ଓଡିଶା ଡିଜିପି ପଦରୁ ବିଦାୟ ନେଲେ ଅଭୟ, ଦାୟିତ୍ବ ନେଲେ ସୁନୀଲ ବଂଶଲ

Published: Dec 31, 2021, 5:28 pm IST

କଟକ: ଆଜି ଓଡିଶା ଡିଜିପି ଅଭୟ ତାଙ୍କ ପଦରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ନୂଆ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁନୀଲ ବଂଶଲ। ସୁନୀଲ ଓଡିଶା ଡିଜିପି ଭାବେ ଯୋଗ ଦେବେ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ସେହି ଅନୁସାରେ ସେ ଗତକାଲି ରାତିରେ ଭୁବନେଶ୍ବରରେ ପହଞ୍ଚି ସାରିଥିଲେ।

ଗତକାଲି ବିମାନ ବନ୍ଦରରେ ତାଙ୍କୁ ଓଡିଶା ପୋଲିସର ବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିଲେ। ଆଜି କଟକ ପୋଲିସ ମୁଖ୍ୟାଳୟରେ ସେ ବିଧିବଧ ଭାବେ ଅଭୟଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ଏଥିସହିତ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

1987 ବ୍ୟାଚ୍ ଓଡିଶା କ୍ୟାଡରର ଆଇପିଏସ ହେଉଛନ୍ତି ସୁନୀଲ ବଂଶଲ। ସେ 1994 ମସିହାରେ ଓଡିଶା ଛାଡି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେ କେନ୍ଦ୍ରରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବା ପରେ ଶେଷରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।

ଅଭୟ 2019 ମସିହା ଡିସେମ୍ବର 9 ତାରିଖରେ ସେ ଓଡିଶା ପୋଲିସ ଡିଜି ଭାବେ ନିଯୁକ୍ତି ପାଇଥିଲେ। ତାଙ୍କର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ  ଡିଜିପି ଭାବେ 2 ବର୍ଷ ରହିବା ନିମୟରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ସେ ଆଜି ଡିଜିପି ପଦରୁ ବିଦାୟ ନେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ।

ସେପଟେ ନୂଆ ଡିଜିପି ସୁନୀଲ ବଂଶଲ ପ୍ରାୟ 27 ବର୍ଷ ପରେ ଓଡିଶାକୁ ଫେରୁଛନ୍ତି। ସେ ଓଡିଶା କ୍ୟାଡରର ହୋଇଥିବାରୁ ବିଭିନ୍ନ ଜିଲ୍ଲା ତଥା ଅନ୍ୟ ପଦବୀରେ ରହି ସେ ପୂର୍ବରୁ ଓଡିଶାରେ କାର୍ଯ୍ୟ କରିଛନ୍ତି। ହେଲେ ଏତେ ଦିନ ବ୍ୟବଧାନ ଭିତରେ ସେ ଓଡିଶାର ଅପରାଧ ତଥା ସୁରକ୍ଷା ବ୍ୟବସ୍ଥା କିପରି ଦେଖିବେ ତାହା ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି।

Related posts