ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ମୁହଁ ଖୋଲିଲେ ପୋଲିସ ଡିଜି ସୁନୀଲ ବଂଶଲ

Published: Feb 3, 2023, 7:20 pm IST
sunil bansal

ଭୁବନେଶ୍ବର: ଶେଷରେ ନବ ଦାସ ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ପୋଲିସ ଡିଜି ସୁନଲ ବଂଶଲ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ଘଟଣାର ତଦନ୍ତ ସଂପର୍କରେ ଆବଗତ କରାଇଛନ୍ତି। ଏହି ହତ୍ୟାକାଣ୍ଡ ଘଟିବା ଦିନଠାରୁ ଡିଜି କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏପରିକି ଘଟଣା ସ୍ଥଳକୁ ମଧ୍ୟ ଗସ୍ତ କରି ନ ଥିଲେ। ଫଳରେ ବିଭିନ୍ନ ମହଲରେ ତାଙ୍କର କାର୍ଯ୍ୟକଳାପ ନେଇ ସମାଲୋଚନା କରାଯାଇଥିଲା।

ତେବେ ଆଜି ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ନବଦାସ ମୃତ୍ୟୁ ଘଟଣାରେ ତଦନ୍ତ ଚାଲିଛି। ଏଥିରେ ପୋଲିସକୁ ବହୁତ କିଛି ତଥ୍ୟ ହାସଲ ହୋଇଛି। ହେଲେ ଆହୁରି କିଛି ତଥ୍ୟ ବାକି ରହିଛି। ଯାହାକୁ କ୍ରାଇମ ବ୍ରାଞ୍ଚ ଟିମ ତଦନ୍ତ କରୁଛନ୍ତି। ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ବୋଲି ଡିଜି କହିଛନ୍ତି।

ସେ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ନେତୃତ୍ବ ନେଇଛନ୍ତି ଅରୁଣ ବୋଥ୍ରା। ସେ ଜଣ ଦକ୍ଷ ଅଫିସର। ତାଙ୍କର ଆଗରୁ ସିବିଆଇ ରେ କାର୍ଯ୍ୟ କରିବାର ଦକ୍ଷତା ରହିଛି। ଦେଶର ସେ ହେଉଛନ୍ତି ଜଣେ ଭଲ ତଦନ୍ତ ଅପିସର। ସେହିପରି ଜଣେ ଅଫିସର ଏହି ଘଟଣାର ତଦନ୍ତ କରୁଛନ୍ତି। ସେ ନିଶ୍ଚିତ ଭାବେ ଏହି ଘଟଣା ପଛରେ କଣ କାରଣ ରହିଛି ତାହାର ଅନୁସନ୍ଧାନ କରି ବାହାର କରିବେ ବୋଲି ଡିଜି କହିଛନ୍ତି।

ଏହି ଘଟଣା ପରେ ଜିଲ୍ଲା ପୋଲିସ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ନବଦାସଙ୍କର ପିଏସଓଙ୍କୁ ନିଲମ୍ବିତ କରାଯାଇଛି। ଭବିଷ୍ୟତରେ ଯଦି କିଛି ଆବଶ୍ୟକ ପଡେ ତେବେ ତାହା ଉପରେ ପଦକ୍ଷେପ ନିଶ୍ଚିତ ଗ୍ରହଣ କରାଯିବ। ଏହିପରି ଘଟଣାର ଯେପରି ପୁନରାବୃତ୍ତି ନ ଘଟେ ସେହିପରି ପଦକ୍ଷେପ ଗ୍ରହଣ କରାଯିବ। ବର୍ତ୍ତମାନ ତଦନ୍ତର ଗତି କେଉଁ ଆଡକୁ ଯାଉଛି ତାହା ଉପରେ ନଜର ରଖାଯାଇଛି।

ଫରର୍ନେସିକ ଲ୍ୟାବର ସାହାଯ୍ୟ ମଧ୍ୟ ନିଆଯାଇଛି। ନୂଆଦିଲ୍ଲୀରୁ ସେହି ଟିମ ଆସିପାରନ୍ତି। ତେବେ ଏହି ତଦନ୍ତ ଆଉ କେତେ ଦିନ ଲାଗିବ ସେ ନେଇ କିଛି କହିହେବ ନାହିଁ। ହେଲେ ତଦନ୍ତକୁ ଠିକ ଭାବେ କରିବା ପାଇଁ ଯାହା କିଛି ସରକାରୀ ସଂସ୍ଥାର ସାହାଯ୍ୟ ନେବା କଥା ତାହା ନିଆଯିବ ବୋଲି ଡିଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି।

Related posts