Categories
ଜାତୀୟ ଖବର ବିଶେଷ ଖବର

ପୂର୍ବତଟ ରେଳ ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ୟୁଟିଏସ ଟିକେଟ ବିକ୍ରୀ, ଜାଣନ୍ତୁ କେଉଁ ଟ୍ରେନ

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ କିଛି ସୀମିତ ଟ୍ରେନରେ ଅଣସଂରକ୍ଷିତ (ୟୁଟିଏସ) ଟିକେଟ୍ ବୁକିଂ ଦ୍ୱାରା ଯାତ୍ରା କରିବା ପାଇଁ ଅନୁମତି ଦେଇଛି।ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଯାତ୍ରୀଙ୍କ ପାଇଁ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି।

ବର୍ତ୍ତମାନ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ମଧ୍ୟରେ ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଏବଂ ୦୮୪୫୬/୦୮୪୫୫ ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନ୍ ରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଯାତ୍ରା ପାଇଁ ଅନୁମତି ଦେଇଥିବାବେଳେ ୱାଲଟିୟର ଓ ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ୦୮୫୨୧/୦୮୫୨୨ ଗୁଣୁପୁର-ବିଶାଖାପାଟନମ୍-ଗୁଣୁପୁର ସ୍ପେଶାଲ୍, ୦୮୫୨୭/୦୮୫୨୮ ରାୟପୁର-ବିଶାଖାପାଟନମ୍-ରାୟପୁର ସ୍ପେଶାଲ୍, ୦୮୨୬୩/୦୮୨୬୪ ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ସ୍ପେଶାଲ ଏବଂ ୦୭୨୬୫/୦୭୨୬୬ କାକିନଡା-ବିଶାଖାପାଟନମ୍-କାକିନଡା ବିଶେଷ ଟ୍ରେନ ମାନଙ୍କରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ ଯାତ୍ରା ପାଇଁ ଅନୁମତି ଦିଆଯାଇଛି।

ଏହା ବ୍ୟତୀତ, ଖୁବ୍ ଶୀଘ୍ର ଚଳାଚଳ କରିବାକୁ ଥିବା ଖୋର୍ଦ୍ଧା ରୋଡ଼-ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ସ୍ପେଶାଲ୍ ଏବଂ ଖଡ଼ଗ୍ପୁର-ଭଦ୍ରକ-ଖଡ଼ଗ୍ପୁର ସ୍ପେଶାଲ୍ ଟ୍ରେନ ମାନଙ୍କରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ ଯାତ୍ରା ପାଇଁ ଅନୁମତି ଦିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଅଛି।

କୋଭିଡ ପାଇଁ ଟ୍ରେନ ଯାତ୍ରା ସମ୍ବନ୍ଧୀୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ ଅନୁଯାୟୀ, ସମ୍ପୂର୍ଣ୍ଣ ପ୍ରତୀକ୍ଷା ତାଲିକା ଥିବା ଟ୍ରେନ ଟିକେଟ ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା କରିବା ଏବଂ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ ଜ୍ଝ ଅଣସଂରକ୍ଷିତ ୟୁଟିଏସ ଟିକେଟ୍ କୁ ବର୍ତ୍ତମାନ ଉପରୋକ୍ତ ସୀମିତ ଟ୍ରେନ୍ ଗୁଡିକରେ ଅନୁମତି ଦିଆଯାଉଛି ଯେଉଁଥିରେ କେବଳ ଏହିପରି ଅଣସଂରକ୍ଷିତ ଯାତ୍ରା ଅନୁମତି ଦିଆଯାଇଛି।

ଟ୍ରେନ୍ ଯାତ୍ରା ସମୟରେ ଷ୍ଟେସନରେ କୋଭିଡ ସଙ୍କଟ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ କୋଭିଡ୧୯ ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ପୂର୍ବ ତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଉଅଛି।