Categories
ଆଜିର ଖବର

ଉଦ୍‌ଯାପିତ ହେଲା ସୁରଭି, ରାଜ୍ୟସ୍ତରୀୟ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ତିନି ଦିନ ଧରି ଚାଲିଥିବା ପିଲାଙ୍କ ମହୋତ୍ସବ ସୁରଭି ଆଜି ଉଦ୍‌ଯାପିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସ୍ଥାନୀୟ ୟୁନିଟ-୯ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ କହିଥିଲେ ଯେ ଆମ ପିଲାମାନଙ୍କ ଭିତରେ ଅସୀମ ପ୍ରତିଭା ରହିଛି । ପାଠ ସହିତ ନାଚ, ଗୀତ, କ୍ରୀଡା, କଳା, ଅଭିନବ ବୈଜ୍ଞାନିକ ଚିନ୍ତାଧାରା (Innovation) ସବୁ କ୍ଷେତ୍ରରେ ଆମ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ଅଛି । ଆଗକୁ ବଢିବା ପାଇଁ କଠିନ ପରିଶ୍ରମ କର, ଚିନ୍ତାଧାରାକୁ ବଡ କର। ନିଜର ସାମର୍ଥ୍ୟକୁ ବିଶ୍ୱ ସ୍ତରକୁ ନେବା ପାଇଁ ଚେଷ୍ଟା କର। ଦେଖିବ, ତୁମେ ଅସୀମିତ ସଫଳତା ପାଇ ସାରା ଦେଶରେ, ବିଶ୍ବରେ ସୁନାମ ଅର୍ଜନ କରିବ।

ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ରୂପାନ୍ତରର ଯୁଗ ପିଲାମାନଙ୍କ ସ୍କୁଲରୁ ହିଁ ଆରମ୍ଭ ହୋଇଛି । ପିଲାମାନେ ଏବେ ଡିଜିଟାଲ୍ ଟେକ୍ନୋଲୋଜି ଜରିଆରେ ପାଠ ପଢୁଛନ୍ତି । ସ୍କୁଲର ପରିବେଶ ମଧ୍ୟ ବେଶ୍ ସୁନ୍ଦର ହୋଇଯାଇଛି । ସୁନ୍ଦର ଖେଳ ପଡିଆ ମଧ୍ୟ ହୋଇଛି । ତୁମେ ଏବେ କାହା ଠାରୁ କମ୍‌ ନୁହଁ।

ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ମୋର ପୁରା ବିଶ୍ବାସ, ତୁମର ଭବିଷ୍ୟତ ଖୁବ ଉଜ୍ଜଳ ହେବ। ମୋର ଆଶୀର୍ବାଦ ମଧ୍ୟ ତୁମ ସାଥିରେ ଅଛି ଓ ରହିବ।”

‘ସୁରଭି’ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ଏକ ଖୁବ ସୁନ୍ଦର ଉତ୍ସବ। ରାଜ୍ୟର ବିଭିନ୍ନ ସ୍ଥାନରୁ ପିଲାମାନେ ଆସି ଏଠାରେ ଏକାଠି ହୋଇଛନ୍ତି। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ଦେଖାଇଛନ୍ତି। ନୂଆ ସାଙ୍ଗସାଥୀ ମଧ୍ୟ ପାଇଛନ୍ତି । ଏଠାରୁ ମିଳିଥିବା ଅଭିଜ୍ଞତା ସାରା ଜୀବନ ପାଇଁ ପିଲାମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଥିଲେ ।

ପୁରସ୍କାର ପାଇଥିବା ସବୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଏ ବର୍ଷ ୩୫୪୯ ଜଣ ପିଲାଙ୍କୁ ‘ଓଡିଆ ଭାଷା ବୃତ୍ତି’ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ପିଲା ୫୦୦୦ ଟଙ୍କାର ଏକକାଳୀନ ବୃତ୍ତି ପାଇଲେ। ଏହି ବୃତ୍ତି ରାଶି ଅନଲାଇନ୍ ଜରିଆରେ ସେମାନଙ୍କ ଆକାଉଣ୍ଟକୁ ପଠା ଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଓଡିଆ ଭାଷାରେ ଅଧିକ ନମ୍ବର ରଖିଥିବା ପିଲାମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି।

ରାଜ୍ୟସ୍ତରରେ ଶ୍ରେଷ୍ଠ ପାଞ୍ଚଜଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଏହି ପାଞ୍ଚ ଜଣ ହେଲେ ବାଲେଶ୍ୱର ଏସ୍.ବି.ଏସ୍ ନିଖିରେଶ୍ୱର ନୋଡାଲ ହାଇସ୍କୁଲର ଶୁଭସ୍ମିତା ଦାସ, ବରଗଡ କାମଗାଁ ସରକାରୀ ନୋଡାଲ ହାଇସ୍କୁଲର ନୈନା ପ୍ରଧାନ, ଯାଜପୁର ଅରେଇ ବରୁଣେଶ୍ୱର ହାଇସ୍କୁଲର ପ୍ରଭାସିନୀ ମିଶ୍ର, ମୟୁରଭଞ୍ଜ ଗଡିଆ ଚିନ୍ତାମଣୀ ନୋଡାଲ ବିଦ୍ୟାପୀଠର ଶୁଭଙ୍କର ପଟବନ୍ଧ ଏବଂ ବାଲେଶ୍ୱର ବନବିଷ୍ଣୁପୁର ହାଇସ୍କୁଲର ଦିବ୍ୟାଶା ପଲେଇ।

ଏଥି ସହିତ ମୁଖ୍ୟମନ୍ତ୍ରୀ ୩ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯଥା- କେନ୍ଦ୍ରାପଡାର ଉମାକାନ୍ତ ଦାଶ, ସୁନ୍ଦରଗଡର ରଶ୍ମି ମାହାଳି ଓ ସମ୍ବଲପୁରର ପୂର୍ଣ୍ଣିମା ଭୁଏଙ୍କୁ ସୁରଭି ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ କଫି ଟେବୁଲ୍ ବୁକ୍ ଏବଂ ଏକ ନିୟୁଜ ଲେଟର ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ପିଲାମାନଙ୍କୁ ଗୁରୁତ୍ୱ ଦିଅନ୍ତି। ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ 5T ସ୍କୁଲ ରୂପାନ୍ତର। ମୁଖ୍ୟମନ୍ତ୍ରୀଙ୍କ ତୁମମାନଙ୍କ ପାଇଁ ଯେଉଁ ଚିନ୍ତାଧାରା ଅଛି ତାକୁ ସଫଳ କରିବା ପାଇଁ ତୁମେମାନେ ପ୍ରତିବଦ୍ଧ ହୁଅ ବୋଲି ସେ କହିଥିଲେ।

ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ବିଧାୟକ ଶ୍ରୀ ସୁଶାନ୍ତ ରାଉତ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ରାଜ୍ୟରେ ପିଲାମାନଙ୍କ ଶିକ୍ଷା ପାଇଁ ବିଶ୍ୱସ୍ତରୀୟ ପରିବେଶ ସୃଷ୍ଟି ହୋଇ ପାରିଛି।

ଆଜିର ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ସ୍ମାର୍ଟନେସ୍ ହିଁ 5T ସ୍କୁଲ ରୂପାନ୍ତରଣର ସଫଳତା ଦର୍ଶାଉଛି। ଶିକ୍ଷା, କ୍ରୀଡା ସହିତ କଳା ସଂସ୍କୃତି କ୍ଷେତ୍ରରେ ଯେଉଁ ସୁବିଧା ସୁଯୋଗ ମିଳିଛି ତାହା ଦ୍ୱାରା ଆମ ପିଲାମାନେ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରି ଦେଶ ବିଦେଶରେ ସୁନାମ କରି ଓଡିଶା ପାଇଁ ଗୌରବ ଆଣିବେ ବୋଲି ସେମାନେ କହିଥିଲେ।

ବିଭାଗୀୟ ସଚିବ ଅଶ୍ୱଥି ଏସ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’, ଆଜି ଉଦଯାପନ ଦିବସରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ଅତି ଆନନ୍ଦ ଓ ଉତ୍ସାହର ସହ ଶିଶୁ ମହୋତ୍ସବ ‘ସୁରଭି’ରେ ସାମିଲ ହୋଇ ନିଜ ପ୍ରତିଭାର ପ୍ରଦର୍ଶନ କରୁଛନ୍ତି। ଠିକ୍ ସେହିଭଳି ଭାବରେ ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରି ନିଜ ପ୍ରତିଭାର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରନ୍ତୁ। ପିଲାମାନେ ଦେଶ ଓ ଜାତିର ନାମକୁ ଗୌରବାନ୍ୱିତ କରନ୍ତୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଛନ୍ତି।

ୟୁନିଟ୍‌-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବର ‘ସୁରଭି’ର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଠନ ଦିଗରେ ପ୍ରେରଣା ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ।

ଯେଉଁ ଦେଶର ନାଗରିକ ଯେତେ ଶିକ୍ଷିତ ସେହି ଦେଶ ସେତେ ଉନ୍ନତ ବୋଲି ସେ ମତବ୍ୟକ୍ତ କରିଥିଲେ। ଆମ ରାଜ୍ୟର ଛାତ୍ରଛାତ୍ରୀମାନେ ରାଜ୍ୟର ବିକାଶ ପଥର ପଥିକ। ଆମ ଦେଶ ଚନ୍ଦ୍ରଯାନ ସହ ଆଦିତ୍ୟ ମିଶନ ସଫଳତାର ସହ ପ୍ରେରଣ କରିଛି। ଏହି ସଫଳତାରୁ ଅନୁପ୍ରାଣିତ ହୋଇ ପିଲାମାନେ ଭବିଷ୍ୟତ ଗଠନ କରିବା ନେଇ ସେ ପରାମର୍ଶ ଦେଇଥିଲେ।

ଏଥିରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଯୋଗଦେଇ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରି ପିଲାମାନଙ୍କ ସହ ଭାବ ବିନିମୟ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍‌. ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିଥିଲେ।

କାର୍ଯ୍ୟକ୍ରମରେ ଓଡି଼ଶା ଆଦର୍ଶ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀମତୀ ଜାମିନୀ ଷଡଙ୍ଗୀ, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଟିଇ ଏବଂ ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢ଼ୀଙ୍କ ସହ ବିଭାଗର ବରିଷ୍ଠ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

ଏହି ଅବସରରେ ଆଜି ପୂର୍ବାହ୍ଣରେ ଛାତ୍ରଛାତ୍ରୀମାନେ ଖଣ୍ଡିଗିରି, ଉଦୟଗିରି, ଧଉଳିଗିରି, ନନ୍ଦନକାନନ, କଳାଭୂମି, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରାହାଳୟ, ପଠାଣୀସାମନ୍ତ ପ୍ଲାନେଟୋରିୟମ୍ ଓ ନ୍ୟଚୁରାଲ ହିଷ୍ଟ୍ରି ଅଫ୍ ମ୍ୟୁଜିୟମ୍ ପରିଦର୍ଶନ କରିଥିଲେ।

ଅପରାହ୍ଣରେ ମୁଖ୍ୟ ଆକର୍ଷଣ ସାଜିଥିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ‘ଛାୟା ମିଳିତ ଜାତିସଂଘ’। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ୟୁନିସେଫ୍‌ର କ୍ଷେତ୍ର ଅଧିକାରୀ ଉଇଲିୟମ୍ ହ୍ୟାଣ୍ଡଲନ୍ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଅପରାହ୍ଣରେ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ପାଇଁ ଆୟୋଜିତ ହୋଇଥିଲା ‘ମିଟ୍ ଦ ପର୍ସନାଲିଟି’। ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ଓଡି଼ଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଲପତି ଡା. ଦତ୍ତେଶ୍ୱର ହୋତା, ଇସ୍ରୋର ପୂର୍ବତନ ମହାକାଶ ବିଜ୍ଞାନୀ ଶ୍ରୀ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଓଡି଼ଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ତ୍ରିପାଠୀ, ବିଶିଷ୍ଟ ଓଡି଼ଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ଅଭିନେତା ଶ୍ରୀ ସବ୍ୟସାଚୀ ମିଶ୍ର, ଚଳିତ ଓଡି଼ଶା ପ୍ରଶାସନିକ ସେବା ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାରୀ କରିଥିବା ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ ଓ ଚଳିତ ମାଟ୍ରିକ୍ ପରୀକ୍ଷାରେ ଟପର୍ ଥିବା ସୁଶ୍ରୀ ଶ୍ରେୟାଶ୍ରୀ ଜେନା ପ୍ରମୁଖ ଯୋଗ ଦେଇ ନିଜ ସଫଳତାର କାହାଣୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀ ଭୈରବ ସିଂ ପଟେଲ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍ ଆୟର ଉପସ୍ଥିତ ଥିଲେ। ଏହାପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଆଜି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଛି। ସମ୍ମାନିତ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ: ଶିଶୁମାନଙ୍କର ଲୁକାୟିତ ଗୁଣର ବିକାଶ ଲକ୍ଷ୍ୟ

ରଣପୁର: ସୋମବାର ଦିନ ରଣପୁର ବ୍ଲକ ଗୌରାଙ୍ଗପୁର କ୍ଲଷ୍ଟରର ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଗୌରାଙ୍ଗପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଶିତେନ୍ଦ୍ର ବଳିଆରସିଂହ, ମୁଖ୍ୟ ବକ୍ତା ଭାବେ ଶିକ୍ଷବିତ୍ତ ପ୍ରସନ୍ନ କୁମାର ରଥ, ସମ୍ମାନିତ ଅତିଥି ଭାବେ କୃଷି ବିଭାଗର ଅଧିକାରୀ ପ୍ରସାଦ ସୁବୁଦ୍ଧି, ଅର୍ପିତା ସାହୁ, ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି, ପିମ୍ପଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ଦାଶ, ଗୌରାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ସି.ଆର.ସି.ସି ସନ୍ତୋଷ କୁମାର ମିଶ୍ର, ଯଦୁପୁର ଗ୍ରାମ କମିଟିର ସଭାପତି ରଙ୍ଗନାଥ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ପଢିହାରୀ, ସୁକାନ୍ତ କୁମାର ରାଇସିଂଙ୍ଗ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଉଦଘାଟନୀ ସଭାକାର୍ଯ୍ୟକୁ .ଆର.ସି.ସି ସୁଧାକର ମିଶ୍ରଙ୍କ ନେତୃତ୍ୱରେ ଓ ଜୟ ମା ମଙ୍ଗଳା ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜ କିଶୋର ପ୍ରଧାନଙ୍କ ସଭାପତିତ୍ବରେ ଏହି ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଶିକ୍ଷକ ଅଜୟ କୁମାର ପ୍ରଧାନ ଶ୍ଳୋକ ପାଠ କରିଥିବା ବେଳେ ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଏବଂ ଶିକ୍ଷକ ନରସିଂହ ମାଝୀ ଓ ପ୍ରତାପ କିଶୋର ପ୍ରଧାନ ବାଦ୍ୟ ବାଦନ କରିଥିଲେ। ନରସିଂହପୁର କ୍ଲଷ୍ଟର ସି.ଆର.ସି.ସି ସୁଶୀଲ କୁମାର ରଣା ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ। ଏହା ପରେ ପିଲାମାନଙ୍କ ମଧ୍ୟରେ ବକ୍ତୃତା, ଭାଷଣ, ଚିତ୍ରାଙ୍କନ, କୁଇଜ, ରଚନା ଲିଖନ, ଶୃତ, ଲିଖନ, ସଙ୍ଗୀତ ଓ ନୃତ୍ୟ ଆଦି କ୍ଷେତ୍ରରେ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ଓ କପ୍ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା।

ଏହାର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଗୌରାଙ୍ଗପୁର ସରପଞ୍ଚ ପ୍ରଭାତ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ରଣପୁର ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଦିତ୍ୟ ରଞ୍ଜନ ମହାନ୍ତି, ସମ୍ମାନୀତ ଅତିଥି ଭାବେ ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି, ନରସିଂହପୁର କ୍ଲଷ୍ଟର ସି.ଆର.ସି.ସି ସୁଶୀଲ କୁମାର ରଣା, ଜୟ ମା ମଙ୍ଗଳା ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜ କିଶୋର ପ୍ରଧାନ, ଯଦୁପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ମିଶ୍ର, ଗ୍ରାମ କମିଟିର ସଭାପତି ରଙ୍ଗନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ଏହି ଉଦଯାପାନୀ ସଭାକାର୍ଯ୍ୟକୁ ସି.ଆର.ସି.ସି ସୁଧାକର ମିଶ୍ର ପରିଚାଳନା କରିଥିଲେ ଏବଂ ନୃସିଂହ ଚରଣ ଚୌଧୁରୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯଦୁପୁର ଗ୍ରାମର ସମସ୍ତ ଗ୍ରାମବାସୀ, ଅଙ୍ଗନବାଡି କର୍ମୀ, କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସେହିପରି ରଣପୁର କ୍ଲଷ୍ଟରର ସି.ଆର.ସି.ସି ଜ୍ୟୋତି ରଞ୍ଜନ କରଙ୍କ ନେତୃତ୍ୱରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ସମ୍ମାନୀତ ଅତିଥି ଭାବେ ବି.ସି. ହାଇସ୍କୁଲର ବରିଷ୍ଠ ଶିକ୍ଷୟତ୍ରୀ ତିଳୋତ୍ତମା ପୃଷ୍ଟି, ଶକ୍ତି ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି କୁଳାସାର କ୍ଲଷ୍ଟରର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୩ ବହୁ ଧୁମ୍ ଧାମ ରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବସନ୍ତ ରାଉତ ମହୋଦୟ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। କୁଳସର କ୍ଲଷ୍ଟରର ସି.ଆର.ସି.ସି ସଞ୍ଜୟ କୁମାର ବରାଡଙ୍କ ନେତୃତ୍ୱ, କୁଳାସର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତପସ୍ଵିନୀ ଷଡ଼ଙ୍ଗୀଙ୍କ ସଭାତିତ୍ଵରେ ଏବଂ ଆଞ୍ଚଳିକ ଉ.ପ୍ରା ବିଦ୍ୟାଳୟ ବଡ଼ପଥୁରିଆର ପ୍ରଧାନ ଶିକ୍ଷକ ରମେଶ ସାମନ୍ତରାୟ ଏବଂ ଭେନ୍ୟୁ ସ୍କୁଲର ସହକାରୀ ଶିକ୍ଷକ ନିରଞ୍ଜନ ନାୟକଙ୍କ ବଳିଷ୍ଠ ସହଯୋଗରେ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା। ଏଥିରେ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ,ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ। ଶେଷରେ ଅତିଥିମାନଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ମାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ସୁରଭି’ ଆଜି ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠି ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ସୁରଭି’ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଏବଂ ବିଆରସିସି ସନ୍ଧ୍ୟାରାଣୀ ହରିଚନ୍ଦନ ଯୋଗଦେଇଥିଲେ।

ସେହିପରି ଭାବେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ବୁଲବୁଲ ବେହେରା ଯୋଗଦେଇଥିଲେ।

ଏହି ଅବସରରେ ବାଣପୁର ବ୍ଲକର ୧୭ ଟି ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇଥିଲେ।

ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ ପ୍ରଥମସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ‘ସୁରଭୀ ‘କାର୍ଯ୍ୟକ୍ରମରେ ଭାଗନେବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।