Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆରମ୍ଭ ହେଲା ସି-ପ୍ଲେନ ଚଳାଚଳ, ଉଭୟ ଜଳ ଏବଂ ସ୍ଥଳ ପଥରେ ଉଡାଣ କରିବ ଏହି ସ୍ବତନ୍ତ୍ର ବିମାନ, ଜାଣନ୍ତୁ କିପରି

ଅହମଦାବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେୱାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟଠାରୁ ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ସି-ପ୍ଲେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ସେହିପରି ସାବରମତୀ ରିଭରଫ୍ରଣ୍ଟରେ ଏକ ୱାଟର ଏରୋଡ୍ରମ ମଧ୍ୟ ଉଦ୍‌ଘାଟିତ ହୋଇଛି।ଏହା ଫଳରେ ସାବରମତୀରୁ କେୱାଡିଆ ମଧ୍ୟରେ ସି-ପ୍ଲେନ ଚଳାଚଳ ସେବା ଉଭୟ ପଟରୁ ଆରମ୍ଭ ହୋଇଛି। ଶେଷତମ ଲକ୍ଷ୍ୟସ୍ଥଳକୁ ସଂଯୋଗ କରିବା ପାଇଁ ସରକାର ଦେଶର ବିଭିନ୍ନ ଭାଗରେ ଏକାଧିକ ୱାଟର ଏରୋଡ୍ରମ ନିର୍ମାଣ କରିବାକୁ ଯେଉଁ ଯୋଜନା ରଖିଛନ୍ତି ଏହା ତାହାର ଅଂଶ ବିଶେଷ।

ସି-ପ୍ଲେନ ଉଭୟ ଜଳ ଓ ସ୍ଥଳ ଭାଗରୁ ଉପରକୁ ଉଠି ଉଡାଣ ଭରିବାରେ ସକ୍ଷମ। ଯେଉଁ ଅଞ୍ଚଳରେ ବିମାନ ଅବତରଣ କରିବା ପାଇଁ ଏୟାରଷ୍ଟ୍ରିପ ବା ରନ୍‌ୱେ ନାହିଁ ସେଠାରେ ଜଳଭାଗରେ ସି-ପ୍ଲେନ ସହଜରେ ଅବତରଣ କରିପାରିବ। ଅତଏବ ଭୌଗୋଳିକ ଦୃଷ୍ଟିରୁ ଯେଉଁସବୁ ଅଞ୍ଚଳରେ ଅସୁବିଧା ରହିଛି ତାହାକୁ ଅତିକ୍ରମ କରି ସି-ପ୍ଲେନ ସେଠାରେ ଯାତ୍ରୀ ସେବା ଯୋଗାଇବାକୁ ସକ୍ଷମ ହେବ।

ଏହା ଫଳରେ ଦେଶର ଦୂରଦୂରନ୍ତ ଏବଂ ଅଗମ୍ୟ ଅଞ୍ଚଳ, ଯେଉଁଗୁଡିକ ଭୌଗୋଳିକ ଦୃଷ୍ଟିରୁ ଦେଶର ମୁଖ୍ୟ ବିମାନ ନେଟୱାର୍କରେ ଅନ୍ତର୍ଭୁକ୍ତ ହୋଇପାରି ନାହିଁ ସେଗୁଡିକୁ ଏହାର ପରିସରଭୁକ୍ତ କରାଯାଇପାରିବ। ୱାଟର ଏରୋଡ୍ରମ ଓ ରନ୍‌ୱେମାନ ଅଳ୍ପ ଖର୍ଚ୍ଚରେ ନିର୍ମାଣ ହୋଇପାରିବ ଏବଂ ତାହାଦ୍ୱାରା ସେସବୁ ଅଞ୍ଚଳକୁ ବିମାନ ସେବା ସହଜରେ ସ୍ୱଳ୍ପ ମୂଲ୍ୟରେ ଯୋଗାଇହେବ। କ୍ଷୁଦ୍ର ଡେଣାଯୁକ୍ତ ଏହି ବିମାନ ହ୍ରଦ, ପାଟ, ଜଳଭଣ୍ଡାର, ବ୍ୟାକୱାଟର ଏବଂ ଗଣ୍ଡ ତଥା ଘାଷୁଆ ଅଞ୍ଚଳରେ ମଧ୍ୟ ସହଜରେ ଅବତରଣ କରିପାରିବ। ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ଏହାଦ୍ୱାରା ସହଜରେ ବିମାନସେବା ଯୋଗାଣ ସମ୍ଭବ ହୋଇପାରିବ।