Categories
ଆଜିର ଖବର ଜାତୀୟ ଖବର

ସିଏଏକୁ ନେଇ ଦିଲ୍ଲୀରେ ନିର୍ବାଚନ ଲଢିବ କଂଗ୍ରେସ

ନୂଆଦିଲ୍ଲୀ, 5/1: ନାଗରିକତା ସଂଶୋଧନ ଆଇନକୁ ନେଇ ଏନ୍‌ଆରସି, ଏନ୍‌ପିଆରକୁ ନେଇ ଦେଶବ୍ୟାପୀ ତର୍କ  ଓ ରାଜନୈତିକ ଚର୍ଚ୍ଚା ଚାଲିଥିବାବେଳେ ଏହା ଏବେ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହୋଇଛି । ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏହା ବେଶ୍‌ ଦାନା ଯୋଗାଉଛି । ଦିଲ୍ଲୀରେ ସିଏଏ ବିରୋଧ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କଂଗ୍ରେସ ନୂଆ ଚାଲ ଚଲାଇଛି । କଂଗ୍ରେସର ଦିଲ୍ଲୀ ପ୍ରମୁଖ ଅଜୟ ମାକେନ କହିଛନ୍ତି ଯେ, ଯଦି ଦିଲ୍ଲୀରେ କଂଗ୍ରେସ କ୍ଷମତାସୀନ ହୁଏ, ତେବେ ନାଗରିକତା ସଂଶୋଧନ ଆଇନ ଅର୍ଥାତ୍‌ ସିଏଏ ଓ ଏନ୍‌ଆରସି ଓ ଏନ୍‌ପିଆରକୁ ଲାଗୁ ହେବାକୁ ଦେବ ନାହିଁ । ଦିଲ୍ଲୀରେ କଂଗ୍ରେସର ଘୋଷଣାପତ୍ରରେ ଏହାକୁ ନେଇ ବିଶେଷ ଘୋଷଣା ରହିବ ବୋଲି ସୂଚନା ରହିଛି । ଏହାସହିତ କଂଗ୍ରେସ ଦିଲ୍ଲୀରେ କେଜ୍‌ରୀଓ୍ବାଲ ସରକାରଙ୍କ ନିକଟରେ ଏହି ବିଷୟକୁ ନେଇ ବିଧାନସଭାରେ ଏକ ବିଶେଷ ଅଧିବେଶନ କରିବାକୁ ଦାବି କରିଛି ।

ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭାରେ ଆଠଟି ଆସନ ମୁସଲିମ୍‌ ସମ୍ପ୍ରଦାୟଙ୍କ ବହୁମତ ଉପରେ ନିର୍ଭରଶୀଳ । ମୁସଲମାନ ବହୁଳ ଅଞ୍ଚଳରେ ସିଏଏକୁ ନେଇ ବିରୋଧଭାସ ରହିଛି । ତେବେ ରାଜନୈତିକ ଦଳ ବିଧାନସଭା ନିର୍ବାଚନରେ ଏହାକୁ ପ୍ରମୁଖ ଆୟୁଧ କରିବେ । ତେବେ ଦେଖାଯାଉ ସିଏଏକୁ ରାଜନୀତି ଚାଲିଥିବାବେଳେ ଦିଲ୍ଲୀ ବିଧାନସଭା ଉପରେ ଏହା କି ପ୍ରଭାବ ପକାଉଛି । (ଏଜେନ୍ସି)