Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ: ତାରାପ୍ରସାଦ ହେଲେ ଶ୍ରେଷ୍ଠ

ଖୋର୍ଦ୍ଧା: ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ପଞ୍ଚଦଶତମ ଶେଷ ବର୍ଷ ସ୍ନାତକ ପାଠ୍ୟକ୍ରମର ବାର୍ଷିକ ପରୀକ୍ଷା ଫଳ- ୨୦ ୨୩ ଶିକ୍ଷା ବର୍ଷ ନିମନ୍ତେ ଶୁକ୍ରବାର ମୈତ୍ରୀଭବନ ପରିସରରେ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କର ମୋଟ ପାସ ହାର ଶତକଡ଼ା ୮୭.୮ ପ୍ରତିଶତ ରହିଥିବାବେଳେ, ଚଳିତ ବର୍ଷ ଛାତ୍ରମାନଙ୍କ ଠାରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀମାନେ ଆଗରେ ଅଛନ୍ତି।

ଚଳିତ ବର୍ଷ ଛାତ୍ରୀମାନଙ୍କର ପାସ ହାର ୯୩.୯ ପ୍ରତିଶତ ରହିଥିବାବେଳେ ଛାତ୍ରମାନଙ୍କ ୮୧.୫ ପ୍ରତିଶତ ରହିଛି। କଳା ବିଭାଗରେ ପାସ ହାର ୯୧.୫ ପ୍ରତିଶତ ରହିଥିବାବେଳେ, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାସ ହାର ଯଥାକ୍ରମେ ୯୪.୬ ଓ ୭୮.୯ ପ୍ରତିଶତ ଅଟେ।

ବାଣିଜ୍ୟ ବିଭାଗରୁ ଛାତ୍ରୀ ନିଶା କୁମାରୀ ପାଣ୍ଡେ, କଳା ଶିକ୍ଷା ସମ୍ମାନ ବିଭାଗରୁ ଛାତ୍ରୀ ଶୁଭଲକ୍ଷ୍ମୀ ପଣ୍ଡା ଓ ବିଜ୍ଞାନ ବିଭାଗରୁ ଉଭିଦ ବିଜ୍ଞାନ ସମ୍ମାନର ଛାତ୍ର ତାରାପ୍ରସାଦ ମାର୍ଥା ଶ୍ରେଷ୍ଠ ସ୍ନାତକ ହୋଇଛନ୍ତି। ଏହି ଛାତ୍ରଛାତ୍ରୀମାନେ ଆସନ୍ତା ସାମ୍ବସଚରିକ ଉତ୍ସବ – ୨୦୨୪ ରେ ସ୍ଵର୍ଣ୍ଣପଦକ ପ୍ରାପ୍ତହେବେ।

ଏତଦ୍ ଭିନ୍ନ ବିଜ୍ଞାନ ବିଭାଗରୁ ଉଭିଦ ବିଜ୍ଞାନ ସମ୍ମାନର ଛାତ୍ର ତାରାପ୍ରସାଦ ମାର୍ଥା ସର୍ବାଧିକ ନମ୍ବର ରଖି ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ଅନ୍ତିମ ପରୀକ୍ଷା ଫଳ ଛଅଗୋଟି ସେମିଷ୍ଟାର ପରୀକ୍ଷାର ମୋଟ ଫଳାପଳକୁ ନେଇ ପ୍ରସ୍ତୁତ କରାଯାଇଛି।

ଆୟୋଜିତ ସଭାରେ ପରିଚାଳନା କମିଟି ସଭାପତି ତଥା ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଅଧ୍ୟକ୍ଷା ଡକ୍ଟର ଅଳନ୍ତା ଶତପଥୀ, ପରୀକ୍ଷା ନିୟଂନ୍ତକ ପ୍ରାଧ୍ୟାପକ ଦେବୀପ୍ରସାଦ ପଟ୍ଟନାୟକ , ପରୀକ୍ଷା ବିଭାଗ ଏବଂ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଏହି ସଭାକୁ ପରିଚାଳନା କରିଥିଲେ।