Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ୱେଭ୍ସ-୨୦୨୫ ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପ୍ରମୁଖଙ୍କ ସହ ବିଚାରବିମର୍ଶ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ ପୂର୍ବରୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ବିଭିନ୍ନ ସମାଚାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଜାତୀୟ ତଥା ଆଞ୍ଚଳିକ ସମ୍ବାଦ ଗଣମାଧ୍ୟମର ପ୍ରାୟ ୨୫ଟି ଗଣମାଧ୍ୟମ ସଂସ୍ଥାର ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଓଡ଼ିଶାରୁ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ଏହି ଆଲୋଚନାରେ ଉପସ୍ଥିତ ଥିଲେ ।

ବର୍ତ୍ତମାନ ଦେଖାଦେଇଥିବା ଆହ୍ୱାନଗୁଡ଼ିକ ଉପରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତିର ଆଗମନ ସହିତ ପୁରୁଣା ମଡେଲ ନୂତନ ମଡେଲକୁ ବାଟ ଦେଖାଉଛି, ସୁଯୋଗ ସୃଷ୍ଟି କରିବା ସହିତ ଆହ୍ୱାନ ମଧ୍ୟ ସୃଷ୍ଟି କରୁଛି। ଗଣମାଧ୍ୟମ ଜଗତର ସ୍ୱରୂପ ବଦଳୁଛି ବୋଲି ସେ କହିଛନ୍ତି ଏବଂ ନୂତନ ମଡେଲକୁ ପ୍ରତିକ୍ରିୟା ଦେବା ପାଇଁ ଏକ ଦେଶ ଭାବରେ ସାମୂହିକ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ ଅତୀତରେ କୌଣସି ବିଷୟବସ୍ତୁ ବା କଣ୍ଟେଣ୍ଟ ସୃଷ୍ଟି କରିବା ପାଇଁ ଏକ ବଡ଼ ଷ୍ଟୁଡିଓର ଆବଶ୍ୟକତା ଥିଲା। ଆଜି ଝାଡ଼ଖଣ୍ଡ କିମ୍ବା କେରଳର ଏକ ଦୁର୍ଗମ ଗାଁର ଜଣେ ନିର୍ମାତା ଭଲ ଗୁଣବତ୍ତାର କଣ୍ଟେଣ୍ଟ ସୃଷ୍ଟି କରିପାରିବେ ଏବଂ ଲକ୍ଷ ଲକ୍ଷ ଦର୍ଶକଙ୍କ ଆଦୃତି ପାଇପାରିବେ।

ସେ ଉଲ୍ଲେଖ କରିଥିଲେ ଯେ ନିର୍ମାତାଙ୍କ ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଆମର ଦୂରଦୃଷ୍ଟିସମ୍ପନ୍ନ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରରେ ଭାରତର ସଫ୍ଟ ପାୱାରକୁ ପ୍ରୋତ୍ସାହିତ କରି ଅର୍ଥବ୍ୟବସ୍ଥାରେ ନିର୍ମାତାଙ୍କ କାର୍ଯ୍ୟ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକାର କରିଛନ୍ତି। ଡାଭୋସ୍ ଯେପରି ଆର୍ଥିକ ନୀତି ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ ଭାବେ କାର୍ଯ୍ୟ କରୁଛି, ସେହିପରି ୱେଭସ୍ ମଧ୍ୟ ଗଣମାଧ୍ୟମ ଓ ମନୋରଞ୍ଜନ ପାଇଁ ନିଜକୁ ଏକ ବିଶ୍ୱସ୍ତରୀୟ ମଞ୍ଚ ଭାବେ ବିକଶିତ କରିବାକୁ ଚାହୁଁଛି ବୋଲି ସେ କହିଥିଲେ।

ୱେଭ୍ସ ୨୦୨୫ ପାଇଁ ୧ ଲକ୍ଷରୁ ଅଧିକ ପଞ୍ଜୀକରଣ ସହିତ ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ବିପୁଳ ପ୍ରୋତ୍ସାହନ ମିଳିଛି। ବିକଶିତ ହେଉଥିବା ବୈଶ୍ୱିକ ଗଣମାଧ୍ୟମ ଏବଂ ମନୋରଞ୍ଜନ ପରିଦୃଶ୍ୟରେ ସେମାନଙ୍କ ଅବଦାନକୁ ପାଳନ କରି ଶ୍ରେଷ୍ଠ ଉଦ୍ଭାବକମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ଶ୍ରୀ ବୈଷ୍ଣବ କହିଥିଲେ, ଆମେ ବିଶ୍ୱକୁ ଆମର ନିର୍ମାତାଙ୍କ ସହ ଯୋଡ଼ିବା ପାଇଁ ଏକ ଉପାୟ ଖୋଜୁଛୁ। ବ୍ୟାପକ ସୃଜନଶୀଳ ସମାଧାନ ପାଇଁ ନିର୍ମାତା, କ୍ରେତା ଏବଂ ବଜାର ମଧ୍ୟରେ ୱେଭ୍ସ ଏକ ବିଶ୍ୱସ୍ତରୀୟ ସଂଯୋଗକାରୀ ଭାବରେ ଉଭା ହେଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ୱେଭ୍ସ ଜରିଆରେ, କ୍ରେତା ଏବଂ ବିକ୍ରେତାମାନେ ଏକ ମଞ୍ଚ ପାଉଛନ୍ତି, ଯେଉଁଠାରେ ନିର୍ମାତାମାନେ ସେମାନଙ୍କ କଣ୍ଟେଣ୍ଟ ପ୍ରଦାନ କରିପାରିବେ ଏବଂ ସଂସ୍ଥାଗୁଡ଼ିକ ଗୁଣାତ୍ମକ ସୃଜନଶୀଳ କାର୍ଯ୍ୟର ଉତ୍ସ ପାଇପାରିବେ।

ମିଡିଆ ଓ ମନୋରଞ୍ଜନ କ୍ଷେତ୍ରରେ ନୀତି ନିର୍ଦ୍ଧାରକ, ନିର୍ମାତା, ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତି, ବୈଷୟିକ ପେସାଦାର ଏବଂ ଷ୍ଟାର୍ଟଅପଗୁଡ଼ିକୁ ଗୋଟିଏ ମଞ୍ଚରେ ଆଣିବା ପାଇଁ ୱେଭ୍ସ ରୂପରେ ଏକ ଅଭିନବ ଧାରଣାର ପରିକଳ୍ପନା କରିଥିବାରୁ ଏହି ଆଲୋଚନାରେ ଅଂଶଗ୍ରହଣ କରି, ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ମୁଖ୍ୟମାନେ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ ସମସ୍ତ ଅଂଶଗ୍ରହଣକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ ଏବଂ ଗଣମାଧ୍ୟମ ପରିଦୃଶ୍ୟର ଭବିଷ୍ୟତକୁ ରୂପ ଦେବାରେ ସାମୂହିକ ଆଲୋଚନାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ମଞ୍ଚରେ ଅଂଶୀଦାରମାନଙ୍କ ସହିତ ଯୋଡ଼ି ହେବା ଲାଗି ମନ୍ତ୍ରଣାଳୟର ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ୱେଭ୍ସ ୨୦୨୫ର ଅଗ୍ରଗତିରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ସକ୍ରିୟ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସିନେମା

ସ୍ୱତନ୍ତ୍ର ପ୍ରଦର୍ଶନୀ ଏବଂ ରଣନୈତିକ ସହଯୋଗ ସହିତ ବିଶ୍ବସ୍ତରକୁ ବିସ୍ତାରିତ ହେଲା ଓ୍ବେଭ୍ସ ବଜାର

ନୂଆଦିଲ୍ଲୀ: ମିଡିଆ ଏବଂ ମନୋରଞ୍ଜନ (ଏମଏଣ୍ଡଇ) ଶିଳ୍ପ ପାଇଁ ଅଗ୍ରଣୀ ବିଶ୍ୱ ଇ-ମାର୍କେଟପ୍ଲେସ୍, ୱେଭ୍ସ ବଜାର, ନିଜର ପ୍ରଥମ ସଂସ୍କରଣରେ ଏକ ଗଭୀର ଛାପ ଛାଡ଼ିବାକୁ ଯାଉଛି, ଯାହା ଚଳିତ ବର୍ଷ ୧ରୁ ୪ ମଇ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଯାଉଛି। ୱେଭସ୍ ୨୦୨୫ର ଏକ ପ୍ରମୁଖ ବର୍ଗଭାବରେ, ଏହି ମାର୍କେଟପ୍ଲେସ୍ ଫିଲ୍ମ, ଟିଭି ଏବଂ ଏଭିଜିସି (ଆନିମେସନ୍, ଭିଏଫଏକ୍ସ, ଗେମିଂ ଏବଂ କମିକ୍ସ) କ୍ଷେତ୍ରର ପ୍ରମୁଖ ଶିଳ୍ପ ବ୍ୟକ୍ତିତ୍ବମାନଙ୍କୁ ଏକତ୍ର କରିବ। ଏହା ସହଯୋଗ, କଣ୍ଟେଣ୍ଟ ପ୍ରଦର୍ଶନ ଏବଂ ବ୍ୟବସାୟ ବିସ୍ତାର ପାଇଁ ଅନନ୍ୟ ସୁଯୋଗ ପ୍ରଦାନ କରିବ।

ଭାରତକୁ ଏକ ବିଶ୍ୱସ୍ତରୀୟ କଣ୍ଟେଣ୍ଟ ହବ୍ ଭାବରେ ପ୍ରତିଷ୍ଠା କରିବାର ମହତ୍ତ୍ୱାକାଂକ୍ଷା ସହିତ, ୱେଭ୍ସ ବଜାରରେ ପ୍ରଦର୍ଶନ ରୁମ୍, ବଜାର ସ୍କ୍ରିନିଂ, କ୍ରେତା ଏବଂ ବିକ୍ରେତା ବୈଠକ ଏବଂ ଡାଇନାମିକ୍ ପିଚ୍ରୁମ୍ ସମେତ ଅନେକ ସ୍ୱତନ୍ତ୍ର ବିଭାଗ ରହିବ ଯାହା ଅର୍ଥପୂର୍ଣ୍ଣ ସମ୍ପର୍କକୁ ସହଜ କରିବ ଏବଂ ସୀମାପାର ସହଭାଗୀତାକୁ ପ୍ରୋତ୍ସାହିତ କରିବ।

ଭିଓ୍ବିଙ୍ଗ ରୁମ ଓ ମାର୍କେଟ୍ ସ୍କ୍ରିନିଂ: ନୂଆ କଣ୍ଟେଣ୍ଟର ସନ୍ଧାନ

ୱେଭ୍ସ ବଜାର ଚଳଚ୍ଚିତ୍ର, ଧାରାବାହିକ ଏବଂ ଏଭିଜିସି ପ୍ରକଳ୍ପଗୁଡିକର କ୍ୟୁରେଟେଡ୍ ସ୍କ୍ରିନିଂ ଆୟୋଜନ କରିବ, ଯାହା କ୍ରେତା, ବିକ୍ରୟ ଏଜେଣ୍ଟ ଏବଂ ବିତରକମାନଙ୍କୁ ନୂତନ ଏବଂ ଆକର୍ଷଣୀୟ ବିଷୟବସ୍ତୁପାଇଁ ସ୍ୱତନ୍ତ୍ର ଆକସେସ୍ ପ୍ରଦାନ କରିବ। ଭିଓ୍ବିଙ୍ଗ୍ ରୁମ୍ ଶିଳ୍ପ ପେସାଦାରମାନଙ୍କୁ ନୂତନ ଶୀର୍ଷକ ଅନୁସନ୍ଧାନ ଏବଂ ଅଧିଗ୍ରହଣ କରିବା ପାଇଁ ଏକ ଉତ୍ସର୍ଗୀକୃତ ସ୍ଥାନ ପ୍ରଦାନ କରିବ, ଯେତେବେଳେ କି ମାର୍କେଟ୍ ସ୍କ୍ରିନିଂରେ ବଛା ବଛା ପ୍ରକଳ୍ପଗୁଡିକ ଏକ ବିଶ୍ୱସ୍ତରୀୟ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରିବ, ବିଷୟବସ୍ତୁ ବିତରଣ, ଲାଇସେନ୍ସିଂ ଏବଂ ସିଣ୍ଡିକେସନ ଡିଲ୍ ପାଇଁ ସୁଯୋଗ ସୃଷ୍ଟି କରିବ।

କ୍ରେତା ଏବଂ ବିକ୍ରେତା ବୈଠକ: ବିଶ୍ୱସ୍ତରୀୟ ସହଯୋଗକୁ ପ୍ରୋତ୍ସାହିତ କରିବା

ଫିକି ଫ୍ରେମ୍ସ କଣ୍ଟେଣ୍ଟ ମାର୍କେଟପ୍ଲେସ୍ ସହଯୋଗରେ ୱେଭ୍ସ ବଜାର ଏକ ଗଠନମୂଳକ କ୍ରେତା ଏବଂ ବିକ୍ରେତା ବିଭାଗ ପ୍ରଦାନ କରିବ, ଯାହା ଉତ୍ପାଦକ, ଷ୍ଟୁଡିଓ, ପ୍ରସାରଣକାରୀ ଏବଂ ପ୍ଲାଟଫର୍ମ ସମେତ ପ୍ରମୁଖ ଅଂଶୀଦାରମାନଙ୍କ ମଧ୍ୟରେ ଗୋଟିଏ ପରେ ଗୋଟିଏ ବୈଠକକୁ ସକ୍ଷମ କରିବ। ଏହି ଟାର୍ଗେଟ ବିଟୁବି ଆଲୋଚନାର ଉଦ୍ଦେଶ୍ୟ ହେଉଛି ଚୁକ୍ତି ପ୍ରସ୍ତୁତି, ସହ-ପ୍ରଯୋଜନା ଏବଂ କଣ୍ଟେଣ୍ଟ୍ ଅଧିଗ୍ରହଣକୁ ତ୍ୱରାନ୍ୱିତ କରିବା, ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଶିଳ୍ପ ସମ୍ପର୍କକୁ ସୁଦୃଢ଼ କରିବା।

ପିଚ୍ରୁମ୍: ଆଇଡିଆ ଓ ନିବେଶକଙ୍କ ମିଳନସ୍ଥଳୀ

ପିଚ୍ରୁମ୍ କ୍ରିଏଟର, ଚଳଚ୍ଚିତ୍ର ନିର୍ମାତା ଏବଂ କଣ୍ଟେଣ୍ଟ ଉଦ୍ଭାବକମାନଙ୍କୁ ନିବେଶକ, ପ୍ରଯୋଜକ ଏବଂ କାର୍ଯ୍ୟକାରୀ ସମ୍ପାଦକମାନଙ୍କ ନିକଟରେ ସେମାନଙ୍କର ସର୍ବୋତ୍ତମ ଆଇଡିଆ ଉପସ୍ଥାପନ କରିବା ପାଇଁ ଏକ ଆକର୍ଷଣୀୟ ପ୍ଲାଟଫର୍ମ ପ୍ରଦାନ କରିବ। ଉଦୀୟମାନ ପ୍ରତିଭା ଏବଂ ଅଭିନବ ପ୍ରକଳ୍ପଗୁଡ଼ିକୁ ଆଲୋକପାତ କରିବା ପାଇଁ ଡିଜାଇନ୍ କରାଯାଇଥିବା, ପିଚ୍ରୁମ୍ ନୂତନ ବିଷୟବସ୍ତୁ ଉଦ୍ୟୋଗ ଏବଂ ସମ୍ଭାବ୍ୟ ସହ-ସୃଜନ ପାଇଁ ଏକ ଲଞ୍ଚପ୍ୟାଡ୍ ଭାବରେ କାର୍ଯ୍ୟ କରିବ, ଏହାକୁ ଶିଳ୍ପ ଜଗତର ନେତାମାନଙ୍କ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ କରିବ।

ୱେଭ୍ସ ବଜାରକୁ ଶିଳ୍ପ ନେତାଙ୍କ ସମର୍ଥନ

କଣ୍ଟେଣ୍ଟ ବାଣିଜ୍ୟ ଏବଂ ସହଯୋଗିତା କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ସମ୍ଭାବନା ପାଇଁ ୱେଭ୍ସ ବଜାରର ପ୍ରମୁଖ ଶିଳ୍ପ ଖେଳାଳିମାନେ ପ୍ରଶଂସା କରିଛନ୍ତି।

ପାନୋରାମା ଷ୍ଟୁଡିଓର ମୁଖ୍ୟ ବ୍ୟବସାୟିକ ଅଧିକାରୀ ମୂରଲୀଧର ଚଟଓ୍ବାନି ଓ ଫିଲ୍ମ ଏକ୍ଜିକ୍ୟୁସନ ଆଣ୍ଡ ସିଣ୍ଡିକେସନ ମୁଖ୍ୟ ରଜତ ଗୋସ୍ୱାମୀ କହିଛନ୍ତି, “ୱେଭ୍ସ ବଜାରରେ ଏକାଧିକ ସେଗମେଣ୍ଟରେ ଭାଗ ନେବାପାଇଁ ଆମେ ଉତ୍ସାହିତ। ଏହି ବଜାର ଆମର ପ୍ରକଳ୍ପଗୁଡିକୁ ପ୍ରଦର୍ଶନ କରିବା, ଅର୍ଥପୂର୍ଣ୍ଣ ସହଯୋଗ ସୁରକ୍ଷିତ କରିବା ଏବଂ ମନୋରଞ୍ଜନ ଶିଳ୍ପରେ ଆମର ବିଶ୍ୱସ୍ତରୀୟ ପହଂଚକୁ ବିସ୍ତାର କରିବା ପାଇଁ ଏକ ଅବିଶ୍ୱସନୀୟ ପ୍ଲାଟଫର୍ମ ପ୍ରଦାନ କରେ।”

ବୈଶ୍ବିକ କଣ୍ଟେଣ୍ଟ ଏବଂ ରଣନୈତିକ ସହବନ୍ଧନ ପାଇଁ ପ୍ରବେଶ ଦ୍ୱାର

ୱେଭ୍ସ ବଜାର ବିଷୟବସ୍ତୁ ନିର୍ମାତା, କ୍ରେତା ଏବଂ ନିବେଶକଙ୍କ ପାଇଁ ଏକ ଗେମ୍-ଚେଞ୍ଜର ହେବାକୁ ଯାଉଛି, ଯାହା ନୂତନ କଣ୍ଟେଣ୍ଟ ଆବିଷ୍କାର କରିବା, ଭାଗିଦାରୀ ଗଠନ କରିବା ଏବଂ ବିତରଣ ଏବଂ ସହ-ଉତ୍ପାଦନ ସୁଯୋଗ ଅନୁସନ୍ଧାନ କରିବା ପାଇଁ ଏକ ପ୍ରଭାବଶାଳୀ ପ୍ଲାଟଫର୍ମ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମ କ୍ରେତା, ବିକ୍ରେତା, ନିବେଶକ ଏବଂ ଏମଆଣ୍ଡଇ ପେସାଦାରମାନଙ୍କୁ ରଣନୈତିକ ଅଭିବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ପାଇଁ ୱେଭ୍ସ ବଜାରରେ ଅଂଶଗ୍ରହଣ ଏବଂ ଲାଭ ଉଠାଇବାକୁ ଆମନ୍ତ୍ରଣ କରେ।

ୱେଭ୍ସ ବିଷୟରେ

ଭାରତ ସରକାର ପ୍ରଥମ ବିଶ୍ୱ ଅଡିଓଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭ୍ସ) ଆୟୋଜନ କରୁଛନ୍ତି – ଏହା ଗଣମାଧ୍ୟମ ଏବଂ ମନୋରଞ୍ଜନ (ଏମଏଣ୍ଡଇ) କ୍ଷେତ୍ର ପାଇଁ ଏକ ପ୍ରମୁଖ କାର୍ଯ୍ୟକ୍ରମ, ଯାହାକି ୧ ମଇ ରୁ ୪ ମଇ, ୨୦୨୫ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁମ୍ବାଇରେ ଅନୁଷ୍ଠିତ ହେବ। ଆପଣ ଜଣେ ବୃତ୍ତିଗତ ଉଦ୍ୟୋଗୀ ହୁଅନ୍ତୁ କିମ୍ବା ନିବେଶକ, କ୍ରିଏଟର କିମ୍ବା ଉଦ୍ଭାବକ ହୁଅନ୍ତୁ ନା କାହିଁକି, ଏହି ସମ୍ମିଳନୀ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସଂଯୋଗ, ସହଯୋଗ, ନବସୃଜନ ଏବଂ ଅବଦାନ ପାଇଁ ଏକ ବୃହତ ବିଶ୍ୱ ପ୍ଲାଟଫର୍ମ ପ୍ରଦାନ କରିବ।

ୱେଭସ୍ ଭାରତର ସୃଜନଶୀଳ ଶକ୍ତିକୁ ମୁକ୍ତ କରିବାକୁ ପ୍ରସ୍ତୁତ। ଏହା ବିଷୟବସ୍ତୁ ସୃଷ୍ଟି, ବୌଦ୍ଧିକ ସମ୍ପତ୍ତି ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନର ଏକ କେନ୍ଦ୍ର ଭାବରେ ଏହାର ସ୍ଥିତିକୁ ସୁଦୃଢ଼ କରିବ। ଏହା ପ୍ରସାରଣ, ପ୍ରିଣ୍ଟ ମିଡିଆ, ଟେଲିଭିଜନ, ରେଡିଓ, ଫିଲ୍ମ, ଆନିମେସନ, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ, ଶବ୍ଦ ଏବଂ ସଙ୍ଗୀତ, ବିଜ୍ଞାପନ, ଡିଜିଟାଲ୍ ମିଡିଆ, ସୋସିଆଲ ମିଡିଆ ପ୍ଲାଟଫର୍ମ, ଜେନେରେଟିଭ୍ ଏଆଇ, ଅଗମେଣ୍ଟେଡ୍ ରିଆଲିଟି (ଏଆର), ଭର୍ଚୁଆଲ୍ ରିଆଲିଟି (ଭିଆର), ଏବଂ ଏକ୍ସଟେଣ୍ଡେଡ୍ ରିଆଲିଟି (ଏକ୍ସଆର) ଭଳି ଶିଳ୍ପ ଏବଂ କ୍ଷେତ୍ର ଉପରେ ଧ୍ୟାନ ଦେବ।

Categories
ଆଜିର ଖବର ଜାତୀୟ ଖବର ସିନେମା

ଆନିମେସନ୍ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତା: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମନୋନିତ ହେଲେ ୭୮ ନିର୍ମାତା

ନୂଆଦିଲ୍ଲୀ: ଅସାଧାରଣ ଆନିମେସନ ପ୍ରତିଭାଙ୍କୁ ସୁଯୋଗ ଦେବ ୱେଭ୍ସ ୨୦୨୫। ୱେଭ୍ସ ସମ୍ମିଳନୀ ଅଧୀନରେ ଆନିମେସନ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡ ପାଇଁ ୭୮ ଜଣ ନିର୍ମାତା ମନୋନିତ ହୋଇଛନ୍ତି। ଡାନ୍ସିଂ ଆଟମର ସହଭାଗିତାରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ ସିଜନ୍‌-୧ ଅଧୀନରେ ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଏହାର ଆୟୋଜନ କରାଯାଇଥିଲା। ମୁଖ୍ୟତଃ ପାଞ୍ଚଟି ବର୍ଗ : ଆନିମେସନ, ଏଆର (ଅଗମେଣ୍ଟେଡ୍‌ ରିଅଲିଟି), ଭିଆର୍‌(ଭର୍ଚୁଆଲ୍‌ ରିଅଲିଟି), ଭର୍ଚୁଆଲ ପ୍ରଡକ୍ସନ ଏବଂ ଭିଜୁଆଲ ଇଫେକ୍ଟକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ବିଶ୍ୱର ବିଶିଷ୍ଟ ବିଚାରକମାନଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ମୌଳିକତା, ବର୍ଣ୍ଣନାତ୍ମକ ଶକ୍ତି, ମନୋରଞ୍ଜନ ମୂଲ୍ୟ, ବଜାର ଅପିଲ, ଦର୍ଶକଙ୍କ ସମ୍ପୃକ୍ତି ଏବଂ ବୈଷୟିକ କାର୍ଯ୍ୟକାରିତା ସମେତ ବିଭିନ୍ନ ମାନଦଣ୍ଡକୁ ଆଧାର କରି ଚଳଚ୍ଚିତ୍ର ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲା। ବିଚାରକ ମଣ୍ଡଳୀରେ ମନୋରଞ୍ଜନ ବିପଣନ ପେସାଦାର ଜାନ ନାଗେଲ, ଆନିମେସନ ୱାର୍ଲ୍ଡ ନେଟୱର୍କର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ଡାନ ସାର୍ଟୋ, ନିର୍ଦ୍ଦେଶକ, ନିର୍ମାତା, ଲେଖକ ଜିଆନମାର୍କୋ ସେରା, ବିଶିଷ୍ଟ ଲେଖିକା ଇନ୍ଦୁ ରାମଚନ୍ଦାନୀ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ବୈଭବ ପିୱଲାତକର ପ୍ରମୁଖ ସାମିଲ ଥିଲେ।

ଚୟନ ହୋଇଥିବା ନିର୍ମାତାଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ଅଭିଜ୍ଞ, ପେସାଦାର ଏବଂ ଷ୍ଟୁଡିଓମାନେ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ, ଏହି ପ୍ରତିଯୋଗିତାରେ ଲଣ୍ଡନ, ବାଲି ଏବଂ କାନାଡାର ଅନ୍ତର୍ଜାତୀୟ ପ୍ରତିଯୋଗୀ ରହିଛନ୍ତି, ଯାହା କାହାଣୀ କହିବା ପାଇଁ ଏକ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ପ୍ରଦାନ କରିଥାଏ। ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ଏବଂ ପାରିବାରିକ ଶିକ୍ଷା ଉପରେ ଆକର୍ଷଣୀୟ ବର୍ଣ୍ଣନା ପାଇଁ ତିନୋଟି ସ୍ୱତନ୍ତ୍ର ଉଲ୍ଲେଖ ଚଳଚ୍ଚିତ୍ର ପ୍ରକଳ୍ପ ସ୍ୱୀକୃତି ଅର୍ଜନ କରିଛି। ମନୋନୀତ ପ୍ରକଳ୍ପଗୁଡ଼ିକରୁ ରିଫାଇଣ୍ଡ ପିଚ୍ ଡେକର ଚୂଡ଼ାନ୍ତ ଦାଖଲ ୨୦ ମାର୍ଚ୍ଚ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ, ତା’ପରେ ଶିଳ୍ପ ବିଶେଷଜ୍ଞଙ୍କ ଏକ ନବ ନିଯୁକ୍ତ ପ୍ୟାନେଲ୍ ଦ୍ୱାରା ଏକ ବିଚାରକ ସମୀକ୍ଷା କରାଯିବ।

ଶ୍ରେଷ୍ଠ ତିନୋଟି ବିଜୟୀ ପ୍ରକଳ୍ପ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ (ମୋଟ) ନଗଦ ପୁରସ୍କାର ପାଇବେ। ଏହି ପଦକ୍ଷେପର ଅଂଶବିଶେଷ ସ୍ୱରୂପ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶ୍ରେଷ୍ଠ ନିର୍ମାତାମାନଙ୍କୁ ଏକ ସ୍ୱତନ୍ତ୍ର ମୁମ୍ବାଇ ଗସ୍ତ ପାଇଁ ନିମନ୍ତ୍ରଣ କରିବ। ସେଠାରେ ସେମାନେ ସାରା ବିଶ୍ୱର ନିର୍ମାତା, ଓଟିଟି ପ୍ଲାଟଫର୍ମ, ବିତରକ ଏବଂ ନିବେଶକମାନଙ୍କ ଆଗରେ ସେମାନଙ୍କ ପ୍ରକଳ୍ପ ଉପସ୍ଥାପନ କରିବେ। ଆସନ୍ତା ଏପ୍ରିଲ ୧୦ ତାରିଖ କିମ୍ବା ତା’ପୂର୍ବରୁ ଚୂଡ଼ାନ୍ତ ବିଜେତାଙ୍କ ନାମ ପ୍ରକାଶ ପାଇବ।

ଆହୁରି ମଧ୍ୟ ସମସ୍ତ ସୃଷ୍ଟିକର୍ତ୍ତାମାନଙ୍କୁ ୱେଭସ୍ ବଜାରରେ ସେମାନଙ୍କ ପ୍ରକଳ୍ପ ଦାଖଲ କରିବାକୁ ନିମନ୍ତ୍ରଣ କରାଯାଇଛି। ଏହା ଏକ ବିଶ୍ୱସ୍ତରୀୟ ଇ-ମାର୍କେଟପ୍ଲେସ୍ ଏବଂ ପ୍ରତିଭାବାନ ନିର୍ମାତାମାନଙ୍କୁ ବିଶ୍ୱସ୍ତରୀୟ କ୍ରେତାଙ୍କ ସହ ଯୋଡ଼ିବା ପାଇଁ ଏହାକୁ ପରିକଳ୍ପନା କରାଯାଇଛି।