Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ୩୧ରେ ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ, ସରକାର ଦେଲେ ଅନୁମତି

ଭୁବନେଶ୍ୱର: ପୁଲିସ ଡିଜି ସୁନୀଲ ବଂଶଲ ଆସନ୍ତା ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ। ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୧ ଡିସେମ୍ବର ୩୧ ରେ ସେ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଆସନ୍ତା ଡିସେମ୍ବର ୩୧ରେ ତାଙ୍କ ଡିଜିପି କାର୍ଯ୍ୟକାଳକୁ ଦୁଇବର୍ଷ ପୂରିବ।କାର୍ଯ୍ୟକାଳ ପୂରିବା ପରେ ସେ ଅବସର ଗ୍ରହଣ କରିବେ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଫଳରେ ନୂଆବର୍ଷରେ ନୂଆ ଡିଜିପି ଦାୟିତ୍ୱ ଗ୍ରହଣ କରିବେ। ୧୯୮୭ ବ୍ୟାଚର ଆଇପିଏସ ଶ୍ରୀ ବଂଶଲ ଜଣେ ଦକ୍ଷ ଅଫିସର ଭାବେ ଜଣାଶୁଣା। ସେ ଦୀର୍ଘ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ। ତାଙ୍କ ପରେ ଓଡିଶା ଡିଜିପି କିଏ ହେବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ବିଜେପି ଭିତରେ ନିତିଦିନ ଚାଲିଛି ଛକାପଞ୍ଚା, ନ ହେଲେ ଏମିତି କେମିତି ହୁଅନ୍ତା ?

ଭୁବନେଶ୍ବର: ଓଡିଶା ବିଜେପି ଭିତରେ କିଛି ଗୋଟେ ଛକାପଞ୍ଚା ଚାଲିଛି। ଯାହା ବାହାରକୁ ସ୍ପଷ୍ଟ ଦେଖାଯାଉଥିଲେ ମଧ୍ୟ ଭିତରେ କେହି ସ୍ବୀକାର କରୁ ନାହାଁନ୍ତି। ହେଲେ ଭିତରେ ଭିତରେ ତାଙ୍କ ମଧ୍ୟରେ ଲଢେଇ ଚାଲିଛି ଯାହା ଜଳଜଳ ହୋଇ ଦେଖାଯାଉଛି। ତାଙ୍କର ଭିତରର ଗୋଟିଏ ଦଳ ପୁରା ବିଜେପିକୁ ନିଜ କବଜାରେ ରଖି ନିୟନ୍ତ୍ରଣ କରିବାକୁ ଚେଷ୍ଠା କରୁଛନ୍ତି। ଫଳରେ ଅନ୍ୟମାନେ ଅବହେଳିତ ହୋଇପ଼ିଛନ୍ତି। ଯାହା ତାଙ୍କ ମିଡିଆ ଗ୍ରୁପରୁ ଜଣାପଡିଛି।

ଗତକାଲି ଓଡିଶାର ବିଜେପି ନେତା ବୈଜୟନ୍ତ ପଣ୍ଡା ପୁଣି ଥରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ। ସେ ଲଗାତର ତିନିଥର ଏହି ପଦବୀରେ ରହିଆସିଲେଣି। ହେଲେ ଆଶ୍ଚର୍ଯ୍ୟର କଥା ସେ ନେଇ କୌଣସି ଖବର ରାଜ୍ୟ ବିଜେପି ତରଫରୁ ପ୍ରଦାନ କରାଗଲା ନାହିଁ। କେବଳ କେନ୍ଦ୍ର ବିଜେପିର ଯେଉଁ ନାମ ତାଲିକା ପ୍ରକାଶ କରାଯାଇଥିଲା ତାହା ପ୍ରଦାନ କରି ଦିଆଗଲା। ସେ ଓଡିଶାରୁ ଏକମାତ୍ର ନେତା ହିସାବରେ ଏହି ଲମ୍ବା ତାଲିକାରେ ଅଛନ୍ତି, ତାହାକୁ ବିଜେପି ମିଡିଆ ଗୁରୁତ୍ବ ଦେଲା ନାହିଁ।

ସେହିପରି ଆଉ ଏକ ଘଟଣା ମଧ୍ୟ ଉଦାହରଣ ଭାବେ ନିଆଯାଇପାରେ। ତାହା ହେଲା ନିକଟରେ ଭୁବନେଶ୍ବର ସାଂସଦ ଅପରାଜିତ ଷଡଙ୍ଗୀ ଟାଙ୍ଗୀରେ ଏକ ଜନସମାବେଶ କରିଥିଲେ। ସେଥିରେ ଦଳୀୟ ସଭାପତି ମନମୋହନ ସାମଲ ଯୋଗ ଦେଇଥିଲେ। ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରାୟ 45 ମିନଟ ଧରି ଭାଷଣ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ମନମୋହନ ମାତ୍ର 15 ମିନିଟରେ ଭାଷଣ ଶେଷ କରିଥିଲେ।

ହେଲେ ବିଜେପି ତରଫରୁ ଯେଉଁ ପ୍ରେସ ରିଲିଜ ଦିଆଗଲା ସେଥିରେ ମନମୋହନ କଣ କହିଲେ ତାହା ବିସ୍ତୁୃତ ଭାବେ ପ୍ରଦାନ କରାଯାଇଥିଲା। କିନ୍ତୁ ଅପରାଜିତା କଣ କହିଲେ ସେ କଥା ଆଦୌ ଗୁରୁତ୍ବ ଦିଆଯାଇ ନ ଥିଲା କି ଉଲ୍ଲେଖ କରାଯାଇ ନ ଥିଲା। ବିଜେପି ଖବରରେ କେବଳ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏହି ସଭାରେ ଯୋଗ ଦେଇଥିଲେ ବୋଲି ଲେଖି ଦୋଷ ତୁଟାଇ ଥିଲେ। ବିଜେପିର ଏପରି ତଥ୍ୟକୁ ନେଇ ବହୁ ଦଳୀୟ ନେତା ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ତେବେ ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ ଘଟଣା ହେଲା ଯେ, ଓଡିଶା ପ୍ରଭାରୀ ସୁନୀଲ ବଂଶଲଙ୍କ ଓଡିଶା ଗସ୍ତ ଏବଂ ତାଙ୍କ ବୈଠକ। ଆଶ୍ଚର୍ଯ୍ୟର କଥା ସୁନୀଲ ବଂଶଲର କୌଣସି ଖବର ଓଡିଶା ବିଜେପି ତରଫରୁ ପ୍ରଦାନ କରାଯାଉ ନାହିଁ। କିଛି ଦିନ ତଳେ ସୁନୀଲ ବଂଶଲ ଓଡିଶା ଆସି ରାଜ୍ୟ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଥିଲେ। ହେଲେ ସେତେବେଳେ ତାଙ୍କର ସମୀକ୍ଷା ବୈଠକ ଖବର ଦଳ ତରଫରୁ ପ୍ରଦାନ କରାଗଲା ନାହିଁ। ଏପରିକି ତାଙ୍କର ଗୋଟିଏ ଫଟୋଟିଏ ମଧ୍ୟ ପ୍ରଦାନ କରାଗଲା ନାହିଁ।

ଏ ସବୁକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହୋଇଛି ଯେ, ରାଜ୍ୟ ବିଜେପି ଭିତରେ ଭିତରେ କିଛି ନା କିଛି ଚକାପଞ୍ଚା ଚାଲିଛି। ତେବେ ଏ ନେଇ ଜଣେ ବରିଷ୍ଠ ବିଜେପି ନେତା ଯାହା କହିଲେ ତାହା ଆହୁରି ଆଶ୍ଚର୍ଯ୍ୟଜନକ। ତାଙ୍କର କହିବା କଥା ଯେ, ରାଜ୍ୟ ବିଜେପି ମିଡିଆ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ପଛରେ ଲାଗିଛି।

କୋଲକାତାରେ ହେଉ କିମ୍ବା ଦିଲ୍ଲୀରେ, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଠାରେ ବୈଠକ କଲେ ତାହାର ବଡ ବଡ ରିପୋର୍ଟ କରି ପଠାଯାଉଛି। ହେଲେ ଅନ୍ୟ ବେଳକୁ ବିଜେପି ମିଡିଆ ଚୁପ ରହୁଛି। ବର୍ତ୍ତମାନ ନିର୍ବାଚନ ପାଖେଇଲାଣି, ଯଦି ଓଡିଶା ବିଜେପି ଭିତରେ ଏପରି ଛକାପଞ୍ଚା ଲାଗି ରହେ ତେବେ ସେମାନେ କିପରି ମୁକାବିଲା କରିବେ ତାହା ସନ୍ଦେହ ସୃଷ୍ଟି କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ଟାର୍ଗେଟ୍‌ରେ ଓଡ଼ିଶାରେ ହାରିଥିବା ୧୩ ଲୋକସଭା ଆସନ

ଭୁବନେଶ୍ୱର: ଲୋକସଭା ନିର୍ବାଚନରେ ଓଡ଼ିଶାରୁ ଅଧିକରୁ ଅଧିକ ଆସନରେ ଜିତିବା ପାଇଁ ବିଜେପି ପକ୍ଷରୁ ରଣନୀତି ଆରମ୍ଭ ହୋଇଯାଇଛି। ଗତ ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ହାରିଥିବା ୧୩ଟି ଆସନରେ କାହିଁକି ହାରିଲା ଓ ଏବେ କ’ଣ ସ୍ଥିତି ଅଛି ସେ ନେଇ ସମୀକ୍ଷା ହୋଇଛି।

ଇତି ମଧ୍ୟରେ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଦଳୀୟ ନେତାଙ୍କୁ ଗତ ନିର୍ବାଚନରେ ହାରିଥିବା ୧୩ଟି ଲୋକସଭା ଆସନ ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏବେ ବିଜେପିର ସାଂସଦ ଥିବା ୮ଟି ଆସନ ସହିତ ଅଧିକରୁ ଅଧିକ ଆସନରେ ଜିତିବା ପାଇଁ ବଂଶଲ ପର୍ଯ୍ୟବେକ୍ଷକ, ପ୍ରଭାରୀ, ସଂଯୋଜକ, ବିସ୍ତାରକମାନଙ୍କୁ ସତର୍କ କରାଇଛନ୍ତି।

କେନ୍ଦ୍ରରେ ମୋଦୀ ସରକାରର ୯ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ ଗଠନ ହୋଇଥିବା କମିଟିର ସଂଯୋଜକ ସାଂସଦ ପ୍ରତାପ ଷଡ଼ଙ୍ଗୀ, ହାରିଥିବା ୧୩ଟି ଲୋକସଭା ଆସନ ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, କନ୍ଧମାଳ, ଆସ୍କା, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର ଲୋକସଭା ଆସନର ପ୍ରଭାରୀ, ସଂଯୋଜକ, ବିସ୍ତାରକମାନଙ୍କୁ ନେଇ ସମୀକ୍ଷା ହୋଇଛି।

ଗତଥର ସାରାଦେଶରେ ମୋଦୀ ହାୱା ଯୋଗୁ ବିଜେପି କ୍ଷମତାକୁ ଆସିଥିଲା। ଓଡ଼ିଶାରେ ଗୋଟିଏରୁ ଉଠି ୮ଟି ଆସନ ଜିତିଥିଲା। ୧୩ଟିରେ ହାରିଥିଲେ ମଧ୍ୟ ଅଧିକାଂଶ କମ୍ ବ୍ୟବଧାନରେ ହାରି ସିଟ୍‌ରେ ଦ୍ୱିତୀୟ ସ୍ଥାନରେ ଥିଲା। କେଉଁ ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ବଦଳିବା ଦରକାର ନା ନାହିଁ, କିଏ ସାଂସଦ ପ୍ରାର୍ଥୀ ହେବା ଦରକାର ସେନେଇ ସଂଗଠକମାନଙ୍କର ମତାମତ ମଧ୍ୟ ଦଳୀୟ ସ୍ତରରେ ସଂଗ୍ରହ ହୋଇସାରିଛି।

ମିଳିଥିବା ସୂଚନା ଅନୁସାରେ ପୂର୍ବ ନିର୍ବାଚନରେ ବିଜୟୀ ହୋଇଥିବା ସମ୍ବଲପୁର, ବାଲେଶ୍ୱର, ମୟୁରଭଞ୍ଜ, କଳାହାଣ୍ଡି ଆସନରେ ବିଜୟୀ ହୋଇଥିବା ସାଂସଦ ଏବେ ଲୋକପ୍ରିୟତା ହରାଇଥିବାରୁ ସେମାନଙ୍କୁ ଆଗାମୀ ନିର୍ବାଚନରେ ଟିକଟ ମିଳିବାର ସମ୍ଭାବନା ନାହିଁ। ଏପରିକି ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, କଟକ, କେନ୍ଦ୍ରାପଡ଼ା, ବ୍ରହ୍ମପୁର ଲୋକସଭା ଆସନରେ ମଧ୍ୟ ନୂଆ ପ୍ରାର୍ଥୀ ଦେବାକୁ ଦଳୀୟ ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଥିବା ଜଣାପଡ଼ିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖପ୍ପା ହେଲେ ବିଜେପି ପ୍ରଭାରୀ ସୁନୀଲ ବଂଶଲ, ପାଲଟା ଆକ୍ରମଣ କଲେ ଓଡିଶା ନେତା

ଭୁବନେଶ୍ବର: ନିର୍ବାଚନ ପାଖେଇଲାଣି, ହେଲେ ଓଡିଶା ବିଜେପି ଏ ପର୍ଯ୍ୟନ୍ତ ତାହାର ମଙ୍ଗ ସଳଖ କରିପାରି ନାହିଁ। ଯାହାକୁ ନେଇ କେବଳ ନେତା କାହିଁକି ତୃଣମୂଳ ସ୍ତରର କର୍ମିମାନେ ମଧ୍ୟ ଚିନ୍ତା ଗ୍ରସ୍ତ ହୋଇ ପଡିଲେଣି। ପାଗ ବାନ୍ଧୁବାନ୍ଧୁ ବେଳ ପଳାଇବା ପରି ପରିସ୍ଥିତି ସୃଷ୍ଟି ହେଲାଣି। ବିଜେଡି ଯେଉଁ ପ୍ରକାରର ପ୍ରଚାର ଆରମ୍ଭ କରିସାରିଲାଣି ସେଥିରେ ବିଜେପି ଯେ ପଛରେ ପଡିଛି ତାହା ନିଃସନ୍ଦେହ। କାରଣ ବିଜେଡିର ରଣନୀତିକୁ ସାମନା କରିପାରୁ ନାହିଁ ବିଜେପି।

ଏପରି ପରିସ୍ଥିତିରେ ନିକଟରେ ବିଜେପି ଓଡିଶା ପ୍ରଭାରୀ ସୁନୀଲ ବଂଶଲ ଭୁବନେଶ୍ବର ଆସି ରାଜ୍ୟ କାର୍ଯ୍ୟାଳୟରେ ଏକ ବୈଠକ କରିଛନ୍ତି। ଏହି ବୈଠକରେ କୁଆଡେ ବଂଶଲ ନେତାମାନଙ୍କ ଉପରେ ଗରଗର ହୋଇଛନ୍ତି। ମୁଖ୍ୟତଃ ମୋଦି ସରକାରଙ୍କ ନଅ ବର୍ଷର ସଫଳତାକୁ ଗାଁ ଗାଁ ପ୍ରଚାର କରିବା ପାଇଁ କୁହାଯାଇଥିଲା। ହେଲେ ତାହା କାହିଁକି ଧୂମଧାମରେ ହୋଇପାରିଲା ନାହିଁ ବୋଲି ପ୍ରଶ୍ନ କରିଥିଲେ ବଂଶଲ।

ସେତିକି ନୁହେଁ ବର୍ତ୍ତମାନ କେଉଁ କେଉଁ ଜିଲ୍ଲାରେ ଏହି ମହାସମାବେଶ ହୋଇଛି ତାହାର ହିସାବ ମଧ୍ୟ ମାଗିଥିଲେ। ହେଲେ ଓଡିଶା ବିଜେପି ନେତାମାନଙ୍କ ପାଟିରୁ କିଛି କଥା ବାହାରି ନ ଥିଲା। ବଂଶଲ ଯେପରି ରାଗ ତମତମ ହେଲେ ସେଥିରେ କେହି କିଛି କହିପାରିଲେ ନାହିଁ। ସେ କହିଥିଲେ ଯେ, କେବଳ ଜେ ପି ନଡ୍ଡା ଆସିଥିବା ବେଳେ ସମାବେଶ ହୋଇଥିଲା। ଏହାପରେ ସେମିତି କିଛି ସମାବେଶ କାହିଁକି ହେଲା ନାହିଁ ବୋଲି ଏହି ବୈଠକରେ ସେ ପ୍ରଶ୍ନ କରିଥିଲେ।

ବଂଶଲ ଟିକିଏ ଶାନ୍ତ ପଡିବା ପରେ ଓଡିଶା ନେତା ଦେଇଥିଲେ ପାଲଟା ଜବାବ। ସେମାନେ ପ୍ରଶ୍ନ ଉଠାଇଥିଲେ ଯେ, ଓଡିଶାକୁ ନଡ୍ଡାଙ୍କ ସହିତ ମୋଦି, ରାଜନାଥ ସିଂ, ଅମିତ ସାହା ଆସିବାର ଥିଲା, ସେମାନେ କାହିଁକି ଆସିଲେ ନାହିଁ। ଏପରି ପ୍ରଶ୍ନ ଶୁଣି ଅଡୁଆରେ ପଡିଯାଇଥିଲେ ବଂଶଲ। କଥାକୁ ବୁଲାଇବା ପାଇଁ ସେ କହିଥିଲେ ଯେ, ସେମାନେ ଆସିଲେ କେବଳ ସମାବେଶ ହେବ ନ ହେଲେ ହେବ ନାହିଁ ବୋଲି ପ୍ରଶ୍ନ କରିଥିଲେ। ସେମାନେ କଣ ସବୁବେଳେ ଓଡିଶା ଆସିପାରିବେ ବୋଲି ନେତାଙ୍କୁ ବୁଝାଇଥିଲେ ବଂଶଲ।

ଏ କଥା ଶୁଣି ଆଉ କିଛି ନେତା କହିଥିଲେ ଯେ, ଆମେ ଆମ ନିର୍ବାଚନ ମଣ୍ଡଳୀରେ ମହାସମାବେଶ କରିବାର କ୍ଷମତା ଆମ ପାଖରେ ଅଛି। ହେଲେ ତାହାର ଖର୍ଚ୍ଚ ଆମକୁ କିଏ ଦେବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ବର୍ତ୍ତମାନ କେଉଁଠି କିଏ ଟିକେଟ ପାଇବ ତାହା ଜଣାପଡି ନାହିଁ। ଏପରି କ୍ଷେତ୍ରରେ ଜଣେ କାହିଁକି ତା ପକେଟରୁ ପଇସା ଖର୍ଚ୍ଚ କରିବ ବୋଲି ବଂଶଲକୁ ପ୍ରଶ୍ନ ପଚାରିଥିଲେ। ଯାହାର ସଠିକ ଉତ୍ତର ନ ଦେଇ ବଂଶଲ କଥାଟିକୁ ବୁଲେଇ ଦେଇଥିଲେ।

ତେବେ ବଂଶଲ ବିଧାନ ସଭା ଅପେକ୍ଷା ଲୋକସଭା ଉପରେ ଜୋର ଦେବା ପାଇଁ ନେତାଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ନିର୍ବାଚନରେ ଲୋକସଭା ଆସନ ଉପରେ ବିଶେଷ ଦୃଷ୍ଟି ରଖ ବୋଲି ସେ କହିଥିଲେ। ଏଥର ଯେପରି କୋଡିଏଟି ଆସନରେ ବିଜେପି ଜିତିବ ସେ ନେଇ କାର୍ଯ୍ୟ କରାଯିବ ବୋଲି ସେ କହିଥିଲେ। ହେଲେ ବିଧାନସଭା ଆସନ ଛାଡି ଦେଇ ଲୋକସଭା ଆସନ ଜିତିବା କିପରି ଚିନ୍ତା କରାଯିବ ବୋଲି ଓଡିଶା ନେତାମାନେ ପ୍ରଶ୍ନ କରିଥିଲେ। ତେବେ ସୁନୀଲ ବଂଶଲ ନେତାଙ୍କ ଏ କଥାରେ ବା ପ୍ରଶ୍ନରେ ଅସନ୍ତୁଷ୍ଠ ହୋଇ ଦିଲ୍ଲୀ ଚାଲିଯାଇଥିଲେ।

ଏହାପରେ ବର୍ତ୍ତମାନ ବିଜେପି ନେତାମାନଙ୍କର ଭାଳେଣି ପଡିଯାଇଛି। କାରଣ ସୁନୀଲ ବଂଶଲଙ୍କ କଥାବାର୍ତ୍ତାରୁ ସ୍ପଷ୍ଟ ହୋଇଛି ଯେ, କେନ୍ଦ୍ର ବିଜେପି କେବଳ ଲୋକସଭା ଆସନକୁ ଗୁରୁତ୍ବ ଦେଉଛି। ବିଧାନସଭା ଆସନ ତାଙ୍କ ପାଇଁ କୌଣସି ଗୁରୁତ୍ବ ବହନ କରୁ ନାହିଁ। ଫଳରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶା ବାନ୍ଧିଥିବା ନେତାଙ୍କର ବର୍ତ୍ତମାନ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି।

Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ମୁହଁ ଖୋଲିଲେ ପୋଲିସ ଡିଜି ସୁନୀଲ ବଂଶଲ

ଭୁବନେଶ୍ବର: ଶେଷରେ ନବ ଦାସ ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ପୋଲିସ ଡିଜି ସୁନଲ ବଂଶଲ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ଘଟଣାର ତଦନ୍ତ ସଂପର୍କରେ ଆବଗତ କରାଇଛନ୍ତି। ଏହି ହତ୍ୟାକାଣ୍ଡ ଘଟିବା ଦିନଠାରୁ ଡିଜି କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏପରିକି ଘଟଣା ସ୍ଥଳକୁ ମଧ୍ୟ ଗସ୍ତ କରି ନ ଥିଲେ। ଫଳରେ ବିଭିନ୍ନ ମହଲରେ ତାଙ୍କର କାର୍ଯ୍ୟକଳାପ ନେଇ ସମାଲୋଚନା କରାଯାଇଥିଲା।

ତେବେ ଆଜି ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ନବଦାସ ମୃତ୍ୟୁ ଘଟଣାରେ ତଦନ୍ତ ଚାଲିଛି। ଏଥିରେ ପୋଲିସକୁ ବହୁତ କିଛି ତଥ୍ୟ ହାସଲ ହୋଇଛି। ହେଲେ ଆହୁରି କିଛି ତଥ୍ୟ ବାକି ରହିଛି। ଯାହାକୁ କ୍ରାଇମ ବ୍ରାଞ୍ଚ ଟିମ ତଦନ୍ତ କରୁଛନ୍ତି। ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ବୋଲି ଡିଜି କହିଛନ୍ତି।

ସେ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ନେତୃତ୍ବ ନେଇଛନ୍ତି ଅରୁଣ ବୋଥ୍ରା। ସେ ଜଣ ଦକ୍ଷ ଅଫିସର। ତାଙ୍କର ଆଗରୁ ସିବିଆଇ ରେ କାର୍ଯ୍ୟ କରିବାର ଦକ୍ଷତା ରହିଛି। ଦେଶର ସେ ହେଉଛନ୍ତି ଜଣେ ଭଲ ତଦନ୍ତ ଅପିସର। ସେହିପରି ଜଣେ ଅଫିସର ଏହି ଘଟଣାର ତଦନ୍ତ କରୁଛନ୍ତି। ସେ ନିଶ୍ଚିତ ଭାବେ ଏହି ଘଟଣା ପଛରେ କଣ କାରଣ ରହିଛି ତାହାର ଅନୁସନ୍ଧାନ କରି ବାହାର କରିବେ ବୋଲି ଡିଜି କହିଛନ୍ତି।

ଏହି ଘଟଣା ପରେ ଜିଲ୍ଲା ପୋଲିସ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ନବଦାସଙ୍କର ପିଏସଓଙ୍କୁ ନିଲମ୍ବିତ କରାଯାଇଛି। ଭବିଷ୍ୟତରେ ଯଦି କିଛି ଆବଶ୍ୟକ ପଡେ ତେବେ ତାହା ଉପରେ ପଦକ୍ଷେପ ନିଶ୍ଚିତ ଗ୍ରହଣ କରାଯିବ। ଏହିପରି ଘଟଣାର ଯେପରି ପୁନରାବୃତ୍ତି ନ ଘଟେ ସେହିପରି ପଦକ୍ଷେପ ଗ୍ରହଣ କରାଯିବ। ବର୍ତ୍ତମାନ ତଦନ୍ତର ଗତି କେଉଁ ଆଡକୁ ଯାଉଛି ତାହା ଉପରେ ନଜର ରଖାଯାଇଛି।

ଫରର୍ନେସିକ ଲ୍ୟାବର ସାହାଯ୍ୟ ମଧ୍ୟ ନିଆଯାଇଛି। ନୂଆଦିଲ୍ଲୀରୁ ସେହି ଟିମ ଆସିପାରନ୍ତି। ତେବେ ଏହି ତଦନ୍ତ ଆଉ କେତେ ଦିନ ଲାଗିବ ସେ ନେଇ କିଛି କହିହେବ ନାହିଁ। ହେଲେ ତଦନ୍ତକୁ ଠିକ ଭାବେ କରିବା ପାଇଁ ଯାହା କିଛି ସରକାରୀ ସଂସ୍ଥାର ସାହାଯ୍ୟ ନେବା କଥା ତାହା ନିଆଯିବ ବୋଲି ଡିଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହେ ବିଜେପିର ନୂଆ ପ୍ରଭାରୀ, ପ୍ରଥମେ ଘର ସଜାଡନ୍ତୁ, ପରେ କରିବେ ଭୋଟ ଚିନ୍ତା

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ପ୍ରଭାରୀ ସୁନୀଲ ବଂଶଲ। ସେ ଓଡିଶା ଦଳର ଓଡିଶା ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଏହା ତାଙ୍କର ପ୍ରଥମ ଗସ୍ତ। ତାଙ୍କର ଗସ୍ତକୁ  ନେଇ ରାଜ୍ୟ ବିଜେପି ବେଶ ଉତ୍ସାହିତ। କାରଣ ସେମାନେ ଆଶା ବାନ୍ଧିଛନ୍ତି ଯେ, ସୁନୀଲଙ୍କ ମ୍ୟାଜିକରେ ବିଜେପି ଓଡିଶାରେ ଶାସନ କରିବ। ମିଶନ ୧୨୦ଏଥର ସଫଳ ହେବ।

ଏହା ଭାବିବା ବିଜେପି ନେତାଙ୍କ ପକ୍ଷରେ କିଛି ଅସୁବିଧା ନାହିଁ। ହେଲେ ଏହା ପଛରେ ଗୋଟିଏ ବଡ କାରଣ ରହିଛି। ତାହା ହେଲା ସୁନୀଲ ବଂଶଲ ପୂର୍ବରୁ ଉତ୍ତର ପ୍ରଦେଶ ଦାୟିତ୍ବରେ ଥିଲେ। ସେଠାରେ ବିଜେପିକୁ ସୁଦୃଢ କରିବାରେ ବେଶ ସଫଳତା ହାସଲ କରିଥିଲେ। ସେଥିପାଇଁ ଓଡିଶା ନେତା ବେଶ ଗଦଗଦ ଅବସ୍ଥାରେ ଅଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ରୀୟ ବିଜେପି ସୁନୀଲଙ୍କର ଏପରି ସଫଳତାକୁ ଦୃଷ୍ଟିରେ ରଖି ତିନୋଟି ଅଣ ବିଜେପି ରାଜ୍ୟର ଦାୟିତ୍ବ ମଧ୍ୟ ଦେଇଛନ୍ତି। ଓଡିଶା ସହିତ ସେ ପଶ୍ଚିମ ବଂଗ ଏବଂ ତେଲଙ୍ଗାନା ଦାୟିତ୍ବରେ ମଧ୍ୟ ଅଛନ୍ତି। ହେଲେ ଏହି ତିନି ରାଜ୍ୟରେ ବିଜେପି ତୀବ୍ର ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହେଉଛି। ଏହି ତିନି ରାଜ୍ୟରେ ମୋଦୀ ଫାକ୍ଟର କାମ କରୁ ନାହିଁ। ତେଣୁ ସୁନୀଲଙ୍କ ମ୍ୟାଜିକ କିପରି କାମ କରିବା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି।

ବର୍ତ୍ତମାନ ଓଡିଶା ବିଜେପି ଏକ ପ୍ରକାରର ତିନି ଭାଗରେ ବିଭକ୍ତ ହୋଇଯାଇଛି। ଗୋଟିଏ ଭାଗ ଧର୍ମେନ୍ଦ୍ରଙ୍କର, ଆଉ ଗୋଟେ ଭାଗ ଅପରାଜିତା ଷଡଙ୍ଗୀଙ୍କର, ଆଉ ଏକ ଚୁପଚାପ ଭାଗ ଅଛି। ଏହି ଶେଷ ଭାଗଟି ସେମାନେ ନା ଧର୍ମେନ୍ଦ୍ରଙ୍କର ନା ଅପରାଜିତାଙ୍କର ହେଉଛନ୍ତି। ପୂର୍ବରୁ ରାଜ୍ୟ ବିଜେପରି ହର୍ତ୍ତାକର୍ତ୍ତା ଧର୍ମେନ୍ଦ୍ର। ତାଙ୍କ ନେତୃତ୍ବରେ ଓଡିଶାର ବିଜେପି ଶାସନ କରିବ ବୋଲି କେନ୍ଦ୍ରୀୟ ଦଳ ଆଶା ରଖିଥିଲା। ସେଥିପାଇଁ ତାଙ୍କୁ ବେଶ ଶକ୍ତିଶାଳି କରିଦିଆଗଲା। ହେଲେ ମଧ୍ୟ ଧର୍ମେନ୍ଦ୍ର ଜଣେ ଜନାଦୃତ ନେତା ହୋଇପାରିଲେ ନାହିଁ।

ସେହିପରି ଏବେ ଅପରାଜିତା ଗୋଟି ଚାଳନା ଆରମ୍ଭ କରିଛନ୍ତି। ହେଲେ ତାଙ୍କର ପ୍ରଶାସନିକ ଢାଞ୍ଚାର ରାଜନୀତି ମଧ୍ୟ ଓଡିଶା ଲୋକଙ୍କୁ ଆକୃଷ୍ଟ କରିପାରୁ ନାହିଁ। ଏହି ଦୁଇ ନେତାଙ୍କ ମୁଣ୍ଡରେ ବିଜେପି ୨୦୨୪ ନିର୍ବାଚନ କିପରି ପାର ହେବ ତାହା ସନ୍ଦେହ ଜନକ। ଅନ୍ୟପକ୍ଷରେ ଏହି ଦୁଇଜଣଙ୍କ ମଧ୍ୟରେ ଯେପରି ଅଦୃଶ୍ୟ ପ୍ରତିଦ୍ବନ୍ଦିତା ଚାଲିଛି ତାହା ପଦାକୁ ବାହାରି ଆସିସାରିଲାଣି। ଯାହା ବିଜେପିକୁ ପୁଣି ପଛକୁ ଫେରିବାକୁ ପଡୁଛି।

ଏପରି କ୍ଷେତ୍ରରେ ସୁନୀଲ ବଂଶଲ କିପରି ଓଡିଶାରେ ମିଶନ ୧୨୦ କୁ ସଫଳ କରିବେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ତା ପୂର୍ବରୁ ଦଳକୁ ଗୋଟିଏ କରିବା ବଂଶଲଙ୍କ ପ୍ରଥମ କାମ ହେବା ଦରକାର। ୨୦୨୪ ପାଇଁ ଜଣେ ଜନାଦୃତ ନେତାକୁ ଆଗକୁ ଆଣିବାର ଆବଶ୍ୟକତା ରହିଛି। ଯାହାକୁ ଓଡିଶାର ଲୋକେ ପସନ୍ଦ କରିବେ। ଏହି କାର୍ଯ୍ୟ ନ କରିବା ପର୍ଯ୍ୟନ୍ତ ସେ ଯେତେ ନେତା ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ମଧ୍ୟ ତାହା କାଟୁ କରିବ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶା ଡିଜିପି ପଦରୁ ବିଦାୟ ନେଲେ ଅଭୟ, ଦାୟିତ୍ବ ନେଲେ ସୁନୀଲ ବଂଶଲ

କଟକ: ଆଜି ଓଡିଶା ଡିଜିପି ଅଭୟ ତାଙ୍କ ପଦରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ନୂଆ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁନୀଲ ବଂଶଲ। ସୁନୀଲ ଓଡିଶା ଡିଜିପି ଭାବେ ଯୋଗ ଦେବେ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ସେହି ଅନୁସାରେ ସେ ଗତକାଲି ରାତିରେ ଭୁବନେଶ୍ବରରେ ପହଞ୍ଚି ସାରିଥିଲେ।

ଗତକାଲି ବିମାନ ବନ୍ଦରରେ ତାଙ୍କୁ ଓଡିଶା ପୋଲିସର ବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିଲେ। ଆଜି କଟକ ପୋଲିସ ମୁଖ୍ୟାଳୟରେ ସେ ବିଧିବଧ ଭାବେ ଅଭୟଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ଏଥିସହିତ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

1987 ବ୍ୟାଚ୍ ଓଡିଶା କ୍ୟାଡରର ଆଇପିଏସ ହେଉଛନ୍ତି ସୁନୀଲ ବଂଶଲ। ସେ 1994 ମସିହାରେ ଓଡିଶା ଛାଡି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେ କେନ୍ଦ୍ରରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବା ପରେ ଶେଷରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।

ଅଭୟ 2019 ମସିହା ଡିସେମ୍ବର 9 ତାରିଖରେ ସେ ଓଡିଶା ପୋଲିସ ଡିଜି ଭାବେ ନିଯୁକ୍ତି ପାଇଥିଲେ। ତାଙ୍କର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ  ଡିଜିପି ଭାବେ 2 ବର୍ଷ ରହିବା ନିମୟରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ସେ ଆଜି ଡିଜିପି ପଦରୁ ବିଦାୟ ନେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ।

ସେପଟେ ନୂଆ ଡିଜିପି ସୁନୀଲ ବଂଶଲ ପ୍ରାୟ 27 ବର୍ଷ ପରେ ଓଡିଶାକୁ ଫେରୁଛନ୍ତି। ସେ ଓଡିଶା କ୍ୟାଡରର ହୋଇଥିବାରୁ ବିଭିନ୍ନ ଜିଲ୍ଲା ତଥା ଅନ୍ୟ ପଦବୀରେ ରହି ସେ ପୂର୍ବରୁ ଓଡିଶାରେ କାର୍ଯ୍ୟ କରିଛନ୍ତି। ହେଲେ ଏତେ ଦିନ ବ୍ୟବଧାନ ଭିତରେ ସେ ଓଡିଶାର ଅପରାଧ ତଥା ସୁରକ୍ଷା ବ୍ୟବସ୍ଥା କିପରି ଦେଖିବେ ତାହା ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି।