Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁଜାତା କାର୍ତ୍ତିକେୟେନଙ୍କ ସତ ଅଡିଓ ନାମରେ ରାଜ୍ୟ ବିଜେପିର ମିଛ ବିବୃତି, ଟାର୍ଗେଟ ଫେଲ୍

ଭୁବନେଶ୍ବର: କିଛିଦିନ ଧରି ରାଜ୍ୟ ବିଜେପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେଥିରେ ସେମାନେ ଫେଲ ମାରିବା ପରେ ଏବେ ତାଙ୍କ ଧର୍ମପତ୍ନୀ ସୁଜାତା ଆର କାର୍ତ୍ତିକେୟନଙ୍କୁ ଟାର୍ଗେଟ ଆରମ୍ଭ କରିଛନ୍ତି। ହେଲେ ହାସ୍ୟସ୍ପଦ କଥା ହେଲା ଯେ ସୁଜାତାଙ୍କୁ ଟାର୍ଗେଟ କରିବା ନାମରେ ମିଛ ପ୍ରମାଣ ଉପସ୍ଥାପିତ କରିଛି ବିଜେପି। ସୁଜାତା କହି ନ ଥିବା କଥାକୁ ଗଣମାଧ୍ୟମରେ କହି ଘଟଣାକୁ ବିଭ୍ରାନ୍ତ କରିଛି ରାଜ୍ୟ ବିଜେପି।

ଗତକାଲି ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ବିଜେପି ନେତା ସତ୍ୟବ୍ରତ ପଣ୍ଡା। ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ସରକାରୀ କାମ ଛାଡି ବିଜେଡି କାମ କରୁଛନ୍ତି। ଏ ନେଇ ତାଙ୍କ ପାଖରେ ଏକ ଅଡିଓ କ୍ଲିପ ଲାଗିଛି ବୋଲି କହିଥିଲେ। ଆଉ ସେ ଅଡିଓ କ୍ଲିପରେ କଣ ରହିଛି ତାହାର ତଥ୍ୟ ପ୍ରଦାନ କରିଥିଲେ।

ସତ୍ୟବ୍ରତ ପଣ୍ଡା କହିଥିଲେ ଯେ, ଏହି ଅଡିଓ କ୍ଲିପରେ ସୁଜାତା ମିଶନ ଶକ୍ତି ଅଧିକାରୀଙ୍କୁ ବିଜେଡି ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଯାହା ଆମ ହାତରେ ଲାଗିଛି। ସଚିବ କହୁଛନ୍ତି ଯେ ନିର୍ବାଚନ ପାଖେଲାଣି କାମ ଶିଘ୍ର କର। ସେହିପରି ମିଶନ ଶକ୍ତି ମା ମାନଙ୍କୁ ଏକ ଚିପ୍ ଲାଗିଥିବା କାର୍ଡ ଦିଆଯିବ ବୋଲି ସେ କହୁଛନ୍ତି। ଏହାଦ୍ବାରା ବିଜେଡି କଳା ଟଙ୍କା ବାଣ୍ଟିବ ବୋଲି ସତ୍ୟ ପଣ୍ଡା ସମ୍ମିଳନୀରେ ଅଭିଯୋଗ କରି ଅଡିଓ ପ୍ଲେ କରିଥିଲେ।

ତେବେ ଆଶ୍ଚର୍ଯ୍ୟର କଥା ସେହି ଅଡିଓ ରେ ସୁଜାତା କାର୍ତ୍ତିକେୟନ ବିଜେଡି ପାଇଁ କାମ କରିବା ସଂପର୍କରେ କିଛି କହିଥିବାର ପ୍ରମାଣ ମିଳିପାରିଲା ନାହିଁ। ଅଡିଓରେ ରହିଛି ଯେ, ସେ ମିଶନ ଶକ୍ତିର ଏକ ସମୀକ୍ଷା ବୈଠକରେ ତାଙ୍କ ଅଧିକାରୀଙ୍କୁ ତାଗିଦ କରୁଛନ୍ତି। ନିର୍ବାଚନ ପାଖେଇ ଆସିଲାଣି, ଶିଘ୍ର କାମ ଶେଷ କର ବୋଲି କହୁଛନ୍ତି।

ସେହିପରି ଏକ ଚିପ୍ ଲଗା କାର୍ଡ ଏସଏଚଜି ମହିଳାମାନଙ୍କୁ ଦିଆଯିବ ସେଥିରେ ସେମାନେ ସବୁ ସୁବିଧା ହାସଲ କରିପାରିବେ। ଏହିପରି କିଛି କଥା ସମୀକ୍ଷା ବୈଠକରେ ସୁଜାତା ଅଧିକାରୀଙ୍କୁ କହୁଛନ୍ତି। ଯାହା ସେ ଜଣେ ବିଭାଗର ମୁଖ୍ୟ ଭାବରେ ତାଙ୍କ ଅଧିକାରୀଙ୍କୁ କହୁଛନ୍ତି। ଏଥିରେ ଭୁଲ କେଉଁଠି ରହିଲା ତାହା କେହି ବୁଝିପାରିଲେ ନାହିଁ।

ନିର୍ବାଚନ ପାଖେଇଲାଣି କାମ ଶିଘ୍ର ଶେଷ କର ବୋଲି କହିବାରେ କେଉଁଠି ଭୁଲ ରହିଲା। କାରଣ ନିର୍ବାଚନ ଆସିଲେ ଆଦର୍ଶ ଆଚରଣବିଧି ଲାଗୁ ହେବ। ସମସ୍ତ ସରକାରୀ କାମ ଅଟକି ଯିବ। ତା ପୂର୍ବରୁ କାମ ଶେଷ କରିବାକୁ କହିବା କଣ ଭୁଲ ରହିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହି ବୈଠକର ସତ କ୍ଲିପକୁ ଆଣି ବିଜେପି ତରଫରୁ ମିଛ କଥା ଯୋଡି ସାମ୍ବାଦିକଙ୍କ ଆଗର ଉପସ୍ଥାପିତ କଲେ ସେମାନେ କେତେ ଲାଭ ପାଇବେ ତାହା ବୁଝି ହେଉ ନାହିଁ। ସୁଜାତାଙ୍କ ଏହି ଅଡିଓ ଶୁଣାଇ ଗଣମାଧ୍ୟମରେ ଜୋରଦାର ପ୍ରସାର କରାଇ ହୁଲୁସ୍ତୁଲ କରିବା ପାଇଁ ବିଜେପି ଯେଉଁ ଚିନ୍ତା କରିଥିଲା ତାହା ହୋଇପାରିଲା ନାହିଁ। ବରଂ ଏହା ଦଳ ପାଇଁ ବୁମେରାଂ ହୋଇପଡିଛି।

ଏହି ଘଟଣାରୁ ସ୍ପଷ୍ଟ ହୋଇଛି ଯେ, ବିଜେପି ବର୍ତ୍ତମାନ ଜର ବିକଳରେ ତାଟିଆ କାମୁଡିବା ଆରମ୍ଭ କରିଦେଇଛି। ଭି କେ ପାଣ୍ଡିଆନଙ୍କ ବିରୋଧରେ ସବୁ ପ୍ରକାରର ବିରୋଧ କରିବା ପରେ ମଧ୍ୟ କେନ୍ଦ୍ର କିଛି କଲା ନାହିଁ। ବିରୋଧୀଙ୍କ ତୀବ୍ର ବିରୋଧ ପରେ ମଧ୍ୟ ପାଣ୍ଡିଆନ ତାଙ୍କ ଗସ୍ତ କାର୍ଯ୍ୟକୁ ଜାରୀ ରଖିଛନ୍ତି। ତାହାକୁ ରୋକିବା ବିଫଳ ହେବା ପରେ ଏବେ ତାଙ୍କ ଧର୍ମପତ୍ନୀଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଯାହା ସାଧାରଣରେ ଫେଲ ମାରିଛି।