Categories
ଅପରାଧ ଆଜିର ଖବର

ବାଣପୁର: ଆୟତ୍ତପୁର ଗ୍ରାମରେ ଦୁଇ ସମ୍ପର୍କୀୟ ପରିବାର ମଧ୍ୟରେ ହଣାକଟା, ୩ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଆୟତ୍ତପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଦଦା ଓ ଦୁଇ ଭାଇଙ୍କୁ ସମ୍ପର୍କୀୟ ପୁତୁରା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଜଣଙ୍କ ସେମାନଙ୍କୁ କାତିରେ ଏକାଧିକ ଚୋଟ ପକାଇଥିବାର ଜଣାପଡିଛି। ଯେଉଁଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ମୁତାବକ ଆୟତ୍ତପୁର ଗ୍ରାମର ବିଜୟ ସେଠି (୫୧) ଏବଂ ତାଙ୍କ ପୁତୁରା ଅକ୍ଷୟ ସେଠି ପାଖାପାଖି ଘରେ ରୁହନ୍ତି। ତେବେ ଅକ୍ଷୟ ସଦାବେଳେ ଅକାରଣରେ ବିଜୟ ଏବଂ ତାଙ୍କ ପରିବାର ବର୍ଗକୁ ଗାଳି କରିଆସୁଥିବାର ଅଭିଯୋଗ ହୋଇଛି। ଆଜି ସକାଳେ ଅକ୍ଷୟ ଏହାର ସମାଧାନ ନିମନ୍ତେ ବିଜୟଙ୍କୁ ନିଜ ଘରକୁ ଡାକି ଏକ କାତିରେ ଏକାଧିକ ଚୋଟ ପକାଇଥିଲେ। ଏହା ଦେଖି ବିଜୟଙ୍କ ଦୁଇ ପୁତ୍ର ପ୍ରଭାତ ସେଠି (୨୬) ଏବଂ ଶଶିକାନ୍ତ ସେଠି (୨୦) ସେଠାରେ ପହଞ୍ଚି ନିଜ ପିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲା ବେଳକୁ ସେମାନଙ୍କୁ ମଧ୍ୟ ଅକ୍ଷୟ କାତିରେ ଏକାଧିକ ଚୋଟ ପକାଇଥିଲେ।

ଘଟଣାସ୍ଥଳରେ ସମସ୍ତ ତିନି ଜଣ ଗୁରୁତର ଆହତ ହୋଇ ଚେତାଶୂନ୍ୟ ଭାବେ ତଳେ ପଡିଯାଇଥିଲେ। ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଓ ଅନ୍ୟ ଗ୍ରାମବାସିମାନେ ସମସ୍ତ ଗୁରୁତର ଆହତଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ସମସ୍ତ ଆହତଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପଠାଇଦେଇଛନ୍ତି। ଅପରପକ୍ଷରେ ଆକ୍ରମଣକାରି ଫେରାର ଥିବାବେଳେ ଖବର ପାଇ ପୋଲିସ ବାଣପୁର ମେଡିକାଲରେ ପହଞ୍ଚିଥିବା ଜଣାପଡିଛି।