Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଟ୍ରକ୍ ଧକ୍କାରେ ବସ ଚାଳକ ସମେତ ମୋଟ ୩ ମୃତ, ହେଲ୍ପର ଗୁରୁତର

ରେଢାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର – କଟକ ୫୫ ନମ୍ବର ଜାତୀୟ ରାଜପଥ ରେଢ଼ାଖୋଲ – ଅନୁଗୋଳ ସୀମାବର୍ତ୍ତି ବରଗାପାଲି ଗ୍ରାମ ନିକଟରେ ସଡକ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଏକ ବସ ଚକା ସଜଡା ଯାଉଥିବା ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ୪ ଜଣଙ୍କ ଉପରେ ଚଢି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି।

ଖବରରରୁ ପ୍ରକାଶ ଯେ, ପ୍ରାଚୀ ନାମକ ବସ୍ ସୁନ୍ଦରଗଡ଼ରୁ ବାହାରି ଭୁବନେଶ୍ୱର ଯାଉଥିବା ବେଳେ ରେଢାଖୋଲ ସୀମନ୍ତରେ ବିଳମ୍ବିତ ରାତିରେ ଚକା ପମ୍ପଚର୍ ହୋଇ ଯାଇଥିଲା।  ଡ୍ରାଇଭର, ହେଲପର ମିଶି ବସ୍ ଚକ ସଜାଡୁ ଥିବା ବେଳେ କେତେକ ଯାତ୍ରୀ ବସ ଭିତରୁ ବାହାରି ବସ ପାଖରେ ଠିଆ ହୋଇ ଥିଲେ। ଅନୁଗୋଳରୁ ଦୃତ ବେଗରେ ରେଢ଼ାଖୋଲ ପଟକୁ ଆସୁ ଥିବା ଏକ ଟ୍ରକ୍ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା।

ଏହି ଟ୍ରକ୍ ଦୃତ ବେଗରେ ଆସି ଧକ୍କା ଦେବାରୁ ବସ ଡ୍ରାଇଭରଙ୍କ ସମେତ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ବସ ହେଲପର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।

ମୃତକ ମାନେ ହେଲେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ବସ ଡ୍ରାଇଭର ଘନଶ୍ୟାମ ବାରିକ, ବସ ଯାତ୍ରୀ ଝାରସୁଗୁଡ଼ା ଜିଲ୍ଲା ସୁଲେହି ଗ୍ରାମର ନାରାୟଣ ନାଏକ ଓ ସୁନ୍ଦରଗଡ଼ର ଆନନ୍ଦ ପ୍ରଧାନ। ଗୁରୁତର ଆହତ ହୋଇ ଥିବା ବସ୍ ହେଲପର କଟକ ଜିଲ୍ଲା ବଡମ୍ବାର ତ୍ରିଲୋଚନ ନାଏକ ବୋଲି ଜଣା ପଡିଛି।

ଗୁରୁତର ଆହତ ହୋଇ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ କଟକ ବଡଡାକ୍ତରଖାନାକୁ ନେଇଥିବା ଜଣାପଡିଛି।  ମୃତ ଆନନ୍ଦଙ୍କ ମୃତ ଦେହ ଅନୁଗୋଳ ଜିଲ୍ଲା ରାଜକିଶୋରନଗର ଡାକ୍ତରଖାନାରେ ଥିବା ବେଳେ ମୃତ ଘନଶ୍ୟାମ ବାରିକ ଓ ନାରାୟଣ ନାଏକ ଙ୍କ ମୃତ ଦେହ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ା ଦୁର୍ଘଟଣା ଘଟାଇଥିବା ଟ୍ରକ୍ ର ପତ୍ତା ପୋଲିସ୍ ପାଇ ନଥିବା ଜଣା ପଡିଛି।