Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବ୍ଲକ ସମ୍ମୁଖରେ ହରିପୁର ସରପଞ୍ଚ ସମେତ ଶତାଧିକ ଜନତାଙ୍କ ବିକ୍ଷୋଭ

ସୀତାରାମ ଅଗ୍ରୱାଲ

ଚିଲିକା: ଗୁରୁବାର ପୂର୍ବାହ୍ନରେ ହରିପୁର ପଂଚାୟତର ନବନିର୍ବାଚିତ ସରପଞ୍ଚଙ୍କ ସମେତ ଶତାଧିକ ଲୋକ ଚିଲିକା ବ୍ଲକ ସମ୍ମୁଖରେ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନା ମୁତାବକ ଜନସାଧାରଣଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି ହେବା ସହ ସରକାରଙ୍କ ଧାର୍ଯ୍ୟ ୬ ଟି ପ୍ରକଳ୍ପ ଅଦ୍ୟାବଧି ସାଧିତ ହୋଇପାରୁନଥିବା ନେଇ ଚିଲିକା ମଣ୍ଡଳ ଉନ୍ନୟନ ଅଧିକାରୀଣି ୨୦/୦୬/୨୦୨୨ ରେ ଚିଠି ନଂ ୧୭୬୧ ରେ ନବନିର୍ବାଚିତ ସରପଞ୍ଚ ଗୀତାଞ୍ଜଳି ବେହେରାଙ୍କୁ ଅବଗତ କରାଇଥିଲେ।

ଏଥିସହିତ ୦୪/୦୬/୨୦୨୨ ରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପଂଚାୟତ ନିରୀକ୍ଷଣ କରିବା ନେଇ ଧାର୍ଯ୍ୟ କରାଯାଇଥିବା ବେଳେ ସରପଞ୍ଚଙ୍କ ଅନୁପସ୍ଥିତ ଯୋଗୁଁ ତାହା ସମ୍ପାଦନ ହୋଇପାରିନଥିଲା।ଯାହାଫଳରେ ବିଡ଼ିଓ ଡ଼ା ସୁଷମା ବାରିକ ଏସମ୍ବନ୍ଧରେ ଉପରିସ୍ଥ ଅଧିକାରୀ ଜିଲ୍ଲା ପଞ୍ଚାୟତ, ଉପ ଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ମାତ୍ର ସରପଞ୍ଚ ଶ୍ରୀମତୀ ବେହେରା ତାଙ୍କ ଚାରି ମାସ କାର୍ଯ୍ୟକାଳ ମଧ୍ୟରେ ଧାର୍ଯ୍ୟ ଉକ୍ତ ୬ ପ୍ରକଳ୍ପ ସମ୍ବନ୍ଧରେ କୌଣସି ନଥିପତ୍ର ପାଇନଥିବା ବେଳେ ପଞ୍ଚାୟତ ନିରୀକ୍ଷଣ ନେଇ କୌଣସି କର୍ମଚାରୀ ସୂଚନା ଦେଇନଥିବା ଅଭିଯୋଗ କରିଛନ୍ତି।

ଏଥିସହିତ ପଞ୍ଚାୟତ ପିଇଓ ରବୀନ୍ଦ୍ର ପୃଷ୍ଟି ମନଇଚ୍ଛା କାର୍ଯ୍ୟାଳୟକୁ ଆସିବା ଏବଂ ନିଜ ଇଛା ମୁତାବକ କାର୍ଯ୍ୟ ସମ୍ପାଦନ କରିବା ନେଇ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଏହି ପରିପ୍ରେକ୍ଷୀରେ ସରପଞ୍ଚଙ୍କ ସମେତ ପୂର୍ବତନ ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଶତାଧିକ କର୍ମୀ ଚିଲିକା ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିବାସହ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଯଦି ଉଚିତ ନ୍ୟାୟ ନମିଳେ ତେବେ ଆଗାମି ଦିନରେ ଏହାକୁ ତୀବ୍ରତର କରାଯିବ ନେଇ ଚେତାବନୀ ଦେଇଛନ୍ତି। ଏନେଇ ବିଡ଼ିଓଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସମ୍ପୃକ୍ତ ସରପଞ୍ଚ ଉକ୍ତ କାର୍ଯ୍ୟଗୁଡ଼ିକ ବିଷୟରେ ଅବଗତ ଅଛନ୍ତି ଏବଂ ଜାଣି ଶୁଣି ବିଲ ପାସ କରୁନଥିବାର କହିଛନ୍ତି।

ତେବେ ପୁଣି ଆସନ୍ତାକାଲି ଏ ନେଇ ସମ୍ପୃକ୍ତ ସରପଞ୍ଚଙ୍କୁ ପୁଣି ଚିଠି କରାଯିବା ସହ ପ୍ରକଳ୍ପ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି ବିଡ଼ିଓ ଡ଼ା ବାରିକ।