Categories
ବିଶେଷ ଖବର

ଆର୍ଥିକ ସେବାର ଦକ୍ଷତା ବୃଦ୍ଧି ସଂକ୍ରାନ୍ତ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ: ଅଭିବୃଦ୍ଧି ସୁଯୋଗ ସୃଷ୍ଟି ପାଇଁ ଆର୍ଥିକ ସେବା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପରେ ଏକ ବଜେଟ ପରବର୍ତ୍ତୀ  ୱେବିନାର ଏଠାରେ ଅନୁଷ୍ଠିତ ହୋଇଯାଇଛି। ବଜେଟ୍ ପରବର୍ତ୍ତୀ ୧୨ଟି ୱେବିନାର ଶୃଙ୍ଖଳାରେ ଏହା ଦଶମ। ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ୱେବିନାରରେ ୨୦୨୩ ବଜେଟ୍‌ର କାର୍ଯ୍ୟକାରିତା ସମ୍ପର୍କରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ମତାମତ ଓ ପ୍ରସ୍ତାବ ଲୋଡାଯାଇଛି।

ଏଥିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏଭଳି ବଜେଟ୍ ପରବର୍ତ୍ତୀ ୱେବିନାର ମାଧ୍ୟମରେ ସରକାର ବଜେଟ୍‌ର କାର୍ଯ୍ୟକାରିତା କ୍ଷେତ୍ରରେ ମିଳିତ ମାଲିକାନ ଏବଂ ସମାନ ଅଂଶୀଦାରୀ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ୱେବିନାରରେ ଉପସ୍ଥାପିତ ମତାମତ, ପ୍ରସ୍ତାବକୁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ବଜେଟ୍‌ର କାର୍ଯ୍ୟକାରିତାରେ ତାହାକୁ ବିଚାରକୁ ନିଆଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ କିପରି ପଡିଛି ଏବଂ ଭାରତ ଏହାର କିଭଳି ମୁକାବିଲା କରୁଛି, ସମଗ୍ର ବିଶ୍ୱ ତା’ ଉପରେ ନଜର ରଖିଛି। ଆମ ବିତ୍ତୀୟ ଓ ଆର୍ଥିକ ନୀତି ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ତାହାର ଅର୍ଥନୀତିର ମୌଳିକ କ୍ଷେତ୍ର ଓ ସୂତ୍ରଗୁଡିକୁ ଠିକ୍ ରଖିବାରେ ସମର୍ଥ ହୋଇଛି। ବିଗତ ନ’ବର୍ଷ ଧରି ଆମେ ଆମ  ଅର୍ଥନୀତିର ମୌଳିକ ଆଧାରକୁ ସୁଦୃଢ କରିପାରିଛୁ।

ସମଗ୍ର ବଶ୍ୱ ଯେତେବେଳେ ଭାରତକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲା ସେତେବେଳେ  ଏହାର ଅର୍ଥନୀତି, ବଜେଟ୍ ଓ ଲକ୍ଷ୍ୟ ଉପରେ ଅନେକ ଆଲୋଚନା କରୁଥିଲେ। କିନ୍ତୁ ଏହାର ରହସ୍ୟ ଭେଦ କରିବା କାହାରି ପକ୍ଷେ ସମ୍ଭବ ନ ଥିଲା। ସମସ୍ତେ ପ୍ରଶ୍ନ ଚିହ୍ନ ଳଗାଇ ପ୍ରସଙ୍ଗକୁ ଛାଡି ଦେଉଥିଲେ। ଆମ ଅର୍ଥନୀତିର ଗତି, ସ୍ଥିତି, ବିତ୍ତୀୟ ଶୃଙ୍ଖଳା, ସ୍ୱଚ୍ଛତା, ପାରଦର୍ଶିତା ସମାବେଶିତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ ବିଶ୍ୱାସ ଓ ଆଶା ଏହାକୁ ସୁଦୃଢ କରିଛି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା ଉପରେ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା’ ବିଷୟବସ୍ତୁ ଉପରେ ଆଧାରିତ ଏକ ବଜେଟ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଆୟୋଜିତ ୧୨ଟି ବଜେଟ୍‌ ପରବର୍ତ୍ତୀ ୱେବିନାର ମଧ୍ୟରୁ ଏହା ନବମ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ସ୍ୱାସ୍ଥ୍ୟ ସେବାକୁ କୋଭିଡ ମହାମାରୀ ପୂର୍ବ ଏବଂ ପରବର୍ତ୍ତୀ ବ୍ୟବସ୍ଥା ଭାବେ ଦେଖାଯିବା ଉଚିତ୍‌। ସେ କହିଥିଲେ ଯେ, ମହାମାରୀ ସବୁଠୁ ସମୃଦ୍ଧ ଦେଶର ମଧ୍ୟ ପରୀକ୍ଷା ଦେଇଥିଲା। ମହାମାରୀ କାରଣରୁ ବିଶ୍ୱସ୍ତରରେ ସ୍ୱାସ୍ଥ୍ୟସେବା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା, ଅନ୍ୟପଟେ ଭାରତ ଗୋଟିଏ ପାଦ ଆଗକୁ ଯାଇ ୱେଲନେସ ବା ଆରୋଗ୍ୟ ଉପରେ ଗୁରୁତ୍ୱାରୋପ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ‘‘ଏହି କାରଣରୁ ‘‘ଆମେ ବିଶ୍ୱ ଆଗରେ – ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ ର ଲକ୍ଷ୍ୟ ରଖିଛୁ। ଏଥିରେ ସମ୍ପୂର୍ଣ୍ଣ ଜୀବଜଗତ- ମଣିଷ, ପଶୁ ଓ ପୃଥିବୀ ପାଇଁ ଏକ ସାମଗ୍ରିକ ସ୍ୱାସ୍ଥ୍ୟସେବା ସାମିଲ ରହିଛି’’, ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ମହାମାରୀ ସମୟରେ ଯୋଗାଣ ଶୃଙ୍ଖଳା ସଂକ୍ରାନ୍ତରେ ସମସ୍ତଙ୍କୁ ଏକ ଶିକ୍ଷା ମିଳିଛି ଏବଂ ଏହା ଚିନ୍ତାର ଏକ କାରଣ ପାଲଟିଯାଇଛି। ମହାମାରୀ ସଂକ୍ରମଣ ଶୀର୍ଷ ଛୁଇଁଥିବା ସମୟରେ ଔଷଧ, ଟିକା ଓ ଚିକିତ୍ସା ଉପକରଣ ଭଳି ଜୀବନ ରକ୍ଷାକାରୀ ଉପକରଣକୁ ଅସ୍ତ୍ରଶସ୍ତ୍ର ଭାବେ ବ୍ୟବହାର କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନିରାଶା ବ୍ୟକ୍ତ କରିଥିଲେ। ଗତ କିଛି ବର୍ଷଗୁଡ଼ିକରେ ଆଗତ ବଜେଟରେ ବିଦେଶୀ ରାଷ୍ଟ୍ର ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବା ଉପରେ ସରକାର ଜୋର ଦେଇଥିବା ଶ୍ରୀ ମୋଦୀ କହିଥିଲେ ଏବଂ ଏ ସଂକ୍ରାନ୍ତ ସବୁ ଅଂଶୀଦାରମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ବହୁ ଦଶନ୍ଧି ପରେ ମଧ୍ୟ ଦେଶରେ ସ୍ୱାସ୍ଥ୍ୟସେବା ପାଇଁ ଏକ ସମନ୍ୱିତ ଦୀର୍ଘକାଳୀନ ଦୂରଦୃଷ୍ଟିର ଅଭାବ ରହିଆସିଥିଲା। ଆମେ ଏବେ କେବଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାସ୍ଥ୍ୟସେବା ବିଷୟକୁ ସୀମିତ ନକରି ଏକ ସାମଗ୍ରିକ ସରକାର ବା ହୋଲ୍‌-ଅଫ୍‌ ଦ ଗଭର୍ଣ୍ଣମେଣ୍ଟ ଦୃଷ୍ଟିକୋଣ ନେଇ ଆଗକୁ ବଢ଼ୁଛୁ। ‘‘ଚିକିତ୍ସାକୁ ଶସ୍ତା ଓ ସୁଲଭ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଆସିଛି’’, ବୋଲି ସେ କହିବା ସହିତ ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ଲୋକମାନଙ୍କୁ ମାଗଣା ଚିକିତ୍ସା ମିଳିବା କାରଣରୁ ସେମାନଙ୍କର ୮୦ ହଜାର କୋଟି ଟଙ୍କାରୁ ଅଧିକ ସଞ୍ଚୟ ହୋଇଥିବା ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୭ ତାରିଖରେ ଜନ ଔଷଧି ଦିବସ ପାଳନ କରାଯିବ। ଦେଶରେ ଏବେ ୯ ହଜାର ଜନ ଔଷଧି କେନ୍ଦ୍ର ଜରିଆରେ ଶସ୍ତା ଦରରେ ଲୋକମାନଙ୍କୁ ଔଷଧ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସାରା ଦେଶର ଗରିବ ଓ ମଧ୍ୟବିତ୍ତ ଲୋକମାନଙ୍କର ପ୍ରାୟ ୨୦ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଏହାର ଅର୍ଥ ହେଉଛି କେବଳ ଏହି ଦୁଇଟି ଯୋଜନା ନାଗରିକମାନଙ୍କର ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ସଞ୍ଚୟ କରିପାରିଛି।

ଗମ୍ଭୀର ରୋଗ ଚିକିତ୍ସା ପାଇଁ ଏକ ଦୃଢ଼ ସ୍ୱାସ୍ଥ୍ୟ ଭିତ୍ତିଭୂମି ଜରୁରି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ସରକାରଙ୍କ ପ୍ରାଥମିକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ସାରା ଦେଶରେ ଜନବସତି ନିକଟରେ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିକଶିତ କରାଯାଉଛି ଯେଉଁଠି ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର ଏବଂ ପ୍ରାଥମିକ ଚିକିତ୍ସା ସୁବିଧା ମିଳିପାରିବ। ମଧୁମେହ, କର୍କଟ ଓ ହୃଦରୋଗ ଭଳି ଗମ୍ଭୀର ଅସୁସ୍ଥତାର ଯାଞ୍ଚ କରିବା ପାଇଁ ମଧ୍ୟ ଏସବୁ କେନ୍ଦ୍ରରେ ସୁବିଧା ମିଳିପାରିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ବିକଶିତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଛୋଟ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ଉପଲବ୍ଧ ହେଉଛି। ଏହାଦ୍ୱାରା କେବଳ ନୂଆ ଡାକ୍ତରଖାନା ନିର୍ମାଣ ହେଉ ନାହିଁ ବରଂ ଏକ ନୂଆ ଏବଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ ପ୍ରସ୍ତୁତ ହେଉଛି। ଯାହାଫଳରେ, ସ୍ୱାସ୍ଥ୍ୟ ଉଦ୍ୟମୀ, ନିବେଶ ଓ ପେସାଦାରଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇପାରୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଏହି କ୍ଷେତ୍ରରେ ମାନବ ସମ୍ବଳ ସୃଷ୍ଟି ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ଦେଶରେ ୨୬୦ରୁ ଅଧିକ ନୂଆ ମେଡ଼ିକାଲ କଲେଜ ଖୋଲାଯାଇଛି। ଫଳରେ ୨୦୧୪ ତୁଳନାରେ ଡାକ୍ତରୀ ସ୍ନାତକ ଏବଂ ସ୍ନାତକୋତ୍ତର ସିଟ୍‌ ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଛି। ଚଳିତ ବର୍ଷର ବଜେଟରେ ନର୍ସିଂ କ୍ଷେତ୍ର ପ୍ରତି ଗୁରୁତ୍ୱାରୋପ କରାଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ, ‘‘ମେଡ଼ିକାଲ କଲେଜ ନିକଟରେ ୧୫୭ଟି ନୂଆ ନର୍ସିଂ କଲେଜ ଖୋଲାଯିବାର ନିଷ୍ପତ୍ତି ସ୍ୱାସ୍ଥ୍ୟ ସେବା ମାନବ ସମ୍ବଳ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ। ଏହା ଘରୋଇ ଆବଶ୍ୟକତା ସହିତ ବିଶ୍ୱସ୍ତରରେ ଦେଖାଦେବାକୁ ଥିବା ଚାହିଦା ପୂରଣ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇପାରିବ।’’

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତିର ଭୂମିକା ନିରନ୍ତର ଭାବେ ସ୍ୱାସ୍ଥ୍ୟ ସେବାକୁ ସୁଲଭ ଓ ଶସ୍ତା କରୁଛି। ଏହି କ୍ଷେତ୍ରରେ ପ୍ରଯୁକ୍ତିକୁ କାର୍ଯ୍ୟକାରୀ କରିବା ଲାଗି ସରକାର ଧ୍ୟାନ ଦେଉଥିବା ସେ ସୂଚନା ଦେଇଥିଲେ। ‘‘ଡିଜିଟାଲ ହେଲଥ୍‌ ଆଇଡି ମାଧ୍ୟମରେ ଆମେ ନାଗରିକମାନଙ୍କୁ ଠିକ୍‌ ସମୟରେ ଚିକିତ୍ସା ଦେବା ଯୋଗାଇ ଦେବାକୁ ଚାହୁଁଛୁ। ୧୦ କୋଟି ଲୋକ ଇ-ସଞ୍ଜିବନୀ ଭଳି ଯୋଜନା ମାଧ୍ୟମରେ ଟେଲି ଚିକିତ୍ସା ପରାମର୍ଶ ପାଇବାରେ ସଫଳ ହୋଇଛନ୍ତି,’’ ସେ କହିଥିଲେ। ଏହି କ୍ଷେତ୍ରରେ ଷ୍ଟାର୍ଟଅପ୍ସ ପାଇଁ ୫ଜି ପ୍ରଯୁକ୍ତି ଏକ ନୂଆ ସୁଯୋଗ ସୃଷ୍ଟି କରୁଛି। ଔଷଧ ବିତରଣ ଏବଂ ଯାଞ୍ଚ ସେବା ଯୋଗାଇ ଦେବା ଦିଗରେ ଡ୍ରୋନ ଭଳି ପ୍ରଯୁକ୍ତି ଏହି କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛି। ‘‘ଉଦ୍ୟମୀମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଏବଂ ଏହା ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଇଁ ଆମ ପ୍ରୟାସକୁ ଏକ ବଡ଼ ପ୍ରୋତ୍ସାହନ ଦେବ,’’ ସେ କହିଥିଲେ। ତେବେ କୌଣସି ପ୍ରଯୁକ୍ତି ଆମଦାନୀ ନକରିବାକୁ ସେ ଉଦ୍ୟମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କ୍ଷେତ୍ରରେ ଆବଶ୍ୟକ ସଂସ୍ଥାଗତ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ମେଡ଼ିକାଲ ଉପକରଣ କ୍ଷେତ୍ରରେ ଅଣାଯାଇଥିବା ନୂଆ ଯୋଜନା ଉପରେ ସେ ଆଲୋକପାତ କରିଥିଲେ। ପାଇକାରୀ ଔଷଧ ଉତ୍ପାଦନ ପାର୍କ, ଚିକିତ୍ସା ଉପକରଣ ପାର୍କ, ପିଏଲଆଇ ଯୋଜନା ଉପରେ ୩୦ ହଜାରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବା ବିଷୟରେ ପ୍ରଧାନମନ୍ତ୍ରୀ କହିବା ସହିତ ଗତ କିଛି ବର୍ଷ ମଧ୍ୟରେ ମେଡ଼ିକାଲ ଉପକରଣ କ୍ଷେତ୍ରରେ ୧୨-୧୪ ପ୍ରତିଶତ ଅଭିବୃଦ୍ଧି ଆସିଥିବା ସୂଚନା ଦେଇଥିଲେ। ସେ କହିଥିଲେ ଯେ ଏହି କ୍ଷେତ୍ରର ଆକାର ଆଉ କିଛି ବର୍ଷ ମଧ୍ୟରେ ୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବାକୁ ଯାଉଛି।  ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଭବିଷ୍ୟତର ଚିକିତ୍ସା ପ୍ରଯୁକ୍ତି ଏବଂ ହାଇ ଏଣ୍ଡ ଉତ୍ପାଦନ ଓ ଗବେଷଣା କ୍ଷେତ୍ରରେ ଭାରତ କୁଶଳୀ ଶ୍ରମ ଶକ୍ତିଙ୍କୁ ପ୍ରସ୍ତୁତ କରିବା ଲାଗି କାର୍ଯ୍ୟ ଆରମ୍ଭ କରିଛି। ଆଇଆଇଟି ଭଳି ଶିକ୍ଷାନୁଷ୍ଠାନରେ ବାୟୋମେଡ଼ିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମ ଆରମ୍ଭ କରାଯିବ। ଏ କ୍ଷେତ୍ରରେ ଉଦ୍ୟୋଗ-ଶିକ୍ଷାନୁଷ୍ଠାନ ଏବଂ ସରକାରଙ୍କ ସହଭାଗିତା ପାଇଁ ମାର୍ଗ ସନ୍ଧାନ କରିବା ନିମନ୍ତେ ସେ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଫାର୍ମା କ୍ଷେତ୍ର ପ୍ରତି ବିଶ୍ୱର ବିଶ୍ୱାସ ବୃଦ୍ଧି ପାଉଛି। ଏହାର ସଦୁପଯୋଗ କରିବା ସହିତ ଭାରତର ସମ୍ମାନ ବଜାୟ ରଖିବା ଉପରେ ସେ ଜୋର ଦେଇଥିଲେ। ଶ୍ରୀ ମୋଦୀ ଏହି ଅବସରରେ ସୂଚନା ଦେଇଥିଲେ ଯେ, ଉତ୍କର୍ଷ କେନ୍ଦ୍ର ଜରିଆରେ ଫାର୍ମା କ୍ଷେତ୍ରରେ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଲାଗି ଏକ ନୂଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଉଛି। ଏହା ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ‘‘ଭାରତରେ ଫାର୍ମା କ୍ଷେତ୍ରର ଆକାର ଆଜି ୪ ଲକ୍ଷ କୋଟି ଟଙ୍କା ରହିଛି,’’ ପ୍ରଧାନମନ୍ତ୍ରୀ କହିଥିଲେ। ଘରୋଇ କ୍ଷେତ୍ର ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ୱୟ ଆଣିବା ଉପରେ ସେ ଜୋର ଦେଇଥିଲେ କାରଣ ଏହାଦ୍ୱାରା ଫାର୍ମା ବଜାରର ଆକାର ୧୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଯିବ। ଏହି କ୍ଷେତ୍ରରେ ଅଧିକ ଗବେଷଣା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଗବେଷଣା ଉଦ୍ୟୋଗ ପାଇଁ ଆଇସିଏମଆର ଦ୍ୱାରା ବହୁସଂଖ୍ୟାରେ ନୂଆ ପରୀକ୍ଷାଗାର ଖୋଲାଯାଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।

ନିରାକରଣ ଆଧାରିତ ସ୍ୱାସ୍ଥ୍ୟ ସେବା ଦିଗରେ ସରକାରଙ୍କ ପ୍ରୟାସର ପ୍ରଭାବ ବିଷୟରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସ୍ୱଚ୍ଛତା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ, ଧୂଆଁଜନିତ ରୋଗ ପାଇଁ ଉଜ୍ଜ୍ୱଳା ଯୋଜନା, ଜଳବାହିତ ରୋଗ ମୁକାବିଲା ପାଇଁ ଜଳ ଜୀବନ ମିଶନ ଏବଂ ଆନିମିଆ ଓ ଅପପୁଷ୍ଟି ଭଳି ରୋଗ ମୁକାବିଲା ପାଇଁ ଜାତୀୟ ପୋଷଣ ଅଭିଯାନ ଭଳି କାର୍ଯ୍ୟକ୍ରମ ବିଷୟରେ ସେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଉପରେ ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ବା ମିଲେଟ୍‌ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେବ। ସରକାର ଏହାକୁ ଶ୍ରୀ ଅନ୍ନ ନାମ ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ମିଶନ ଇନ୍ଦ୍ରଧନୁଷ, ଯୋଗ, ଫିଟ୍‌ ଇଣ୍ଡିଆ ଆନ୍ଦୋଳନ ଏବଂ ଆୟୁର୍ବେଦ ଆଦି ଲୋକମାନଙ୍କୁ ରୋଗ ସଂକ୍ରମଣରୁ ରକ୍ଷା କରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧୀନରେ ଭାରତରେ ପାରମ୍ପରିକ ଚିକିତ୍ସା ପାଇଁ ବୈଶ୍ୱିକ କେନ୍ଦ୍ର ପ୍ରତିଷ୍ଠା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଆୟୁର୍ବେଦ କ୍ଷେତ୍ରରେ ପ୍ରମାଣ ଆଧାରିତ ଗବେଷଣା ପାଇଁ ତାଙ୍କର ଅନୁରୋଧକୁ ଦୋହରାଇଥିଲେ।

ଆଧୁନିକ ଚିକିତ୍ସା ଭିତ୍ତିଭୂମି ଠାରୁ ଆରମ୍ଭ କରି ଡାକ୍ତରୀ ମାନବ ସମ୍ବଳ ସୃଷ୍ଟି ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ରେଖାପାତ କରି ଶ୍ରୀ ମୋଦୀ କହିଥିଲେ ଯେ, ଭାରତର ନୂତନ ସାମର୍ଥ୍ୟ କେବଳ ନିଜର ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ସୁଯୋଗାଇ ଦେବାରେ ସୀମିତ ନୁହେଁ ବରଂ ଭାରତକୁ ବିଶ୍ୱର ସବୁଠୁ ଆକର୍ଷଣୀୟ ଚିକିତ୍ସା ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ଏହାର ଲକ୍ଷ୍ୟ। ସେ କହିଥିଲେ ଯେ, ଚିକିତ୍ସା ପର୍ଯ୍ୟଟନ ଭାରତରେ ଏକ ବିଶାଳ କ୍ଷେତ୍ର ଏବଂ ଏହା ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଏକ ବିଶାଳ ମାଧ୍ୟମ ପାଲଟିଛି।

ଅଭିଭାଷଣ ଶେଷରେ, ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ସବ୍‌କା ପ୍ରୟାସ (ସମସ୍ତଙ୍କ ଉଦ୍ୟମ) ବଳରେ ଭାରତରେ ଏକ ବିକଶିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଇକୋସିଷ୍ଟମ ନିର୍ମାଣ କରାଯାଇପାରିବ ଏବଂ ଏହି କ୍ଷେତ୍ରରେ ନିଜ ନିଜର ମୂଲ୍ୟବାନ ପରାମର୍ଶ ଦେବା ପାଇଁ ସେ ସବୁ ଅଂଶୀଦାରମାନଙ୍କୁ ଅନୁରୋଧ କରିଥିଲେ। ‘‘ଏକ ସୁଦୃଢ଼ ରୋଡମ୍ୟାପ ସହିତ ବାଞ୍ଛିତ ଲକ୍ଷ୍ୟ ହାସଲ ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆମେ ବଜେଟ୍‌ରେ ଘୋଷଣା କରାଯାଇଥିବା ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିବା ଉଚିତ୍‌। ସବୁ ଅଂଶୀଦାରମାନଙ୍କୁ ସାଥୀରେ ନେଇ ଆସନ୍ତା ବଜେଟ୍‌ ପୂର୍ବରୁ ସବୁ ସଂକଳ୍ପକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ନିଜ ଅଭିଜ୍ଞତାର ଲାଭ ଉଠାଇବାକୁ ପଡ଼ିବ,’’ ସେ ଅଂଶୀଦାରମାନଙ୍କୁ କହିଥିଲେ।

Categories
ବିଶେଷ ଖବର

ସହରୀ ଯୋଜନା, ବିକାଶ ଓ ପରିମଳ ଉପରେ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଯୋଜନା କୈନ୍ଦ୍ରିକ ସହରୀ ବିକାଶ’ ଉପରେ ବଜେଟ ପର ଏକ ୱେବିନାରରେ ଆଜି (ତା୦୧.୦୩. ୨୦୨୩) ଅଭିଭାଷଣ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ବଜେଟ୍‌-୨୦୨୩ ରେ ଘୋଷିକ ବିଭିନ୍ନ ପଦକ୍ଷେପ ଉପରେ ଜନସାଧାରଣ ପ୍ରସ୍ତାବମାନ ଦେବାକୁ ତଥା ଏହାର କାର୍ଯ୍ୟକାରିତାର ସୁଖମତା ନିମନ୍ତେ ସରକାର ଏହି ୱେବିନାର ଆୟୋଜନ କରୁଛନ୍ତି। ସରକାର ଆୟୋଜନ କରିଥିବା ମୋଟ ୧୨ଟି ୱେବିନାର ମଧ୍ୟରୁ ଆଜିର ଏହା ଷଷ୍ଠ ୱେବିନାର।

ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ସ୍ୱାଧୀନତାର ଏତେବର୍ଷ ପରେ ମଧ୍ୟ ମାତ୍ର ଗୋଟିଏ-ଦୁଇଟି ସହରର ବିକାଶ ହୋଇଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ସ୍ୱାଧୀନତାର ୭୫ବର୍ଷରେ ଯଦି ଦେଶରେ ୭୫ଟି ସହର ବିକାଶ ଘଟିଥାନ୍ତା, ତେବେ ସମଗ୍ର ବିଶ୍ୱରେ ଭାରତର ସ୍ଥିତି ପୁରାପୁରି ଅଲଗା ହୋଇଥାନ୍ତା। ଏକ ବିଂଶ ଶତାବ୍ଦୀରେ ପରିବେଶର ଯେପରି ଦ୍ରୁତ ବିକାଶ ଘଟୁଛି,  ଯୋଜନାବଦ୍ଧ ନଗରୀ ନିର୍ମାଣ ବର୍ତ୍ତମାନର ଆବଶ୍ୟକତା ବୋଲି ସେ କହିଥିଲେ। ନୂତନ ନଗରୀଗୁଡିକର ବିକାଶ ସହ ବର୍ତ୍ତମାନ ଥିବା ନଗରୀଗୁଡିକରେ ସେବାର ଆଧୁନିକୀକରଣ ସହରୀ ବିକାଶର ଦୁଇଟି ପ୍ରମୁଖ ଦିଗ ବୋଲି କହି ଦେଶର ପ୍ରତ୍ୟେକ ବଜେଟ୍‌ରେ ସହରାଞ୍ଚଳ ବିକାଶ ଉପରେ,  ଦିଆଯାଇଥିବା ଧ୍ୟାନ ଉପରେ ଆଲୋକପାତ କରିଥିଲେ। ସହରାଞ୍ଚଳ ବିକାଶର ମାନ ଉନ୍ନତ କରିବା ପାଇଁ ଚଳିତବର୍ଷ ବଜେଟ୍‌ରେ ୧୫,୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ଓ ଏହା ଯୋଜନାବଦ୍ଧ ସହରୀକରଣରେ ଯଥେଷ୍ଟ ସହାୟକ ବୋଲି ସେ ଆସ୍ଥା ପ୍ରକଟ କରିଥିଲେ।

ସହରାଞ୍ଚଳ ବିକାଶରେ ଯୋଜନା ଓ ଶାସନ କଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ନଗରୀଗୁଡିକ ବିକାଶ ପାଇଁ ଦୁର୍ବଳ ଯୋଜନା ଓ ତ୍ୱରାନ୍ୱିତ କରିବାରେ ଅବହେଳା ଦେଶର ବିକାଶ ଯାତ୍ରା ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିବ। ସ୍ଥାନ ସମ୍ବନ୍ଧୀୟ ଯୋଜନା, ପରିବହନ ଯୋଜନା ଓ ସହରାଞ୍ଚଳ ଭିତ୍ତିଭୂମିକୁ ନେଇ ଅତ୍ୟନ୍ତ ଗୁରୁତ୍ୱର ସହ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ୱେବିନାରର ଅଂଶ ଗ୍ରହଣକାରୀଙ୍କୁ ନିବେଦନ କରି ସେ ମୁଖ୍ୟତଃ ତିନିଟି ପ୍ରଶ୍ନକୁ ପ୍ରାଧାନ୍ୟ ଦେଇ ସହରାଞ୍ଚଳ ଯୋଜନା ବାତାବରଣକୁ ରାଜ୍ୟରେ ମଜବୁତ କରିବାକୁ କହିଥିଲେ। ଦ୍ୱିତୀୟତଃ ଘରୋଇ କ୍ଷେତ୍ରରେ ଉପଳବ୍ଧ ବିଶେଷଜ୍ଞତାକୁ ସହରୀ ଯୋଜନାରେ ପ୍ରୟୋଗ କରିବା ଓ ଶେଷରେ ସହରୀ ବିକାଶ ଯୋଜନାକୁ ନୂତନ ସ୍ତରକୁ ଉନ୍ନୀତ କରିବା ପାଇଁ ଉତ୍କର୍ଷ କେନ୍ଦ୍ରର ବିକାଶ କରିବା। ଯୋଜନାବଦ୍ଧ ସହରାଞ୍ଚଳ ନକ୍ସା ପ୍ରସ୍ତୁତ କରି ପ୍ରତ୍ୟେକ ରାଜ୍ୟ ସରକାର ଓ ସ୍ୱାୟତ୍ତ ଶାସନ ସଂସ୍ଥା ଏକ ବିକଶିତ ଭାରତ ଗଠନ ଦିଗରେ ସେମାନଙ୍କ ଅବଦାନ ଦେଇପାରିବେ। “ସହରୀ ଯୋଜନା ଆମ ନଗରୀ ଗୁଡିକର ଭାଗ୍ୟ ଅମୃତକାଳ ନିର୍ଣ୍ଣେୟ କରିବ ଓ କେବଳ ଉନ୍ନତ ଯୋଜନାବଦ୍ଧ ନଗରୀ ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବ” ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ।

ଆମର ନଗରୀଗୁଡିକରେ ଜଳବାୟୁ ନମନୀୟତା ଓ ଜଳ ସୁରକ୍ଷା ପ୍ରଦାନ କେବଳ ଉନ୍ନତ ଯୋଜନା ଦ୍ୱାରା ହିଁ ହୋଇପାରିବ ବୋଲି ସେ କହିଥିଲେ।

ନୂଆ ନୂଆ ଚିନ୍ତାଧାରା ଦେବାକୁ ସେ ବିଶେଷଜ୍ଞମାନଙ୍କୁ ଅନୁରୋଧ କରିବା ସହ ସେମାନେ ଜିଆଇଏସ୍ ଭିତ୍ତିକ ବୃହତ୍ ଯୋଜନା, ବିଭିନ୍ନ  ଯୋଜନା ପଦ୍ଧତିର ବିକାଶ, ମଜବୁତ ମାନବ ସମ୍ବଳ ଓ ସାମର୍ଥ୍ୟ ବୃଦ୍ଧି ଉପରେ ଆଲୋକପାତ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ସେମାନଙ୍କ ଅଭିଜ୍ଞତା ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକୁ ଅନେକ ସୁଯୋଗ ପ୍ରଦାନ କରିବ ବୋଲି ସେ କହିଥିଲେ।

ପରିବହନ ଯୋଜନା ନଗରବିକାଶର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଓ ଆମ ନଗରୀ ଗୁଡିକର ପରିବର୍ତ୍ତନଶୀଳତା ନିରବଚ୍ଛିନ୍ନ ଭାବେ ରହିବା ଆବଶ୍ୟକ। ୨୦୧୪ ମସିହା ପୂର୍ବ ମେଟ୍ରୋ ସଂଯୋଗୀକରଣ ଉପରେ ଆଲୋକପାତ କରି ସେ କହିଥିଲେ ଯେ ବର୍ତ୍ତମାନ ସରକାର ମେଟ୍ରୋ ସଂଯୋଗୀକରଣ କାର୍ଯ୍ୟ ଅନେକ ନଗରୀରେ କରୁଛନ୍ତି  ଓ ଏହା ଅନେକ ଦେଶଗୁଡିକୁ ଏ କ୍ଷେତ୍ରରେ ପଛରେ ପକାଇ ଦେଇଛି। ମେଟ୍ରୋ ବ୍ୟବସ୍ଥାକୁ ମଜବୁତ କରିବା ସହ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଯୋଗୀକରଣ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ନଗରୀଗୁଡିକରେ ସଡକ ପ୍ରଶସ୍ତିକରଣ, ଯାତ୍ରାରେ ଶବ୍ଦ ଓ ବାୟୁ ପ୍ରଦୂଷଣ ହ୍ରାସ (ଗ୍ରୀନ ମୋବିଲିଟି), ରାସ୍ତା, ସୌନ୍ଦର୍ଯ୍ୟକରଣ ଓ ଜଙ୍କସନଗୁଡିକର ବିକାଶ ପରିବହନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ବୋଲି ସେ କହିଥିଲେ।

“ଭାରତ ଚକ୍ରୀୟ ଅର୍ଥନୀତିକୁ ସହରୀ ବିକାଶର ମୁଖ୍ୟ ଭିତ୍ତି କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟାଟେରୀ ବର୍ଜ୍ୟ, ବିଦ୍ୟୁତ ବର୍ଜ୍ୟ, ଯାନବାହନ ବର୍ଜ୍ୟ, ଟାୟାର ଓ ଖତ ପାଇଁ ବ୍ୟବହୃତ ବର୍ଜ୍ୟ ଭଳି ପୌରସଂସ୍ଥାର ହଜାର ହଜାର ଟନ୍ ବର୍ଜ୍ୟବସ୍ତୁ ଆମର ସୃଷ୍ଟି ହେଉଛି।

୨୦୧୪ରେ ଶତକଡା ୧୪ରୁ ୧୫ଭାଗ ବର୍ଜ୍ୟ ପରିଚାଳନା ହେଉଥିବାବେଳେ ବର୍ତ୍ତମାନ ପ୍ରାୟ ଶତକଡା ୭୫ଭାଗ ବର୍ଜ୍ୟ ପରିଚାଳନା ହେଉଛି। ଆଗରୁ ପଦକ୍ଷେପ ନିଆଯାଇଥିଲେ ନଗରୀଗୁଡିକର ଶେଷ ଭାଗରେ ପାହାଡ ଆକାରରେ ଆବର୍ଜନା ଜମା ହୋଇ ନ ଥାନ୍ତା। ବର୍ତ୍ତମାନ ନଗରୀଗୁଡିକୁ କୁଢ କୁଢ ଆବର୍ଜନାରୁ ମୁକ୍ତ କରିବା ପାଇଁ ବର୍ଜ୍ୟ ପରିଚାଳନା କରାଯିବା ସହ ପୁନଃ ପ୍ରକ୍ରିୟା କରଣ ଓ ଚକ୍ରୀୟ ବ୍ୟବସ୍ଥା ନିମନ୍ତେ ଅନେକ ଶିଳ୍ପାନୁଷ୍ଠାନଗୁଡିକୁ ସୁଯୋଗ ମଧ୍ୟ ମିଳୁଛି। ଏ ଦିଗରେ ବିରାଟ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‌ଗୁଡିକୁ ସମସ୍ତେ ସମର୍ଥନ କରିବା ପାଇଁ ଶ୍ରୀ ମୋଦୀ ନିବେଦନ କରିଥିଲେ। ଶିଳ୍ପାନୁଷ୍ଠାନ ଗୁଡିକ ବର୍ଜ୍ୟ ପରିଚାଳନା ପାଇଁ ଅଧିକରୁ ଅଧିକ ଯୋଗଦେବା ଉଚିତ। ନଗରୀଗୁଡିକ ନିର୍ମଳ ପାନୀୟ ଜଳ ଯୋଗାଇବା ପାଇଁ ସଫଳ ହୋଇଥିବା ଅମୃତ ଯୋଜନା ଅମୃତ-୨.୦ ଭାବେ ପୁଣି ଆରମ୍ଭ କରାଯାଇଛି। ଜଳ ଓ ଆବର୍ଜନା ନିଷ୍କାସନ ପାରମ୍ପାରିକ ପଦ୍ଧତିର ଆଗକୁ ଯାଇ ବର୍ତ୍ତମାନ କେତେକ ନଗରୀରେ ବ୍ୟବହୃତ ଜଳର ପ୍ରକ୍ରିୟାକରଣ ହୋଇ ତାହା ଶିଳ୍ପର ବ୍ୟବହାରରେ ଲାଗୁଛି।

“ଆମର ନୂତନ ନଗରୀଗୁଡିକ ନିଶ୍ଚିତଭାବେ ଆର୍ବଜନା ମୁକ୍ତ , ସୁରକ୍ଷିତ ଜଳ ଓ ଜଳବାୟୁ ନମନୀୟ ହେବା ଦରକାର ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ଟୁ-ଟାୟାର ଓ ଥ୍ରୀ-ଟାୟାର ନଗରୀଗୁଡିକରେ ସହରୀ ଭିତ୍ତିଭୂମି ଓ ଯୋଜନା ବାବଦ ପୁଞ୍ଜି ବିନିଯୋଗ ଅଧିକ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଆମର ଭବିଷ୍ୟତରେ ନଗରୀ ଗୁଡିକ ପାଇଁ ସ୍ଥାପତ୍ୟ,  ଶୂନ୍ୟ ବର୍ଜ୍ୟ ନିଷ୍କାସନ ମଡେଲ, ଶକ୍ତି ସାପେକ୍ଷ, ଭୂମି ବ୍ୟବହାରରେ ସାମର୍ଥ୍ୟ, ଟ୍ରାନଜିଟ୍ କରିଡର ଓ ଜନ ସେବାରେ କୃତ୍ରିମ ମେଧା ମାନଦଣ୍ଡ ହେବା ଆବଶ୍ୟକ। ସହରୀ ଯୋଜନାରେ ଖେଳ ପଡିଆ ଓ ପିଲାମାନଙ୍କ ପାଇଁ ସାଇକେଲ ଚଲା ପଥ ରଖିବା ଆବଶ୍ୟକ ବୋଲି ସେ କହିଥିଲେ।

“ ସରକାର କରୁଥିବା ଯୋଜନା ଓ ନୀତି କେବଳ ନଗରବାସୀଙ୍କ ଜୀବନରେ ସ୍ୱାଚ୍ଛ୍‌ନ୍ଦ୍ୟ, ଆଣିବା ଉଚିତ ନୁହେଁ, ବରଂ ଏହା ସେମାନଙ୍କ ନିଜର ବିକାଶରେ ସହାୟକ ହେବା ଦରକାର” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଚଳିତବର୍ଷ ବଜେଟରେ ପିଏମ୍ ଆବାସ ଯୋଜନା ବାବଦ ୮୦, ୦୦୦କୋଟି ଟଙ୍କାର ବ୍ୟୟବରାଦ ପ୍ରସଙ୍ଗ ଉତଥାପନ କରି ଏଥିପାଇଁ ସିମେଣ୍ଟ, ଇସ୍ପାତ, ରଙ୍ଗ ଓ ଆସବାବପତ୍ରର ଶିଳ୍ପ ମଧ୍ୟ ଲାଭ ପାଇବେ। ସହରାଞ୍ଚଳ ବିକାଶରେ ଭବିଷ୍ୟତ ପ୍ରଯୁ୍‌କ୍ତି ବିଦ୍ୟାର କ୍ରମବର୍ଦ୍ଧିଷ୍ଣୁ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏ ଦିଗରେ ତୁରନ୍ତ ଚିନ୍ତା କରିବାକୁ ଷ୍ଟାର୍ଟଅପ୍ ଓ ଶିଳ୍ପସଂସ୍ଥାଗୁଡିକୁ ନିବେଦନ କରିଥିଲେ। ଆମକୁ ପାଖରେ ଥିବା ସମ୍ଭାବନାଗୁଡିକର ସୁବିଧା ନେବା ସହ ଭବିଷ୍ୟତର ସମ୍ଭାବନା ପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ। ନିରନ୍ତର ଆବାସ ପ୍ରଯୁକ୍ତିରୁ ନିରନ୍ତର ଓ ସ୍ଥାୟୀ ନଗରୀ ପର୍ଯ୍ୟନ୍ତ ଆମକୁ ନୂତନ ସମାଧାନ ପନ୍ଥା ବାହାର କରିବାକୁ ହେବ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

କୃଷି ଓ ସମବାୟ ଉପରେ ବଜେଟ ପର ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪-୦୨-୨୦୨୩) କୃଷି ଓ ସମବାୟ ଉପରେ ବଜେଟ ପର ୱେବିନାରରେ ଉଦବୋଧନ ଦେଇଛନ୍ତି। ସରକାର ବଜେଟ ପର ୧୨ଟି ବିଷୟ ଉପରେ ଆୟୋଜନ କରୁଥିବା ୱେବିନାର ମଧ୍ୟରୁ ଏହା ହେଉଛି ଦ୍ୱିତୀୟ। କେନ୍ଦ୍ର ବଜେଟ ୨୦୨୩ରେ ଘୋଷିତ ବିଭିନ୍ନ ପଦକ୍ଷେପଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ପ୍ରସ୍ତାବ ଓ ମତାମତ ସଂଗ୍ରହ କରିବା ନେଇ ସରକାର ଏହାର ଆୟୋଜନ କରୁଛନ୍ତି।

ସମବେତ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଚଳିତ ବଜେଟ ଓ ଗତ ଆଠ-ନଅ ବର୍ଷ ମଧ୍ୟରେ କୃଷିକୁ ଦିଆଯାଇଥିବା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ୨୦୧୪ ମସିହାରେ ଯେଉଁ କୃଷି ବଜେଟ ପରିମାଣ ୨୫ ହଜାର କୋଟିରୁ କମ ଥିଲା ତାହା ଆଜି ୧ ଲକ୍ଷ ୨୫ ହଜାର କୋଟିରୁ ଅଧିକ ହୋଇଛି ବୋଲି ସେ ଜଣାଇଥିଲେ। “ନିକଟ ବର୍ଷଗୁଡ଼ିକରେ ହୋଇଥିବା ପ୍ରତ୍ୟକ ବଜେଟ ଗାଁ, ଗରିବ ଓ କିଷାନ ବଜେଟ” ବୋଲି କୁହାଯାଉଥିବା ଶ୍ରୀ ମୋଦୀ କହିଥିଲେ।

ସ୍ୱାଧୀନତା ଠାରୁ ବହୁଦିନ ଧରି ଭାରତର କୃଷି କ୍ଷେତ୍ର ଅବହେଳିତ ହୋଇ ରହିଥିବାରୁ ଖାଦ୍ୟ ସୁରକ୍ଷା ପାଇଁ ଭାରତକୁ ବିଶ୍ୱର ଅନ୍ୟାନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା। ମାତ୍ର ଭାରତୀୟ ଚାଷୀମାନେ ଏହି ପରିସ୍ଥିତିରେ ପରିବର୍ତ୍ତନ ଆଣି ଭାରତକୁ ଆତ୍ମନିର୍ଭରଶ କରାଇବା ସହ ଖାଦ୍ୟଶସ୍ୟ ରପ୍ତାନୀର ସାମର୍ଥ୍ୟ ମଧ୍ୟ ଦେଖାଇ ଦେଲେ। “ଆଜି ଭାରତ ଅନେକ କିସମର କୃଷିଜାତ ସାମଗ୍ରୀ ରପ୍ତାନୀ କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ ଆମର ଚାଷୀମାନଙ୍କୁ ଘରୋଇ ଓ ଆନ୍ତର୍ଜାତିକ ବଜାର ସହ ପରିଚିତ କରାଇବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି କହିଥିଲେ। ଯେତେବେଳେ ଆତ୍ମନିର୍ଭରଶୀଳତା ଓ ରପ୍ତାନୀର ପ୍ରସଙ୍ଗ ଆସେ ସେତେବେଳେ ଭାରତର ଲକ୍ଷ୍ୟ କେବଳ ଚାଉଳ ଓ ଗହମକୁ ନେଇ ସୀମିତ ରହିବା ଅନୁଚିତ।

ପ୍ରଧାନମନ୍ତ୍ରୀ ୨୦୨୧-୨୨ରେ ଡାଲି ଆମଦାନୀ ବାବଦ ୧୭୦୦୦ କୋଟି, ଅନ୍ୟାନ୍ୟ ମୂଲ୍ୟଯୁକ୍ତ ଖାଦ୍ୟ ପଦାର୍ଥ ବାବଦ ୨୫ ହଜାର କୋଟି ଓ ଖାଇବା ତେଲ ଆମଦାନୀ ବାବଦ ୧.୫ ଲକ୍ଷ କୋଟି ଖର୍ଚ୍ଚ କରାଯାଇଥିବାର ଉଦାହରଣ ଦେଇଥିଲେ। ସମୁଦାୟ ରପ୍ତାନୀ ଖାଦ୍ୟ ପଦାର୍ଥର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ହେବ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଦେଶକୁ ଆତ୍ମିନିର୍ଭର କରିବା ପାଇଁ ଅନେକ ନିଷ୍ପତ୍ତି ନିଆଯାଉଛି ଓ ଏଥିପାଇଁ ଆମଦାନୀ ବାବଦ ହେଉଥିବା ଖର୍ଚ୍ଚ ମଧ୍ୟ ଚାଷଈଙ୍କ ନିକଟରେ ପହଞ୍ଚିପାରିବ। ସେ ଏମଏସପି ବୃଦ୍ଧି, ଡାଲି ଉତ୍ପାଦନ ନିମନ୍ତେ ପ୍ରୋତ୍ସାହନ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟାନ ସଂଖ୍ୟା ବୃଦ୍ଧି ଓ ଖାଇବା ତେଲ ବାବଦକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବା ନେଇ ଦିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଉଦହରଣମାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷି କ୍ଷେତ୍ରରେ ଥିବା ବାଧାବିଘ୍ନମାନ ଦୂର ନ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିକାଶର ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ। ଘରୋଇ କ୍ଷେତ୍ରରୁ ନବୋନ୍ମେଷ ଓ ପୁଞ୍ଜି ବିନିଯୋଗ କୃଷି କ୍ଷେତ୍ର ପ୍ରତି ଉଦାସୀନ ଥିବାରୁ ଏଥିରେ ଯୁବଗୋଷ୍ଠୀର ସହଭାଗିତା କମ୍ ରହିଛି ଓ ଅନ୍ୟାନ୍ୟ କ୍ଷେତ୍ରରେ ସକାରାତ୍ମକ ନିବେଶ ଓ ସହଯୋଗ ଯୋଗୁ ସେ କ୍ଷେତ୍ରଗୁଡ଼ିକ ଉନ୍ନତି କରୁଥିବା ଲକ୍ଷ୍ୟ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଏଥିପାଇଁ ରାଣନୀତିକ ପରିବର୍ତ୍ତନ, ବୃହତ ବଜାରରେ ପ୍ରବେଶ, ପ୍ରଯୁକ୍ତି ଜରିଆରେ ବୁନ୍ଦା ଜଳ ସେଚନ ଉପରେ ଗୁରୁତ୍ୱ। ମେଡିକାଲ ପରୀକ୍ଷା ଭଳି ମାଟି ପରୀକ୍ଷାଗାର ଇତ୍ୟାଦି କେତେକ ସୁଧାର ବ୍ୟବସ୍ଥା ଉପରେ ସେ କହିଥିଲେ। ଠିକ୍ ସମୟରେ ଠିକ୍ ପରାମର୍ଶ, ସରକାରଙ୍କ ନୀତି ଓ ସୁବିଧା ନେଇ ଚାଷୀମାନଙ୍କୁ ଠିକ୍ ସମୟରେ ଅବଗତ କରାଇବା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଯୁବଗୋଷ୍ଠୀକୁ ନିବେଦନ କରିଥିଲେ । ପାଣିପାଗ ନେଇ ସଠିକ ବିବରଣୀ ଦେବା ସହ ଅତ୍ୟାଧୁନିକ ଶସ୍ୟ ଅମଳର ଆକଳନ ଡ୍ରୋନ ଜରିଆରେ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।

ଏଗ୍ରିଟେକ ଷ୍ଟାର୍ଟଅପମାନଙ୍କ ନିମନ୍ତେ ତ୍ୱରିତ ପାଣ୍ଠି ଉପଲବ୍ଧତା ସହ ସରକାର କେବଳ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରୁନାହାନ୍ତି ବରଂ ପାଣ୍ଠି ଯୋଗାଣ ମାର୍ଗର ମଧ୍ୟ ବ୍ୟବସ୍ଥା କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଯୁବ ଶିଳ୍ପୋଦ୍ୟୋଗୀ ଓ ଯୁବଗୋଷ୍ଠୀଙ୍କୁ ଆଗେଇ ଆସି ସେମାନଙ୍କ ଲକ୍ଷ୍ୟ ହାସଲ ନିମନ୍ତେ ମଧ୍ୟ ନିବେଦନ କରିଥିଲେ। ନଅବର୍ଷ ଆଗରୁ ଆଦୌ ନଥିବା ଏଗ୍ରି ଷ୍ଟାର୍ଟଅପ ସଂଖ୍ୟା ବର୍ତ୍ତମାନ ଦେଶରେ ୩୦୦୦ରେ ପହଞ୍ଚôଛି ବୋଲି ସେ କହିଥିଲେ।

ଆନ୍ତର୍ଜାତିକ ମଲେଟ ବର୍ଷର ଅବତାରଣା କରି ପ୍ରଧାନମନ୍ତ୍ରୀ ଭାରତୀୟ କୃଷକମାନଙ୍କ ନିମନ୍ତେ ଏକ ଆନ୍ତର୍ଜାତିକ ପରିଚିତି ସହ ବୈଶ୍ୱିକ ପ୍ରବେଶ ଦ୍ୱାର ସେମାନଙ୍କ ପାଇଁ ଉନ୍ମୁକ୍ତ ହେଉଛି। “ଦେଶ ବର୍ତ୍ତମାନ ବଗଡ଼ା ଶସ୍ୟକୁ ଶ୍ରୀ ଅନ୍ନ ଭାବେ ଚଳିତ ବଜେଟରେ ନାମିତ କରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆମର କ୍ଷୁଦ୍ର ଚାଷୀଙ୍କ ସୁବିଧା ପାଇଁ ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଦିଆଯିବା ସହ ଏହି କ୍ଷେତ୍ରରେ ଷ୍ଟାର୍ଟଅପମାନଙ୍କ ସମ୍ଭାବ୍ୟ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖାଯାଇଛି।

“ଭାରତର ସମବାୟ କ୍ଷେତ୍ରରେ ମଧ୍ୟ ଏକ ନୂତନ ବିପ୍ଳବ ସଂଗଠିତ ହେଉଛି” ଓ ଏହା କେବଳ କେତେକ ରାଜ୍ୟ ଓ ଦେଶର କିଛି ଅଞ୍ଚଳ ପାଇଁ ସୀମାବଦ୍ଧ ନୁହଁ ବୋଲି ଶ୍ରୀ ମୋଦି କହିଛନ୍ତି। ଚଳିତ ବର୍ଷ ବଜେଟରେ ସମବାୟ କ୍ଷେତ୍ରକୁ ଟିକସ ରିହାତି ପ୍ରଦାନ କରାଯାଇଛି ଓ ସେ ଦୃଷ୍ଟିରୁ ନିର୍ମାଣ କାର୍ଯ୍ୟରେ ସଂଶ୍ଳିଷ୍ଟ ସମବାୟ ସମିତିଗୁଡ଼ିକୁ ଚଳିତ ବଜେଟରେ ସୁବିଧା ମିଳିପାରିବ। ସମବାୟ ସମିତିଗୁଡ଼ିକ ଦ୍ୱାରା ତିନି କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଉଠାଣ ଉପରେ ଟିଡିଏସ୍ ଆଦାୟ କରାଯିବ ନାହିଁ।

ଚିନି ସମବାୟ ସମିତିଗୁଡ଼ିକ ୨୦୧୬-୧୭ ଆର୍ଥିକ ବର୍ଷ ପୂର୍ବରୁ କରିଥିବା ଦେୟ ପୈଠ ଉପରେ ଟିକସ ଛାଡ଼ କରାଯାଇଥିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବା ସହ ଏହା ଦ୍ୱାରା ଚିନି ସମବାୟ ସଂସ୍ଥାଗୁଡ଼ିକ ଦଶ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ ପାଇବେ ବୋଲି ଶ୍ରୀ ମୋଦୀ କହିଥିଲେ।

ଆଗରୁ ସମବାୟ ସଂସ୍ଥା ନ ଥିବା ଦୁଗ୍ଧ ଓ ମତ୍ସ୍ୟ କ୍ଷେତ୍ର ଏହାର ଚାଷୀମାନଙ୍କୁ ବେଶ ଲାଭାନ୍ୱିତ କରିବ। ଆମର ମତ୍ସ୍ୟ ଚାଷୀମାନଙ୍କ ପାଇଁ ଥିବା ବିପୁଳ ସଂଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗତ ୮-୯ ବର୍ଷ ମଧ୍ୟରେ ଦେଶରେ ମତ୍ସ୍ୟ ଉତ୍ପାଦନ ପ୍ରାୟ ୭୦ ଲକ୍ଷ ମେଟ୍ରିକ ଟନ ବୃଦ୍ଧି ପାଇଛି ବୋଲି କହିଥିଲେ। ସେ ମଧ୍ୟ ପିଏମ ମତ୍ସ୍ୟ ସମ୍ପଦ ଯୋଜନା ଛଅ ହଜାର କୋଟି ବ୍ୟୟ ଅଟକଳରେ କରାଯାଇଛି ଯାହା ମାଛ ଚାଷ ସହ ଏହାର ବଜାର ବିକାଶରେ ସହାୟକ ହେବ ବୋଲି କହିଥିଲେ।

ସମ୍ବୋଧନ ଶେଷ କରିବା ଆଗରୁ ପ୍ରଧାନମନ୍ତ୍ରୀ ପିଏମ ପ୍ରଣାମ ଯୋଜନା ଓ ଗୋବର୍ଦ୍ଧନ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଥିଲେ ଯାହା ପ୍ରାକୃତିକ କୃଷିକୁ ପ୍ରୋତ୍ସାନ ଦେବା ସହ ରାସାୟନିକ କୃଷି ହ୍ରାସ କରିବ ବୋଲି କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ସବୁଜ ଅଭିବୃଦ୍ଧି ସଂକ୍ରାନ୍ତ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଗ୍ରୀନ ଗ୍ରୋଥ ବା ସବୁଜ ଅଭିବୃଦ୍ଧି ସଂକ୍ରାନ୍ତ ଏକ ବଜେଟ୍ ପରବର୍ତ୍ତୀ ୱେବିନାରରେ  ଉଦ୍‌ବୋଧନ ଦେଇଛନ୍ତି। ଚଳିତ ବର୍ଷର ବଜେଟ ଉପରେ ସରକାର ଯେଉଁ ୧୨ଟି ୱେବିନାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେ ଶୃଙ୍ଖଳାରେ ଏହା ପ୍ରଥମ। ୨୦୨୩ ବଜେଟ୍‌ରେ ଯେଉଁ ସବୁ ପ୍ରସ୍ତାବନା ରହିଛି ସେ ସମ୍ପର୍କରେ ବିଚାର ଆଲୋଚନା କରିବା ସହିତ ସେସବୁର ସଫଳ ରୂପାୟନ କରିବା ନିମନ୍ତେ ଏହି ୱେବିନାର ଶୃଙ୍ଖଳାର ପରିକଳ୍ପନା କରାଯାଇଛି।

ଆଜିର ସମାବେଶରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୧୪ଠାରୁ ଏଯାଏ ଦେଶରେ ଉପସ୍ଥାପିତ ହୋଇଥିବା ସବୁ ବଜେଟ୍ ନୂଆ ଯୁଗର  ସଂସ୍କାରକୁ ଆଗକୁ ବଢାଇଛି। ଏହା ସହିତ ଏସବୁ ବଜେଟ୍ ସାଂପ୍ରତିକ ସମସ୍ୟାବଳୀର ସମାଧାନ କରିବାକୁ ବାଟ ଦେଖାଇଛି।

ପ୍ରଧାନମନ୍ତ୍ରୀ ସବୁଜ ଅଭିବୃଦ୍ଧି ବା ଗ୍ରୀନ ଗ୍ରୋଥ ଏବଂ ଊର୍ଜା ପରିବର୍ତ୍ତନର ତିନିଟି ସ୍ତମ୍ଭ ଉପରେ ଗୁରୁତ୍ୱ ଦେଇଛନ୍ତି। ସେଥିରୁ ପ୍ରଥମଟି ହେଲା ଅକ୍ଷୟ ଶକ୍ତିର ଉତ୍ପାଦନକୁ ବଢାଇବା, ଦ୍ୱିତୀୟରେ ଅର୍ଥନୀତିରେ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ହ୍ରାସ କରିବା ଏବଂ ତୃତୀୟରେ ଦେଶରେ ଗ୍ୟାସଭିତ୍ତିକ ଅର୍ଥନୀତି ସୃଷ୍ଟି କରିବାକୁ ଦ୍ରୁତଗତିରେ ଅଗ୍ରସର ହେବା। ଏହି ରଣନୀତି ହିଁ ଇଥାନଲ ବ୍ଲେଡିଂ, ପିଏମ୍ କୁସୁମ ଯୋଜନା, ସୌରଶକ୍ତି ଉତ୍ପାଦନ ପାଇଁ ପ୍ରୋତ୍ସାହନ, ଛାତ ଉପରେ ସୌର ପ୍ରକଳ୍ପ, କୋଇଲା ବାଷ୍ପୀକରଣ ଓ ବ୍ୟାଟେରୀ ଷ୍ଟୋରେଜ ଭଳି ବିଷୟକୁ ବଜେଟ୍‌ରେ ଘୋଷଣା କରିବାକୁ ପ୍ରୋତ୍ସାହନ ଯୋଗାଇଛି। ବିଗତ କେତେବର୍ଷ ଧରି ଆମେ ଏସବୁ କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ କାମ କରୁଛୁ। ପୂର୍ବବର୍ଷର ବଜେଟଗୁଡିକରେ ଘୋଷଣା କରାଯାଇଥିବା ବିଷୟର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରିବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିଳ୍ପ ସଂସ୍ଥା ପାଇଁ ଏଥର ବଜେଟ୍‌ରେ ଗ୍ରୀନ କ୍ରେଡିଟ୍‌, ପିଏମ୍ ପ୍ରମାଣ ଯୋଜନା, ଗୋବର୍ଦ୍ଧନ ଯୋଜନା, ପୁରୁଣା ଯାନ ସ୍ପ୍ରାପିଂ ନୀତି, ଗ୍ରୀନ ହାଇଡ୍ରୋଜେନ ଓ ଆର୍ଦ୍ରଭୂମିର ସୁରକ୍ଷା ଚଳିତ ଥର ବଜେଟ୍‌ରେ ଘୋଷଣା କରାଯାଇଛି। ଏସବୁ ଘୋଷଣା ଭାରତର ଭବିଷ୍ୟତ ବଂଶଧରଙ୍କ ପାଇଁ ବିକାଶର ଏକ ନୂଆ ଆଧାରଶୀଳା ସ୍ଥାପନ କରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତର ଶକ୍ତିଶାଳୀ ସ୍ଥିତି ବିଶ୍ୱରେ ଏକ ନୂଆ ପରିବର୍ତ୍ତନ ଆଣିବ। “ଏଥର ବଜେଟ ଭାରତକୁ ବିଶ୍ୱର ସବୁଜ ଊର୍ଜା ମାର୍କେଟରେ ନେତୃତ୍ୱ ସ୍ଥାନ ଦେବାରେ ସହାୟକ ହେବ। ସେଥିପାଇଁ ଆଜି ମୁଁ ବିଶ୍ୱର ଊର୍ଜା କ୍ଷେତ୍ରରେ ସବୁ ସମ୍ପୃକ୍ତ ପକ୍ଷଙ୍କୁ ଭାରତରେ ଗ୍ରୀନ ଏନର୍ଜୀ କ୍ଷେତ୍ରରେ ପୁଞ୍ଜିିନିବେଶ କରିବାକୁ ଆମନ୍ତ୍ରଣ କରୁଛି।” ସେ ଆହୁରି କହିଛନ୍ତି ଯେ ବିଶ୍ୱ ଊର୍ଜା ନିବେଶକଙ୍କୁ ବଜେଟ୍ ଏକ ବଡ ସୁଯୋଗ ଦେଇଛି ଏବଂ ସେମାନେ ଭାରତର ଏ କ୍ଷେତ୍ରରେ ଶୀଘ୍ର ପୁଞ୍ଜି ନିବେଶ କରନ୍ତୁ। ଏହା ଷ୍ଟ୍ରାଟଅପ୍ କ୍ଷେତ୍ର ପାଇଁ ବିଶେଷ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ୨୦୧୪ ପରଠାରୁ ବିଶ୍ୱର ବୃହତ୍ ଅର୍ଥନୀତି ମଧ୍ୟରେ ଉତ୍ପାଦନ କ୍ଷମତା ସୃଷ୍ଟି କରିବାରେ ଭାରତ ସବୁଠାରୁ ଦ୍ରୁତତମ ପଦେକ୍ଷପ ଗ୍ରହଣ କରିବାର ମାନ୍ୟତା ପାଇଛିି। ଭାରତର ଉପଲବ୍ଧି ପ୍ରମାଣ କରୁଛି ଯେ ଅକ୍ଷୟ ଶକ୍ତି ସମ୍ବଳର ପୂର୍ଣ୍ଣ ଉପଯୋଗ ଭାରତ ଧାର୍ଯ୍ୟ ସମୟର ପୂର୍ବରୁ କରିପାରିବ। ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ଧାର୍ଯ୍ୟ ଲକ୍ଷ୍ୟର ୯ବର୍ଷ ପୂର୍ବରୁ ଅକ୍ଷୟ ଶକ୍ତି ଉତ୍ସରୁ ବିଜୁଳି ଉତ୍ପାଦନ କ୍ଷମତା ୪୦% ସୃଷ୍ଟି କରିବାରେ ସଫଳ ହୋଇଛି। ଅତଏବ ଏଥିପାଇଁ ଆଉ ଜୈବିକ ଇନ୍ଧନ ବ୍ୟବହାର କରାଯିବ ନାହିଁ। ସେହିଭଳି ପେଟ୍ରୋଲରେ ୧୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ଭାରତ ଧାର୍ଯ୍ୟ ସମୟର ପାଂଚ ମାସ ପୂର୍ବରୁ ପୂରଣ କରିଥିଲା। ସେହିପରି ୨୦୨୩ ପରିବର୍ତ୍ତେ ୨୦୨୫-୨୬ ସୁଦ୍ଧା ୨୦% ଇଥାନଲ ବ୍ଲେଡିଂ ଲକ୍ଷ୍ୟ ପୂରଣ କରିବାକୁ ଭାରତ କାର୍ଯ୍ୟ କରୁଛି। ଭାରତ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅଣ ପାରମ୍ପରିକ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତରେ ସୌର,ପବନ, ବାୟୋଗ୍ୟାସ, କୃଷି ବର୍ଜ୍ୟ ଆଦି ଅଣପାରମ୍ପରିକ ଅକ୍ଷୟ ଶକ୍ତି ଉତ୍ସରୁ ଊର୍ଜା ଉତ୍ପାଦନର ପ୍ରଚୁର ସାମର୍ଥ୍ୟ ରହିଛି। ଏହା ଆମ ଘରୋଇ କ୍ଷେତ୍ର ପାଇଁ ସୁନାଖଣି ବା ତେଲଖଣିଠାରୁ କୌଣସି ଗୁଣରେ କମ୍ ନୁହେଁ। ନିବେଶକ ଓ ଘରୋଇ କ୍ଷେତ୍ର ଏହାର ସୁଯୋଗ ନେବା ଆବଶ୍ୟକ। ସେ ଆହୁରି କହିଛନ୍ତି ଯେ ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିଶନରେ ଭାରତ ୫ ଏମ୍‌ଏମ୍‌ଟି ସବୁଜ ଉଦ୍‌ଯାନ ଉତ୍ପାଦନ ଲକ୍ଷ୍ୟପୂରଣ ପାଇଁ କାର୍ଯ୍ୟ କରୁଛି। ଏଥିପାଇଁ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ୧୯ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହାଛଡା ଇଲେକ୍‌ଟ୍ରୋଲାଇଜର ଉତ୍ପାଦନ, ଗ୍ରୀନ ଷ୍ଟିଲ ପ୍ରସ୍ତୁତି ଓ ଲଙ୍ଗ୍‌-ହଲ୍ ଫୁଏଲ ସେଲ ନିର୍ମାଣର ଯେଉଁ ବ୍ୟବସ୍ଥା ଆରମ୍ଭ ହୋଇଛି ନିବେଶକ ଏବଂ ଉତ୍ପାଦକ ତାହାର ସୁଯୋଗ ମଧ୍ୟ ନେବା ଉଚିତ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋବରରୁ ୧୦ହଜାର ନିୟୁତ ଘନମିଟର ବାୟୋଗ୍ୟାସ ଓ ୧.୫ ନିୟୁତ ଘନମିଟର ଗ୍ୟାସ ଉତ୍ପାଦନ କରିବାର କ୍ଷମତା ଭାରତରେ ରହିଛି। ଏହା ଦ୍ୱାରା ଦେଶର ସହରଞ୍ଚଳରେ ୮% ଗ୍ୟାସ ଆବଶ୍ୟକତା ପୂରଣ ହୋଇପାରିବ। ସେ ଦୃଷ୍ଟିରୁ ଗୋବର୍ଦ୍ଧନ ଯୋଜନା ଭାରତର ଜୈବ ଇନ୍ଧନ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥର ବଜେଟ୍‌ରେ ଦେଶର ୫୦୦ ନୂଆ ବାୟୋଗ୍ୟାସର ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଗୋବର୍ଦ୍ଧନ ଯୋଜନାରେ ନିଷ୍ପତ୍ତି ନିଆଯାଇଛି। ଏହି ଆଧୁନିକ ପ୍ଲାଣ୍ଟରେ ଭାରତ ସରକାର ୧୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। କୃଷି ଓ ପୌର ଆବର୍ଜନାକୁ ସିବିଜି ପ୍ରସ୍ତୁତ କରିବାକୁ ଘରୋଇ କ୍ଷେତ୍ରକୁ ଆକର୍ଷଣୀୟ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ଭାରତର ପୁରୁଣା ଗାଡିଗୁଡିକୁ ରାସ୍ତାରୁ ହଟାଇବା (ଯାନ ସ୍କ୍ରାପିଂ)ସଂକ୍ରାନ୍ତ ନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସବୁଜ ଅଭିବୃଦ୍ଧି ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପନ୍ଦରବର୍ଷରୁ ଅଧିକ ପୁରୁଣା ପ୍ରାୟ ୩ଲକ୍ଷ ସରକାରୀ ଯାନକୁ ସ୍କ୍ରାପ କରିବା ପାଇଁ  କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକର ଯାନ ଏଥିରେ ଅନ୍ତର୍ଭୁକ୍ତ। ବଜେଟ୍‌ରେ ଏଥର ଏଥିପାଇଁ ୩୦୦୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପୁରୁଣା ପୁଲିସ ଯାନ, ଆମ୍ବୁଲାନ୍ସ ଓ ବସ୍ ସବୁ ମଧ୍ୟ ଏହି ସ୍କ୍ରାପ ନୀତିର ଅନ୍ତର୍ଭୁକ୍ତ। ଏହି ଯାନ ସ୍କ୍ରାପିଂ ଏକ ବିରାଟ ବଜାର ସୃଷ୍ଟି କରିବ ଏବଂ ଏହାର ଟୁକୁରା ଲୁହା ଲକଡିକୁ ପୁନଃ ବ୍ୟବହାର ପାଇଁ ଲୋକେ କିଣିବେ।

ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ ଭାରତକୁ ତାହାର ବ୍ୟାଟେରୀ ଷ୍ଟୋରେଜ କ୍ଷମତାକୁ ଆସନ୍ତା ୬-୭ ବର୍ଷ ମଧ୍ୟରେ ୧୨୫ ଗିଗାୱାଟକୁ ବୃଦ୍ଧି କରିବାକୁ ହେବ। ସେଥିପାଇଁ ବ୍ୟାଟେରୀ ବିକାଶଶକାରଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ପାଣ୍ଠି ଯୋଗାଣର ବ୍ୟବସ୍ଥା କରାଯାଇଛି। ଏହା ଏକ ପୁଞ୍ଜି ସଂଘନ କ୍ଷେତ୍ର ହୋଇଥିବାରୁ ଏଥିପାଇଁ ଅଧିକ ନିବେଶ ଲୋଡା।

ଭାରତର ଜଳପଥ ପରିବହନ କ୍ରମଶଃ ଅଧିକ ଲୋକପ୍ରିୟ ହେଉଛି। ଏବେ ଦେଶର ୫% ପଣ୍ୟ ତଟୀୟ ଜଳପଥରେ ପରିବହନ କରାଯାଉଛି। ଆଭ୍ୟନ୍ତରୀଣ ଜଳପଥରେ ଭାରତର ପଣ୍ୟ ପରିବହନ ପରିମାଣ ମାତ୍ର ୨%। ଭାରତରେ ଜଳପଥର ବିକାଶ ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି ଏବଂ ଏହା ଦ୍ୱାରା ଦେଶର ପରିବହନ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବ।

ନିଜର ଅଭିଭାଷଣ ଶେଷ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁଜ ଊର୍ଜା ଟେକ୍‌ନୋଲେଜି କ୍ଷେତ୍ରରେ ବିଶ୍ୱକୁ ନେତୃତ୍ୱ ଦେବାକୁ ଭାରତ ଯଥେଷ୍ଟ ସାମର୍ଥ୍ୟ ରହିଛି। ପ୍ରଦୂଷଣମୁକ୍ତ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ସବୁଜ ଇନ୍ଧନ କ୍ଷେତ୍ରରେ ଭାରତ ବିଶ୍ୱକୁ ନେତୃତ୍ୱ ପ୍ରଦାନ କରିବ। “ବଜେଟ୍ କେବଳ ଏକ ସୁଯୋଗ ନୁହେଁ,ଏହା ଭବିଷ୍ୟତ ନିରାପତ୍ତାର ଏକ ଗ୍ୟାରେଣ୍ଟିଂ।” ବଜେଟ୍‌ର ସମସ୍ତ ପ୍ରସ୍ତାବନାକୁ ଶୀଘ୍ର କାର୍ଯ୍ୟକାରୀ କରି ଏହାର ଲାଭ ଉଠାଇବାକୁ ପ୍ରଧାନମନ୍ତ୍ରୀ ସବୁ ସମ୍ପୃକ୍ତ ପକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି। ସରକାର ସର୍ବଦା ଆପଣମାନଙ୍କ ସହିତ ରହିଛି ଏବଂ ଆପଣମାନଙ୍କ ପ୍ରସ୍ତାବ ବିଚାରଯୋଗ୍ୟ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ମହାରାଷ୍ଟ୍ରର ଜ୍ୟୋତିର୍ଲିଙ୍ଗ’ ଉପରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ୱେବିନାର ଆୟୋଜିତ

ନୂଆଦିଲ୍ଲୀ: ଅଖଣ୍ଡ ଭାରତ ସଂକଳ୍ପକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଭାରତ ସରକାରଙ୍କ ପକ୍ଷରୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ ରାଜ୍ୟ ମଧ୍ୟରେ ଥିବା ସାମାଜିକ ଓ ସାଂସ୍କୃତିକ ସମ୍ପର୍କର ସୂତ୍ରକୁ ଯୋଡ଼ିବା ଲାଗି ପ୍ରୟାସ କରାଯାଉଛି। ଏହି କ୍ରମରେ ମହାରାଷ୍ଟ୍ର ଏବଂ ଓଡ଼ିଶା ମଧ୍ୟରେ ରହିଥିବା ପ୍ରାଚୀନ ସାମାଜିକ ଓ ସାଂସ୍କୃତିକ ସମ୍ପର୍କକୁ ଉଜାଗର କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଅନ୍ୟପକ୍ଷରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ‘ଦେଖୋ ଆପନା ଦେଶ’ ପ୍ରୟାସ ଜରିଆରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ପର୍ଯ୍ୟଟନ ଆଧାରିତ ବିଷୟବସ୍ତୁ ଉପରେ ୱେବିନାର ଆୟୋଜନ କରାଯାଉଛି। ଇତିମଧ୍ୟରେ ‘‘ପର୍ଯ୍ୟଟନ ଗାଇଡମାନଙ୍କ ସହିତ ୭୫ଟି ଲକ୍ଷ୍ୟସ୍ଥଳୀ’’ କାର୍ଯ୍ୟକ୍ରମ ଅଧୀନରେ ’ମହାରାଷ୍ଟ୍ରର ଜ୍ୟୋତିର୍ଲିଙ୍ଗମ ମନ୍ଦିର’ ଉପରେ ଏକ ୱେବିନାର ଆୟୋଜନ କରାଯାଇଥିଲା। ଏହାକୁ କ୍ଷେତ୍ରୀୟ ସ୍ତରର ଗାଇଡ ଉମେଶ ନାମଦେବ ଯାଦବ ଉପସ୍ଥାପନ କରିଥିଲେ।

ଏହି ୱେବିନାରରେ ମହାରାଷ୍ଟ୍ରରେ ଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ, ଲୋକପ୍ରିୟ, ଧାର୍ମିକ ଏବଂ ଆଧ୍ୟାତ୍ମିକ ସ୍ଥାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମହାରାଷ୍ଟ୍ରରେ ତ୍ରୈମ୍ବକେଶ୍ବର, ଭୀମାଶଙ୍କର, ପାରାଲି, ବୈଜନାଥ, ଘୃଷ୍ଣେଶ୍ବର ଏବଂ ଔନ୍ଧ ନାଗନାଥ ଭଳି ପ୍ରମୁଖ ଜ୍ୟୋତିର୍ଲିଙ୍ଗ ପୀଠ ରହିଛି। ଏଠାରେ ଅନାଦି କାଳରୁ ଭଗବାନ ଶିବଙ୍କୁ ଜ୍ୟୋତିର୍ଲିଙ୍ଗ ସ୍ବରୂପରେ ପୂଜା କରାଯାଉଛି। ଭଗବାନ ଶିବଙ୍କ ୧୨ଟି ଜ୍ୟୋତିର୍ଲିଙ୍ଗ ସମ୍ପର୍କରେ ପୁରାଣରେ ବିସ୍ତୃତ ଭାବେ ବର୍ଣ୍ଣନା ରହିଛି। ଏସବୁ ଶୈବ ପୀଠ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ଇତିହାସ ଓ ପରମ୍ପରା ସହ ନିବିଡ଼ ଭାବେ ଜଡ଼ିତ।

ତ୍ରୈମ୍ବକେଶ୍ବର ଜ୍ୟୋତିର୍ଲିଙ୍ଗ ନାସିକ ଠାରୁ ୨୮ କିମି ଦୂର ଦକ୍ଷିଣ ପଶ୍ଚିମ ଦିଗରେ ରହିଛି। ଏହା ସିଂହସ୍ଥ ମେଳା (କୁମ୍ଭ ମେଳା)ର ୪ଟି ପ୍ରମୁଖ ସ୍ଥାନ ମଧ୍ୟରୁ ଅନ୍ୟତମ। ଏଠାରେ ଆୟୋଜିତ ହେଉଥିବା ମେଳାରେ ସାରା ଦେଶରୁ ଶ୍ରଦ୍ଧାଳୁମାନେ ଯୋଗ ଦେଇଥାନ୍ତି।

ଭୀମାଶଙ୍କର ଭଗବାନ ଶିବଙ୍କର ଏକ ପ୍ରାଚୀନ ପୀଠ ଯାହାକି ମହାରାଷ୍ଟ୍ରର ସହ୍ୟାଦ୍ରୀ ପର୍ବତ ମାଳାରେ ଅବସ୍ଥିତ। ପୁଣେ ଜିଲ୍ଲାରେ ଅବସ୍ଥିତ ଏହି ଶୈବ ପୀଠ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ।

ଘୃଷ୍ଣେଶ୍ବର ବା ଘୁଷ୍ମେଶ୍ବର ଜ୍ୟୋତିର୍ଲିଙ୍ଗ ପୀଠ ମହାରାଷ୍ଟ୍ରର ଔରଙ୍ଗାବାଦରେ ରହିଛି। ଏହି ମନ୍ଦିର ଏକାଦଶ-ଦ୍ବାଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଜଣାଯାଏ। ବର୍ତ୍ତମାନର ମନ୍ଦିରକୁ ରାଣୀ ଅହଲ୍ୟା ବାଈ ହୋଲକର ପୁନନିର୍ମାଣ କରାଇଥିଲେ। ଏହି ପୀଠ ଠାରୁ ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳୀ ଅଜନ୍ତା-ଏଲୋରା ଗୁମ୍ଫା ଅଳ୍ପ ଦୂରରେ ରହିଛି।

ସୂଚନାଯୋଗ୍ୟ ଯେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଜାତୀୟ ଇ ଗଭର୍ଣ୍ଣାନ୍ସ ବିଭାଗର ବୈଷୟିକ ସହଭାଗିତାରେ ଦେଖୋ ଅପନା ଦେଶ ୱେବିନାର ସିରିଜ ଆୟୋଜନ କରାଯାଇଛି। ଏହି ୱେବିନାରର ଅଧିବେଶନଗୁଡ଼ିକ ଏବେ https://www.youtube.com/channel/UCbzIbBmMvtvH7d6Zo_ZEHDA/featured  ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନ ସମସ୍ତ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲରେ ଉପଳବ୍ଧ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା

ଭୁବନେଶ୍ୱର: ଜାତୀୟ ପ୍ରେସ ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ପତ୍ରସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ଓ ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ୱେବିନାରରେ ବହୁ ବିଶିଷ୍ଟ ବକ୍ତା ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନକୁ ଲୋକଭିମୁଖୀ କରିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ମତବ୍ୟକ୍ତ କରିଥିଲେ।

ଏଥିରେ ପ୍ରାରମ୍ଭିକ ଅଭିଭାଷଣ ଦେଇ ପତ୍ରସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ସ୍ୱାଧୀନତା ଆନ୍ଦୋଳନ କାଳରେ ଗଣମାଧ୍ୟମଗୁଡିକୁ ଇଂରେଜ ଶାସକମାନଙ୍କ ଆକ୍ରୋଶର କିପରି ଶୀକାର ହେବାକୁ ପଡିଥିଲା ତା’ର ନଜିରମାନ ଦେଇଥିଲେ। ଏପରିକି ସ୍ୱାଧୀନତା ସଂଗ୍ରାମ ଗଣମାଧ୍ୟମ ଜରିଆରେ ଅଧିକ ଲୋକାଭିମୁଖୀ ହେଉଥିବାରୁ ଭର୍ଣ୍ଣାକୁଲାର ପ୍ରେସ ଆଇନ ମଧ୍ୟ ଲାଗୁ କରିବାକୁ ହୋଇଥିଲା। ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଯେପରି ମୁଣ୍ଡ ଟେକିବା ଆରମ୍ଭ କରିଛି ଗଣମାଧ୍ୟମରେ ତଥ୍ୟ ଯାଂଚ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏଥିରେ ଯୋଗଦେଇ ବରିଷ୍ଠ ଆଇନଜ୍ଞ ଓ ଲେଖକ ସଦାଶିବ ଦାସ ସ୍ୱାଧୀନତା ଆନ୍ଦୋଳନ୍ କାଳରେ ଜଗଜାଗରଣ ସୃଷ୍ଟି କରିବାରେ ସେତେବେଳେ ଗଣମାଧ୍ୟମ ବୋଇଲେ ମୁଖ୍ୟତଃ ଖବରକାଗଜ, ପୋଷ୍ଟର ଇତ୍ୟାଦିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ। ଓଡିଶାରେ ମଧ୍ୟ କର୍ମବୀର ଗୌରୀଶଙ୍କର ବା ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଲେଖାମାନ ବେଶ୍ ଆଦୃତ ହେଉଥିଲା। ସମ୍ବାଦଗୁଡିକ ଆନ୍ଦୋଳନର ଅଗ୍ନି ସଂଯୋଗକାରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ସେ କହିଥିଲେ।

ଏଥିରେ ଯୋଗଦେଇ ବିଶିଷ୍ଟ କବି ଓ ସାମ୍ବାଦିକ ପୀତାମ୍ବର ତରାଇ ଜନସତେନତାର ବାର୍ତାବହ ଭାବେ ସ୍ୱାଧୀନତା ସଂଗ୍ରାମରେ ଖବରକାଗଜ ଖୁବ୍ ଉପାଦେୟ ଭୂମିକା ତୁଲାଇଥିଲା ବୋଲି କହିଥିଲେ।

ୱେବିନାରେ ଅଂଶଗ୍ରହଣ କରି କିଟ୍ ବିଶ୍ୱବିଦ୍ୟାଳୟ ପ୍ରଫେସର ରୁବି ନନ୍ଦ କହିଥିଲେ ଯେ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତା ପହଂଚାଇବାରେ ଗଣମାଧ୍ୟମ ସ୍ୱାଧୀନତା ସଂଗ୍ରାମ କାଳରେ ବଳିଷ୍ଠ ଭୂମିକା ତୁଲାଇଥିଲା। ପ୍ରେସ ସେତେବେଳେ ଗୋଟେ ମିଶନ ମୋଡ କାର୍ଯ୍ୟ ଥିବାରୁ ଏହା ବେଶ୍ ଜନାଭିମୁଖୀ ହୋଇପାରିଥିଲା। ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଗଣମାଧ୍ୟମ ସହ ସାମାଜିକ ଗଣମାଧ୍ୟମକୁ ନ ଯୋଡିବାକୁ ସେ ପରାମର୍ଶ ଦେଇଥିଲେ।

ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୱେବିନାରରେ ଆନ୍ନି ଶତପଥୀ ଏହାକୁ ପରିଚାଳନା କରିଥିବାବେଳେ, ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ କ୍ଷେତ୍ର ପ୍ରଦର୍ଶନ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା ସ୍ୱାଗତ ଭାଷଣ ଦେଇଥିଲେ। (ପି.ଆଇ.ବି.)

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆ ଏନ୍‌ଏସ୍‌ଏସ୍‌ର ମୁଖ କର୍କଟ ସଚେତନତା ୱେବିନାର

ଭୁବନେଶ୍ୱର: ମୁଖ ଗହ୍ୱର କର୍କଟ ରୋଗ ସଚେତନତା ପାଇଁ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବୁଧବାର ଏକ ୱେବିନାର୍ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ର ପ୍ରଫେସର ସତ୍ୟରଞ୍ଜନ
ମିଶ୍ର “ତମାଖୁ, ପାଟିର ଖଳନାୟକ” ଶୀର୍ଷକ ଆଲୋଚନା କରିଥିଲେ।

ମୁଖ କର୍କଟ ରୋଗର କାରଣ ଓ ନିଦାନ ସମ୍ପର୍କରେ ବାସ୍ତବ ରୋଗୀ ସେବାର ଚିତ୍ର ଜରିଆରେ ସେ ବୁଝାଇବା ସହିତ କର୍କଟ ରୋଗର କେଉଁ ଲକ୍ଷଣ ପ୍ରତି ଯତ୍ନବାନ ହେଲେ ଆଗରୁ ଚିହ୍ନଟ କରିହେବ ସେ ବିଷୟରେ କହିଥିଲେ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ ସୁସ୍ଥତା ହାର ବଢ଼ାଇ ଥାଏ ବୋଲି ସେ କହିଥିଲେ।

ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କର୍କଟ ରୋଗରୁ ପ୍ରତିବର୍ଷ କେମିତି ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି ସେ ବିଷୟରେ କହିଥିଲେ। ସ୍ତନ କର୍କଟକୁ ପ୍ରଥମରୁ ଚିହ୍ନଟ କରିବାର ଉପାୟ ମଧ୍ୟ ବତାଇଥିଲେ। ରାଜ୍ୟ ଏନ୍‌ଏସ୍‌ଏସ୍ ଅଧିକାରୀ ଡ. ରମେଶ କୁମାର ବେହେରା ସମୟୋପଯୋଗୀ ବିଷୟ ଉପରେ ସୋଆ ଏନ୍‌ଏସ୍‌ଏସ୍ ଦ୍ୱାରା ଶୃଙ୍ଖଳା ସହିତ ଆୟୋଜିତ ୱେବିନାରର ପ୍ରଶଂସା କରିଥିଲେ ଏବଂ କିପରି ଆଗାମୀ ଦିନରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ପ୍ରାଥମିକତା ଦେବେ ସେ ବିଷୟରେ କହିଥିଲେ।

ଭୁବନେଶ୍ୱର ଆଂଚଳିକ ଏନ୍‌ଏସ୍‌ଏସ୍‌ର ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ କିଭଳି ନିର୍ଭୁଲ୍ ତଥ୍ୟ ଏନ୍‌ଏସ୍‌ଏସ ସ୍ୱେଚ୍ଛାସେବୀଙ୍କ ପାଖରେ ପହଂଚି ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଅନ୍ୟତମ ବକ୍ତା ଓଡ଼ିଶା କ୍ୟାନ୍ସର କେୟାର ଫାଉଣ୍ଡେସନ୍‌ର ଡ. ପ୍ରଣତି ହିରଲକର ମୁଖ କର୍କଟ ସଚେତନତା ସହିତ ତମାଖୁ ବଦଭ୍ୟାସ ଛାଡିବାର ବିଭିନ୍ନ ପଦକ୍ଷେପ ଉପରେ କହିଥିଲେ। ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଅତିଥି ପରିଚୟ ଦେଇଥିଲେ।

ଜୁନ୍ ମାସରେ ହୋଇଥିବା ଏନ୍‌ଏସ୍‌ଏସ୍ ଓ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମର ଏକ ରିପୋର୍ଟ ଉପସ୍ଥାପନା କରିଥିଲେ ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ ତଥା ଏନ୍‌ଏସ୍‌ଏସ୍ ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା। ଅତିରିକ୍ତ ପ୍ରୋଗ୍ରାମ ସଂଯୋଜକ ଡ. କମଳ ଲୋଚନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଗୁଗୁଲମିଟ ଓ ୟୁଟ୍ୟୁବ୍ ରେ ପ୍ରସାରିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ବେଶି ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର, ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ
କର୍ମକର୍ତ୍ତା ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଶିକ୍ଷାକୁ କର୍ମସଂସ୍ଥାନ ଓ ଔଦ୍ୟୋଗିକ ସାମର୍ଥ୍ୟ ସହ ସଂଯୋଗ କରିବା ପାଇଁ ବଜେଟରେ ହୋଇଛି ଉଦ୍ୟମ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟୟ ବ୍ୟବସ୍ଥାକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ନେଇ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣ ରଖିଛନ୍ତି।

ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାକୁ ହେଲେ ଦେଶର ଯୁବଗୋଷ୍ଠୀର ଆତ୍ମବିଶ୍ୱାସ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ। ଜଣଙ୍କର ଆତ୍ମବିଶ୍ୱାସ ତାର ଶିକ୍ଷା ଓ ଜ୍ଞାନର ବିଶ୍ୱାସ ଉପରେ ନିର୍ଭରଶୀଳ। ଆତ୍ମବିଶ୍ୱାସ ସେତେବେଳେ ଆସିବ ଯେତେବେଳେ ସେମାନଙ୍କ ହୃଦବୋଧ ହେବ ଯେ ସେମାନଙ୍କ ଶିକ୍ଷା ସେମାନଙ୍କୁ ନିଜର କର୍ତ୍ତବ୍ୟ ସଂପାଦନ ନିମନ୍ତେ ସୁଯୋଗ ଓ ଆବଶ୍ୟକ କୌଶଳ ପ୍ରଦାନ କରିଛି। ଏହି ଭାବନାକୁ ଆଧାର କରି ନୂତନ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଶିଶୁ ପ୍ରାରମ୍ଭଠାରୁ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ ଜାତୀୟ ଶିକ୍ଷାନୀତିରେ ଥିବା ବ୍ୟବସ୍ଥାଗୁଡିକୁ ତ୍ୱରାନ୍ୱିତ କରିବା ସହ ଚଳିତ ବଜେଟ ଏଥିପାଇଁ ଖୁବ ଭଲଭାବେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ବଜେଟରେ ସ୍ୱାସ୍ଥ୍ୟ ପରେ ଦ୍ୱିତୀୟ ସର୍ବବୃହତ ଗୁରୁତ୍ୱ ଶିକ୍ଷା, କୌଶଳ, ଗବେଷଣା ଏବଂ ଉଦ୍ଭାବନ ଉପରେ ଆରୋପ କରାଯାଇଛି। ଦେଶର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକ ଏଥିରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ଚଳିତ ବଜେଟରେ କୌଶଳ ବିକାଶ ଓ ଶିକ୍ଷା ନବୀଶ ଉପରେ ଦିଆଯାଇଥିବା ଗୁରୁତ୍ୱ ଅଭୂତପୂର୍ବ ବୋଲି ସେ କହିଛନ୍ତି। ଯେପରି କର୍ମନିଯୁକ୍ତି ଓ ଔଦ୍ୟୋଗିକ ସାମର୍ଥ୍ୟ ଆଗାମୀ ଦିନରେ ବୃଦ୍ଧି ପାଇବ ସେଥିପାଇଁ ବଜେଟ ଶିକ୍ଷାର ଆର୍ଥିକ ପରିସରକୁ ସଂପ୍ରସାରିତ କରିଛି। ଏସବୁ ଉଦ୍ୟମ ଯୋଗୁଁ ଆଜି ଭାରତ ବୈଜ୍ଞାନିକ ପ୍ରକାଶନ, ପିଏଚଡି ବିଦ୍ୱାନଙ୍କ ସଂଖ୍ୟା ଓ ଷ୍ଟାର୍ଟଅପ ସେ ତୃତୀୟ ସ୍ଥାନରେ ରହିଛି।

ଭାରତ ବୈଶ୍ୱିକ ଉଦ୍ଭାବନ ସୂଚୀର ପଚାଶତମ ସ୍ଥାନରେ ରହିଛି ଓ ଏହି ସ୍ଥାନ କ୍ରମଶଃ ଉନ୍ନତ ହେବାରେ ଲାଗିଛି। ଉଚ୍ଚଶିକ୍ଷା, ଗବେଷଣା ଓ ଉଦ୍ଭାବନ ଉପରେ ଅଧିକ ଧ୍ୟାନ ଦିଆଯବା ଯୋଗଁତ ଆମର ଛାତ୍ରଛାତ୍ରୀ ଓ ଯୁବ ବିଜ୍ଞାନୀଙ୍କ ନିମନ୍ତେ ଅଧିକରୁ ଅଧିକ ନୂତନ ସୁଯୋଗ ସୃଷ୍ଟି ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଥର ନିମନ୍ତେ ବିଦ୍ୟାଳୟଗୁଡିକରେ ଅଟଳ ଟିଙ୍କରିଂ ଲ୍ୟାବରୁ ଆରମ୍ଭ କରି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଅଟଳ ଉଷ୍ମେଳନ କେନ୍ଦ୍ର ଉପରେ ଧ୍ୟାନ କେନ୍ଦ୍ରିତ ହୋଇଛି। ଷ୍ଟାର୍ଟ ଅପ ନିମନ୍ତେ ହକାଥନ ଭଳି ନବୀନ ପରମ୍ପରା ସୃଷ୍ଟି ହୋଇ ଦେଶର ଯୁବାଗୋଷ୍ଠୀ ଓ ଶିଳ୍ପ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିଛି। ଦେଶରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ସହ ୩୫୦୦ରୁ ଅଧିକ ଷ୍ଟାର୍ଟଅପ ମଧ୍ୟ ବିକଶିତ କରାଯାଇଛି। ସେହିପରି ଜାତୀୟ ସୁପର କମ୍ପ୍ୟୁଟିଂ ମିଶନ ଅଧୀନରେ ତିନିଟି ସୁପର କମ୍ପ୍ୟୁଟର ପରମ ଶିବାୟ, ପରମ ଶକ୍ତି ଏବଂ ପରମ ବ୍ରହ୍ମ ଆଇଆଇଟି ବିଏଚୟୁ, ଆଇଆଇଟି ଖଡଗପୁର ଓ ଆଇଜର ପୁଣେରେ ସ୍ଥାପନ କରାଯାଇଛି। ଦେଶରେ ଏକ ଡର୍ଜନରୁ ଅଧିକ ପ୍ରତିଷ୍ଠାନ ଏହି କମ୍ପ୍ୟୁଟର ନେବାକୁ ପ୍ରସ୍ତାବ ଦେଇଛନ୍ତି। ତିନିଟି ଅତ୍ୟାଧୁନିକ ବିଶ୍ଳେଷକ ଏବଂ ବୈଷୟିକ ସାହାଯ୍ୟକାରୀ ପ୍ରତିଷ୍ଠାନ (ସାଥୀ) ଆଇଆଇଟି ଖଡଗପୁର, ଆଇଆଇଟି ଦିଲ୍ଲୀ ଏବଂ ବିଏଚୟୁରୁ କାର୍ଯ୍ୟ କରୁଥିବା ସେ କହିଛନ୍ତି।

ସେ କହିଛନ୍ତି ଯେ ଜ୍ଞାନ ଓ ଗବେଷଣା ଉପରେ କୌଣସି ପ୍ରତିବନ୍ଧକ ଲଗାଇବା ଦେଶର ସାମର୍ଥ୍ୟ ପ୍ରତି ଏକ ଅନ୍ୟାୟ। ମେଧାବୀ ଯୁବଗୋଷ୍ଠୀଙ୍କ ନିମନ୍ତେ ମହାକାଶ ଆଣବିକ ଶକ୍ତି, ଡିଆରଡିଓ ଓ କୃଷି କ୍ଷେତ୍ରରେ ଅନେକ ସୁଯୋଗ ରଖିଛି। ଦେଶ ପ୍ରଥମ ଥର ନିମନ୍ତେ ପାଣିପାଗ କ୍ଷେତ୍ରରେ ଆନ୍ତର୍ଜତିକ ମାନ୍ୟତା ହାସଲ କରିବାରେ ସମର୍ଥ ହୋଇଛି। ଏ ଦିଗରେ ଥିବା ଗବେଷଣା ଓ ବିକାଶ ଯୋଗୁଁ ବୈଶ୍ୱିକ ଦକ୍ଷତା ବୃଦ୍ଧି ସହ ଯେଉଁ ତଥ୍ୟ ମିଳିବ ତାହା ମହାକାଶ କ୍ଷେତ୍ରରେ ଦେଶର ଯୁବଗୋଷ୍ଠୀ ନିମନ୍ତେ ବେଶ ସହାୟକ ହେବ। ଦେଶରେ ପ୍ରଥମ ଥର ନିମନ୍ତେ ଜାତୀୟ ଗବେଷଣା ପ୍ରତିଷଠାନ ତିଆରି ହେଉଛି। ଏଥିପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ଏହା ଗବେଷଣା ପ୍ରତିଷ୍ଠାନଗୁଡିକ ପ୍ରଶାସନିକ ପରିପାଟୀକୁ ସୁଦୃଢ଼ କରିବା ସହ ଗବେଷଣା ଓ ପରିପାଟୀ, ଶିକ୍ଷା ବ୍ୟବସ୍ଥା ଓ ଶିଳ୍ପ ମଧ୍ୟରେ ସମନ୍ୱୟ ରକ୍ଷା କରିବ। ଶତକଡା ଶହେ ଭାଗରୁ ଅଧିକ ବ୍ୟୟବରାଦ ଜୈବପ୍ରଯୁକ୍ତି ବିଦ୍ୟା ଗବେଷଣା କ୍ଷେତ୍ରରେ କରାଯାଇଥିବାରୁ ଏହା ସରକାରଙ୍କ ପ୍ରାଥମିକତାର ଯଥାର୍ଥତା ପ୍ରତିପାଦନ କରିଥାଏ। ଖାଦ୍ୟ ନିରାପତ୍ତା, ପୌଷ୍ଟିକତା ଓ କୃଷି କ୍ଷେତ୍ରରେ ଜୈବପ୍ରଯୁକ୍ତି ବିଦ୍ୟା ଗବେଷଣାର ପରିସର ବୃଦ୍ଧି ପାଇଁ ସେ ଆହ୍ୱାନ ଜଣାଇଛନ୍ତି।

ଆନ୍ତର୍ଜାତିକ କ୍ୟାମ୍ପସ ସିଲେକସନ ଜରିଆରେ ସର୍ବୋତ୍ତମ କୌଶଳ ଆହରଣ ପାଇଁ ଯୁବଗୋଷ୍ଠୀଙ୍କୁ ତାଲିମ ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ଶିକ୍ଷାନବୀଶ କାର୍ଯ୍ୟକ୍ରମର ସୁଗମତା ନେଇ ବଜେଟରେ ଯେଉଁ ବ୍ୟବସ୍ଥା ରହିଛି ତାହା ଦେଶର ଯୁବଗୋଷ୍ଠୀଙ୍କ ପାଇଁ ବେଶ ଲାଭପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭବିଷ୍ୟତରେ ଇନ୍ଧନ ଓ ଗ୍ରୀନ ଏନର୍ଜି ଆମର ଶକ୍ତି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଆବଶ୍ୟକ। ସେଥିପାଇଁ ବଜେଟରେ ଉଦଯାନ ମିଶନ ଘୋଷଣା କରଯାଇଛି। ଭାରତ ଉଦଯାନରୁ ଯାନ ପରୀକ୍ଷା କରିଛି ଓ ଉଦଯାନକୁ ପରିବହନ ଇନ୍ଧନ ଭାବେ ବ୍ୟବହାର କରିବା ପାଇଁ ଉଦ୍ୟମ ମଧ୍ୟ ଜାରି ରଖିଛି ଓ ସେଥିପାଇଁ ଆମ ଶିଳ୍ପଜଗତ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।

ନୂତନ ଜାତୀୟ ଶିକ୍ଷାନୀତି ଅଧିକରୁ ଅଧିକ ସ୍ଥାନୀୟ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିଛି। ସେ ଦୃଷ୍ଟିରୁ ପ୍ରତ୍ୟେକ ଭାଷାର ବିଶେଷଜ୍ଞ ଓ ଶିକ୍ଷାବିତ ପ୍ରତ୍ୟେକ ବିଷୟ ଭାରତୀୟ ଭାଷାରେ ପ୍ରସ୍ତୁତ କରିବାକୁ ଦାୟିତ୍ୱ ନେବେ। ପ୍ରଯୁକ୍ତି ଯୁଗରେ ଏହା କିଛି ବଡ କଥା ନୁହେଁ। ବଜେଟରେ ପ୍ରସ୍ତାବିତ ଜାତୀୟ ଭାଷା ଅନୁବାଦ ମିଶନ ଏ ଦିଗରେ ଅନେକ କିଛି କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।