Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟ ଢାଞ୍ଚାରେ ସୁଧାର ଆଣିବାକୁ ୨୩ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ କରିବ କେନ୍ଦ୍ର: ଶିଶୁଙ୍କ ଚିକିତ୍ସା ଉପରେ ଦିଆଯିବ ଗୁରୁତ୍ଵ

ନୂଆଦିଲ୍ଲୀ: ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ଆଣିବା ପାଇଁ ୨୩ ହଜାର ୨୨୦ କୋଟି ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏଥିରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ଵ ଦିଆଯିବ। ଏହି ଯୋଜନାରେ ଜିଲ୍ଲା ଏବଂ ଉପଜିଲ୍ଲାଗୁଡିକରେ ଆଇସିୟୁ, ଅକ୍ସିଜେନ ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା କରାଯିବ।

ଆଜି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ କହିଛନ୍ତି ଯେ, ସରକାରୀ ସ୍ୱାସ୍ଥ୍ୟ ସେବାର ଢାଞ୍ଚାରେ ସୁଧାର କରିବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। କରୋନାର ତୃତୀୟ ଲହରୀରେ ଶିଶୁମାନେ ଅଧିକ ସଂକ୍ରମଣ ହେବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

ତେଣୁ ଆବଶ୍ୟକତାକୁ ଦେଖି ଜରୁରୀକାଳିନ ପ୍ରସ୍ତୁତି ଜରିଆରେ ଶିଶୁ ଏବଂ ମହାମାରୀ ସମ୍ପର୍କିତ ସମସ୍ୟା ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି। ଜିଲ୍ଲା ଏବଂ ଉପଜିଲ୍ଲାସ୍ତର ଲାଗି ଆଇସିୟୁ ଶଜ୍ଜ୍ୟା, ଅକ୍ସିଜେନ ଯୋଗାଣ ଉପରେ ସୁନିଶ୍ଚିତ କରାଯିବ। ଏଥିରେ ବହୁ ସଂଖ୍ୟାରେ ମେଡ଼ିକାଲ ଛାତ୍ରଛାତ୍ରୀ, ନର୍ସ, ଆମ୍ବୁଲାନ୍ସ, ମେଡ଼ିକାଲ ଅକ୍ସିଜେନ, ଚିକିତ୍ସା ଉପକରଣର ଉପଲବ୍ଧ କରିବା ଉପରେ ଗୁରୁତ୍ଵ ଦିଆଯିବ। ଏହା ସହ ଟେଲି ଯୋଗାଯୋଗ ଏବଂ ଆମ୍ବୁଲାନ୍ସ ସେବାର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ।

ସେହିଭଳି କରୋନାରେ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡିକ ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ‘ଲୋନ ଗ୍ୟାରେଣ୍ଟି ଯୋଜନା’ ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଯୋଜନାରେ କେବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ୫୦ ହଜାର କୋଟି ଟଙ୍କା ଦିଆଯିବ। ବାକି ୬୦ ହଜାର କୋଟି ଟଙ୍କା ଅନ୍ଯାନ୍ଯ ବ୍ୟବସ୍ଥାରେ ଖର୍ଚ୍ଚ କରାଯିବ। ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ରଖାଯାଇଥିବା ବେଳେ। ଏହାର ସର୍ବାଧିକ ସୁଧ ଦର ୭.୯୫ ପ୍ରତିଶତ ରହିବ ଏବଂ ଅନ୍ୟ କ୍ଷେତ୍ର ପାଇଁ ସୁଧ ଦର ୮.୨୫ ପ୍ରତିଶତ ରହିବ। ପରିସ୍ଥିତିକୁ ଦେଖି ଏହାର ପରିବର୍ତ୍ତନ କରାଯିବ।