Categories
ଆଜିର ଖବର ରାଜ୍ୟ ଖବର

ଦୁର୍ନୀତି ବିରୋଧରେ ରାଜ୍ୟସରକାରଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ : ଦୁଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଚାରି ଅଧିକାରୀଙ୍କୁ ନିଲମ୍ବନ

ସମୀକ୍ଷାବ୍ୟୁରୋ

ଭୁବନେଶ୍ବର :

ରାଜ୍ୟସରକାର ଦୁର୍ନୀତି ବିରୋଧରେ ଜିରୋ ଟରେଲନ୍ସ ନୀତି ଆପଣାଉଛନ୍ତି। ନବୀନ ସରକାର ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଅଭିଯାନ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହିକ୍ରମରେ ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୪ ଜଣ ଅଧିକାରୀ ଚାକିରିରୁ ନିଲମ୍ବିତ  ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସରକାର ସହକାରୀ ଯନ୍ତ୍ରୀ ନାରାୟଣ ତିଆଡ଼ିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ବରଗଡ଼ ଆରଡବ୍ଲ୍ୟୁଏସଏସରେ ଚାକିରି କରୁଥିବା ତିଆଡ଼ିଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ କର୍ତ୍ତବ୍ୟରେ ଅବହେଳା ଯୋଗୁଁ  ଅବସର ଦିଆଯାଇଛି। ଅନ୍ୟ ଜଣକ ହେଲେ ଦୀର୍ଘ ଦିନ ଧରି କାର୍ଯ୍ୟରେ ଯୋଗ ଦେଇ ନ ଥିବା ସହକାରୀ ଯନ୍ତ୍ରୀ ଶ୍ରୀ ଜ୍ଞାନେନ୍ଦ୍ର ପଟେଲ ।ସେ ଜନସ୍ୱାସ୍ଥ୍ୟ ବିଭାଗର ସହାକାରୀ ଯନ୍ତ୍ରୀ ରହିଥିଲେ ।

ସେହିପରି ୪ଜଣ ଅଧିକାରୀଙ୍କୁ  ସରକାରୀ କାର୍ଯ୍ୟରୁ ନିବୃତ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି – ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ପୂର୍ବତନ ଯନ୍ତ୍ରୀ ସଂଜୟ ଚୌଧୁରୀ, ଖଦୀ ବୋର୍ଡର ପୂର୍ବତନ ସୁପରଭାଇଜର ପ୍ରଦୀପ ରାୟ, କଟକ ଜିଲ୍ଲାର ବାଙ୍କୀ ବ୍ଲକର ପୂର୍ବତନ ଯନ୍ତ୍ରୀ ବିଜ୍ଞାନ କୁମାର ବେଉରିଆ, ବର୍ତ୍ତମାନ ରାୟଗଡା ଜନସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା ତଥା ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଜେଇ ଅମିୟ କୁମାର ସେଠୀଙ୍କୁ ସରକାର ଚାକିରିରୁ ବହିଷ୍କାର କରିଛନ୍ତି। ଏହି ୪ ଅଧିକାରୀ ନିକଟରେ ସେମାନଙ୍କ ବିରୋଧରେ ଚାଳିଥିବା ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।