Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ସୋଆରେ ଜାତୀୟ ପୋଷଣ ଦିବସ ପାଳନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇଏମ୍‌ଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ଖାଦ୍ୟ ଓ ପୋଷଣ ବିଭାଗ ପକ୍ଷରୁ ଜାତୀୟ ପୋଷଣ ମାସ ପାଳନ କରାଯାଇଛି। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଖାଦ୍ୟ ଓ ପୋଷଣ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଡିକାଲ୍ ସୁପରିଟେଣ୍ଡେଂଟ ଡଃ ପୁଷ୍ପରାଜ ସାମନ୍ତସିଂହାର, ସୋଆ ପରିଚାଳିତ ଫ୍ୟାକଲ୍ଟି ଅଫ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟର ଆଡ୍‌ଭାଇଜର ଓ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ସମ୍‌ର ଶିଶୁ ରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତା ଦେବୀ ମହାନ୍ତି, ଖାଦ୍ୟ ଓ ପୋଷଣ ବିଭାଗର ମୁଖ୍ୟ ପୁଷ୍ପାଞ୍ଜଳି ମିଶ୍ର, ନର୍ସିଂ ସୁପରିଟେଣ୍ଡେଂଟ୍ ମିନତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବର୍ତ୍ତମାନ ସାରା ବିଶ୍ୱରେ ପ୍ରତ୍ୟେକ ବ୍ୟକ୍ତି କର୍ମ ବ୍ୟସ୍ତତା ଯୋଗୁଁ ଚାପରେ ଜୀବନ କଟାଉଛନ୍ତି। ଏହା ମଧ୍ୟରେ ନିଜ ଶରୀରର ଯତ୍ନ ଓ ସନ୍ତୁଳିତ, ସୁଷମ ଆହାର ଓ ପାନୀୟର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହାର ଉପାଦେୟତା ଓ ଆବଶ୍ୟକତା ଉପରେ ବକ୍ତାମାନେ ଆଲୋକପାତ କରି ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭାଗ ଦ୍ୱାରା ଆୟୋଜିତ ବିଭିନ୍ନ ସୁଷମ ଖାଦ୍ୟର ନମୂନା ପ୍ରଦର୍ଶନୀ ଆୟୋଜିତ କରାଯାଇଥିଲା।

ଚଳିତ ବର୍ଷ ସେପ୍ଟେମ୍ବର ମାସର କାର୍ଯ୍ୟକ୍ରମକୁ ଚାରି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ସପ୍ତାହରେ ବୃକ୍ଷ ରୋପଣ, ୨ୟ ସପ୍ତାହରେ ଯୋଗ ଓ ବ୍ୟାୟାମ, ୩ୟ ସପ୍ତାହରେ ଶିଶୁମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା କିଟ୍ ବଂଟନ ଏବଂ ୪ର୍ଥ ସପ୍ତାହରେ ଶିଶୁ ପୁଷ୍ଟିହୀନତା ରୋଗ ନିରୂପଣ ସଚେତନତା କାର୍ଯ୍ୟକ୍ରମ ରଖାଯାଇଛି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଓ ପୋଷଣ ବିଭାଗର ସୂର୍ଯ୍ୟାଶିଖା ମହାନ୍ତି, ସୁଗନ୍ଧା ମହାପାତ୍ର, ସୁଶ୍ରୀତନୟା ବରାଳ, ଚନ୍ଦ୍ରିମା ସେନାପତି, ରୋଜାଲିନ୍ ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହିପରି ଓ.ଏସ୍‌.ଡି ଡଃ ପ୍ରହଲ୍ଲାଦ ମହାନ୍ତି ଓ ରୋଗୀସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଡଃ ଲିଙ୍ଗରାଜ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆରେ ଏଆଇସିଟିଇ ପ୍ରାୟୋଜିତ କ୍ଲିନିକାଲ୍ ଟ୍ରାଏଲ୍‌ସ୍‌କୁ ନେଇ ସ୍ୱଳ୍ପକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କୋଭିଡ୍ ମହାମାରୀ ଓ ଏହାର ଭାଇରସ୍‌କୁ ପ୍ରତିହିତ କରିବା ନିମନ୍ତେ ବିଭିନ୍ନ ଟୀକାର ଅଗ୍ରଗତିକୁ ନେଇ “କ୍ଲିନିକାଲ୍ ଟ୍ରାଏଲ୍ସ-ପ୍ରୋସିଡିଓର୍‌, ଡିଜାଇନ୍ ଆଣ୍ଡ ଇଂଟର୍‌ପ୍ରିଟେସନ ଅଫ୍ ରିଜଲଟ୍ସ”ଶୀର୍ଷକ ଏକ ସପ୍ତାହବ୍ୟାପୀ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଆଲୋଚନା ଅଗଷ୍ଟ ୨୮ରେ ଉଦ୍‌ଯାପିତ ହୋଇଯାଇଛି।

ଏଆଇସିଟିଇ ପକ୍ଷରୁ ପରିଚାଳିତ ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ସମୟରେ ବିଭିନ୍ନ କ୍ଲିନିକାଲ୍ ଟ୍ରାଏଲ୍‌ର ନିୟମ, ସହମତି ପ୍ରକ୍ରିୟା, ନିୟମାନୁବର୍ତ୍ତୀ ଆବଶ୍ୟକତା, ଡାଟା ସଂଗ୍ରହ, ଡିଜାଇନ୍ ଓ ବିଶ୍ଳେଷଣ ପ୍ରସଙ୍ଗକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌), ଭୁବନେଶ୍ୱରର ନିର୍ଦ୍ଦେଶିକା ପ୍ରଫେସର ସଙ୍ଘମିତ୍ରା ପତି ଅଗଷ୍ଟ ୨୩ ତାରିଖରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୋଭିଡ ଟୀକା ଏବଂ ଏହାର
କାର୍ଯ୍ୟକ୍ଷମତାର ପରିସର ସମ୍ପର୍କରେ ଆଲୋଚନା କରିଥିଲେ।

କୋଲକାତା ସ୍ଥିତ ୱିପ୍ରୋ ଡିଜିଟାଲ୍ ଅପରେସନ୍‌ସ ଆଣ୍ଡ ପ୍ଲାଟଫର୍ମସର ମେଡିକାଲ୍ ରାଇଟିଙ୍ଗ ମୁଖ୍ୟ ଡଃ ସୁଶାନ୍ତ ସେନାପତି ଜନସଂଖ୍ୟାକୁ ନେଇ କ୍ଲିନିକାଲ୍ ଟ୍ରାଏଲ୍ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ସ୍ୱଦେଶୀ ଟୀକା କୋଭାକ୍ସିନ କ୍ଲିନିକାଲ୍ ଟ୍ରାଏଲ୍ ବିଷୟରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଫେସର ତଥା ଦୁଇଟି ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍‌ର ମୁଖ୍ୟ ପରୀକ୍ଷକ ଡଃ ଇ. ଭେଙ୍କଟରାଓ ଏ ନେଇ ନିଜ ଅନୁଭୂତି ବଖାଣିଥିଲେ।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତମାନ ସୋଆ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, କିମ୍ସ ଭୁବନେଶ୍ୱରର ଡଃ ହରିଶଚନ୍ଦ୍ର ଚୌଧୁରୀ, ସୋଆର ଇନ୍‌ଷ୍ଟିଚ୍ୟୁଟ୍‌ର ଅଫ୍ ଡେଂଟାଲ ସାଇନ୍‌ସେସ୍‌ର ଡଃ ଅନୁରାଗ ଶତପଥୀ, ଭୁବନେଶ୍ୱର ଏଲ୍‌ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌ର ମହମ୍ମଦ ହସିବୁର୍ ରହେମାନ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍‌ସେସ୍ ଭୁବନେଶ୍ୱରର ଡଃ ସଞ୍ଜୀବ କୁମାର ସାହୁ, ବେଙ୍ଗାଲୁରୁ ସ୍ଥିତ ଲାବକର୍ପ ଡ୍ରଗ ଡେଭଲପ୍‌ମେଂଟର ସୁକାନ୍ତ କୁମାର ସାହୁ, କିଟ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ ନିର୍ଦ୍ଦେଶକ ଡଃ ଗୋପାଳ ଚନ୍ଦ୍ର କୁଣ୍ଡୁ, ବେଙ୍ଗାଲୁରୁର କୋଭାନ୍ସ ସାଇନ୍‌ଟିଫିକ୍ ସର୍ଭିସେସ୍ ଆଣ୍ଡ ସଲ୍ୟୁସନ୍‌ସ୍‌ର ମହମ୍ମଦ ଜାଇଘାମ୍ ରବାନି ଏବଂ ବେଙ୍ଗାଲୁରୁ ସ୍ଥିତ ପାରେକ୍ସେଲ୍ ଇଂଟରନ୍ୟାସ୍‌ନାଲ୍‌ର ଡଃ ଜଗନ୍ନାଥ ବେହେରା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ବୈଜ୍ଞାନିକ ଡକ୍ଟର ବାସୁଦେବ ବେହେରାଙ୍କୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ବୈଜ୍ଞାନିକ ଡକ୍ଟର ବାସୁଦେବ ବେହେରାଙ୍କୁ ୨୦୧୯ ମସିହା ପାଇଁ ଡକ୍ଟର ଜେ.ଭେଙ୍କଟେଶ୍ୱରଲୁ ପୁରସ୍କାର ପ୍ରଦାନ କରାଯାଇଛି। ଶୁଷ୍କାଂଚଳ କୃଷି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତ୍ୟେକ ବର୍ଷ ଏହି ପୁରସ୍କାର ହାଇଦରାବାଦ ସ୍ଥିତ ଭାରତୀୟ ଶୁଷ୍କାଂଚଳ କୃଷି ସଂଗଠନ ଦ୍ୱାରା ପ୍ରଦାନ କରାଯାଇଥାଏ।

ଏହି ଉପଲକ୍ଷେ ସୋମବାର ହାଇଦ୍ରାବାଦ ସ୍ଥିତ କେନ୍ଦ୍ରୀୟ ଶୁଷ୍କାଂଚଳ କୃଷି ଗବେଷଣା ପ୍ରତିଷ୍ଠାନ ଓ ଭାରତୀୟ ଶୁଷ୍କାଂଚଳ କୃଷି ସଂଗଠନର ମିଳିତ ଆନୁକୂଲ୍ୟରେ “ଶୁଷ୍କାଂଚଳ କୃଷିରେ ଖାଦ୍ୟ ଓ ପୁଷ୍ଟି ନିରାପତା ପାଇଁ ସମସ୍ୟା ଓ ସୁଯୋଗ” ଉପରେ କର୍ମଶାଳା ଆୟୋଜନ କରାଯାଇଥିଲା। ଅପରାହ୍ଣରେ ପୁରସ୍କାର ପ୍ରଦାନ ଉତ୍ସବ ଉଭୟ ହାଇଦ୍ରାବାଦ ଓ ଭୁବନେଶ୍ୱରରେ ପ୍ରକୃତ ତଥା ଆଭାସି ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା।

ସୋଆ ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ପ୍ରତିଷ୍ଠାନରେ ଆୟୋଜିତ ଏହି ଉତ୍ସବରେ ଉପକୁଳପତି ପ୍ରଫେସର ପି.କେ. ନନ୍ଦ, ଅଧ୍ୟକ୍ଷ ପ୍ରଫେସର ବି.କେ ସାହୁ, ପିଜି ଅଧ୍ୟକ୍ଷ ପ୍ରଫେସର. ପ୍ରେମାନନ୍ଦ ମହାପାତ୍ର, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଭାରତୀୟ ମୃତିକା ଓ ଜଳ ସଂରକ୍ଷଣ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡ. ପି.କେ. ମିଶ୍ର, ଓୟୁଏଟିର ବୈଜ୍ଞାନିକ ଡ. ଦିଲ୍ଲିପ କୁମାର ବସ୍ତିଆ ଓ ଡ. ସୁବ୍ରତ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ହାଇଦ୍ରାବାଦରେ ଆୟୋଜିତ ଉତ୍ସବରେ, କେନ୍ଦ୍ରୀୟ ଶୁଷ୍କାଂଚଳ କୃଷି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଭି.କେ. ସିଂହ, ବୈଜ୍ଞାନିକ ଡ. ଜି. ରବିନ୍ଦ୍ରାଚାରୀ ଓ ଡ. ମହମ୍ମଦ ଓସମାନ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଉତ୍ସବରେ ଡ. ବାସୁଦେବ ବେହେରା ତାଙ୍କର ଗବେଷଣା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପରିଶେଷର ଡ. ବେହେରାଙ୍କୁ ପଦକ, ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ପ୍ରାୟ ୧୦୦୦ ବୈଜ୍ଞାନିକ ଓ ଛାତ୍ରଛାତ୍ରୀ ଆଭାସି ବ୍ୟବସ୍ଥାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ୭୫ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର: ଗତ ଦୁଇ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମଣିଷ ସାମାଜିକ, ଆର୍ଥିକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଛି। କରୋନା ମହାମାରୀ ମାନବ ଜାତିକୁ ଦୋହଲାଇ ଦେଇଛି। ଭାରତରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ତେଣୁ ୭୫ ବର୍ଷରେ ପାଦ ଦେଇଥିବା ସ୍ୱାଧୀନ ଭାରତର ନାଗରିକ ମାନେ ପରିସ୍ଥିତିର ସଠିକ ମୁକାବିଲା କରିବା ନିମନ୍ତେ କୋଭିଡ ନିୟମ ଠିକ୍ ଭାବେ ପାଳନ କରିବା ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମତବ୍ୟକ୍ତ କରିଛନ୍ତି କୁଳପତି ତଥା ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର।

ସୋଆ ମୁଖ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଫେସର ମହାପାତ୍ର ପତାକା ଉତୋଳନ କରି ଭାରତର ସ୍ୱାଧୀନତା ସଂଗ୍ରାମ ଉପରେ ଆଲୋକପାତ କରିଥିଲେ। କୁଳପତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥାଇ ଜାତୀୟ ସଂଗୀତ ଗାନ କରିଥିଲେ।

ପ୍ରଫେସର ମହାପାତ୍ର ଭାରତର ଇତିହାସ ସମ୍ପର୍କରେ ବଖାଣିବା ସହ ୭୪ ବର୍ଷ ତଳେ ୨୦୦ ବର୍ଷର ଇଂରାଜୀ ଶାସନ କବଳରୁ ଦେଶ କିଭଳି ମୁକ୍ତ ହୋଇ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ପୁର୍ନଜନ୍ମ ନେଲା ସେ ସମ୍ପର୍କରେ କହିଥିଲେ।

ତେବେ ସ୍ୱାଧୀନ ଭାରତରେ ଅସାମାଜିକ ତତ୍ୱ ଏବେ ଭି ଭରି ରହିଛନ୍ତି। ତେଣୁ ଆମକୁ ମାନସିକ ଓ ଆର୍ଥିକ ସ୍ତରରେ ସ୍ୱାଧୀନ ହେବା ସହ ମାନବିକତାର ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି ସେ କହିଥିଲେ।

ଅନ୍ୟମାନଙ୍କଧ୍ୟରେ ସୋଆ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ସୋଆ ସଭାପତିଙ୍କର ପ୍ରମୁଖ ଉପଦେଷ୍ଟା ପ୍ରଫେସର ଡି.ପି. ରାୟ, ସୋଆ ରେଜିଷ୍ଟ୍ରାର୍ ପ୍ରଫେସର ବିଭୂତି ଭୁଷଣ ପ୍ରଧାନ, ଜଏଂଟ ରେଜିଷ୍ଟ୍ରାର ଭୀଷ୍ମ ଚରଣ ଦାସ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଚିଫ ଭିଜିଲାନ୍ସ ଅଫିସ ତଥା ନିର୍ଦ୍ଦେଶକ (ରିସୋର୍ସ)ଯୁଗଳକିଶୋର ଦାସ ଓ ନିର୍ଦ୍ଦେଶକ, ବିଶ୍ୱବିଦ୍ୟାଳୟ ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ପ୍ରଫେସର ନଚିକେତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

“ଏକ୍ସିଲେନ୍ସ ଇନ ଏକାଡେମିକ ଲାଇବ୍ରେରି ଆୱାର୍ଡ-୨୦୨୧” ରେ ସମ୍ମାନିତ ହେଲେ ସୋଆ ମୁଖ୍ୟ ଲାଇବ୍ରେରିଆନ୍

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ମୁଖ୍ୟ ଲାଇବ୍ରେରିଆନ ଡ. ଡ଼ି.ବି.ରମେଶ ନିଜ କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ଓ ଦକ୍ଷତା ନିମନ୍ତେ “ଏକ୍ସିଲେନ୍ସ ଇନ ଏକାଡେମିକ ଲାଇବ୍ରେରି ଆୱାର୍ଡ-୨୦୨୧” ନିମନ୍ତେ ମନୋନୀତ ହୋଇଛନ୍ତି।

ଚଳିତ ବର୍ଷ ନିମ୍ବସ ଅନଲାଇନ ପ୍ରାଇଭେଟ ଲିମିଟେଡ ଏବଂ କେନ୍ଦ୍ର ସରକାରଙ୍କ ଲାଇବ୍ରେରି ସଂଘ ପକ୍ଷରୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନର ଆୟୋଜନ କରାଯାଇଛି। କାର୍ଯ୍ୟକ୍ଷେତ୍ରରେ ସଫଳତା, କାର୍ଯ୍ୟଦକ୍ଷତା ଓ ସମର୍ପଣ ଭାବ ନିମନ୍ତେ ଡ. ରମେଶଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥିବା ନେଇ ତାଙ୍କୁ ପ୍ରଦାନ କରାଯାଇଥିବା ସନ୍ଦର୍ଭରେ ଦର୍ଶାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆ ପ୍ରଫେସର ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି। ଗତବର୍ଷ ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ପ୍ରଫେସର ଶୁକ୍ଳାଙ୍କ ନାମ ସ୍ଥାନିତ ହୋଇଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ତାଙ୍କର ଅବଦାନକୁ ନେଇ ଭର୍ଚୁଆଲୀ ଆୟୋଜିତ ହୋଇଥିବା ଜିଟିଇଏ -୨୦୨୧ ଆୱାର୍ଡ ଓ ସମ୍ମିଳନୀ କାର୍ଯ୍ୟକ୍ରମରେ ତାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି।

ଉତ୍କୃଷ୍ଟ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅବିରତ କାର୍ଯ୍ୟଧାରାର ଅବଦାନକୁ ନେଇ ପ୍ରଫେସର ଶୁକ୍ଳାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ମାନପତ୍ରରେ ଉଲ୍ଲେଖ କରାଯାଇଛି। ୧୯୭୧ ମସିହାରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରାଉର୍‌କେଲା (ପୂର୍ବରୁ ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ୍‌ରୁ ବିଏସ୍‌ସି (ଇଞ୍ଜିନିୟରିଂ) ମେଟାଲର୍ଜି ଏବଂ ୧୯୭୩ ମସିହାରେ ଏମ୍‌ଟେକ୍ ମେଟାର୍ଲଜି ହାସଲ କରିଥିବା ପ୍ରଫେସର ଶୁକ୍ଳା ହାଇଡ୍ରୋମେଟାର୍ଲଜି, ବାୟୋହାଇଡ୍ରୋମେଟାର୍ଲଜି, ୱେଷ୍ଟ ମ୍ୟାନେଜମେଂଟ, ଏନ୍‌ଭାରନ୍‌ମେଂଟାଲ୍ ମାଇନିଂ ମ୍ୟାନେଜମେଂଟ ଆଣ୍ଡ ରି-ସାଇକ୍ଲିଂ କ୍ଷେତ୍ରରେ ଅନେକ କାର୍ଯ୍ୟ କରୁଛନ୍ତି। ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନକୁ ନେଇ ସେ ଅନେକ ସମ୍ମାନ ଗ୍ରହଣ କରିଛନ୍ତି।

ପ୍ରଫେସର ଶୁକ୍ଳା ପୂର୍ବରୁ ଭୁବନେଶ୍ୱର ସ୍ଥିତ ସିଏସ୍‌ଆଇଆର୍ – ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍‌ସ ଟେକ୍ନୋଲୋଜିର ବାୟୋ ରିସୋର୍ସେସ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ରହିଥିବା ବେଳେ ତାଙ୍କର ବାୟୋ ମିନେରାଲ୍ ପ୍ରୋସେସିଂ କ୍ଷେତ୍ରରେ ୪୫ ବର୍ଷର ଗବେଷଣା ଅଭିଜ୍ଞତା ରହିଛି।

ସେ ସିଏସ୍‌ଆଇଆର୍ ଏମେରିଟସ ସାଇନ୍‌ଟିଷ୍ଟ ଏବଂ ନୂଆଦିଲ୍ଲୀ ସ୍ଥିତ ଏକାଡେମୀ ଅଫ ସାଇନ୍‌ଟିଫିକ୍ ଆଣ୍ଡ ଇନୋଭେଟିଭ୍ ରିସର୍ଚ୍ଚ (ଏସିଏସ୍‌ଆଇଆର)ର ଏମେରିଟସ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ଲଘୁଚାପ, ବଡ ଧରଣର ବର୍ଷା ସମ୍ଭାବନା: ସୋଆ ଜଳବାୟୁ କେନ୍ଦ୍ର

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ବଡ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାର ଓଡ଼ିଶା ଉପକୂଳରେ ଏହି ଲଘୁଚାପର ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ଶନିବାର ଅପରାହ୍ଣ ସୁଦ୍ଧା ଏହା ଉତର ଆଡକୁ ମୁହାଁଇ ବିହାର ଅଭିମୁଖେ ଯିବ ବୋଲି ସିଇସି ବୁଲେଟିନ୍‌ରେ କୁହାଯାଇଛି।

ଏହାର ପ୍ରଭାବରେ ଜୁଲାଇ ୨୨ ତାରିଖ ରାତିରୁ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଂଚଳରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, ଯାଜଯୁର, କେନ୍ଦ୍ରାପଡା, ଢ଼େଙ୍କାନାଳ, ଅନୁଗୁଳ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନ୍‌ପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡା ଏବଂ ରାୟଗଡା ପ୍ରଭୃତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି।

ସେହିପରି ଜୁଲାଇ ୨୮ ତାରିଖ ବେଳକୁ ବାଂଲାଦେଶ ଏବଂ ଏହାର ସଂଲଗ୍ନ ଉତର ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବା ବେଳେ ଏହା ଉତ୍ତର ପଶ୍ଚିମ ଦିଗ ଆଡକୁ ଗତି କରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ଆଡକୁ ମୁହାଁଇବ ବୋଲି ଜଣାପଡ଼ିଛି। ଏହାର ପ୍ରଭାବ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ବୁଲେଟିନ୍‌ରେ କୁହାଯାଇଛି।

ଏହାର ପ୍ରଭାବରେ ଜୁଲାଇ ୨୮ ତାରିଖ ଅପରାହ୍ଣରୁ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଅନୁଗୁଳ ଓ ଯାଜପୁର ପ୍ରଭୃତି ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବୁଲେଟିନ୍‌ରେ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୧୫ ବର୍ଷରେ ସୋଆ: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର

ଭୁବନେଶ୍ଵର: ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି। ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି
ବିଶ୍ୱବିଦ୍ୟାଳୟର ବିଶେଷତ୍ୱ।

ସୋଆ ଭାବେ ପରିଚିତ ଏହି ଡିମ୍‌ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ଏବେ ପୃଥିବୀରେ ବିଭିନ୍ନ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ। ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରମାଣିତ କରି ସୋଆ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି ।

୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ଆକ୍ଟ , ୧୯୫୬ର ସେକ୍ସନ୍ ୩ ଅନୁଯାୟୀ କେନ୍ଦ୍ର ସରକାର ସୋଆକୁ ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ। ବର୍ତ୍ତମାନ ଦେଶ ତଥା ବିଦେଶରୁ ୧୨୦୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସୋଆରେ ଶିକ୍ଷା ଗ୍ରହଣ କରୁଛନ୍ତି।

ମାତ୍ର ୧୪ ବର୍ଷର ଏହି ବିଶ୍ୱବିଦ୍ୟାଳୟ ସଫଳତାର ଶିଢ଼ି ଚଢ଼ିଚାଲିଥିବା ବେଳେ ୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ବିଗତ ୫ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ କ୍ରମାଗତ ଭାବେ ନିଜର ସ୍ଥାନ ବଜାୟ ରଖିଛି।

ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ ୨୦୨୨ରେ ସୋଆ ବିଶ୍ୱ ସ୍ତରରେ ୮୦୧-୧୦୦୦ ବ୍ରାକେଟ୍ ମଧ୍ୟରେ ସ୍ଥାନ ହାସଲ କରିଥିବା ବେଳେ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍ ୨୦୨୧ରେ ୩୫୧ ରୁ ୪୦୦ ବ୍ରାକେଟ୍ ମଧ୍ୟରେ ସ୍ଥାନୀତ ହୋଇଛି।

ସେହିପରି ୨୦୨୦ରେ ଉଚ୍ଚକୋଟୀର ପାରଦର୍ଶିତା ନିମନ୍ତେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ଡାଏମଣ୍ଡ ୟୁନିଭର୍ସିଟି ରେଟିଙ୍ଗ୍ ହାସଲ କରିଛି ସୋଆ। ପୂର୍ବ ଭାରତର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବେ କୋଭିଡ୍ ୧୯ ଲକ୍‌ଡାଉନ୍ ସମୟରେ ଅନ୍‌ଲାଇନ୍ ଶିକ୍ଷା ପ୍ରଦାନ ଓ ପାଠ୍ୟକ୍ରମ ପରିଚାଳନା ନିମନ୍ତେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଇ-ଲିଡ୍ ସମ୍ମାନ ମିଳିଛି।

ସେହିପରି ଟାଇମ୍‌ସ ହାୟର୍ ଏଜୁକେସନ୍ (ଟିଏଚ୍‌ଇ) ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍ ୨୦୨୧ରେ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଙ୍ଗ କ୍ଷେତ୍ରରେ ୧୦୦୧ ପ୍ଲସ୍ କ୍ୟାଟେଗୋରିରେ ସୋଆ ସ୍ଥାନ ପାଇଥିବା ବେଳେ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଓ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ୬୦୧ ରୁ ୮୦୦ ବ୍ରାକେଟ୍‌ରେ ସ୍ଥାନ ପାଇପାରିଛି। ସେହିପରି ହେଲ୍‌ଥ ସାଇନ୍‌ସେସ୍ କ୍ୟାଟେଗୋରିରେ ସୋଆ ୬୦୧ ପ୍ଲସ୍ ର‌୍ୟାଙ୍କରେ ରହିଥିବା ବେଳେ ଟିଏଚ୍‌ଇ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସ ୨୦୨୧ରେ ୪୦୧ ପ୍ଲସ୍ ବ୍ରାକେଟରେ ସ୍ଥାନ ପାଇଛି। ସେହିପରି ଟିଏଚ୍‌ଇ ଏମିର୍ଜିଂ ଇକୋନୋମିଜ୍ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସ ୨୦୨୧ ରେ ୫୦୦ ପ୍ଲସ୍‌ କ୍ୟାଟେଗୋରିରେ ସ୍ଥାନିତ ହୋଇଛି ସୋଆ।

ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିସନ୍ କାଉନ୍‌ସିଲ୍ (ନାକ୍‌) ସୋଆକୁ ଉନ୍ନତମାନର ଗୁଣାତ୍ମକ ଓ ଶୈକ୍ଷିକ କାର୍ଯ୍ୟଧାରା ନିମନ୍ତେ ‘ଏ’ ଗ୍ରେଡ୍‌ରେ ରିଆକ୍ରେଡିଟେଡ୍ କରିଛି। ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସୋଆର ୧୧ ଜଣ ଗବେଷକ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଛନ୍ତି।

ସୋଆରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମ୍ୟାନେଜମେଂଟ, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍‌, ନର୍ସିଂ, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ବାୟୋଟେକ୍ନୋଲୋଜି, ହସ୍ପିଟାଲ ମ୍ୟାନେଜମେଂଟ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲ ଏବଂ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ କ୍ଷେତ୍ରରେ ୨୪ଟି ଅଣ୍ଡର ଗ୍ରାଜୁଏଟ୍ ,୬୭ ପୋଷ୍ଟ ଗ୍ରାଜୁଏଟ୍‌, ୧୫ ପୋଷ୍ଟ ମାଷ୍ଟର୍ସ, ପିଏଚ୍‌ଡି ଏବଂ ପୋଷ୍ଟ ଡକ୍ଟରାଲ୍ ପାଠ୍ୟକ୍ରମ ଉପଲବ୍ଧ।

ପ୍ରତ୍ୟେକ ବର୍ଷ ସୋଆର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ ପାଉଛନ୍ତି। କୋଭିଡ୍ ମହାମାରୀ ସତ୍ୱେ ୨୦୨୧ରେ ଗ୍ରାଜୁଏଟ୍ ହେଉଥିବା ସୋଆର ୯୧ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ମାଇକ୍ରୋସଫ୍‌ଟ, ଆମାଜନ୍‌, ଫିନାଷ୍ଟ୍ରା, ରବର୍ଟ ବୋସ, ଡେଲ୍‌, ପିଡବ୍ଲୁସି, କ୍ଲାଉଡ୍‌ଗିନ଼୍ ଡିଲଏଟ୍‌, ଇନ୍‌ଫର୍ମାଟିକା, ଟେମେନୋସ୍‌, ମ୍ୟାକ୍ ସଫ୍ଟୱେର, ଏନ୍‌ପିସିଆଇ, ସେଲ୍‌ସଫୋର୍ସ ଓ ରାପ୍ୟୁଟା ରୋବୋଟିକ୍ସ ଭଳି କମ୍ପାନୀରେ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ ପାଇଛନ୍ତି।

ଅଧିକାଂଶ ଛାତ୍ରଛାତ୍ରୀ ଏକରୁ ଅଧିକ କମ୍ପାନୀରେ ଚାକିରୀ ସୁଯୋଗ ପାଇଥିବା ବେଳେ ପ୍ରାୟ ୯୦ଟି କମ୍ପାନୀ ଏହି ରିକ୍ରୁଟମେଂଟ ନିମନ୍ତେ ସୋଆ କ୍ୟାମ୍ପସ୍‌କୁ ଆସିଥିଲେ।ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ଏହି ବିଶ୍ୱବିଦ୍ୟାଳୟ ନିକଟରେ ୭୭୩୪ ସ୍କୋପସ୍ ଇଣ୍ଡେକ୍ସ ପ୍ରକାଶନ ରହିଥିବା ବେଳେ ଏହାର ଏଚ୍‌-ଇଣ୍ଡେକ୍ସ ୭୦ ରହିଛି।

ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍ ମେଡିସିନ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଓ ସମ୍ ହସ୍ପିଟାଲ୍ ଏକ ୧୬୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଯାହା ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ରୋଗୀମାନେ ଏଠାରେ ସୁଲଭ ମୂଲ୍ୟରେ ଉତମ ଚିକିତ୍ସା ପାଇପାରୁଛନ୍ତି।

ଗତବର୍ଷ କୋଭିଡ ମହାମାରୀର ପ୍ରଥମ ଲହରୀ ରାଜ୍ୟକୁ ଆକ୍ରାନ୍ତ କରିବା ସମୟରେ ସୋଆ ଏହି ଭୟଙ୍କର ପରିସ୍ଥିତିର ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହା ସରକାରଙ୍କ ସହଯୋଗିତାରେ ଓଡ଼ିଶାରେ ୨୩୪୧ଟି ଶଯ୍ୟା ବିଶିଷ୍ଟ ୪ ଟି କୋଭିଡ ହସ୍ପିଟାଲ୍ ତଥା ୨ଟି କୋଭିଡ କେୟାର ସେଂଟରର ପରିଚାଳନା କରି ଏହି ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ଚିକିତ୍ସା କରିବାରେ ସଫଳ ହୋଇଥିଲା। ଏହି କୋଭିଡ ହସ୍ପିଟାଲ୍ ଗୁଡ଼ିକ ଭୁବନେଶ୍ୱର, ତାଳଚେର, କେନ୍ଦ୍ରାପଡା ଓ ଚାନ୍ଦପୁର ଠାରେ ସ୍ଥାପିତ ହୋଇଥିବା ବେଳେ କୋଭିଡ କେୟାର ସେଂଟର ଗୁଡ଼ିକ ଜଟଣୀ ଓ ଜାମୁଝରି ଠାରେ ସ୍ଥାପିତ ହୋଇଥିଲା।

ସେହିପରି ଚଳିତ ବର୍ଷ ରାଜ୍ୟ ମହାମାରୀର ଦ୍ୱିତୀୟ ଲହରୀର ସମ୍ମୁଖୀନ ହୋଇଥିବା ବେଳେ ସୋଆ ପକ୍ଷରୁ ସରକାରଙ୍କ ସହାୟତାରେ ଭୁବନେଶ୍ୱର, କେନ୍ଦ୍ରାପଡା, ତାଳଚେର, ଚାନ୍ଦପୁର ଓ ପୁରୀ ଠାରେ ୨୨୦୦ ରୁ ଅଧିକ ଶଯ୍ୟା ବିଶିଷ୍ଟ ୫ଟି ଡାକ୍ତରଖାନା ଓ ଜଟଣୀ ଠାରେ ଏକ କୋଭିଡ କେୟାର ସେଂଟର ପରିଚାଳନା କରାଯାଉଛି। ଏଥିରେ ଆଇଏମ୍‌ଏସ୍ ଓ ସମ୍‌
ହସ୍ପିଟାଲ୍‌ର ୫୦୦ ଡାକ୍ତରଙ୍କ ସହ ଅସଂଖ୍ୟ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହୋଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସୋଆରେ ପାଳିତ ହେଲା ୭୨ତମ ବନମହୋତ୍ସବ ସପ୍ତାହ

ଭୁବନେଶ୍ୱର: କରୋନା ମହାମାରୀ ଏବଂ ତଦଜନିତ ଲକଡାଉନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନଏସଏସ ଶାଖା ନିଆରା ଢ଼ଙ୍ଗରେ ବନମହୋତ୍ସବ ପାଳନ କରିଛି। ସୋଆ ଏନଏସଏସ ବ୍ୟୁରୋ ପକ୍ଷରୁ “ଇଚ ୱାନ, ପ୍ଲାଂଟ ୱାନ’ (ଗୋଟିଏ ପିଲା, ଗୋଟିଏ ଗଛ) ଶ୍ଳୋଗାନରେ ଅନୁପ୍ରାଣିତ ହୋଇ ପ୍ରାୟ ୫୦୦ ସ୍ୱେଚ୍ଛାସେବୀ ନିଜ ଘରର ଚତୁଃପାଶ୍ୱର୍ ଏବଂ ନିକଟବର୍ତୀ ଅଂଚଳରେ ବିଭିନ୍ନ ପ୍ରକାରର ଚାରା ରୋପଣ
କରିଛନ୍ତି।

ବନମହୋତ୍ସବ ସପ୍ତାହ ଅବସରରେ ଜୁଲାଇ ୧ ରୁ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଏଥି ନିମନ୍ତେ ଆୟୋଜିତ ୱେବିନାରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସୋଆ କୂଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ ଯଦି ପ୍ରକୃତି ଡାଇନୋସୋର ଭଳି କେତେକ ପ୍ରଜାତିର ଜୀବକୁ ଲୋପକରିପାରେ ମଣିଷ ବା କାହିଁକି ନିଶ୍ଚିହ୍ନ ନହେବ? ଯେଉଁଭଳି ଭାବରେ ପାଣି ଓ ପବନ ଦୂଷିତ ହେବାରେ ଲାଗିଛି ଓ ଜଙ୍ଗଲ ସମ୍ପଦର କ୍ଷୟ ଘଟୁଛି, ସାବଧାନ ନହେଲେ ବଂଚିବା ଅସମ୍ଭବ ବୋଲି ପ୍ରଫେସର ମହାପାତ୍ର କହିଥିଲେ।

ଏହି ଅବସରରେ ମୁଖ୍ୟବକ୍ତାଭାବେ ଯୋଗଦେଇ ଓଡ଼ିଶା ପରିବେଶ କଂଗ୍ରେସର ପ୍ରତିଷ୍ଠାତା ସମ୍ପାଦକ ସୁଦର୍ଶନ ଦାସ କହିଥିଲେ ଯେ ମଣିଷ ଆଜି ଛିଡା ହୋଇଛି ପ୍ରଶ୍ନର ଦୋଛକିରେ, ଆର୍ଥିକ ପ୍ରଗତି ଆଗେ ନା ପରିବେଶ ସୁରକ୍ଷା ଆଗେ? ଏହି ପ୍ରଶ୍ନର ସମାଧାନରେ ନିହିତ ରହିଛି ଆମର ଅସ୍ତିତ୍ୱ। ଆଗ ବଂଚିଲେ ଯାଇ ଯାବତୀୟ ପ୍ରଗତିର ମୂଲ୍ୟ ରହିଛି।

ସୋଆର ଆଉଟରିଚ କାର୍ଯ୍ୟକ୍ରମ ସମ୍ପର୍କରେ ଖୁସି ବ୍ୟକ୍ତ କରି ବନମହୋତ୍ସବ, ବୃକ୍ଷ ରୋପଣ ସହିତ ଜଳ ସଂରକ୍ଷଣ ଉପରେ ମଧ୍ୟ ସୋଆ ଏନଏସଏସ କାର୍ଯ୍ୟ ଜାରି ରଖୁ ବୋଲି ସେ କହିଥିଲେ।

ସୋଆର ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ତଥା ଏନଏସଏସ ସଂଯୋଜକ ପ୍ରଫେସର ନଚିକେତା ଶର୍ମା ବୃକ୍ଷରୋପଣ କାର୍ଯ୍ୟକ୍ରମର ଏକ ସଂକ୍ଷିପ୍ତ ବିବରଣୀ ଦେଇଥିଲେ। ଇନଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନସେସର ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଉଭୟ ଗୁଗୁଲ ମିଟ୍ ଓ ୟୁଟ୍ୟୁବରେ ପ୍ରସାରିତ କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ସୋଆ ଛାତ୍ରଛାତ୍ରୀ, ଡିନ ଓ ପ୍ରୋଗ୍ରାମ ଅଫିସର ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି ସ୍ବାସ୍ଥ୍ୟ

ସୋଆରେ ପାଳିତ ହେଲା ସପ୍ତମ ବିଶ୍ୱ ଯୋଗ ଦିବସ

ଭୂବନେଶ୍ଵର: ସୋଆ ଏନଏସଏସ, ୱେଲନେସ ସେଣ୍ଟର ତଥା ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଏକ ୱେବିନାର ଆୟୋଜିତ ହୋଇଯାଇଛି। ଗତ ଜୁନ ୭ ତାରିଖରୁ ପନ୍ଦର ଦିନ ଧରି ପ୍ରତ୍ୟହ ସକାଳ ସାତରୁ ଆଠଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ଚାଲିଥିବା ଅନଲାଇନ ପାକ୍ଷିକ ଯୋଗ ଶିବିରର ଉଦ୍ ଯାପନୀ ଉତ୍ସବ ମଧ୍ୟ ସୋମବାର ଅନୁଷ୍ଠିତ ହୋଇ ଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ଼.ଏଚ୍.ଆର୍. ନଗେନ୍ଦ୍ର, କୁଳାଧିପତି, ଏସ୍ -ଭ୍ୟାସା ତାଙ୍କ ଭିଡ଼ିଓ ସମ୍ବାଦରେ କିପରି ସମସ୍ତ ରୋଗର ମୁକାବିଲା ପାଇଁ ଭଗବାନ ଆମକୁ ରୋଗ ପ୍ରତିରୋଧକ ଶକ୍ତି ଦେଇଛନ୍ତି ଓ ଏହା ବିଗିଡ଼ି ଗଲେ ଆମ ଶରୀର ସକଳ ରୋଗର ଶିକାର ହୋଇଥାଏ ସେ ସମ୍ପର୍କରେ ଅବଗତ କରାଇଥିଲେ।

ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ସମନ୍ଵୟ ହିଁ ଯୋଗ । ଅନ୍ୟତମ ଅତିଥି ସ୍ଵାମୀ ସୁଧାନନ୍ଦ ମହାରାଜ ଶରୀରରକ୍ଷାର ତିନୋଟି ପ୍ରମୁଖ ସ୍ତମ୍ଭ ଆହାର, ନିଦ୍ରା, ମୈଥୁନ ବିଷୟରେ କହିଥିଲେ। ଏହି ତିନୋଟିର ଅସଂଯମତାହିଁ ରୋଗର କାରଣ ହୋଇଥାଏ। ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ସମଗ୍ର ଜୀବନ ଓ ଯୋଗ ର ମହାତ୍ମ୍ୟ ଗୀତା ଓ ମହାଭାରତରୁ ଉଦାହରଣ ଦେଇ ବୁଝାଇଥିଲେ।

ଡିନ ଛାତ୍ର ମଙ୍ଗଳ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଅତିଥି ପରିଚୟ ଦେଇଥିଲେ। ଯୋଗ ଶିକ୍ଷକ ଶ୍ରୀ ଅଖିଳ ଚନ୍ଦ୍ର ରଣା ଆବାହନୀ, ଶାନ୍ତିପାଠ ସହିତ ସାଧାରଣ ଯୋଗ ପ୍ରୋଟୋକଲ ବିଷୟରେ କହିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏନଏସଏସ ପ୍ରୋଗ୍ରାମ ସଂଯୋଜକ ତଥା ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ର. ନଚିକେତା ଶର୍ମା ଅନଲାଇନ ପାକ୍ଷିକ ଯୋଗ ଶିବିରର ବିବରଣୀ ସହିତ ଲକ୍ ଡ଼ାଉନ ସମୟରେ ବିଶ୍ଵବିଦ୍ୟାଳୟରେ ହୋଇଥିବା ଅନଲାଇନ କାର୍ଯ୍ୟକ୍ରମ ସମୂହର ସମ୍ୟକ ସୂଚନା ଦେଇଥିଲେ।

ଗୁଗୁଲ ମିଟ୍ ଓ ୟୁଟିଉବ୍ ରେ ପ୍ରସାରିତ କାର୍ଯ୍ୟକ୍ରମରେ ଡିନ୍, ପ୍ରୋଗ୍ରାମ ଅଫିସର, ଅଧ୍ୟାପକ, ଅଧ୍ୟାପିକା, ବିଶ୍ଵବିଦ୍ୟାଳୟ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିଶ୍ଵବିଦ୍ୟାଳୟର ବହୁସଂଖ୍ୟକ ଏନଏସଏସ ଛାତ୍ରଛାତ୍ରୀ ନିଜ ଘରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପ୍ରଣିତ କମନ୍ ଯୋଗ ପ୍ରୋଟୋକଲ ଭିତ୍ତିରେ ଆସନ ଓ ପ୍ରାଣାୟମ କରି ଯୋଗ ଦିବସ ପାଳନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କ୍ୟୁଏସ୍ ୱାଲ୍‌ର୍ଡ ୟୁନିଭରସିଟି ର‌୍ୟାଙ୍କିଂରେ ସ୍ଥାନ ପାଇଲା ଶିକ୍ଷା ଓ ଅନୁସନ୍ଧାନ

ଭୁବନେଶ୍ୱର: ସମ୍ମାନଜନକ କ୍ୟୁଏସ୍ ୱାଲର୍ଡ ୟୁନିଭରସିଟି ର‌୍ୟାଙ୍କିଂସ୍ ୨୦୨୨ ସଂସ୍କରଣରେ ଓଡ଼ିଶାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସ୍ଥାନ ପାଇବାର ସଫଳତା ଅର୍ଜନ କରିଛି। ମଙ୍ଗଳବାର ପ୍ରକାଶିତ ଏହି ର‌୍ୟାଙ୍କିଂସ୍‌ରେ ସ୍ଥାନ ପାଇଥିବା ଭାରତର ୩୫ଟି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଓଡ଼ିଶାରୁ ସୋଆ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି, ଭୁବନେଶ୍ୱର ରହିଛନ୍ତି।

ଓଡ଼ିଶାରୁ ଏହି ସମ୍ମାନଜନକ ର‌୍ୟାଙ୍କିଂ ଅର୍ଜନ କରିଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ୯ ଟି ଆଇଆଇଟି, ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ରହିଥିବା ବେଳେ ଏହାର ୮୦୧-୧୦୦୦ ବ୍ରାକେଟ୍‌ ମଧ୍ୟରେ ସୋଆ ସ୍ଥାନ ପାଇଛି।

ସେହିପରି ସୋଆ ସମେତ ଭାରତର ୩ଟି ଡିମ୍‌ଡ୍ ଟୁ ବି ୟୁନିଭରସିଟି ଏହି ର‌୍ୟାଙ୍କିଂରେ ସ୍ଥାନ ପାଇଛନ୍ତି। ସାରା ବିଶ୍ୱର ୯୩ଟି ଦେଶର ଅସଂଖ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିର ସଫଳତାକୁ ବିଶ୍ଲେଷଣ କରାଯାଇଥିବା ବେଳେ ୧୩୦୦ଟି ଶିକ୍ଷାନୁଷ୍ଠାନକୁ ସେମାନଙ୍କର ଶୈକ୍ଷିକ ପ୍ରତିଷ୍ଠା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଫାକଲଟିମାନଙ୍କ ସନ୍ଦର୍ଭ, ଫାକଲଟି ଛାତ୍ର ଅନୁପାତ, ଆନ୍ତର୍ଜାତୀକ ଫାକଲଟି ଓ ଆନ୍ତର୍ଜାତୀକ ଛାତ୍ରଛାତ୍ରୀ ଭଳି ବିଭିନ୍ନ ମାପଦଣ୍ଡକୁ ନେଇ ଏହି ର‌୍ୟାଙ୍କିଂ ପ୍ରସ୍ତୁତ କରାଯାଇଛି।

ଏହି ସଫଳତାରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଖୁସି ପ୍ରକଟ କରି ଏଥିନିମନ୍ତେ ବିଶ୍ୱବିଦ୍ୟାଳୟର ସଭାପତିଙ୍କ ପ୍ରେରଣା, ବିଭିନ୍ନ ଶିକ୍ଷାନୁଷ୍ଠାନର ଡିନ୍‌, ଫ୍ୟାକଲଟି ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପରିଶ୍ରମ ଓ ଆନ୍ତରିକ ପ୍ରଚେଷ୍ଟା ଅନୁଷ୍ଠାନକୁ ଏହି ସଫଳତା ଆଣି ଦେଇଛି ବୋଲି କହିଛନ୍ତି। ଏହି ର‌୍ୟାଙ୍କିଂ ବିଶ୍ୱବିଦ୍ୟାଳୟକୁ ଅଧିକ ଆଗକୁ ଯିବାକୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି।

ଏହି ଅବସରରେ ମହାମାରୀ ସତ୍ତ୍ୱେ ଫ୍ୟାକଲଟିମାନଙ୍କର ଶିକ୍ଷାଦାନ ଓ ହସପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଦ୍ୱାରା କୋଭିଡ ସଂକ୍ରମିତ ହଜାର ହଜାର ଲୋକଙ୍କର ଉତ୍ସର୍ଗୀକୃତ ସେବାକୁ ପ୍ରଫେସର ମହାପାତ୍ର ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପାଳିଲା ବିଶ୍ଵ ପରିବେଶ ଦିବସ: ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାନପତ୍ର

ଭୂବନେଶ୍ଵର: ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟର ଆନୁକୂଲ୍ୟରେ ବିଶ୍ଵ ପରିବେଶ ଦିବସ ଅବସରରେ ଏକ ଅନ୍ ଲାଇନ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ, ଇଂରାଜୀ, ହିନ୍ଦୀ ଭାଷାରେ ସମାନ୍ତରାଳ ଭାବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୪୦ ରୁ ଅଧିକ ପ୍ରତିଯୋଗୀ ‘ନବୋଦ୍ୟମ, ସୃଜନା, ସଂରକ୍ଷଣ: ପରିବେଶ ଦିବସର ଗୁରୁତ୍ଵ’ ବିଷୟରେ ମନ୍ତବ୍ୟ ରଖି ଥିଲେ।

କୋଭିଡ -୧୯ ମହାମାରୀ ପରିବେଶ ସୁରକ୍ଷାର ଗୁରୁତ୍ଵକୁ ସାରା ପୃଥିବୀରେ ଆଗ ଅପେକ୍ଷା ବହୁଗୁଣ ବଢାଇ ଦେଇଛି। ଅନେକେ ସେମାନଙ୍କ ବକ୍ତବ୍ୟ ଏଇ ଚେତାବନୀ ସହିତ ସମାପ୍ତ କରିଛନ୍ତି, “ସମସ୍ତେ ଯେହେତୁ ଯୋଡ଼ା, ପ୍ରକୃତି ଓ ପରିବେଶର ଉପେକ୍ଷା ଅର୍ଥାତ୍ ମଣିଷର ସମୂଳ ବିନାଶ”।

ଡ. ଚକ୍ରଧର ପାତ୍ର, ଡ. ଶୁଭପ୍ରଦ ଦାଶ, ଶୁଭମ୍ ଆଚାର୍ଯ୍ୟ, ଅଜୟ କର୍ଣ୍ଣ, ଦିବ୍ୟ ରଞ୍ଜନ ଦଳାଇ, ଡ. ଅଂଶୁମାନ ଜେନା ଓ ସରୋଜ କୁମାର ମହାନ୍ତି ବିଚାରକ ଥିଲେ ଓ ଏନଏସଏସ ଅତିରିକ୍ତ ପ୍ରୋଗ୍ରାମ ସଂଯୋଜକ ଡ଼.ଶୋଭନ ପଟ୍ଟନାୟକ ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରତୀକ ଦାଶ, ଅମିତ ପଣ୍ଡା, ବିଶାନ୍ତ ନାୟକ ଓ ଅମିତ ଅଗସ୍ତି।

ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଓ ଏନଏସଏସ ସଂଯୋଜକ ଡ଼ଃ ନଚିକେତା ଶର୍ମା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସଂଗଠିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତ୍ୟେକ ବର୍ଗରୁ ତିନି ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଉପକୂଳ ପାଖେଇଲା ‘ୟଶ’: ଅଧିକ ବିପଦରେ ବାଲେଶ୍ୱର

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ୟଶ’ ବର୍ତ୍ତମାନ ପାରାଦୀପ ଠାରୁ ୨୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦୂରରେ ଥିବା ବେଳେ ବୁଧବାର ସକାଳ ସୁଦ୍ଧା ଏହା ବାଲେଶ୍ୱର ଜିଲ୍ଲା ସୋର- ବାହାନଗା ନିକଟରେ ଓଡିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି।

ଏହି ସାମୁଦ୍ରିକ ଝଡ଼ ଉତ୍ତର-ଉତ୍ତରପୂର୍ବ ଦିଗ ଦେଇ ଗତି କରିବାର ସମ୍ଭାବନା ଥିବାବେଳେ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ହେବ ବୋଲି ସିଇସି ର ନିର୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏହି ଝଡ ବୁଧବାର ମଧ୍ୟରାତ୍ରି ଓ ଭୋର ୪ଟ। ମଧ୍ୟରେ ଲାଣ୍ଡଫଲ କରିପାରେ ବୋଲି ଆକଳନ କରିଛନ୍ତି ଡକ୍ଟର ସାହୁ।

ଭୁବନେଶ୍ୱରରେ ମଙ୍ଗଳବାର ସନ୍ଧ୍ୟାରୁ ସାମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ହେବା ସହ ଏହି ସମୟରେ ପବନର ବେଗ ଘଂଟାପ୍ରତି ୪୦ ରୁ ୫୦ କିଲୋମିଟର ହେବ ବୋଲି ଆଶଙ୍କା କରାଯାଉଛି।

ମଙ୍ଗଳବାର ଅପରାହ୍ନରୁ ଓଡିଶା ଉପକୂଳବର୍ତ୍ତୀ ଜଗତସିଂହପୁରରୁ ବାଲେଶ୍ୱର ଜିଲ୍ଲା ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୧୦୦ କିଲୋମିଟର ହୋଇପାରେ ବୋଲି ଡକ୍ଟର ସାହୁ କହିଛନ୍ତି।

କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,ମୟୁରଭଞ୍ଜ, ଯାଜପୁର, କେଉଁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, ଏବଂ ଅନୁଗୁଳ ପ୍ରଭୃତି ଜିଲ୍ଲା ଗୁଡିକର କେତେକ ଅଂଚଳରେ ମଙ୍ଗଳବାର ରାତିରୁ ଅତି ପ୍ରବଳ ବର୍ଷା ହେବାର ସେ ଅନୁମାନ କରିଛନ୍ତି।

ବାଲେଶ୍ୱର,ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ଯାଜପୁର ଏବଂ ଢେଙ୍କାନାଳ ପ୍ରଭୃତି ଜିଲ୍ଲାରେ ୨୫୦ ମିଲିମିଟର ରୁ ଅଧିକ ପରିମାଣର ବୃଷ୍ଟିପାତ ହେବାର ସମ୍ଭାବନା ଥିବା ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆ ପକ୍ଷରୁ ପ୍ରଥମ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ୍ ଆୟୋଜିତ

ଭୁବନେଶ୍ୱର: ବର୍ତ୍ତମାନ ପରିସ୍ଥିତିରେ ବୃତ୍ତିଗତ ଏବଂ ଗବେଷଣାତ୍ମକ ଲେଖାକୁ ନେଇ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜନ କରାଯାଇଥିବା ୫ ଦିନିଆ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ ସୋମବାର ଶେଷ ହୋଇଯାଇଛି।

ଭର୍ଚୁଆଲୀ ଆୟୋଜିତ ହୋଇଥିବା ଏହି ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷ ମାନେ ଗବେଷଣା ପ୍ରକ୍ରିୟା ଉପରେ ଅଧିକ ଗୁରୁତ୍ୱ ଦେଇଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଗବେଷଣାତ୍ମକ ଲେଖା ନିମନ୍ତେ ବୈଜ୍ଞାନିକ ପଦ୍ଧତି ଉପରେ ଅଧିକ ଆଲୋକପାତ କରିଥିଲେ।

ଏହି ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ୍‌ଟି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍  ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଅଧିନସ୍ଥ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍‌ସେସ୍ ବିଭାଗ ଓ ଇଂଟରଡିସିପ୍ଲିନାରୀ ଜର୍ନାଲ୍ ଫର୍ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍‌ସେସ୍ (ସ୍କୋପସ୍ ଇଣ୍ଡେକ୍ସଡ୍‌) ଏବଂ ଆରିଜୋନା ବିଶ୍ୱବିଦ୍ୟାଳୟର ମିଳିତ ସହଭାଗିତାରେ ଆୟୋଜିତ ହୋଇଥିବା ବେଳେ ପ୍ରାୟ ୫୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ଲେଖା ହେଉଛି ଏକ କଳା ଏବଂ ଏହାକୁ କିଭଳି ବସ୍ତୃତ ଭାବରେ ଲେଖାଯାଇପାରିବ ସେ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷ ମାନେ ବୁଝାଇଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଗୁଜୁରାଟ ଗାନ୍ଧୀନଗର ସ୍ଥିତ ଇନ୍‌ଫ୍ଲିବ୍‌ନେଟ୍ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଜେ.ପି ସିଂହ ଜୋରିଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାଷା ଏବଂ ଏହି ସମ୍ପର୍କିତ ଗବେଷଣାର ଧାରା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆରିଜୋନା ବିଶ୍ୱବିଦ୍ୟାଳୟର ପ୍ରଫେସର ଆଲ୍‌ବ୍ରେଚ୍‌ଟ କ୍ଲାସେନ୍‌, ଭୁବନେଶ୍ୱର ସ୍ଥିତ ଜାଭିୟର ବିଶ୍ୱବିଦ୍ୟାଳୟର ପ୍ରଫେସର ଏଲ୍‌.କେ. ଜେନା, ଟାଇମ୍‌ସ ଅଫ୍  ଇଣ୍ଡିଆ, ନୂଆଦିଲ୍ଲୀ ର ସିନିୟର୍ ଆସିଷ୍ଟାଂଟ ଏଡିଟର୍ ପ୍ରତିଜ୍ଞା ଦାସ ଏବଂ ହାଇଦ୍ରାବାଦ ସ୍ଥିତ ଇଂରାଜୀ ଏବଂ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ ପ୍ରଫେସର ଆନନ୍ଦ
ମହାନନ୍ଦ ଏହି କାର୍ଯ୍ୟକ୍ରମରେ ମତ ବ୍ୟକ୍ତି କରିଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମେକ୍ସିକୋ ବିଶ୍ୱବିଦ୍ୟାଳୟର ପ୍ରଫେସର ତୀର୍ଥ ପ୍ରସାଦ ମୁଖୋପାଧ୍ୟାୟ ଗବେଷଣା କ୍ଷେତ୍ରରେ ଶିକ୍ଷା ଶାସ୍ତ୍ର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଆଇଟିଇଆର୍‌ର ହ୍ୟୁମାନିଟିଜ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସ୍ୱୟଂପ୍ରଭା ଶତପଥୀ ଏହି ଏଫ୍‌ଡିପିର ସଂଯୋଜକ ଥିବା ବେଳେ ବିଭାଗୀୟ ମୁଖ୍ୟ ଡ. କବିତା ଦାସ ସହ ସଂଯୋଜକ ଥିଲେ।

ସେହିପରି ଡ. ଶିବାନୀ ପଟ୍ଟନାୟକ, ଡ. ମାଳବିକା ମହାପାତ୍ର, ଡ. ସୁବିସ୍ମିତା ଲେଙ୍କା, ଡ. ମୌସୁମୀ ଦାଶ, ପ୍ରାଚିଶ୍ରୀ ମିଶ୍ର ଏବଂ ଶ୍ରୀମତି ମୋନାଲିସା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ସ୍କୁଲ୍ ଅଫ୍‌ ଫାର୍ମସ୍ୟୁଟିକାଲ୍ ସାଇନ୍‌ସେସ୍ ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଇଛି।

ଭୁବନେଶ୍ୱର ଉପକଣ୍ଠ ଦଶପୁର ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସୋଆ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ସମସ୍ତଙ୍କ ନିମନ୍ତେ ଏକ ସୁନ୍ଦର ଏବଂ ସୁସ୍ଥ ବିଶ୍ୱ ଗଠନ ଭଳି ଉକ୍ତି ଏହି କାର୍ଯ୍ୟକ୍ରମର ମୂଳ ମନ୍ତ୍ର ଥିଲା। ଏହି ଅବସରରେ କ୍ୟାନ୍ସର ପରୀକ୍ଷା ସହ ସଚେତନତା ନେଇ ମଧ୍ୟ ଆହ୍ୱାନ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ପକ୍ଷରୁ ଡାକ୍ତର ସୌର୍ଯ୍ୟ ରଞ୍ଜନ ଦାସ, ଏସ୍‌ପିଏସ୍ ପକ୍ଷରୁ ଡ. ଶୋଭନ୍‌ ପଟ୍ଟନାୟକ ଏବଂ ଆଇଡିଏସ୍ ର କମ୍ୟୁନିଟି ବିଭାଗର ପିଜି ଛାତ୍ରଛାତ୍ରୀ, ଡ. ଶର୍ମିଷ୍ଠା ମହାନ୍ତି, ଡ. ଶୈଳଜା ପଣ୍ଡା, ଡ. ମର୍ଲିନ୍ ଜେନା ଏବଂ ଡ. ଉପାସନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଆଇଡିଏସ୍ ପକ୍ଷରୁ ଗତ ୫ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ୬ ଦିନ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଅଧିକ ସଂଖ୍ୟକ ଜନସାଧାରଣ ଏହି ମାଗଣା ପରୀକ୍ଷାର ସୁଯୋଗ ଉଠାନ୍ତୁ ବୋଲି ଅନୁରୋଧ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭାରତର ପ୍ରଥମ ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ କୋକ୍ରେନ୍ ସ୍ୱୀକୃତି ପାଇଲା ସୋଆ ପରିଚାଳିତ ଆଇଡିଏସ୍‌

ଭୁବନେଶ୍ୱର: ଭାରତର ପ୍ରଥମ ଏବଂ ଏକମାତ୍ର ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ କୋକ୍ରେନ୍ ଇଣ୍ଡିଆ ନେଟୱାର୍କ ଅଧିନସ୍ଥ କୋକ୍ରେନ୍ ମାନ୍ୟତା ପାଇବାରେ ସଫଳତା ଅର୍ଜନ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍।

୧୯୯୩ ମସିହାରେ ପ୍ରତିଷ୍ଠିତ କୋକ୍ରେନ୍ ହେଉଛି ଏକ ବ୍ରିଟିଶ ଅଣ ଲାଭକାରୀ ସଂସ୍ଥା ଯାହାକି ବିଶ୍ୱ ସ୍ତରରେ ଗବେଷକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ରୋଗୀ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ନୀତି ପ୍ରଣେତାଙ୍କୁ ନେଇ କାର୍ଯ୍ୟ କରିଥାଏ ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତମ ସୁଯୋଗ ସୃଷ୍ଟି କରିବା ନିମନ୍ତେ ସାହାଯ୍ୟ କରିଥାଏ।

ଏହି ଅନୁଷ୍ଠାନ ଡାକ୍ତରୀ ଏବଂ ମୁଖ ଗହ୍ୱର ସ୍ୱାସ୍ଥ୍ୟ ସମ୍ପର୍କିତ ଗବେଷଣା କରିବା ସହ ଉପଯୁକ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପଲବ୍ଧ କରିବାରେ ସାହାଯ୍ୟ କରିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଜଡିତ ଥିବା ଏହି ଅନୁଷ୍ଠାନ ଜନସାଧାରଣଙ୍କ ସହଯୋଗରେ କାର୍ଯ୍ୟ କରେ। ସୋଆ ପକ୍ଷରୁ ଉପଯୁକ୍ତ ଆବେଦନ ପ୍ରକ୍ରିୟା, ଭିତିଭୂମି ଓ ସହାୟତା ତଥା ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ‌ ଲାଇଫ୍ ସାଇନ୍‌ସେସ୍‌ର ସହଯୋଗ ଯୋଗୁଁ ଏହି ମାନ୍ୟତା ମିଳିପାରିଛି ବୋଲି ଆଇଡିଏସ୍‌ର ଡିନ ପ୍ରଫେସର ନୀତା ମହାନ୍ତି କହିଛନ୍ତି।

ଉନ୍ନତମାନର ଏବଂ ବୈଜ୍ଞାନିକ ପଦ୍ଧତିରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଆଇଡିଏସ୍‌ର ଲକ୍ଷ୍ୟ ଯାହା ଦ୍ୱାରା ଲୋକମାନେ ଚିକିତ୍ସା ସମ୍ପର୍କିତ ଉପଯୁକ୍ତ ସୂଚନା ପାଇପାରିବେ ବୋଲି ସେ କହିଥିଲେ।

କୋକ୍ରେନ୍ ଇଣ୍ଡିଆ ନେଟୱାର୍କ ସହ ଜଡିତ ଥିବା ଅନ୍ୟ ପ୍ରମୁଖ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକ ମଧ୍ୟରେ ଖ୍ରୀଷ୍ଟିଆନ ମେଡିକାଲ୍ କଲେଜ, ଭେଲୋର, ଟାଟା ମେମୋରିଆଲ୍ ସେଂଟର୍‌, ମୁମ୍ବାଇ, ଏମ୍‌ସ, ନୂଆଦିଲ୍ଲୀ, ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ଚଣ୍ଡିଗଡ ଓ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ‌ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପଡ଼ିନି ମହାମାରୀର ପ୍ରଭାବ: ସୋଆର ୮୫ ପ୍ରତିଶତ ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ଙ୍କ ପାଇଁ ଉଚ୍ଚମାନର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଏକ ନମ୍ବର ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ୨୦୨୧ ବ୍ୟାଚ୍‌ର ୮୫ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପ୍ରମୁଖ କମ୍ପାନୀଗୁଡ଼ିକରେ ଉଚ୍ଚମାନର ନିଯୁକ୍ତି ସୁଯୋଗ ପାଇଛନ୍ତି।

କୋଭିଡ ମହାମାରୀର କରାଳ ଛାୟା ଶିକ୍ଷା ବ୍ୟବସ୍ଥା ଉପରେ ଭୟଙ୍କର ଭାବେ ପଡ଼ିଥିବା ସତ୍ୱେ ନିଯୁକ୍ତି କ୍ଷେତ୍ରରେ ଖୁବ୍ ସଫଳତା ସାଉଁଟିଛି ସୋଆ। ପ୍ରାୟ ୩୦% ଛାତ୍ରଛାତ୍ରୀ ଡେ-ଜିରୋ ଅର୍ଥାତ୍ ପ୍ରିମିୟମ୍ ନିଯୁକ୍ତି ପ୍ରକ୍ରିୟାରେ ମାଇକ୍ରୋସଫ୍‌ଟ, ଆମାଜନ୍‌, ଫିନାଷ୍ଟ୍ରା, ରବର୍ଟ ବୋସ୍‌, ଡେଲ୍‌, ପିଡବ୍ଲୁସି, କ୍ଲାଉଡ୍‌ଗିନ୍‌, ଡେଲଏଟ୍‌, ଏଚ୍‌ପି ଆଇଏନ୍‌ସି, ଟେମେନସ୍‌, ଇନ୍‌ଫର୍ମାଟିକା,ଏମ୍‌ଏକ୍‌ୁ୍ୟ ସଫ୍ଟୱେୟାର୍‌, ଏନ୍‌ପିସିଆଇ, ସେଲ୍ସଫୋର୍ସ ଏବଂ ରାପ୍ୟୁଟା ରୋବୋଟିକ୍ସ ଭଳି କମ୍ପାନୀରେ ବାର୍ଷିକ ହାରାହାରି ୬.୩ ଲକ୍ଷ ଟଙ୍କାର ପ୍ୟାକେଜ୍‌ରେ ନିଯୁକ୍ତି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ଆମାଜନ୍ ଭଳି କମ୍ପାନୀ ଠାରୁ ବାର୍ଷିକ ୩୦ ଲକ୍ଷ ଟଙ୍କା ପ୍ୟାକେଜ୍‌ର ଅଫର ପାଇଛନ୍ତି। ମହାମାରୀ ସତ୍ୱେ ଅଧିକାଂଶ ଛାତ୍ରଛାତ୍ରୀ ଏକାଧିକ କମ୍ପାନୀରେ ନିଯୁକ୍ତି ଅଫର ପାଇଛନ୍ତି।

ଅନ୍ୟ ୫୫ % ଛାତ୍ରଛାତ୍ରୀ ପ୍ରତିଷ୍ଠିତ ମଲ୍ଟି ନ୍ୟାସ୍‌ନାଲ୍ କମ୍ପାନୀ ଏବଂ ଡେ-ୱାନ୍ ଏବଂ ଡେ-ଟୁ ନିଯୁକ୍ତିଦାତା ଇନ୍‌ଫୋସିସ୍‌, ୱିପ୍ରୋ, କଗ୍ନିଜାଂଟ, କେପ୍‌ଜେମିନି, ଡିଏକ୍ସସି, ହେକ୍ସାୱେର୍‌, ଏଚ୍‌ସିଏଲ୍‌, ଏନ୍‌ଆଇଆଇଟି ଟେକ୍ନୋଲୋଜିସ୍‌, ଏଲ୍ ଆଣ୍ଡ ଟି ଟେକ୍ନୋଲୋଜିସ୍‌, ଇନ୍‌ଫୋଗେନ୍‌, ଟୁଡିପ ଟେକ୍ନୋଲୋଜିସ୍‌, ଭି-କନ୍‌ଷ୍ଟ୍ରକ୍ଟ, ଏନ୍‌ସିସି, ଗ୍ଳୋବାଲ୍ ଏଜ୍ ଏବଂ ଅନ୍ୟାନ୍ୟ ବିଭିନ୍ନ କମ୍ପାନୀରୁ ନିଯୁକ୍ତ ଅଫର ପାଇଛନ୍ତି।

ଏହା ବ୍ୟତୀତ ଖ୍ୟାତି ସମ୍ପନ୍ନ ଡିଜିଟାଲ୍ ମାର୍କେଟିଂ କର୍ପୋରେଟ୍ ମିଡିଆମିଂଟ୍ ମଧ୍ୟ ଏମ୍‌ଓୟୁ ମାଧ୍ୟମରେ ସୋଆର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଆଗ୍ରହ ପ୍ରକାଶ କରିଛି। କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟାର ଶେଷ ସୁଦ୍ଧା ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତିର ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି।

ଚଳିତ ବର୍ଷ ଆଇଟିଇଆର୍‌ର କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟାରେ ୯୦ ରୁ ଅଧିକ କମ୍ପାନୀ ଭାଗ ନେଇଥିଲେ। ଏହା ବ୍ୟତୀତ ସୋଆର ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଅନେକ ପ୍ରତିଷ୍ଠିତ କର୍ପୋରେଟ୍ ସୋଆ କ୍ୟାମ୍ପସ୍‌ରେ ସେମାନଙ୍କର ହବ୍ ପ୍ରତିଷ୍ଠା କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଇଣ୍ଡଷ୍ଟ୍ରିରେ ଅଧିକ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି।

କୋଡିଙ୍ଗ, ଟେକ୍ନୋଲୋଜି, ସଫ୍ଟ ସ୍କିଲ, ଆପ୍ଟିଟ୍ୟୁଡ୍ ଏବଂ କାଉନ୍‌ସେଲିଂ କ୍ଷେତ୍ରରେ ଉତ୍କୃଷ୍ଟ ଧରଣର ଟ୍ରେନିଂ କାର୍ଯ୍ୟକ୍ରମ ଯୋଗେ ସୋଆର ଛାତ୍ରଛାତ୍ରୀମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ଏବଂ ନିଜର ଶିକ୍ଷା ଏବଂ ପାରଦର୍ଶିତାକୁ ଉଚ୍ଚ ସ୍ତରକୁ ନେବାରେ ସଫଳ ହେବେ ବୋଲି ଆଶା କରାଯାଉଛି।

ସେହିପରି ଏକ ୬ ଜଣିଆ ଆଇଟିଇଆର୍ ଛାତ୍ରଛାତ୍ରୀ ଟିମ୍ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ସ୍ମାର୍ଟ ଇଣ୍ଡିଆ ହାକାଥନ୍ – ୨୦୨୦ ରେ ଭାଗ ନେଇ ଓ ଷ୍ଟେଟ୍‌ମେଂଟ ଆର୍‌କେ ୫୭ (ଡିଜିଟାଲ୍ ପୋଲିସିଙ୍ଗ) ସମସ୍ୟାର ସମାଧାନ କରି ଚାମ୍ପିଅନ୍ ହୋଇ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି। ସେହିପରି ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍ ଦ୍ୱାରା ପରିଚାଳିତ ଟିସିଏସ୍ କୋଡ୍ ଭିଟା ସିଜନ୍ ୯ରେ ଉଚ୍ଚକୋଟୀର ପ୍ରଦର୍ଶନ କରି ସଫଳତା ପାଇଛନ୍ତି ସୋଆ ଛାତ୍ରଛାତ୍ରୀ।

କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପାଇଁ ପୂର୍ବ ଭାରତରୁ ସର୍ବାଧିକ ସୋଆରୁ ୯ ଜଣ ଛାତ୍ରଛାତ୍ରୀଙ୍କୁ ମାଇକ୍ରୋସଫ୍ଟ ଭଳି ପ୍ରତିଷ୍ଠିତ କମ୍ପାନୀ ନିଯୁକ୍ତିର ସୁଯୋଗ ଦେଇଥିବା ବେଳେ ୟୁଏସଏ ସ୍ଥିତ ଡେଲଏଟ୍ ପ୍ରିମିୟମ୍ କାଟେଗୋରୀ ଚଏସ୍‌ରେ ବାର୍ଷିକ ୭.୬ ଲକ୍ଷ ପ୍ୟାକେଜ୍‌ରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଛି ଯାହାକି ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ସୁଯୋଗ।

ଅନୁସନ୍ଧାନ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ସୋଆ ପକ୍ଷରୁ ଗବେଷଣା ନିମନ୍ତେ ୧୩ଟି ଗବେଷଣା କେନ୍ଦ୍ର ଏବଂ ୪୨ଟି ଗବେଷଣା ଲାବୋରେଟୋରୀରେ ୨୨ଟି ନିର୍ଦ୍ଦିଷ୍ଟ ମନୋନୀତ ବିଷୟରେ ଗବେଷଣା କରାଯାଉଛି। ସୋଆର ଫାକଲ୍ଟି ଏବଂ ଗବେଷଣାରତ ସ୍କଲାରମାନଙ୍କର ଗବେଷଣାର ତଥ୍ୟ ନିୟମିତ ଭାବରେ ବିଭିନ୍ନ ଖ୍ୟାତିସମ୍ପନ୍ନ ଜାତୀୟ ଏବଂ ଅନ୍ତର୍ଜାତୀକ ଜର୍ନାଲ୍‌ଗୁଡ଼ିକରେ ପ୍ରକାଶ ପାଉଛି।

ବିଶ୍ୱବିଦ୍ୟାଳୟର ନିଜସ୍ୱ ୭୨୬୧ଟି ସ୍କୋପସ୍ ଇଣ୍ଡେକ୍ସଡ ପବ୍ଲିକେସନ୍ ରହିଥିବା ବେଳେ ଏଚ୍ଇ ଣ୍ଡେକ୍ସ ୬୫ ରହିଛି। ସୋଆର ଗବେଷକମାନେ ବର୍ତମାନ ପର୍ଯ୍ୟନ୍ତ ୨୯୯ଟି ପ୍ୟାଟେଂଟ୍ ଦାଖଲ କରିଥିବା ବେଳେ ୫୧୫ଟି ନଭେଲ୍ ଜିନ୍ ସିକ୍ୱେନ୍ସ ଦାଖଲ କରିଛନ୍ତି। ସୋଆ ଅଧିନରେ ୯ଟି ଅନୁଷ୍ଠାନ ପରିଚାଳିତ ହେଉଛି। ସେଗୁଡ଼ିକ ହେଲା ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍‌, ମ୍ୟାନେଜମେଂଟ ସାଇନ୍‌ସେସ୍‌, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ନର୍ସିଂ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍‌ ମ୍ୟାନେଜମେଂଟ, ଲିଗାଲ୍ ଷ୍ଟଡିଜ୍ ଏବଂ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍।

ନ୍ୟାସ୍‌ନାଲ୍ଇ ନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ ୨୦୨୦ରେ ସୋଆ ସାରା ଦେଶରେ ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ସ୍ଥାନ ହାସଲ କରିଥିବା ବେଳେ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି।

ସେହିପରି ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରିଡିଟେସନ୍ କାଉନ୍‌ସିଲ୍ (ନାକ୍‌) ଦ୍ୱାରା ଏ ଗ୍ରେଡ୍ ପାଇ ରିଆକ୍ରେଡିଟେସନ୍ ହାସଲ କରିଛି ସୋଆ। ଉତ୍କୃଷ୍ଟ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପୂର୍ବଭାରତରେ ଏକ ଉଚ୍ଚକୋଟୀର କେନ୍ଦ୍ର ଭାବେ ଉଭା ହୋଇଥିବା ଆଇଟିଇଆର୍‌ ଉଚ୍ଚମାନର ଶିକ୍ଷାଦାନ, ବିଶ୍ୱର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହ ପରାମର୍ଶ କରି ପ୍ରସ୍ତୁତ କରିକୁଲମ୍‌. ଉଚ୍ଚଶିକ୍ଷିତ ଫ୍ୟାକଲ୍ଟି ଓ ଉଚ୍ଚମାନର ନିଯୁକ୍ତି ସୁବିଧା ନିମନ୍ତେ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଛି।

ଆଇଟିଇଆରର ପ୍ରୋଗ୍ରାମ୍ ଗୁଡ଼ିକୁ ଆମେରିକାର ସମ୍ମାନଜନକ ଆକ୍ରେଡିଟେସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି (ଆବେଟ୍‌) ର ମାନ୍ୟତା ମଧ୍ୟ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯୋଗ ଶିଖିଲେ ସୋଆ‌ର ନୂତନ ଡାକ୍ତରୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚଳିତ ବର୍ଷ ନୂତନକରି ଯୋଗ ଦେଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଛି।

ଡକ୍ଟର୍‌ସ ଓରିଏଂଟେସନ୍ ପ୍ରୋଗ୍ରାମ୍ -୨୦୨୧ ଅବସରରେ ଗତ ଫେବୃଆରୀ ୩ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମେଡିକାଲ୍ କଲେଜ୍‌ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆଇଏମ୍‌ଏସ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଉଦ୍‌ଘାଟନ କରିଥିଲେ।

ପ୍ରତ୍ୟହ ଅପରାହ୍ଣ ୩ ଟାରୁ ୫ଟା ପର୍ଯ୍ୟନ୍ତ ନୂତନ ଭାବେ ଯୋଗ ଦେଇ ଥିବା ୨୫୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସୂର୍ଯ୍ୟ ନମସ୍କାର, ଆସନ ଓ ପ୍ରାଣାୟାମ ଯୋଗ ଅଭ୍ୟାସ କରାଇବା ସହ ଓଁକାର ଧ୍ୱନି ମନ ଓ ଶରୀର ଉପରେ କିଭଳି ପ୍ରଭାବ ପକାଇଥାଏ ସେ ନେଇ ଶିକ୍ଷା ପ୍ରଦାନ କରିଥିଲେ ସୋଆର ଯୋଗ ଶିକ୍ଷକ ଶ୍ରୀ ଅଖିଳଚନ୍ଦ୍ର ରଣା। ତାଙ୍କର ଏହି କାର୍ଯ୍ୟକ୍ରମରେ ମନୋଜ ସିଂ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇ.ଏମ.ଏସ ଓ ସମ୍ ହସପିଟାଲ୍‌ରେ ନୂତନ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ

ଭୁବନେଶ୍ୱର: ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍‌ ଆଣ୍ଡ ସମ୍ ହସପିଟାଲର ୧୪ ତମ ଏମ.ବି.ବି.ଏସ (୨୦୨୦-୨୧) ବ୍ୟାଚର ନୂତନ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କର ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆଇ.ଏମ.ଏସ. ଆଣ୍ଡ ସମ୍ ହସପିଟାଲର ଡିନ୍ ପ୍ରଫେସର ଡ. ଗଙ୍ଗାଧର ସାହୁ, ଅଧିକ୍ଷକ ପ୍ରଫେସର ଡ. ପୁଷ୍ପରାଜ ସାମନ୍ତ ସିଂହାର, ଆଡିସନାଲ ଡିନ୍ ପ୍ରଫେସର ଡ. ଅଜୟ କୁମାର ଜେନା, ଆଡିସନାଲ ଡିନ (ପରୀକ୍ଷା) ପ୍ରଫେସର ଡ. ରଚିତା
ଷଡ଼ଙ୍ଗୀ, ଆଡିସନାଲ ସୁପରିଟେଣ୍ଡେଂଟ ପ୍ରଫେସର ଡ. ରାଜେଶ କୁମାର ଲେଙ୍କା ପ୍ରମୂଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

ପ୍ରାରମ୍ଭରେ ଡିନ୍ ପ୍ରଫେସର ସାହୁ ତାଙ୍କ ସ୍ୱାଗତ ଭାଷଣ ମାଧ୍ୟମରେ ସୋଆ ସହିତ ଆଇ.ଏମ.ଏସ. ଆଣ୍ଡ ସମ୍ ହସପିଟାଲ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଡାକ୍ତରୀ ଶିକ୍ଷା ପରି ମହାନ୍ ବୃତିର ସମଗ୍ର ବିଶ୍ୱରେ ଥିବା ଚାହିଦା, ମହତ୍ୱ ଓ ଗୁରୁତ୍ୱ ଉପରେ ଆଲୋକପାତ କରି ଅତିଥିମାନେ ସେମାନଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଚକ୍ଷୁ ବିଭାଗର ମୂଖ୍ୟ ପ୍ରଫେସର ଡ. ରମେଶ ଚନ୍ଦ୍ର ମହାପାତ୍ର ଓ ଫାର୍ମାକଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ସୁଧାଂଶୁ ଶେଖର ମିଶ୍ର ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କର୍ତବ୍ୟ ପାଳନ କରିବା ନେଇ ସାମୁହିକ ଶପଥ ପାଠ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଏମ.ଇ.ୟୁ କୋର୍ଡିନେଟର ପ୍ରଫେସର ଡ. ପ୍ରକାଶ କୁମାର ସାହୁଙ୍କ ସମେତ ଆନାଟୋମି ବିଭାଗର ପ୍ରଫେସର ଡ. ବିଜୟ କୁମାର ଦତ, ଫିଜିଓଲୋଜି ବିଭାଗୀୟ ମୁଖ୍ୟ ଡ. ଆରତୀ ମହାନ୍ତି, ବାୟୋକେମେଷ୍ଟ୍ରି ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଶୁଭଶ୍ରୀ ରାୟ ଓ କମ୍ୟୁନିଟି ମେଡିସିନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ତ୍ରିଲୋଚନ ସାହୁ ମେଡିକାଲ ଶିକ୍ଷାର ଗୁରୁତ୍ୱକୁ ନେଇ ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ।

ପୂର୍ବରୁ ଏମ.ବି.ବି.ଏସ ଶିକ୍ଷା ପାଇଁ ଆଇ.ଏମ.ଏସ. ଆଣ୍ଡ ସମ୍ ହସପିଟାଲରେ ୧୫୦ଟି ସିଟ୍ ରହିଥିବା ବେଳେ ଚଳିତ ବର୍ଷ ଠାରୁ ଏହାକୁ ୨୫୦ କୁ ବୃଦ୍ଧି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମହାମାରୀର କରାଳରୂପ ସରିଗଲାଣି ବୋଲି ଭାବିବା ଅନୁଚିତ୍: ସୋଆ ବିଶେଷଜ୍ଞ

ଭୁବନେଶ୍ୱର: ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦୁଇ ଜଣ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ କୋଭିଡ-୧୯ ନିୟମକୁ କଡାକଡି ପାଳନ କରିବା ସହ ଏହି ମହାମାରୀର ପ୍ରଭାବ କମିଗଲାଣି ବୋଲି ଭୁଲ୍ ଧାରଣା ରଖିବା ଅନୁଚିତ୍ ବୋଲି ପରାମର୍ଶ ଦେଇଥିଲେ।

ଆମେ ମହାମାରୀର କରାଳରୂପ ସରିଗଲାଣି ବୋଲି ଭାବିବା ଅନୁଚିତ୍। ପୂର୍ବ କିଛି ମାସ ଭଳି ଆମେ ନିୟମିତ ଭାବରେ ମୁହଁରେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ଜାରି ରଖିବା ଉଚିତ୍। କାରଣ ଏହି ମହାମାରୀର ଭୟାବହତା ଏବେ ବି ରହିଛି ବୋଲି ବିଶ୍ୱବିଦ୍ୟାଳୟର କର୍ପୋରେଟ୍ ଅଫିସ୍‌ରେ ପତାକା ଉତ୍ତୋଳନ ଅବସରରେ ସୂଚନା ଦେଇଛନ୍ତି ସୋଆର ପ୍ରୋ-ଚାନ୍‌ସେଲର୍‌ ତଥା ବିଶିଷ୍ଟ କାର୍ଡିଓ – ଥୋରାସିକ୍ ସର୍ଜନ୍ ପ୍ରଫେସର ଅମିତ ବାନାର୍ଜୀ।

ଏହି ଅବସରରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଥିଲେ ଯେ କୋଭିଡ ବିରୁଦ୍ଧରେ ଭାକ୍ସିନ୍ ଆସିଗଲାଣି ତଥାପି ଏହି ମହାମାରୀର ଭୟାବହତା ଚାଲିଗଲାଣି ବୋଲି କେହି ଭାବିବା ଉଚିତ୍ ନୁହେଁ। ଭାକ୍ସିନ୍ ଆସିଯିବା ଦ୍ୱାରା ଏବଂ ନୂଆ ସଂକ୍ରମିତଙ୍କ ସଂଖ୍ୟା କମିବା ଦ୍ୱାରା ବିନା କୌଣସି କଟକଣାରେ ସବୁଆଡେ ଅନାୟସରେ ବୁଲି ହେବ ବୋଲି ଲୋକେ ଭାବିବା ଆରମ୍ଭ କଲେଣି।

ତେବେ ଏହା ଠିକ୍ କଥା ନୁହେଁ। ଅନେକ ଦେଶରେ ବର୍ତ୍ତମାନ ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଗଲାଣି। ତେଣୁ ଆମକୁ ଏ କଥାକୁ ଏତେ ସହଜରେ ନେବା ଉଚିତ୍ ନୁହେଁ ବୋଲି ପ୍ରଫେସର ମହାପାତ୍ର କହିଥିଲେ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସୋଆରେ ପୂର୍ବ ଭଳି ଗଣତନ୍ତ୍ର ଦିବସ ପାଳନରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ପୃଥକ ପୃଥକ ଭାବେ ପତାକା ଉତ୍ତୋଳନ କରାଯାଇଥିଲା।

ଏହି ଅବସରରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ଉଦ୍‌ବୋଧନ ଦେଇଥିଲେ। ଗଣତନ୍ତ୍ର ଦିବସ ପାଳନ ଅବସରରେ ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଂଟ) ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ର ଡିନ୍ (ପୋଷ୍ଟ ଗ୍ରାଜୁଏଟ୍‌ ଷ୍ଟଡିଜ୍‌) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍ ଷ୍ଟଡିଜ୍‌ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ, ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଇନ୍‌ଷ୍ଟିଚ୍ୟୁଟ୍‌
ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରପେସର ନୀତା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପକ୍ଷରୁ ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ

ଭୂବନେଶ୍ଵର: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ(ସୋଆ ) ବିଶ୍ଵବିଦ୍ୟାଳୟ ପରିସରରେ ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟର ର ମିଳିତ ଆନୁକୂଲ୍ୟରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଯୋଗ ଦେଇ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ନେତାଜୀଙ୍କ ଜୀବନ ଯୁବ ସମାଜ ନିମନ୍ତେ ପ୍ରେରଣାର ଉତ୍ସ ହେବା ଆବଶ୍ୟକ ବୋଲି କହିଥିଲେ।

ଆଜିର ପବିତ୍ର ଦିନରେ ଆମେ ନେତାଜୀଙ୍କ ଜୀବନର ସକାରାତ୍ମକ ଦିଗ ଗୁଡିକୁ ଆଲୋଚନା କରି ସ୍ଵାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା କୁ ସମ୍ମାନିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ଦିନଟିକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରାଯାଉଛି।

ଆମେ କେବଳ ଆମ ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରିବା ସହ ଅନ୍ୟ କାହା କଥା ଚିନ୍ତା କରୁନାହୁଁ ସେ କେବଳ ଦେଶ ଛଡା ଆଉ କିଛି ଚିନ୍ତା କରୁନଥିଲେ। କଟକରେ ଜନ୍ମିତ ନେତାଜୀ ଖୁବ ପ୍ରତିଭା ସଂପନ୍ନ ଥିଲେ ବୋଲି ସୋଆ କୁଳପତି ତାଙ୍କୁ ସ୍ମରଣ କରି କହିଛନ୍ତି।

ଏହି ଅବସରରେ ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଏଆଇସିଟିଇ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ନେତାଜୀଙ୍କୁ ଜଣେ ନିର୍ଭିକ ନେତା ବୋଲି ଅଭିହିତ କରିଥିଲେ। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସୋଆ ଏନଏସଏସ ର ବୋଲି ଡକ୍ଟର ନଚିକେତା ଶର୍ମା।

ଆଗାମୀ ମାସରେ ସୋଆ ଏନଏସ ଏସ ଓ ସୋଆ ୱେଲନେସ ସେଣ୍ଟର ପକ୍ଷରୁ ମିଳିତ ଭାବେ ଗାନ୍ଧୀ କଥା ଓ ସୁବାଷ କଥା ବକୃତ ମାଳା ର ଆୟୋଜନ କରାଯିବ ଡକ୍ଟର ଶର୍ମା ସୂଚନା ଦେଇଥିଲେ।

ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ମୁଖ୍ୟ ପ୍ରଶାସନିକ ଅଧିକାରୀ ପ୍ରମୋଦ ଚନ୍ଦ୍ର ପଣ୍ଡା, ଏନଏସଏସ ପ୍ରୋଗ୍ରାମ ଅଫିସରରସ ଏବଂ ସୋଆର ଅନ୍ୟାନ୍ୟ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।