Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜାମ୍ମୁ ଓ କାଶ୍ମୀର ତେହେରିକ-ଇ-ହୁରିୟାତ୍ କୁ ବେଆଇନ ସଂଗଠନ ଭାବେ ଘୋଷଣା କଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତ ସରକାର ଜାମ୍ମୁ ଓ କାଶ୍ମୀରର ତେହେରିକ୍-ଇ-ହୁରିୟାତ’ (ଟିଇଏଚ୍) ସଂଗଠନକୁ ବେଆଇନ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଦୂରୀକରଣ ଆଇନ (ୟୁଏପିଏ) ୧୯୬୭ର ଧାରା ୩ (୧) ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ତାଙ୍କ ‘ଏକ୍ସ’ ପୋଷ୍ଟରେ କରିଛନ୍ତି ଯେ ସମ୍ପୃକ୍ତ ସଂଗଠନ ଜମ୍ମୁ ଓ କାଶ୍ମୀରକୁ ଭାରତରୁ ଅଲଗା କରିବାକୁ ବିଭିନ୍ନ ନିଷିଦ୍ଧ କାର୍ଯ୍ୟରେ ଲିପ୍ତ ରହିବା ସହିତ ସେଠାରେ ଇସଲାମୀୟ ଶାସନ ପ୍ରବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲା।

ଏହି ଗୋଷ୍ଠୀ ଭାରତ ବିରୋଧୀ ପ୍ରଚାର ଚଳାଇବା ସହିତ ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦକୁ ଇନ୍ଧନ ଯୋଗାଇବାକୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବାର ପ୍ରମାଣ ମିଳିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅନୁସାରେ ଯେ କୌଣସି ବ୍ୟକ୍ତି ବିଶେଷ ବା ସଂଗଠନ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଜଣାପଡିଲେ ତାହାକୁ ତତ୍କାଳ ଦୃଢ ହସ୍ତରେ ଦମନ କରାଯିବ।

ଜାମ୍ମୁ ଓ କାଶ୍ମୀରରେ ତେହେରିକ ଇ-ହୁରିୟାତ୍ର ଉଦ୍ଦେଶ୍ୟ ହେଲା ଜାମ୍ମୁ ଓ କାଶ୍ମୀରକୁ ଭାରତରୁ ଅଲଗାକରି ସେଠାରେ ଇସ୍ଲାମୀୟ ଶାସନ ପ୍ରବର୍ତ୍ତନ କରିବା। ଏହି ସଂଗଠନ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଏବଂ ଏଥିରେ ସମ୍ପୃକ୍ତ ଅଛି। ଭାରତ ବିରୋଧୀ ପ୍ରଚାର ଚଳାଇ ସେଠାରେ ବିଚ୍ଛିନ୍ନତାବାଦକୁ ଇନ୍ଧନ ଯୋଗାଉଛି। ଏହି ସଂଗଠନରେ କାର୍ଯ୍ୟକଳାପ ଭାରତର ସାର୍ବଭୌମତ୍ୱ, ଏକତା ଓ ନିରାପତ୍ତା ପ୍ରତି ଅତ୍ୟନ୍ତ ହାନିକାରକ।

ଏହି ସଂଗଠନ ନାମରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ, ଅସ୍ତ୍ରଶସ୍ତ୍ର ଆଇନ, ଆର୍ପିସି ଓ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରା ଅନୁସାରେ ଫୌଜଦାରୀ/ଅପରାଧିକ ମାମଲା ରୁଜୁ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମିଶନାରୀଜ୍‌ ଅଫ ଚାରିଟି (ଏମଓସି)ର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିନାହିଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ବିଦେଶୀ ଯୋଗଦାନ ନିୟାମକ ଆଇନ (ଏଫସିଆରଏ) ଅଧୀନରେ ମିଶନାରୀଜ୍‌ ଅଫ ଚାରିଟି (ଏମଓସି) ପକ୍ଷରୁ ଏଫସିଆରଏ ପଞ୍ଜୀକରଣର ନବୀକରଣ ଲାଗି କରାଯାଇଥିବା ଆବେଦନ ୨୫ ଡିସେମ୍ବର ୨୦୨୧ରେ ଖାରଜ କରି ଦିଆଯାଇଥିଲା। ଏଫସିଆରଏ ୨୦୧୦ ଏବଂ ବିଦେଶୀ ଯୋଗଦାନ ନିୟାମକ ନିୟମ (ଏଫସିଆରଆର) ୨୦୧୧ ଅଧୀନରେ ଯୋଗ୍ୟତା ସର୍ତ୍ତ ପୂରଣ କରିପାରୁନଥିବା କାରଣରୁ ଏହି ଆବେଦନକୁ ଅସ୍ବୀକାର କରାଯାଇଥିଲା। ନବୀକରଣ ଅସ୍ବୀକାର କରାଯିବାକୁ ପୁନଃସମୀକ୍ଷା ଲାଗି ମିଶନାରୀଜ୍‌ ଅଫ ଚାରିଟି (ଏମଓସି) ପକ୍ଷରୁ କୌଣସି ଅନୁରୋଧ/ସଂଶୋଧିତ ଆବେଦନ ହସ୍ତଗତ ହୋଇନାହିଁ।

ମିଶନାରୀଜ୍‌ ଅଫ୍‌ ଚାରିଟି (ଏମଓସି)କୁ ଏଫସିଆରଏ ଅଧୀନରେ ପଞ୍ଜୀକରଣ ସଂଖ୍ୟା ହେଉଛି ୧୪୭୧୨୦୦୦୧ ଏବଂ ଏହାର ପଞ୍ଜୀକରଣ ଅବଧି ୩୧ ଅକ୍ଟୋବର ୨୦୨୧ ପର୍ଯନ୍ତ ବୈଧ ଥିଲା। ପରେ, ଏହାର ବୈଧତାକୁ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଅନ୍ୟ ଯେଉଁସବୁ ଏଫସିଆର ସଂସ୍ଥାଗୁଡ଼ିକର ନବୀକରଣ ଆବେଦନ ପଡ଼ି ରହିଥିଲା ସେମାନଙ୍କ ସହିତ ଓମଓସିର ନବୀକରଣ ବୈଧତାକୁ ଉପରୋକ୍ତ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଥିଲା।

ତେବେ ଏମଓସିର ନବୀକରଣ ସଂକ୍ରାନ୍ତ ଆବେଦନ ଉପରେ ବିଚାର କରିବା ସମୟରେ କେତେକ ପ୍ରତିକୂଳ ଇନପୁଟ୍‌ ମିଳିଥିଲା। ରେକର୍ଡରେ ଦାଖଲ ହୋଇଥିବା ଇନପୁଟକୁ ଧ୍ୟାନରେ ରଖି ଏମଓସିର ନବୀକରଣ ସଂକ୍ରାନ୍ତ ଆବେଦନକୁ ମଞ୍ଜୁରି ମିଳିନଥିଲା। ଏମଓସିର ପଞ୍ଜୀକରଣ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ବୈଧ ଥିଲା। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏମଓସିର କୌଣସି ଆକାଉଣ୍ଟକୁ ଫ୍ରିଜ୍‌ କରିନାହିଁ। ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି ଯେ ମିଶନାରୀଜ୍‌ ଅଫ୍‌ ଚାରିଟି ପକ୍ଷରୁ ହିଁ ନିଜର ଆକାଉଣ୍ଟକୁ ଫ୍ରିଜ୍‌ କରିବା ଲାଗି ଏସବିଆଇକୁ ଅନୁରୋଧ କରାଯାଇଥିଲା।