Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡା ମନ୍ତ୍ରୀ

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ ପରିଦର୍ଶନରେ ଯାଇ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।  ମନ୍ତ୍ରୀ ଶ୍ରୀ ବେହେରା କଲେଜର ବିଲଡିଂ, କ୍ଲାସ୍‌ରୁମ୍‌, ଛାତ୍ରାବାସ ଓ ଛାତ୍ରୀନିବାସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ କ୍ରୀଡ଼ା ବିଭାଗର ଅଧିକାରୀ, କାର୍ଯ୍ୟଭାର ନେଇଥିବା ସଂସ୍ଥାର ଅଧିକାରୀ ଏବଂ ଇଂଜିନିୟରମାନଙ୍କ ସହ ଆଲୋଚନା କରିଥିଲେ ।

ଆଧୁନିକ ଜ୍ଞାନକୌଶଳ ନିର୍ମିତ କ୍ୟାମ୍ପସ୍‌ରେ ତିନିମହଲା ବିଶିଷ୍ଟ ଆକାଡେମୀକ୍‌ ବ୍ଲକ୍‌ ଏବଂ ୪ ମହଲା ବିଶିଷ୍ଟ ଗୋଟିଏ ଛାତ୍ରାବାସ ଓ ଗୋଟିଏ ଛାତ୍ରୀନିବାସର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଉଭୟ ହଷ୍ଟେଲରେ ୧୫୬ ଜଣ ଅନ୍ତେବାସୀ ରହିବାର କ୍ଷମତା ରହିଛି ।

ଏଥି ସହିତ ଆକାଡେମୀକ୍‌ ବ୍ଲକରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ଲାବ୍‌, ସେମିନାର୍‌ ହଲ୍‌, ସ୍ୱତନ୍ତ୍ର ଟୁ୍ୟଟୋରିଆଲ୍‌ ହଲ୍‌, ସେମିନାର୍‌ ହଲ୍‌, ଆଲୁମିନି ହଲ୍‌, ଫାକଲଟି ଲାଉଞ୍ଜର ବ୍ୟବସ୍ଥା ରହିଛି। ଆସନ୍ତା ଶିକ୍ଷା ବର୍ଷରୁ ନୂଆ କ୍ୟାମ୍ପସ୍‌ରେ ଶିକ୍ଷାଦାନ ପାଇଁ ସରକାର ଲକ୍ଷ୍ୟ ରଖିଥିବାରୁ ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ମନ୍ତ୍ରୀ ଅଧିକାରୀ ଓ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।