Categories
ଆଞ୍ଚଳିକ

ଜଳସେଚନ ଯନ୍ତ୍ରୀ ଠିକାଦାର ମଧୁଚନ୍ଦ୍ରିକା, ତିର୍ତ୍ତୋଲ ୧୨ନଂ ଶାଖା କେନାଲ ସଫେଇ ନାଁରେ ହଡ଼ପ ଯୋଜନା

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ନୂଆପଡ଼ା ଠାରେ ତାଳଦଣ୍ଡା କେନାଲରୁ ବାହାରିଥିବା ଶାଖା ୧୨ନଂ କେନାଲ ଭିତର ସଫେଇ ନାଁରେ ଠିକାଦାର ଅର୍ଥ ହଡ଼ପ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଏହି କେନାଲ ସଫେଇ କାର୍ଯ୍ୟ ଠିକ୍ ଭାବେ ହେଉନଥିବା ଯୋଗୁଁ କେନାଲରେ ପାଣି ତଳମୁଣ୍ଡକୁ ପହଞ୍ଚି ପାରୁନାହିଁ ବୋଲି ଅଭିଯୋଗ ହେଉଛି। ଯାହାଫଳରେ ପାଣି ଅଭାବରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଚାଷୀ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି।

ସୂଚନାନୁଯାୟୀ ମଣିଜଙ୍ଗା ଜଳସେଚନ କାର୍ଯ୍ୟାଳୟ ଅଧିନରେ ଥିବା ଏହି ଶାଖା କେନାଲରେ ପାଣି ଛଡାଯିବା ପୂର୍ବରୁ ପାଣିପଞ୍ଚାୟତ ମାଧ୍ୟମରେ ପ୍ରତିବର୍ଷ କେନାଲ ସଫା କରାଯାଇଥାଏ ବୋଲି ଜଣାପଡିଛି। କିନ୍ତୁ ଚଳିତବର୍ଷ ଏହି କେନାଲ ସଫେଇ କାର୍ଯ୍ୟ ଟେଣ୍ଡର ହୋଇଛି। ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ନେଇଥିବା ଠିକାଦାର କେନାଲ ଭିତର ସଫେଇ କରିବା ପରିବର୍ତ୍ତେ କେନାଲ ଭିତର କେତେକ ସ୍ଥାନରେ ଜେସିବି ମେସିନ୍ ଦ୍ୱାରା ଆମ୍ପୁଡା ଦାଗ ଚିହ୍ନ ଦେଖାଇ ବିଲ୍ କରିବାକୁ ଉଦ୍ୟମ ଚଳାଇଥିବା ଅଭିଯୋଗ ହେଉଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଉକ୍ତ କାର୍ଯ୍ୟର ତଦାରଖ କରିବା ତ ଦୂରର କଥା କାମ ହେବାଦିନୁ କାମ ପାଖରେ ତାଙ୍କୁ ଥରେବି ଦେଖିବାକୁ ମିଳୁନାହିଁ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି।

ଆଉ କେଇଟା ଦିନ ଭିତରେ ଉକ୍ତ କେନାଲରେ ପାଣି ଛଡାଯିବ ବୋଲି କୁହାଯାଉଥିବା ବେଳେ କେନାଲରେ ପାଣି ଆସିଯିବା ପରେ ଏହି ନିମ୍ନମାନର ସଫେଇ କାର୍ଯ୍ୟର ପ୍ରମାଣ ଲୁଚିଯିବ ବୋଲି କୁହାଯାଉଛି। ଉକ୍ତ କେନାଲର ସଫେଇ କାର୍ଯ୍ୟ ଠିକାଦାର ମାନଙ୍କ ପାଇଁ ପାଲଟିଛି ଲେଉଟିଆ କିଆରୀ ବୋଲି ଚର୍ଚ୍ଚା ହେଉଛି। ଠିକାଦାରଙ୍କ ଠାରୁ ମୋଟା ଅଙ୍କର ପିସି ନେଇ ବିଭାଗ ଏପରି ନିମ୍ନମାନର କାର୍ଯ୍ୟକୁ ଆଖିବୁଜି ଦେଇଥିବା କୁହାଯାଉଛି। କେନାଲରେ ପାଣି ଆସିବା ପୂର୍ବରୁ ଉକ୍ତ କାର୍ଯ୍ୟକୁ ବିଭାଗୀୟ ଜିଲ୍ଲା ସ୍ତରୀୟ ଉଚ୍ଚପଦସ୍ଥ ଅଫିସରଙ୍କ ଦ୍ୱାରା ତଦନ୍ତ କରାଯିବା ନିମନ୍ତେ ସ୍ଥାନୀୟ ଚାଷୀମାନଙ୍କ ପକ୍ଷରୁ ଦାବୀ ହେଉଛି।