Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ମୁକାବିଲା ପାଇଁ ନିୟମରେ କୋହଳ, ଲକ୍ଷଣ ନଥିଲେ ଘରେ ରହି ଚିକିତ୍ସା ପାଇଁ ମିଳିବ ଅନୁମତି

ଭୁବନେଶ୍ବର, କୋଭିଡ-19 ପରିଚାଳନା ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଏଣିକି ହୋମ୍ ଆଇସୋଲେସନରେ ରଖିବା ପାଇଁ ଅନୁମତି ଦିଆଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରିବର୍ତ୍ତିତ ନିୟମ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ସେ କହିଛନ୍ତି ସହରାଞ୍ଚଳରେ ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବ। ଲକ୍ଷଣ ନଥାଇ ପଜିଟିଭ ଚିହ୍ନଟ ହେଲେ ଘରେ ରହି ରୋଗୀ ଚିକିତ୍ସିତ ହୋଇପାରିବେ। ହେଲେ ଘରେ ରହି ଚିକିତ୍ସିତ ହେବାକୁ ହେଲେ କିଛିଟା ସର୍ତ୍ତ ପୂରଣ କରିବାକୁ ପଡିବ। ସମସ୍ତ 114 ପୌରାଞ୍ଚଳ, ଜିଲ୍ଲା ମୁଖ୍ୟାଳୟରେ ହୋମ୍ ଆଇସୋଲେସନକୁ ଅନୁମତି ମିଳିବ। ଏଥସହିତ ସମସ୍ତ ଉପଖଣ୍ଡ ଓ ବ୍ଲକ ମୁଖ୍ୟାଳୟ ରୋଗୀଙ୍କୁ ମଧ୍ୟ ହୋମ୍ ଆଇସୋଲେସନର ସୁବିଧା ମିଳିବ। ହେଲେ ହୋମ୍ ଆଇସୋଲେସନ ସୁବିଧା ଥିଲେ ହିଁ ଘରେ ରହି ଚିକିତ୍ସା ଅନୁମତି ମିଳିବ।

ହୋମ ଆଇସୋଲେସନରେ ରହୁଥିବା ରୋଗୀ ପାଇଁ ଜଣେ ଘର ଲୋକ ରହିବେ। ଘରର ସଂପୃକ୍ତ ସାବାଳକ ବ୍ୟକ୍ତି ସରକାର ଓ ରୋଗୀ ମଧ୍ୟରେ ସେତୁ ସାଜିବେ। ସେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀର ସମସ୍ତ କଥା ବୁଝିବେ। ହୋମ ଆଇସୋଲେସନ ରୋଗୀ ପାଇଁ ସମସ୍ତ ଚିକିତ୍ସା ସରକାର ଯୋଗାଇ ଦେବେ। ପିପିଇ କିଟ୍ ଠାରୁ ଔଷଧ ପର୍ଯ୍ୟନ୍ତ ସବୁ କିଛି ରାଜ୍ୟ ସରକାର ଯୋଗାଇ ଦେବେ।

ଏମିତିକି ଖାଦ୍ୟ ଭତ୍ତା ମଧ୍ୟ ସରକାର ଯୋଗାଇ ଦେବେ ବୋଲି ମୁଖ୍ୟ ସଚିବ କହିଛନ୍ତି। ହେଲେ କିଛି ବିଶେଷ ପ୍ରଚାରର ଲୋକଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବ ନାହିଁ। ଏଚଆଇଭି ରୋଗୀ,ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତି, କ୍ୟାନସର, ହୃଦରୋଗୀ, ବୟସ୍କ ଓ ବିଶେଷ ରୋଗ ଥିବା ବ୍ୟକ୍ତିଙ୍କୁ ଏହି ଅନୁମତି ମିଳିବନି ବୋଲି ମୁଖ୍ୟ ସଚିବ କହିଛନ୍ତି।

ସେ କହିଛନ୍ତି,ଏବେ ରାଜ୍ୟର 80 ପ୍ରତିଶତ ରୋଗୀ ଲକ୍ଷଣହୀନ ହୋଇଥିବା ଜଣାପଡ଼ିଛି। ସେହି କାରଣରୁ ଲକ୍ଷଣହୀନ ରୋଗୀଙ୍କୁ କ୍ରିଟିକାଲ କେୟାର ସୁବିଧା ଦେବା ଦରକାର ନାହିଁ। ଗୁରୁତର ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଏପରି ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।

କୌଣସି ସଂସ୍ଥା ଚାହିଁଲେ ନିଜ କର୍ମଚାରୀଙ୍କ ପାଇଁ କୋଭିଡ କେୟାର ହୋମ କରିପାରିବେ। 10ରୁ 20 ଜଣ ରୋଗୀଙ୍କ ପାଇଁ କେୟାର ହୋମ୍ କରିବାକୁ ଅନୁମତି ଦିଆଯିବ। ବିଭିନ୍ନ ସଂସ୍ଥା, ଅନୁଷ୍ଠାନ, ଧର୍ମୀୟ ଅନୁଷ୍ଠାନ ଓ ବଡ ସଂସ୍ଥା ମାନଙ୍କୁ କୋଭିଡ କେୟାର ସେଣ୍ଟର ପାଇଁ ଅନୁମତି ଦିଆଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି।