ୟ ଖବର

ସୀମା ସୁରକ୍ଷା ବାହିନୀର ନିରାପତା ରକ୍ଷା ଏବଂ ଉନ୍ନୟନମୂଳକ କାର୍ଯ୍ୟ

ଭୁବନେଶ୍ୱର: ଓଡିଶା ଏବଂ ଛତିଶଗଡ ରାଜ୍ୟରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବାହିନୀ ନିରାପତା ରକ୍ଷା ସହିତ ବିଭିନ୍ନ ପ୍ରକାର ସାମାଜିକ ଉନ୍ନୟନ ମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରୁଛି ବୋଲି ବାହିନୀର ସ୍ୱତନ୍ତ୍ର ଅପରେସନ ଦାୟିତ୍ୱରେ ଥିବା ଅତିରିକ୍ତ ମହାନିର୍ଦ୍ଦେଶକ ଆର.ଏସ. ଭଟ୍ଟୀ ପ୍ରକାଶ କରିଛନ୍ତି।

ରାୟପୁର ଠାରେ ଆଜି ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଭଟ୍ଟୀ କହିଛନ୍ତି ଯେ, ଓଡିଶାର ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ଥିବା ୧୫୧ଟି ଗ୍ରାମର ବାସିନ୍ଦାମାନଙ୍କ ପାଇଁ ଆସନ୍ତା ଗଣତନ୍ତ୍ର ଦିବସଠାରୁ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ ହେବ। ଏହା ଫଳରେ ଲୋକମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରିବ। ବିଏସ୍‌ଏଫ ଏବଂ ଅନ୍ୟ ନିରାପତ୍ତା ରକ୍ଷୀ ବାହିନୀର ନକ୍ସଲମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଏବଂ ସାଧାରଣ ଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଯୋଗୁଁ ନକ୍ସଲବାହିନୀରେ ଆଉ ନୂଆ ଯୁବଗୋଷ୍ଠୀ ଯୋଗଦେଉନାହାନ୍ତି।

ଗତ ୧୦ବର୍ଷରୁ ଅଧିକ ସମୟ ମଧ୍ୟରେ ନକ୍ସଲମାନଙ୍କ ସହ ସଂଘର୍ଷରେ ସୀମା ସୁରକ୍ଷା ବାହିନୀ ୩୮ଜଣ ସାହସୀ ବୀର ଯବାନକୁ ହରାଇଛି। ଅନ୍ୟପକ୍ଷରେ ୧୬୫୦ଜଣଙ୍କ ନକ୍ସଲଙ୍କୁ ବନ୍ଦୀ କରାଯାଇଛି। ୮୯୧ଜଣଙ୍କୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରାଯାଇଛି । ସଂଘର୍ଷରେ ୧୭ଜଣଙ୍କୁ ନିପାତ କରାଯାଇଛି ଏବଂ ବିପୁଳ ପରିମାଣର ବିସ୍ଫୋରକ ଅସ୍ତ୍ରଶସ୍ତ୍ର ଆଦି ଜବତ କରାଯାଇଛି। କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ୨୨ଟି ମେଡିକାଲ କ୍ୟାମ୍ପ ଆୟୋଜନ କରାଯାଇ ୪ହଜାର ୩୬୨ଜଣ ରୋଗୀଙ୍କ ଚିକିତ୍ସା କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଲକ୍‌ଡାଉନ ସମୟରେ ବିଏସ୍‌ଏଫ ପକ୍ଷରୁ ଲୋକମାନଙ୍କୁୂ ଖାଦ୍ୟଶସ୍ୟ, କୃଷି ଉପକରଣ, ମଶାରୀ,ବାସନକୁସନ, ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟଉପକରଣ ଆଦି ଯୋଗାଇ ଦିଆଯାଇଛି। ୨୫୦ଜଣ ତଫସିଲଭୁକ୍ତ ଯୁବକଙ୍କୁ ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରାଯାଇ ଦେଶର ସାଂସ୍କୃତିକ ବିଭବ ସହ ପରିଚିତ କରାଯାଇଛି।

ଏପର୍ଯ୍ୟନ୍ତ ଓଡିଶାରେ ବିଭିନ୍ନ ସ୍ଥାନରେ ୧୨୮ଟି ରାସ୍ତା ପ୍ରକଳ୍ପ, ୪୪ଟି ନିର୍ମାଣଧୀନ ପୋଲ ଏବଂ ୧୯୬ଟି ମୋବାଇଲ ଟାୱାରକୁ ସୁରକ୍ଷା ଯୋଗାଇ ଦିଆଯାଇ ସାରିଲାଣି। ପରିବେଶର ସୁରକ୍ଷା ପାଇଁ ଏବଂ ଉତ୍ପାଦକତା ବୃଦ୍ଧି ପାଇଁ ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର ଫଳବୃକ୍ଷ ଚାରା ଏବଂ ଜଙ୍ଗଲୀ ବୃକ୍ଷ ଚାରାରୋପଣ କରାଯାଇଥିବା ଭଟ୍ଟୀ ପ୍ରକାଶ କରିଛନ୍ତି। (ପିଆଇବି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଚେତାବନୀ ସତ୍ତ୍ୱେ ପଞ୍ଜାବ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ: ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ଦୁଇ ପାକିସ୍ତାନ ଆତଙ୍କୀ

ନୂଆଦିଲ୍ଲୀ: ପଞ୍ଜାବରେ ପାକିସ୍ତାନରୁ ଅନ୍ତର୍ଜାତୀୟ ସୀମା ପାର ହେଉଥିବା ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସୀମା ସୁରକ୍ଷା ବାହିନୀ (ବିଏସଏଫ) ର ଯବାନମାନେ ଗୁଳି କରି ହତ୍ୟା କରିଛନ୍ତି। ସୂଚନାନୁସାରେ, ପଞ୍ଜାବର ଫିରୋଜପୁର ଜିଲ୍ଲାର ଠହକେଲନ ବିଓପି ନିକଟରେ ଗତକାଲି ୮.୪୮ ମିନିଟରେ ଦୁଇଜଣ ସନ୍ଦିଗ୍ଧ ଭାରତୀୟ ସୀମା ଆଡକୁ ଆସୁଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ବିଏସଏଫ ଯବାନଙ୍କଠାରୁ ଚେତାବନୀ ଦେବା ସତ୍ତ୍ୱେ ସନ୍ଦିଗ୍ଧ ଆତଙ୍କବାଦୀମାନେ ସୀମା ପାର ହେବାକୁ ଚେଷ୍ଟା କରିଥିଲେ। ତେଣୁ ସୁରକ୍ଷାବାହିନୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯେଉଁଥିରେ ଦୁଇଜଣ ଆତଙ୍କାବାଦୀଙ୍କ ମୃତ୍ୟୁ ହୋଇଛି।

ଅନ୍ତର୍ଜାତୀୟ ସୀମା ଦେଇ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ପାକିସ୍ତାନରୁ ଅନେକ ସମୟରେ ଚେଷ୍ଟା କରାଯାଏ। ଡ୍ରୋନ୍ ଦ୍ୱାରା ଡ୍ରଗ୍ସ କିମ୍ବା ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ପାକିସ୍ତାନ ପକ୍ଷରୁ ଅନେକ ପ୍ରୟାସକୁ ଭାରତୀୟ ଜବାନମାନେ ବିଫଳ କରିଛନ୍ତି। ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ ଉଦ୍ୟମର ବିଫଳତା ପରେ ପାକିସ୍ତାନ ପକ୍ଷରୁ ପଞ୍ଜାବର ଅନ୍ତର୍ଜାତୀୟ ସୀମାରେ ହଲଚଲ ଦେଖିବାକୁ ମିଳୁଛି। ତେବେ ସତର୍କ ସୁରକ୍ଷା ବାହିନୀ ସେମାନଙ୍କ ଷଡଯନ୍ତ୍ରକୁ ସଫଳ ହେବାକୁ ଦେଇନାହାଁନ୍ତି।