Categories
ଆଞ୍ଚଳିକ

ସ୍ୱାମୀ ପ୍ରଣବାନନ୍ଦ ଏକ ଅମ୍ଲାନ ପ୍ରତିଭା: ଚତୁର୍ଦ୍ଦଶାହରେ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡ଼ିଶାର କୋଣ ଅନୁକୋଣରେ ଦୀର୍ଘ ୬୦ବର୍ଷ ଧରି ଆର୍ଯ୍ୟ ସମାଜ, ସ୍ୱାମୀ ଦୟାନନ୍ଦ ଓ ବେଦମାତାଙ୍କର ବାର୍ତ୍ତା ପ୍ରଚାର କରୁଥିବା ପରିବ୍ରାଜକ ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀଙ୍କ ଚତୁର୍ଦ୍ଦଶାହ ଉପଲକ୍ଷେ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଏକ ଶାନ୍ତି ଯଜ୍ଞ ଓ ଶ୍ରଦ୍ଧାଞ୍ଜଳି ସଭା ଆଜି ମଧ୍ୟାହ୍ନରେ ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି।

ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣରେ ବିଶିଷ୍ଟ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ସ୍ୱାମିଜୀ ମହାମୃତ୍ୟୁର ପଥିକ ହୋଇଛନ୍ତି। ମୃତ୍ୟୁକୁ ସେ ଆହ୍ୱାନ କରୁଥିଲେ। ତାଙ୍କ ଶରୀର ତାଙ୍କୁ ସହଯୋଗ କରୁନାହିଁ, ଏଣୁ ପ୍ରଭୁ ତାଙ୍କ ପାଖକୁ ନେଇଯିବାକୁ ସେ ପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ। ବେଦ ବର୍ଣ୍ଣିତ ମୃତ୍ୟୁ ସୁକ୍ତକୁ ଶ୍ରୀ ପଣ୍ଡା ଅତ୍ୟନ୍ତ ସୁନ୍ଦର ଭାବରେ ବାଖ୍ୟା କରିଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ସ୍ୱାମିଜୀଙ୍କୁ ଏକ ଅମ୍ଲାନ ପ୍ରତିଭା ବୋଲି କହିଥିଲେ। ଅନ୍ୟତମ ଅତିଥି ବୁନ୍ଧମନ୍ଦିରର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର କହିଲେ ଯେ, ସ୍ୱାମିଜୀ ବୃତ୍ତିଗତ ବିଦ୍ୟାରେ ଡିଗ୍ରୀ ହାସଲ କରିନଥିଲେ ସତ, କିନ୍ତୁ ସେ ନିରାକାର ବ୍ରହ୍ମଙ୍କର ଉପାସକ ଥିଲେ ଓ ପରମାତ୍ମାଙ୍କ ଦ୍ୱାରା ବର୍ଣ୍ଣିତ ଆତ୍ମାନୁଶାସନ ଉପରେ ଯେଉଁ ଉପଦେଶ ଦେଉଥିଲେ ତାହା ଅତ୍ୟନ୍ତ ଉଚ୍ଚକୋଟୀର ବୋଲି କହିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସ ଶାନ୍ତି ଯଜ୍ଞ ପରିଚାଳନା କରିଥିଲେ। ବିଶିଷ୍ଟ ଆର୍ଯ୍ୟସମାଜୀ ପ୍ରେମାନନ୍ଦ ଦାସ, ସମାଜସେବୀ ଆଶୁତୋଷ ମିଶ୍ର, ଦୁଷ୍ମନ୍ତ କିଶୋର ସ୍ୱାଇଁ, ଯଜ୍ଞ ପ୍ରକାଶ ଆର୍ଯ୍ୟ, ସମାଜସେବୀ ବରୁଣରାଜ, ଶ୍ୟାମସୁନ୍ଦର ସେଠ, ଶ୍ରୀମତୀ ଶୁଭଦ୍ରା ସାହୁ, ପ୍ରତାପ ପଟ୍ଟନାୟକ, ଅଭୟ ରାଉତ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କାର୍ଯ୍ୟକ୍ରମକୁ ନଳିନୀକାନ୍ତ ଓ ଭବାନୀକାନ୍ତ ରାଉତ ପରିଚାଳନା କରିଥିଲେ। ଶ୍ରୀ ଅରବିନ୍ଦ ନଗରର ବହୁ କଲୋନୀବାସୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଆର୍ଯ୍ୟ ସମାଜ ଓଡ଼ିଶା ପକ୍ଷରୁ ସ୍ୱାମୀ ପ୍ରଣବାନନ୍ଦଙ୍କ ୪ର୍ଥ ଦିବସରେ ଶାନ୍ତି ଯଜ୍ଞ

ଭୁବନେଶ୍ୱର: ଓଡ଼ିଶାର ପୁରପଲ୍ଲୀରେ ଦୀର୍ଘ ୭୦ ବର୍ଷ ଧରି ବୈଦିକ ଧର୍ମ, ବେଦ ଓ ଆର୍ଯ୍ୟସମାଜର ତପୋନିଷ୍ଠ ପରିବ୍ରାଜକ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀଙ୍କ ବିୟୋଗରେ ଆଜି ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଏକ ଶାନ୍ତି ଯଜ୍ଞ ଓ ଆଭାସୀ ଶ୍ରଦ୍ଧାଞ୍ଜଳି ସଭା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ଦ୍ୱାରା ଶାନ୍ତିଯଜ୍ଞ ପରେ, ଶୋକ ପ୍ରସ୍ତାବ ଆଗତ କରି ବରିଷ୍ଠ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ଅନୁଗୁଳ ଜିଲ୍ଲାର ଏକ ପଲ୍ଲୀଗ୍ରାମରୁ ଆସି ସ୍ୱାମିଜୀ ତାଙ୍କ ଜୀବନକାଳ ମଧ୍ୟରେ ଅନ୍ୟୁନ ଏକ ହଜାର ପରିବାରକୁ ଆର୍ଯ୍ୟସମାଜ ମନ୍ତ୍ରରେ କେବଳ ଦିକ୍ଷିତ କରିନାହାଁନ୍ତି, ସମାଜ ସଂସ୍କାର ପାଇଁ ମୂଳଦୁଆ ପକାଇ ଯାଇଛନ୍ତି। ସାଧାରଣ ଗ୍ରାମୀଣ ଜନତାକୁ ବୈଦିକ ବିଚାରକୁ ବୁଝାଇବାର ଏକ ଅଭିନବ କୌଶଳ ପରମାତ୍ମା ତାଙ୍କୁ ଦେଇଥିଲେ।
ନିଗମ କଳ୍ପତରୁ ଆଶ୍ରମର ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ସ୍ୱାମିଜୀଙ୍କୁ ଜଣେ ବ୍ରହ୍ମଦର୍ଶୀ ସନ୍ଥ ବୋଲି ବର୍ଣ୍ଣନା କରିଥିଲେ । ଶିବାନନ୍ଦ ଆଶ୍ରମର ସନ୍ଥ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ସ୍ୱାମିଜୀଙ୍କୁ ଜଣେ ନିରହଂକାରୀ ବ୍ୟକ୍ତିତ୍ୱ ବୋଲି କହିଥିଲେ।

ଶ୍ରଦ୍ଧାଞ୍ଜଳି ଜଣାଇ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡଃ ହରେକୃଷ୍ଣ ଶତପଥୀ କହିଲେ ଯେ, ସ୍ୱାମିଜୀ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳକୁ ଗସ୍ତକରି ସାଧାରଣ ଜନତାଙ୍କ ସୁଖଦୁଃଖରେ ସାମିଲ ହେବା ସହ ସଦାଚାରୀ ହେବା ପାଇଁ ଉପଦେଶ ଦେଉଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, ବୁଦ୍ଧ ମନ୍ଦିରର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ପୂର୍ବତନ ଡିନ୍ ଡଃ ବୁଦ୍ଧଦେବ ମିଶ୍ର ସ୍ୱର୍ଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଜଣାଇବା ସହ ୮୯ବର୍ଷର ଜୀବନକାଳ ଉପରେ ଏକ ପୁସ୍ତକ ପ୍ରକାଶ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଗୁରୁକୂଳ ବେଦବ୍ୟାସ ପକ୍ଷରୁ ରାମଚନ୍ଦ୍ର ସାହୁ, ସଂସ୍କୃତ ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟାପକ ଉମାକାନ୍ତ ପଣ୍ଡା, ବାନପ୍ରସ୍ତି ରାଜକିଶୋର ହୋତା ଓ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡଃ ବୁଦ୍ଧେଶ୍ୱର ଷଡ଼ଙ୍ଗୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।